
ରାଜ୍ୟର ବିଭିନ୍ନ ସ୍ଥାନରେ ଘନକୁହୁଡି । ଟ୍ବିନ୍ସିଟି ଭୁବନେଶ୍ବର ଓ କଟକ ସମେତ ବିଭିନ୍ନ ସ୍ଥାନରେ ଘନକୁହୁଡି ଦେଖିବାକୁ ମିଳିଛି । ଯାହାଫଳରେ ସକାଳେ ଯାତାୟତ କରୁଥିବା ଲୋକମନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୁଇ ଦିନ ହେବ ରାଜ୍ୟରେ ଘନକୁହୁଡି ଦେଖିବାକୁ ମିଳୁଥିବା ବେଳେ ଶୀତ ମଧ୍ୟ ଅନୁଭୂତ ହେଉଛି । କୁହୁଡି ନେଇ ସୁନ୍ଦରଗଡ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବିଶେଷ କରି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଗଞ୍ଜାମ, ଗଜପତିରେ ତାପମାତ୍ରା ବଢିବାର ସମ୍ଭାବନା ରହିଛି । କୁହୁଡି ପାଇଁ ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳନା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।କିଛି ଦିନ ବ୍ୟବଧାନରେ ଭୁବନେଶ୍ବର ଓ କଟକ ସହରର ପାରଦ ୧୩ ଡିଗ୍ରି ତଳକୁ ଖସିଛି। ୧୧ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ସିମିଳିଗୁଡ଼ାରେ ୭.୨, ଫୁଲବାଣୀରେ ୭.୫, ଝାରସୁଗୁଡ଼ାରେ ୭.୬, ରାଉରକେଲାରେ ୭.୯, କିରେଇ ଓ ଚିପିଲିମାରେ ୮.୮, ଦାରିଙ୍ଗବାଡିରେ ୯, ସୁନ୍ଦରଗଡରେ ୯.୧, ଅନୁଗୁଳରେ ୯.୬, କେନ୍ଦୁଝରଗଡ଼ରେ ୯.୯, ଭବାନୀପାଟଣା ଓ ବଲାଙ୍ଗୀରରେ ୧୦ ଡିଗ୍ରି ଲେଖାଏଁ ରହିଥିଲା।
