ପଶ୍ଚିମବଙ୍ଗ ବାଣ ବିସ୍ଫୋରଣର ଘଟଣାର ମୁଖ୍ୟ ଅଭିଯୁକ୍ତ କଟକରୁ ଗିରଫ। ବିସ୍ଫୋରଣରେ ଆହତ ହୋଇ ପୋଲିସ ଭୟରେ କଟକ ଆସି ଚିକିତ୍ସିତ ହେଇଥିବା ବେଳେ ମାଡିବସିଛି ପୋଲିସ। କଟକର ଏକ ଘରୋଇ ମେଡ଼ିକାଲ୍ରେ ଚିକିତ୍ସିତ ହେଉଥିବା ବେଳେ ପୋଲିସ ଚଢାଉ କରି ଅଭିଯୁକ୍ତ ଓ ତା’ର ଦୁଇ ସହଯୋଗୀଙ୍କ ଧରିବାରେ ସକ୍ଷମ ହୋଇଛି। ଏହି ବିସ୍ଫୋରଣରେ ମୋଟ ୯ ଜଣଙ୍କ ମୃତ୍ୟୁ ହୋଇଥିଲା।
ଜଣେ ବରିଷ୍ଠ ଅଧିକରୀଙ୍କ ସୂଚନା ମୁତାବକ, ଘଟଣାର ମୁଖ୍ୟ ଅଭିଯୁକ୍ତ ଭାନୁ ବାଗ ହେଉଛି ବେଆଇନ ଭାବେ ଚାଲିଥିବା ବାଣ କାରଖାନାର ମାଲିକ। ଗୁରୁବାର କଟକରୁ ବେଣୁକୁ ଏକ ନର୍ସିଂ ହୋମରୁ ତାର ପୁଅ ଓ ଜଣେ ସହଯୋଗୀକୁ ଗିରଫ କରିଛି ପୋଲିସ। ମଙ୍ଗଳବାର ଦିନ ତାର କାରଖାନାରେ ବିସ୍ଫୋରଣ ହେବାରୁ ଭାନୁ ପିଠିର ୭୦ ପ୍ରତିଶତ ପୋଡିଯାଇଥିଲା। ସେ ଗୁରୁତର ହୋଇଥିବା ବେଳେ ସେଠାରେ ପୋଲିସର ଗିରଫଦାରୀ ଭୟ ଥିବାରୁ ଜଣେ ସମ୍ପର୍କୀୟ ଓ ପୁଅ ତାକୁ ପଶ୍ଚିମ ବଙ୍ଗରୁ କଟକ ନେଇଆସିଥିଲେ।
କଟକରେ ପହଞ୍ଚି ଏକ ଘରୋଇ ହସ୍ପିଟାଲରେ ତାକୁ ଭର୍ତ୍ତି କରି ଚିକିତ୍ସା କରାଯାଉଛି. ସେପଟେ ବିସ୍ଫୋରଣ ପରେ ମାଲିକ ଓ ତାର ପୁଅର ପତ୍ତା ନ ପାଇବାରୁ ଉଭୟ ଫେରାର ହୋଇଥିବା ଓ ବିସ୍ଫୋରଣରେ ଆହତ ଥିବା ସନ୍ଦେହ କରିଥିଲା ପୋଲିସ। ତେଣୁ ପଶ୍ଚିମ ବଙ୍ଗ ପୋଲିସର ସିଆଇଡି ପଡୋଶୀ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚଢାଉ ଜାରି ରଖିଥିଲା। ପରେ ତିନି ଜଣଙ୍କୁ କଟକରୁ ଗିରଫ କରିଛି। କିନ୍ତୁ ଭାନୁର ସ୍ଥିତି ଖରାପ ଥିବାରୁ ତାକୁ ପଶ୍ଚିମ ବଙ୍ଗ ଫେରାଇ ନେବା ସମ୍ଭବ ନୁହେଁ ବୋଲି କହିଛନ୍ତି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣା ପରେ ସିଆଇଡି, ଫରେନ୍ସିକ ଟିମ ଓ ବୋମା ନିଷ୍କ୍ରୀୟକାରୀ ଦଳ ମିଶି ତଦନ୍ତ କରୁଛନ୍ତି। ପଶ୍ଚିମ ବଙ୍ଗ ପୋଲିସ କଟକ କମିଶନରେଟ୍ ପୋଲିସ ସହ ଯୋଗସୂତ୍ର ସ୍ଥାପନ କରିଥିଲା ଓ ସହାୟତା ଲୋଡ଼ିଥିଲା।
ଗିରଫ ଅନ୍ୟ ଦୁଇ ଜଣଙ୍କ ଭିତରୁ ଜଣଙ୍କୁ ପୁଲିସ୍ ପଶ୍ଚିମବଙ୍ଗରେ ସ୍ଥାନୀୟ ମାଜିଷ୍ଟ୍ରେଟ୍ଙ୍କ ସାମ୍ନାରେ ହାଜର କରାଯାଇଛି। ଅନ୍ୟ ଜଣଙ୍କୁ ଗିରଫ କରି ଓଡ଼ିଶା ପୁଲିସ୍ ହେବାଜତରେ ଛାଡ଼ିଛି ପଶ୍ଚିମବଙ୍ଗ ପୁଲିସ। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର।