Uttarakhand Accident : ଉତ୍ତରାଖଣ୍ଡରେ ମୃତ୍ୟୁର ତାଣ୍ଡବ, ଦୁଇ ଦିନରେ ଗଲା ୧୨ ଜୀବନ !

ଉତ୍ତରାଖଣ୍ଡରେ ମୃତ୍ୟୁର ତାଣ୍ଡବ। ଦୁଇ ଦିନରେ ଦୁଇଟି ଭୟଙ୍କର ସଡ଼କ ଦୁର୍ଘଟଣା। ଅକାଳରେ ଚାଲିଗଲା ୧୨ ଜଣଙ୍କ ଜୀବନ। କିଏ ବିବାହ ଭୋଜିରୁ ଫେରୁଥିଲେ ତ ଆଉ କିଏ ଯାତ୍ରାରେ ବାହାରିଥିଲେ। ହେଲେ ଅଧାବାଟରେ ଜଗି ବସିଥିଲା ମୃତ୍ୟୁ। ମାତ୍ର କିଛି ମୁହୂର୍ତ୍ତ ମଧ୍ୟରେ ଖୁସିର ଯାତ୍ରା ପାଲଟିଗଲା ଶୋକର ଯାତ୍ରା।

ମଙ୍ଗଳବାର ସକାଳେ ଉତ୍ତରାଖଣ୍ଡର ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥରେ ଘଟିଛି ଭୟଙ୍କର ବସ୍ ଦୁର୍ଘଟଣା। ଟିହରି ଗଡ଼ୱାଲ ଜିଲ୍ଲାର ଗୁଲର ବଜାର ନିକଟରେ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ପୋଲ ତଳକୁ ଖସିପଡ଼ିଥିଲା। ପ୍ରାୟ ୧୦୦ ମିଟର ତଳେ ଥିବା ଜଳସ୍ରୋତରେ ପଡ଼ିଥିଲା ବସ୍। ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ବସ୍‌ଟି ହରିଦ୍ୱାରରୁ ଯୋଶୀମଠ ଅଭିମୁଖେ ଯାଉଥିଲା। ସେଥିରେ ପ୍ରାୟ ୩୦ରୁ ୩୫ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଏସ୍‌ଡିଆର୍‌ଏଫ୍‌ ଓ ପୋଲିସ ଟିମ୍। ଗଭୀର ଖାଇରୁ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଯାଇଥିଲା।

ଅନ୍ୟପଟେ ସୋମବାର ରାତିରେ ରୁଦ୍ରପ୍ରୟାଗ ଜିଲ୍ଲାରେ ଘଟିଥିଲା ଆଉ ଏକ ଭୟଙ୍କର ଦୁର୍ଘଟଣା। ବିବାହ ଉତ୍ସବରୁ ଫେରୁଥିବା ଲୋକଙ୍କୁ ନେଇ ଯାଉଥିବା ଏକ ବୋଲେରୋ ଗାଡ଼ି ପ୍ରାୟ ୫୦୦ ମିଟର ଗଭୀର ଖାଇକୁ ଖସିପଡ଼ିଥିଲା। ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିଲେ।

ଦୁଇଟି ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ପକ୍ଷରୁ ଜୋରଦାର ଉଦ୍ଧାର କାର୍ଯ୍ୟ କରାଯାଇଛି। ଏହି ଦୁଇ ଘଟଣା ଉତ୍ତରାଖଣ୍ଡର ପାହାଡ଼ିଆ ରାସ୍ତାରେ ଯାତ୍ରୀ ସୁରକ୍ଷାକୁ ନେଇ ପୁଣିଥରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।