ଅଣ୍ଟା କଷିଲାଣି ବିଜେଡି ଆସନ୍ତା ୧୩ରୁ ଚାଲିବ ଯୁବ ଓ ଛାତ୍ର ସମ୍ମିଳନୀ

ରାଜ୍ୟ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପି ତରଫରୁ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ କରି ସଫଳତାକୁ ବଖାଣିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିଜୁ ଜନତା ଦଳ ତାର ଜବାବରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଫଳତାକୁ ରାଜ୍ୟବାସୀଙ୍କ ସମ୍ମୁଖରେ ଦୃଢ଼ ଭାବେ ଉପସ୍ଥାପନ କରିବାକୁ ଯାଉଛି । ବିଜେପି ସରକାରଙ୍କ ଗତ ଏକ ବର୍ଷରେ, ମହିଳା, ଯୁବ ଓ ଛାତ୍ର ମାନଙ୍କ ପ୍ରତି ହୋଇଥିବା ଅନ୍ୟାୟ ଅବିଚାରକୁ ବିରୋଧ କରି ବିଜୁ ଜନତା ଦଳ ତରଫରୁ, ଆସନ୍ତା ୧୩ ତାରିଖରେ ଯାଜପୁର ଠାରେ ଏକ ବିରାଟ ମହିଳା ସମାବେଶ ଓ ଆସନ୍ତା ୧୮ ତାରିଖରେ ପୁରୀ ଠାରେ ଯୁବ ଓ ଛାତ୍ର ସମାବେଶ ଅନୁଷ୍ଠିତ ହେବ ବୋଲି ଦଳ ତରଫରୁ ସୂଚନା ଦିଆ ଯାଇଛି ।

ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ଉପ ସଭାପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ଦଳର ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମା, ମହିଳା, ଯୁବ ଛାତ୍ରଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଥିଲେ । ଶ୍ରୀମତୀ ମଲ୍ଲିକ କହିଥିଲେ, ମହିଳାମାନଙ୍କ ସଶକ୍ତିକରଣ ପାଇଁ ବିଜୁ ପଟ୍ଟନାୟକ ପ୍ରଥମେ ପଞ୍ଚାୟତ ସ୍ତରରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ବିଜୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ପରବର୍ତ୍ତୀ ସମୟରେ ଏହି ସଂରକ୍ଷଣକୁ ୫୦ପ୍ରତିଶତକୁ ବଢ଼ାଇଥିଲେ । ଏହା ଛଡା, ମହିଳା ମାନଙ୍କୁ ସ୍ୱାବଲମ୍ୱୀ କରିବା ପାଇଁ ମିଶନ ଶକ୍ତି ଆରମ୍ଭ କରିଥିଲେ, ଯାହା ମାଧ୍ୟମରେ ରାଜ୍ୟର ପ୍ରାୟ ୭୦ଲକ୍ଷରୁ ଉଦ୍ଧ୍ୱର୍ ମହିଳା ସ୍ୱାବଲମ୍ୱୀ ହୋଇ ପାରିଥିଲେ । ଏହା ମାଧ୍ୟମରେ, ବିନା ସୁଧରେ ଦୀର୍ଘ ମିଆଦ ଋଣ ପ୍ରଦାନର ସୁବିଧା କରିବା ସହିତ ରାଜ୍ୟ ସରକାରଙ୍କ ୨୦ଟି ବିଭାଗରେ ସେମାନଙ୍କୁ ବିଭିନ୍ନ କାର୍ଯ୍ୟ କରିବାର ସୁଯୋଗ ଦେଇଥିଲେ । ବିଜେପି ସରକାର କ୍ଷମତାକୁ ଆସିବା ପରେ, ସେସବୁ କାର୍ଯ୍ୟକୁ ବନ୍ଦ କରିବାକୁ ବସିଛନ୍ତି । ମହିଳାଙ୍କୁ ସ୍ୱାବଲମ୍ୱୀ କରିବାକୁ ସୁଯୋଗ ପ୍ରଦାନ କରୁ ନାହାନ୍ତି କି ମହିଳାଙ୍କୁ ରାଜ୍ୟ ସରକାର ସମ୍ମାନ ମଧ୍ୟ ଦେଉନାହାନ୍ତି ।

ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ଦୁଇ ବର୍ଷରେ ପଚାଶ ହଜାର ଟଙ୍କା ଦିଆଯିବ ବୋଲି ବିଜେପିର ପ୍ରତିଶ୍ରୁତି ମିଛ ବୋଲି ପ୍ରମାଣିତ ହୋଇଥିଲା, ଯେତେବେଳେ ଦୁଇ ବର୍ଷରେ ପଚାଶ ହଜାର ଜାଗାରେ ପାଞ୍ଚ ବର୍ଷରେ ପଚାଶ ହଜାର ଓ ତାହା ପୁଣି ଦଶଟି କିସ୍ତିରେ । ବିଜେପି ସରକାରଙ୍କ ଲକ୍ଷପତି ଦିଦି ସୃଷ୍ଟି କରିବାରେ ରେକର୍ଡ କରିବା ଏକ ହାସ୍ୟାସ୍ପଦ କଥା । ମିଶନ ଶକ୍ତି ମାଧ୍ୟମରେ ସଶକ୍ତ ହୋଇଥିବା ମହିଳା ମାନଙ୍କୁ ଲକ୍ଷପତି ଦିଦି ଭାବେ ଦେଖାଇ ବିଜେପି ବାହା ବା ନେବାକୁ ବୃଥା ଚେଷ୍ଟା କରୁଛି । ତେଣୁ, ମହିଳା ମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ବିରୋଧରେ, ଆସନ୍ତା ୧୩ ତାରିଖରେ, ଯାଜପୁର ଠାରେ ଏକ ବିରାଟ ମହିଳା ସମ୍ମିଳନୀ କରାଯିବ ବୋଲି ଶ୍ରୀମତୀ ମଲ୍ଲିକ ସୂଚନା ଦେଇଥିଲେ । ରାଜ୍ୟର ଯୁବ ଛାତ୍ର ମାନଙ୍କୁ ନ୍ୟାୟ ପ୍ରଦାନରେ ବିଫଳ ହୋଇଥିବା ରାଜ୍ୟ ସରକାରଙ୍କ ବିରୋଧରେ ଏକ ବିରାଟ ସମ୍ମିଳନୀ ଆସନ୍ତା ୧୮ ତାରିଖରେ ପୁରୀ ଠାରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ସଞ୍ଜୟ ଦାସବର୍ମା ସୂଚନା ଦେଇଥିଲେ ।