
ନ୍ୟାୟ ଦାବିରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଜାରି ରହିଛି । ଏବେ ଆଲୋଚନା ପାଇଁ ପ୍ରସ୍ତାବ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର । ଆଲୋଚନା ପାଇଁ ପୁଣି ଥରେ ପ୍ରତିବାଦରତ କୁସ୍ତି ଖେଳାଳିମାନଙ୍କୁ ଆମନ୍ତ୍ରଣ କରିଛନ୍ତି ମନ୍ତ୍ରୀ । ତେବେ ସରକାରଙ୍କ ପ୍ରସ୍ତାବ କ’ଣ ନ ଜାଣିବା ଯାଏ ପ୍ରତିବାଦ ବନ୍ଦ ହେବ ନାହିଁ ବୋଲି କୁସ୍ତିଯୋଦ୍ଧା କହିଛନ୍ତି ।

ପ୍ରତିବାଦ ବନ୍ଦ କରିବୁ ନାହିଁ ବୋଲି ରୋକଠୋକ୍ କହିଛନ୍ତି କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ । ସରକାରଙ୍କ କି ପ୍ରସ୍ତାବ ରହିଛି ଆମେ ଜାଣିନାହୁଁ । ପ୍ରସ୍ତାବ ସମ୍ପର୍କରେ ଆମେ ପ୍ରଥମେ ଜାଣିବା ଉଚିତ । ଡବ୍ଲ୍ୟୁଏଫ୍ଆଇ ମୁଖ୍ୟ ବ୍ରିଜ୍ ଭୂଷଣଙ୍କୁ ଗିରଫ କରିବା ମୁଖ୍ୟ ଦାବି ଥିବା କଥା କହିଛନ୍ତି ସାକ୍ଷୀ । ଏଥିସହ ସରକାରଙ୍କ ପ୍ରସ୍ତାବ ଖାପ୍ ପଞ୍ଚାୟତ ନେତାମାନଙ୍କ ଆଗରେ ଉପସ୍ଥାପନା କରାଯାଇ ସେମାନଙ୍କ ସହିତ ଆଲୋଚନା ହେବ ।

ବୁଝି ନସୁଝି କୌଣସି ପ୍ରସ୍ତାବ ଗ୍ରହଣ କରିବୁ ନାହିଁ ବୋଲି କହିଛନ୍ତି ସାକ୍ଷୀ । ବରିଷ୍ଠ ଏବଂ ସମର୍ଥକମାନଙ୍କ ସହିତ ସରକାର ଦେଇଥିବା ପ୍ରସ୍ତାବ କଥା ଆଲୋଚନା କରିବୁ । ପ୍ରସ୍ତାବ ଠିକଠାକ୍ ଥିଲେ ସମସ୍ତଙ୍କ ସମ୍ମତି ପରେ ଆମେ ରାଜି ହେବୁ ବୋଲି ସେ କହିଛନ୍ତି ।

ସରକାରଙ୍କ ସମସ୍ତ ପ୍ରସ୍ତାବ ଗ୍ରହଣୀୟ ହେବ ନାହିଁ । ତେଣୁ ତାକୁ ମାନି ନେଇ ପ୍ରତିବାଦ ଶେଷ କରିବା ଆମ ପକ୍ଷେ ସମ୍ଭବ ନୁହେଁ ବୋଲି କୁସ୍ତିଯୋଦ୍ଧା କହିଛନ୍ତି । ଆଲୋଚନା ପାଇଁ କୌଣସି ସମୟ ଧାର୍ଯ୍ୟ ହୋଇନଥିବା ବେଳେ ସମୟ ଓ ସ୍ଥାନ ଜାଣିବାକୁ ସେମାନେ ଅପେକ୍ଷା କରିଛନ୍ତି । ରୁଦ୍ଧଦ୍ୱାର ନୁହେଁ ଉନ୍ମୁକ୍ତ ବୈଠକରେ ଆଲୋଚନା କରାଯାଇ ସମସ୍ୟାର ସମାଧାନ ବାହାର କରାଯିବ ବୋଲି ଆଶା ରଖିଛନ୍ତି ସାକ୍ଷୀ ।
