ଚୋର ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ ଗ୍ରାମବାସୀ

ରାଜ୍ୟରେ ଚାଲିଛି ଅରାଜକତା। କଙ୍ଗାରୁ କୋର୍ଟରେ ହେଉଛି ଦଣ୍ଡବିଧାନ ଓ ଯାଉଛି ନିରୀହ ଜୀବନ। କିନ୍ତୁ ରାଜ୍ୟ ପୋଲିସ ପ୍ରଶାସନ ଚୁପ ବସିଛି। ଏମିତି ଏକ କଙ୍ଗାରୁ କୋର୍ଟର ନଗ୍ନ ଚିତ୍ର ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲାରୁ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଚିଙ୍ଗୁଡ଼ିଘାଇରେ ଏପରି ନୃଶଂସ ଓ ହୃଦୟ ବିଦାରକ ଘଟଣା ଘଟିଯାଇଛି। ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଗ୍ରାମବାସୀ ଏମିତି ପିଟିଲେ କି ବିଚରା ଚୋର ସବୁଦିନ ପାଇଁ ଆଖି ବୁଜିଦେଲା। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି।

ଭିଡିଓରେ ଦେଖିବାକୁ ମିଳିଛି କି, ସମସ୍ତଙ୍କ ଆଗରେ ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ଠେଙ୍ଗା, ବାଡିରେ ନିସ୍ତୁକ ମାଡ଼ ମରାଯାଉଛି। ମାଡ ସାଙ୍ଗକୁ ପଥର ମଧ୍ୟ ପକାଇବାକୁ ପଛାଉନାହାନ୍ତି ଲୋକେ। ପ୍ରାଣ ବିକଳରେ ଯୁବକ ଜଣଙ୍କ ବିକଳ ଚିତ୍କାର କରିବା ସହ ଛାଡିଦେବାକୁ ଗୁହାରି କରି କରି ଥକି ପଡିଥିଲେ ବି କାହାରି କାନକୁ କିଛି ଶୁଭିଲାନି। ବୁଢାଠୁ ଛୁଆ ସମସ୍ତେ ଠିଆ ହୋଇ ଦେଖିଥିଲେ, ହେଲେ କେହି ଏପରି ଅମାନୁଷିକ କାର୍ଯ୍ୟର ବିରୋଧ କରି ନ ଥିଲେ। ଶେଷରେ ଚାଲିଗଲା ଯୁବକର ଜୀବନ।

ସୂଚନା ମୁତାବକ, ପୁରୀ ଜିଲ୍ଲା ଗଡ଼ିଶାଗଦା ଥାନା ବାଦୁରାଗଡ଼ ଗାଁର ବାହୁଡ଼ା ସାହୁ ଗତ ବୁଧବାର ଜଣେ ସାଙ୍ଗ ଘରକୁ ଯାଇଥିଲେ। ଗୁରୁବାର ସକାଳେ ଚିଙ୍ଗୁଡ଼ିଘାଇ ଗାଁର କିଛି ଲୋକ ତାଙ୍କୁ ଚୋର ସନ୍ଦେହରେ ଅଟକ ରଖିଥିଲେ। ପରେ ତାଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଆଖିବୁଜା ମାଡମାରିଥିଲେ। ଠେଙ୍ଗ ଓ ପଥର ମାଡରେ ସେ ନିଶ୍ଚେତ ହୋଇ ଯିବା ପରେ ତାଙ୍କୁ ସେହି ଅଭିଯୁକ୍ତମାନେ ନିକଟସ୍ଥ ସ୍କୁଲ ପାଖ ପଡିଆରେ ଫିଙ୍ଗି ଚାଲିଯାଇଥିଲେ ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ବାହୁଡ଼ା ସାହୁଙ୍କୁ ଚିହ୍ନଟ କରି ତାଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲା। ବାହୁଡ଼ାଙ୍କ ଭାଇଙ୍କ ଏତଲା ଆଧାରରେ ପୁଲିସ ଘଟଣାର ତଦନ୍ତ କରି ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଉ କିଛି ଅଭିଯୁକ୍ତଙ୍କୁ ଖୋଜୁଛି।

କିଛି ଦିନ ପୂର୍ବରୁ ସମାନ ଘଟଣା ଘଟିଥିଲା, ଢେଙ୍କାନାଳ ସଦର ଥାନା ଡେଙ୍ଗବୋରେଇ ଗାଁରେ। ଗାଁର ହେମନ୍ତ ରାଉତଙ୍କ ଫାର୍ମରୁ କିଛି ଯନ୍ତ୍ରାଂଶ ଓ ସିସିଟିଭି ଚୋରି ହୋଇଥିଲା। ଚୋରି ଘଟଣାରେ ଅକ୍ଷୟ ପଣ୍ଡା ଓ ଲିପୁ ନାମକ ଦୁଇ ଯୁବକଙ୍କୁ ସନ୍ଦେହ କରି ଗ୍ରାମ ସଭା ଡକାଇଥିଲେ ହେମନ୍ତ। ସଭା ଚାଲିଥିଲା, ହଠାତ୍ ହେମନ୍ତ ରାଉତ ଓ ତାଙ୍କର କିଛି ସହଯୋଗୀ ଅକ୍ଷୟ ଓ ଲିପୁଙ୍କୁ ସେଠାରୁ ନେଇଯାଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଅକ୍ଷୟଙ୍କର ମୃତ୍ୟୁ ହୋଇଥିବା ବେଳେ ଲିପୁ ଗୁରୁତର ଆହତ ହୋଇଥିଲେ। ହତ୍ୟା ପରେ ହେମନ୍ତ ରାଉତ ଥାନାରେ ଆତ୍ମସମର୍ପଣ କରିଥିଲା।

Leave a Reply

Your email address will not be published. Required fields are marked *