ଘୋଷଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି, ଟ୍ରାଫିକ ନିୟନ୍ତ୍ରଣ ପାଇଁ ସୁବ୍ୟବସ୍ଥା

ଆସନ୍ତା ମଙ୍ଗଳବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ । ଭକ୍ତଙ୍କ ପ୍ରବଳ ଭିଡ଼ ଜମିବ । ସେମାନଙ୍କ ସୁରକ୍ଷା କେମିତି ହେବ ସେ ନେଇ ପୂର୍ବ ପ୍ରସ୍ତୁତି ହୋଇଛି । ପୁରୀରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସୁବ୍ୟବସ୍ଥା କରାଯାଇଛି । ଏଥିପାଇଁ ୪୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ହୋଇଛି । ୨୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଥିବା ବେଳେ ପୁରୀବାସୀଙ୍କ ସହଯୋଗରେ ଟ୍ରାଫିକ ଭଲ ଭାବେ ନିୟନ୍ତ୍ରଣ ହେବ ବୋଲି ଆଶା ରହିଛି । ସ୍ଥାନୀୟ ଲୋକଙ୍କ ସହଯୋଗରେ ରଥଯାତ୍ରା ଭଲଭାବରେ ଶେଷ ହେବା ବୋଲି କହିଛି ପ୍ରଶାସନ । ଭଲ୍ୟୁଣ୍ଟିଅର ଭାବେ ପ୍ରତି ସାହିରେ ଜଣେ ସ୍ଥାନୀୟ ଲୋକଙ୍କୁ ମୁତୟନ କରାଯିବ । ସାତସାହିବାସୀଙ୍କ ପାଇଁ ସେମିତି କୌଣସି କଟକଣା ନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ପୁରୀ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ୍ ନିୟନ୍ତ୍ରଣକୁ ୩ ଭାଗରେ ବିଭକ୍ତ କରାଯାଇଛି । କୁମ୍ଭାରପଡ଼ା ଥାନାରେ ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ହୋଇଛି । ସେହିପରି ଟୁରିଷ୍ଟ ବସ୍ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବାକୁ ଥିବାବେଳେ କୋଣାର୍କ ଆଡ଼ୁ ଆସୁଥିବା ଗାଡ଼ି ତାଳବଣିଆରେ ରହିବ । ତାଳବଣିଆର ୬ ପାର୍କିଂ ପ୍ଲେସରେ ରହିବ ୪ ଚକିଆ ଗାଡ଼ି । ବ୍ରହ୍ମଗିରି ଆଡ଼ୁ ଆସୁଥିବା ଗାଡ଼ି ଲୋକନାଥ ମନ୍ଦିର ପାଖେ ରହିବ ବୋଲି କହିଛି ପ୍ରଶାସନ ।

ସେହିପରି ଆମ୍ବୁଲାନ୍ସ ପାଇଁ ଇ-କରିଡର ବ୍ୟବସ୍ଥା ଓ ଜରୁରୀ ସେବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ୟବସ୍ଥା ହୋଇଛି । ସ୍ବର୍ଗଦ୍ବାରକୁ ଆସୁଥିବା ଲୋକଙ୍କ ପାଇଁ ବ୍ୟବସ୍ଥା ହୋଇଛି । ସେହିପରି ଦୁଇ ଚକିଆ ଗାଡ଼ି ଜଗନ୍ନାଥବଲଭ ପାର୍କିଂରେ ରହିବାକୁ ନିଷ୍ପତ୍ତି ହୋଇଛି । ମାଟିତୋଟା କ୍ରିକେଟ୍ ଫିଲ୍ଡ, ମଶାଣି ଚଣ୍ଡୀରେ ରହିବ ସବୁ ବାଇକ୍ । ଭିନ୍ନକ୍ଷମ ଓ ବୟସ୍କଙ୍କ ପାଇଁ ମାଗଣା ଇ-ଯାନ ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ତଥା ସାହାଯ୍ୟ ଓ ସହଯୋଗ ପାଇଁ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *