ବୃଦ୍ଧାଙ୍କୁ ପଥରରେ ଛେଚି ହତ୍ୟା ପରେ କାମୁଡି ଖାଇଲା ଯୁବକ

ଧୀରେ ଧୀରେ ମଣିଷ ଭିତରେ ମରି ଯାଉଛି ମାନବିକତା। ସରିଯାଉଛି ସମ୍ୱେଦନା। ସେଥିପାଇଁ  ମଣିଷ ପାଲଟି ଯାଉଛି ପଶୁର ହିଂସ୍ରତା । ଏମିତି ଏକ ହିଂସ୍ରତାପୂର୍ଣ୍ଣ ଓ ହୃଦୟ ବିଦାରକ ଘଟଣା ରାଜସ୍ଥାନର ପାଲିରେ ଦେଖିବାକୁ ମିଳିଛି।

ପାଲି ଜିଲ୍ଲାର ସେଣ୍ଡ୍ରା ଅନ୍ତର୍ଗତ ଏକ ଜଙ୍ଗଲରେ କିଛି ଲୋକ ଏମିତି ଦୃଶ୍ୟ ଦେଖିଥିଲେ କି ନିଜ ଆଖିକୁ ବିଶ୍ୱାସ କରିପାରି ନ ଥିଲେ। ଦେଖିଥିଲେ କି,  କେହି ଜଣେ ଫୁଙ୍ଗୁଳା ଦେହରେ ମାଟି ଉପରେ ଆଣ୍ଠେଇ କିଛି ଗୋଟିଏ କରୁଛି। ଏହା ଦେଖି ସେମାନେ ନିକଟକୁ ଯାଇଥିଲେ ଆଉ ଦେଖିଥିଲେ କି, ଅଳ୍ପ ବୟସର ଯୁବକଟିର ଦେହମୁଣ୍ଡ ରକ୍ତରେ ଜୁଡୁବୁଡ। ସେ ଆଣ୍ଠେଇ ପଡିଛି ଓ ତା ଆଗରେ ପଡିଥିବା ଜଣେ ବୃଦ୍ଧାଙ୍କୁ ଅତି ବିଭତ୍ସ ଭାବେ କାମୁଡି ମାଂସ ଖାଇ ଚାଲିଛି। ମାଟି ରକ୍ତରେ ଭିଜି ଯାଇଥିବା ବେଳେ ଯୁବକର ମୁହଁ ଓ ଦେହ ସବୁଠି ରକ୍ତ ଆଉ ରକ୍ତ। ଯୁବକ ଲୋକଙ୍କୁ ଦେଖି ସେଠାରୁ ଦୌଡି ପଳାଇବା ବେଳକୁ ଲୋକେ ପିଛା କରି କିଛି ବାଟରେ ତାକୁ ଧରି ସେଣ୍ଡ୍ରା ଥାନାକୁ ସୂଚନା ଦେଇଥିଲେ।

ପୋଲିସ ଉକ୍ତ ଯୁବକକୁ ଗିରଫ କରିବା ସହ ପଚରା ଉଚରାରୁ ଜାଣିବାକୁ ପାଇଛି କି, ହତ୍ୟାକାରୀ ଯୁବକର ବୟସ ୨୪ ବର୍ଷ। ତାର ନାମ ସୁରେନ୍ଦ୍ର ଓ ମୁମ୍ବାରେ ରୁହେ।  ଆଉ ମୃତା ବୃଦ୍ଧା ସ୍ଥାନୀୟ ଅଞ୍ଚଳର ଶାନ୍ତିଦେବୀ। ତାଠାରୁ ପୁଲିସ ଜାଣିବାକୁ ପାଇଛି କି, ବୃଦ୍ଧା ଜଙ୍ଗଲରେ ଛେଳି ଚରାଉଥିବା ବେଳେ  ସୁରେନ୍ଦ୍ର ତାଙ୍କୁ ଏକାକୀ ଦେଖିଥିଲା। ସେ ଏକ ବଡ ପଥର ଆଣି ତାଙ୍କ ମୁଣ୍ଡକୁ ଛେଚି ଛେଚି ତାଙ୍କୁ ମାରିଦେଇଥିଲା। ଶାନ୍ତି ଦେବୀ ମରିଯାଇଥିଲେ। ହେଲେ ଏଥିରେ ବିଚଳିତ ହୋଇନଥିଲା ସୁରେନ୍ଦ୍ର କି ତାର ମନସାଦ ମେଣ୍ଟି ନ ଥିଲା। ସେ ଶାନ୍ତି ଦେବୀଙ୍କ ମୁହଁ ଓ ଦେହର ମାଂସ କାମୁଡି ଖାଇଥିଲା।  

ତେବେ କାହିଁକି ସୁରେନ୍ଦ୍ର ମୁମ୍ବାଇରୁ ପାଲି ଆସିଥିଲା ଓ ଏମିତି ଏକ ଲୋମଟାଙ୍କୁରା କାର୍ଯ୍ୟ କଲା?  କଣ ସେ ଜଣେ ମାସିକ ବିକାରଗ୍ରସ୍ତ ନା ତା ପଛରେ ଆଉ କିଛି କାରଣ ରହିଛି ତାକୁ ନେଇ ପୋଲିସ ଖୋଳତାଡ ଜାରି ରଖିଥିବା ବେଳେ ପ୍ରଶ୍ନ ଉଠୁଛି, ଏ କି ପ୍ରକାରର ମାନସିକତା ମଣିଷ ଭିତରେ ବୃଦ୍ଧି ପାଉଛି?  

Leave a Reply

Your email address will not be published. Required fields are marked *