Wakefit Sleep Internship: ୬୦ ଦିନ ଶୋଇ ଜିତିଲେ ୯ ଲକ୍ଷ ୬୦ ହଜାର ଟଙ୍କା, ମାଗଣା ବିଦେଶ ଭ୍ରମଣର ସୁଯୋଗ!

ମୁମ୍ବାଇ : ଶୋଇଲେ ମିଳୁଛି ଲକ୍ଷ ଲକ୍ଷ ଟଙ୍କା! କଥାଟା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ଯେଉଁଠି ଲୋକେ ଟଙ୍କା ରୋଜଗାର ପାଇଁ ଦିନରାତି ପରିଶ୍ରମ କରୁଛନ୍ତି, ସେଠି ଜଣେ ଯୁବତୀ ଭଲ ନିଦରେ ଶୋଇ ଜିତିଛନ୍ତି ୯ ଲକ୍ଷ ୬୦ ହଜାର ଟଙ୍କା। କେବଳ ସେତିକି ନୁହେଁ, ମାଗଣାରେ ଛୁଟି କାଟିବାର ସୁଯୋଗ ମଧ୍ୟ ପାଇଛନ୍ତି। ଆଉ ଏହି ଯୁବତୀ ଜଣକ ହେଉଛନ୍ତି ମୁମ୍ବାଇର ଜିନିୟା ଚାଟାର୍ଜୀ।

ୱେକଫିଟ୍ କମ୍ପାନୀ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ‘ସ୍ଲିପ୍ ଇଣ୍ଟର୍ନସିପ୍’ର ପଞ୍ଚମ ସଂସ୍କରଣରେ ବିଜୟୀ ହୋଇଛନ୍ତି ଜିନିୟା। ଦୀର୍ଘ ୬୦ ଦିନ ଧରି ଚାଲିଥିବା ଏହି ଅଭିନବ ପ୍ରତିଯୋଗିତାରେ ସେ ନିଜର ଶୋଇବା ଅଭ୍ୟାସ ଓ ବିଭିନ୍ନ ଚ୍ୟାଲେଞ୍ଜରେ ଭଲ ପ୍ରଦର୍ଶନ କରି ବିଜେତା ହୋଇଛନ୍ତି।

ସବୁଠୁ ବଡ଼ କଥା ହେଉଛି, ଏହି ପ୍ରତିଯୋଗିତା ପାଇଁ ସାରା ଦେଶରୁ ୨ ଲକ୍ଷରୁ ଅଧିକ ଲୋକ ଆବେଦନ କରିଥିଲେ। କିନ୍ତୁ ଏମାନଙ୍କ ମଧ୍ୟରୁ ମାତ୍ର ୧୦ ଜଣଙ୍କୁ ଚୟନ କରାଯାଇଥିଲା। ପ୍ରତିଯୋଗୀମାନଙ୍କୁ ନିୟମିତ ସମୟରେ ଶୋଇବା, ପର୍ଯ୍ୟାପ୍ତ ନିଦ ନେବା ଏବଂ ନିଜ ନିଦର ଗୁଣବତ୍ତା ରେକର୍ଡ କରିବାକୁ ପଡ଼ୁଥିଲା।

ତେବେ ଏହି ପ୍ରତିଯୋଗିତା କେବଳ ଶୋଇବାରେ ସୀମିତ ନଥିଲା। ପ୍ରତି ସପ୍ତାହରେ ପ୍ରତିଯୋଗୀମାନଙ୍କୁ ମଜାଦାର ଚ୍ୟାଲେଞ୍ଜ ଦିଆଯାଉଥିଲା। ସେମାନଙ୍କ ସୃଜନଶୀଳତା, ସ୍ମରଣଶକ୍ତି ଓ ନିଦର ଗୁଣବତ୍ତା ଆଧାରରେ ମୂଲ୍ୟାୟନ କରାଯାଉଥିଲା।

ଶେଷରେ ଚାରିଜଣ ପ୍ରତିଯୋଗୀ ଫାଇନାଲ୍‌ରେ ପହଞ୍ଚିଥିଲେ। ଆଉ ସମସ୍ତଙ୍କୁ ପଛରେ ପକାଇ ଜିନିୟା ହୋଇଥିଲେ ‘ସ୍ଲିପ୍ ଚାମ୍ପିଅନ୍’। ପୁରସ୍କାର ସ୍ୱରୂପ ତାଙ୍କୁ ୯ ଲକ୍ଷ ୬୦ ହଜାର ଟଙ୍କା ସହ କମ୍ପାନୀ ପ୍ରାୟୋଜିତ ଭ୍ରମଣର ସୁଯୋଗ ମିଳିଛି।

୨୦୧୯ ମସିହାରୁ ଆରମ୍ଭ ହୋଇଥିବା ଏହି ଅଭିନବ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଭଲ ନିଦର ଗୁରୁତ୍ୱ ବୁଝାଇବା। ତେବେ ଜିନିୟାଙ୍କ ଏହି ସଫଳତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଏଠାରେ ଆଳସ୍ୟ ନୁହେଁ, ବରଂ ନିୟମିତ ଓ ଉନ୍ନତ ନିଦ ତାଙ୍କୁ କରିଛି ଲକ୍ଷପତି।