ଅନାଥ ଗାଈଆଳ ପିଲାକୁ ନିଜ ଖର୍ଚ୍ଚରେ ପାଠ ପଢାଇଲେ ଶିକ୍ଷକ

ଛୁଆଟି ଦିନରୁ ସେ ବାପ-ମା’ଙ୍କୁ ହରାଇ ହୋଇଥିଲା ଅନାଥ। ପେଟ ଚାଖଣ୍ଡକ ପାଇଁ କୁନି ହାତରେ ଧରିଥିଲା ଠେଙ୍ଗା ଓ ପାଲଟି ଯାଇଥିଲା ଗାଈଆଳ। ତେବେ ତାର ସୌଭାଗ୍ୟରୁ ତା ଉପରେ ପଡିଥିଲା ଜଣେ ଦେବଦୂତ ସମ ବ୍ୟକ୍ତିଙ୍କ ସୁଦୃଷ୍ଟି ଓ ସେ କୋଳେଇ ନେଇଥିଲେ ଏହି ବାପ ମା ଛେଉଣ୍ଡ ଅନାଥ ଶିଶୁଟିକୁ। ଆଜି ସେହି ଶିକ୍ଷକଙ୍କ ସହାୟତାରୁ ୯ମ ଶ୍ରେଣୀରେ ଅଧ୍ୟୟନ କରୁଛି ଅତୀତର ସେହି ଗାଈଆଳ ପିଲାଟି । ଆମେ କହୁଛୁ ମୟୂରଭଂଜ ଜିଲ୍ଲା ରରୁଆଁ ବ୍ଳକ ଅନ୍ତର୍ଗତ ଟିଲୁ ସାହିର ରାମଚନ୍ଦ୍ର ବାନରା କଥା। ସେ ୬-୭ ବର୍ଷର ହୋଇଥିଲେ, ବାପା ଓ ମା ଆଗ ପଛ ହୋଇ ଆରପାରିକୁ ଚାଲିଗଲେ ତାକୁ ଏକା କରି। ଘରେ ଆଉ କେହି ନ ଥିଲେ। ଅନାଥ ହୋଇଯାଇଥିଲା ରାମ। କେହି ଆଗେଇ ଆସିନଥିଲେ ଛୋଟ ଛୁଆଟିକୁ କୋଳେଇ ନେବାକୁ। ସେପଟେ ଭୋକର ଜ୍ୱାଳାରେ କୁନି ପିଲାଟି ଆଉଟୁ ପାଉଟୁ ହୋଇ ଉଠିଥିଲା। ତେଣୁ କୁନି କୁନି ପାଦରେ ସ୍ଥାନୀୟ ସ୍ଥିତିବାନ ଲୋକଙ୍କ ଗୋରୁ ଚରାଇବାକୁ ବାହାରିଥିଲା। ଏମିତି ଏମିତି ବିତୁଥିଲା ତାର ଜୀବନ। ଏଥିରେ କାହାରିକୁ କିଛି ଫରକ ବି ପଡି ନ ଥିଲା। କିନ୍ତୁ ଛୋଟ ଛୁଆଟିର ଏହି ସଂଘର୍ଷମୟ ଜୀବନ ବିଷୟରେ ଜାଣିବାକୁ ପାଇଥିଲେ ଶୁକ୍ରୁଳି ବ୍ଲକ ଅନ୍ତର୍ଗତ ମନୋହରପୁରର ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ଆରୁକ। କାଳ ବିଳମ୍ବ ନ କରି ରାମଚନ୍ଦ୍ରକୁ ଜିଲ୍ଲାପାଳଙ୍କ ‘ମୁଁ ବି ପଢିବି’ ଅଭିଯାନରେ ପରିଚାଳିତ ନିଜ ସ୍କୁଲରେ ନାମ ଲେଖାଇ ଦେଲେ। ସେ ରାମଚନ୍ଦ୍ରର ସବୁ ଦାୟିତ୍ୱ ନେଇଥିଲେ। ଅରୁଣ ସାରଙ୍କ ତତ୍ୱାବଧାନରେ ସେ ପାଠରେ ଭଲ ପ୍ରଦର୍ଶନ କରିଛି। ୭ମ ଶ୍ରେଣୀ ବିଜ୍ଞାନ ମେଳାରେ ପ୍ରଥମ ସ୍ଥାନ ହାସଲ କରିଛି। ଯାହାକୁ ନେଇ ରାମଚନ୍ଦ୍ର ଶିକ୍ଷକଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ଶିକ୍ଷକ ରାମର ପାରଦର୍ଶିତାକୁ ନେଇ ଖୁସି ବ୍ୟକ୍ତ କରି ତାର ଶୁଭକାମନା କରିଛନ୍ତି।

ତେବେ ପ୍ରଧାନ ଶିକ୍ଷକଙ୍କ ଏହି ମହାନ କାର୍ଯ୍ୟକୁ ନେଇ ତାଙ୍କୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି। ସେ ସର୍ବଦା ଏହିପରି କାର୍ଯ୍ୟ କରିଆସୁଥିବାରୁ ତାଙ୍କୁ ଦେବଦୂତ କହିବାକୁ ପଛେଇ ନାହାନ୍ତି ସ୍ଥାନୀୟ ବାସିନ୍ଦା।

ଅନ୍ୟପଟେ ଏବେ ରାମଚନ୍ଦ୍ର ୮ମ ଶ୍ରେଣୀ ପାସ କରିସାରିଛି। ପ୍ରଧାନ ଶିକ୍ଷକ ତାକୁ ନିକଟସ୍ଥ ନୂଆବେଡ଼ା ପଞ୍ଚାୟତ ହାଇସ୍କୁଲରେ ନାମ ଲେଖାଇ ଦେଇଛନ୍ତି। ସେ ତାର ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି। ଅନ୍ୟପଟରେ ରାମଚନ୍ଦ୍ର ବହୁତ ଭଲ ପଢି ବଡ ମଣିଷ ହେବାକୁ ଇଚ୍ଛା ରଖିଥିବା ବେଳେ ତାଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଗଲେ ସେ ଉପକୃତ ହୋଇପାନ୍ତା ବୋଲି ଆଶାବାଦୀ ଅଛି।

Leave a Reply

Your email address will not be published. Required fields are marked *