UAE Truck Accident : UAEରେ ଭୟଙ୍କର ସଡ଼କ ଦୁର୍ଘଟଣା! ୧୪ ଜଣଙ୍କ ମୃତ୍ୟୁ, ୩୦ ଆହତ; ମୃତକଙ୍କ ମଧ୍ୟରେ ଭାରତୀୟ ନାଗରିକ

ଦୁବାଇ : ସଂଯୁକ୍ତ ଆରବ ଏମିରେଟ୍ସ ବା UAEରେ ଭୟଙ୍କର ସଡ଼କ ଦୁର୍ଘଟଣା। ନିୟନ୍ତ୍ରଣ ହରାଇ ଏକାଧିକ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍। ଘଟଣାସ୍ଥଳରେ ସୃଷ୍ଟି ହେଲା ଭୟଙ୍କର ଅଗ୍ନିକାଣ୍ଡ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ସବୁଠାରୁ ଦୁଃଖଦ କଥା ହେଉଛି, ମୃତକଙ୍କ ମଧ୍ୟରେ ଭାରତୀୟ ନାଗରିକ ମଧ୍ୟ ରହିଛନ୍ତି। ଏହି ଘଟଣା ସମଗ୍ର UAEରେ ଶୋକର ଛାୟା ଖେଳାଇଦେଇଛି।

ସୂଚନା ଅନୁଯାୟୀ, ନଭେମ୍ବର ୧୧ ତାରିଖ ବିଳମ୍ବିତ ରାତିରେ ଫୁଜୈରା ଏମିରେଟ୍ସର ପ୍ରବେଶ ପଥ ନିକଟସ୍ଥ ଶେଖ ଖଲିଫା ବିନ୍ ଜାୟେଦ୍ ରାସ୍ତାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା। ଗୋଟିଏ ଟ୍ରକ୍‌ର ଚାଳକ ହଠାତ୍ ନିୟନ୍ତ୍ରଣ ହରାଇ ପ୍ରଥମେ ଅନ୍ୟ ଏକ ଗାଡ଼ିକୁ ଧକ୍କା ଦେଇଥିଲେ। ପରେ ଟ୍ରକ୍‌ଟି ଓଲଟିପଡ଼ିବା ସହ ଟ୍ରାଫିକ୍ ଜାମ୍ ଯୋଗୁଁ ଅଟକି ରହିଥିବା ଏକାଧିକ ଗାଡ଼ିକୁ ଧକ୍କା ଦେଇଥିଲା।

ଧକ୍କା ପରେ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା। ମାତ୍ର କିଛି ସମୟ ମଧ୍ୟରେ ନିଆଁ ଅନ୍ୟ ଗାଡ଼ିଗୁଡ଼ିକୁ ବ୍ୟାପିଯାଇଥିଲା। ଦୁର୍ଘଟଣାରେ ମୋଟ ୨୩ଟି ଗାଡ଼ି, ଯେଉଁଥିରେ ୧୮ଟି କାର୍ ଓ ୫ଟି ଟ୍ରକ୍ ସାମିଲ ଥିଲା, କ୍ଷତିଗ୍ରସ୍ତ ହୋଇଥିଲା।

ଖବର ପାଇ ପୋଲିସ, ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ପ୍ରୟାସ ପରେ ନିଆଁକୁ ଆୟତ୍ତ କରାଯିବା ସହ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ମୋଟ ୩୦ ଜଣ ଆହତଙ୍କ ମଧ୍ୟରୁ ୧୫ ଜଣ ଚିକିତ୍ସା ପରେ ଡାକ୍ତରଖାନାରୁ ଘରକୁ ଫେରିଥିବା ବେଳେ ଅନ୍ୟ ୧୫ ଜଣ ଚିକିତ୍ସାଧୀନ ରହିଛନ୍ତି। କେତେକ ମୃତଦେହର ପରିଚୟ ଜାଣିବା ପାଇଁ ଡିଏନ୍‌ଏ ପରୀକ୍ଷା କରାଯାଉଛି।

ଅନ୍ୟପଟେ ଦୁବାଇସ୍ଥିତ ଭାରତୀୟ କନ୍‌ସୁଲେଟ୍ ଦୁର୍ଘଟଣାରେ ଭାରତୀୟଙ୍କ ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରିଛି। ମୃତକଙ୍କ ପରିବାର ସହ ଯୋଗାଯୋଗ କରି ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ପାଇଁ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରଖାଯାଇଛି।

ଫୁଜୈରା ପୋଲିସ ଦୁର୍ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଗାଡ଼ି ଚଳାଇବା ସମୟରେ ଗତିସୀମା ଓ ସୁରକ୍ଷିତ ଦୂରତା ପାଳନ କରିବାକୁ ଚାଳକମାନଙ୍କୁ ଅନୁରୋଧ କରିଛି।