ବନ୍ଦ ହୋଇପାରେ ୫୦୦ ଟଙ୍କିଆ ନୋଟ୍‌! ଦୁର୍ନୀତି ରୋକିବାକୁ ନିଷ୍ପତ୍ତି ନେଇପାରନ୍ତି ସରକାର

ପୁଣି ବନ୍ଦ ହେବ କି ୫୦୦ ଟଙ୍କିଆ ନୋଟ୍‌ । ଏମିତି ଚର୍ଚ୍ଚା ବି ଆରମ୍ଭ ହୋଇଗଲାଣି । ଖାସ୍‌ କରି ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ବୟାନ ଦେବା ପରେ ଚର୍ଚ୍ଚା ଆହୁରି ବଢିଯାଇଛି । କାରଣ ସେ ସ୍ପଷ୍ଟ ଭାବରେ କହିଛନ୍ତି, ଦୁର୍ନୀତିକୁ ବନ୍ଦ କରିବାକୁ ହେଲେ ୫୦୦ ଟଙ୍କିଆ ନୋଟ୍‌ ବନ୍ଦ ହେବା ଦରକାର । କଥାହେଲା ଏନଡିଏରେ ସେ ସାମିଲ ଥିବାରୁ ତାଙ୍କ ବୟାନ ବେଶ୍‌ ଗୁରୁତ୍ବପୂର୍ଣ୍ଣ ରହୁଛି । ପୂର୍ବରୁ ବି ମୋଦୀ ସରକାର ନୋଟ୍‌ବନ୍ଦୀ କରିଥିଲେ । ଯାହାଦ୍ବାରା କୋଟି କୋଟି ଲୋକ ହଇରାଣ ହୋଇଥିଲେ । ଏବେ ପୁଣି ଥରେ ନୋଟ୍‌ବନ୍ଦୀ ହେଉଥିବାରୁ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ଚାଲିଲାଣି ।

ପୂରା ଦେଶରେ ଏବେ ଦୁର୍ନୀତି ହେଉଥିବା ଦେଖାଯାଉଛି । ଅଫିସରଙ୍କଠୁ ଆରମ୍ଭ କରି ସରକାରୀ କର୍ମଚାରୀମାନେ ପିସି ନନେଲେ କିଛି କାମ କରୁନାହାନ୍ତି । ନିଇତି କେଉଁଠି ଭିଜିଲାନ୍ସ ରେଡ୍‌ ହେଉଛି ତ ଆଉ କେଉଁଠି ଇଡି ଓ ସିବିଆଇ ଚଢାଉ ହେଉଛି । ଓଡ଼ିଶାରେ ବି ରବିବାର ରାତିରେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଘରେ ରେଡ୍‌ ମାରିଥିଲା ଟିମ୍ ଭିଜିଲାନ୍ସ । ପାଖାପାଖି ୪୭ ଲକ୍ଷ ଟଙ୍କା ପ୍ରାଥମିକ ଭାବରେ ମିଳିଥିଲା । ଯେଉଁଥିରେ ୫୦୦ ଟଙ୍କିଆ ନୋଟ୍‌ ଥିବାର ଦେଖାଯାଇଥିଲା । ତେଣୁ ବାବୁମାନେ କେଉଁପରି ଭାବରେ ଦୁର୍ନୀତି କରୁଛନ୍ତି ତାହା ସମସ୍ତେ ଜାଣନ୍ତି । ଏହି ସମୟରେ ଜଣେ ମୁଖ୍ୟମନ୍ତ୍ରୀ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ବଢିଛି ।

ରାଜ୍ୟରେ ଚାଲିଥିବା ଜନକଲ୍ୟାଣକାରୀ ଯୋଜନାକୁ ନେଇ ଚନ୍ଦ୍ରବାବୁ କହିଛନ୍ତି, ପୂର୍ବରୁ ଏତେ ଯୋଜନା ନଥିଲା । ହେଲେ ଏବେ ଅନେକ ଯୋଜନା ସରକାର କଲେଣି । ହେଲେ ଦୁଃଖର କଥା ଗରିବ ଓ ଧନୀ ଲୋକଙ୍କ ମଧ୍ୟରେ ଅନ୍ତର ବଢିବାରେ ଲାଗିଛି । ଏହାସହ ଉଭୟ ଜାତିଭିତ୍ତିକ ଓ କୁଶଳୀ ଜନଗଣନା ହେବା ଦରକାର । ଏହାସହ ସେ କହିଛନ୍ତି, ହିନ୍ଦୀଭାଷା ଆମର ରାଷ୍ଟ୍ରଭାଷା । ତେଣୁ ସେହି ଭାଷାକୁ ଶିଖିଲେ ଅସୁବିଧା ନାହିଁ । ମାତୃଭାଷା ଶିଖିବା ଯେତିକି ଜରୁରୀ, ରାଷ୍ଟ୍ରୀୟ ଭାଷା ଶିଖିବା ସେତିକି ଜରୁରୀ ବୋଲି ସେ କହିଛନ୍ତି ।

ମୋଟ୍‌ ଉପରେ, ଚନ୍ଦ୍ରବାବୁ ଦେଇଥିବା ବୟାନକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ନୋଟବନ୍ଦୀକୁ ନେଇ ସେ ଯେଉଁ ଇସାରା ଦେଇଛନ୍ତି ଯଦି ସତ ହୁଏ ତାହେଲେ ଲୋକେ ହଇରାଣ ହେବେ ବୋଲି କୁହାଯାଉଛି । ଅବଶ୍ୟ ଏନେଇ କେନ୍ଦ୍ର ସରକାର କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଇନାହାନ୍ତି । ଏବେ କେବଳ ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।