ସ୍ବାଧୀନତା ଦିବସ ପୂର୍ବରୁ ରାଜ୍ୟରେ ଉତ୍ସବର ମାହୋଲ, ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା

ଦେଶବ୍ୟାପି ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଏହା ପାଳିତ ହୋଇଥିବା ଦେଖିବାକୁ ମିଳିଛି । ଅନୁଗୋଳ ଆଠମଲ୍ଲିକ ବିଜେପି ପକ୍ଷରୁ ଏହା ପାଳନ କରାଯାଇଥିବା ବେଳେ ଏଥିରେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ଯୋଗ ଦେଇଥିଲେ । ଆଠମଲ୍ଲିକ ଅଞ୍ଚଳର ଆରାଧ୍ୟା ଦେବୀ ମା ମାହେଶ୍ୱରୀ ମନ୍ଦିର ସମ୍ମୁଖରୁ ହାତରେ ତ୍ରିରଙ୍ଗା ଧରି ଏକ ବିରାଟ ପଦଯାତ୍ରାରେ ବାହାରିଥିଲା । ସେହିପରି ଅନୁଗୁଳରେ ବିଜେପି ପକ୍ଷରୁ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଛି । ୪୦୦ ମିଟରରୁ ଅଧିକା ଲମ୍ବର ଜାତୀୟ ପତାକା ଧରି ଏକ ଶୋଭାଯାତ୍ରା ଅନୁଗୁଳ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଆରମ୍ଭ ହୋଇ ଅନୁଗୁଳ ବଜାର ପୁରୁଣା ବସଷ୍ଟାଣ୍ଡ ବାଟେ ହୋଇ ପୁନଃ ଜଗନ୍ନାଥ ମନ୍ଦିରରେ ସମାପ୍ତ ହୋଇଥିଲା ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ମଧ୍ୟ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବ୍ଳକ ପ୍ରଶାସନ ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବ୍ଳକ ଓ ତହସିଲର ସମସ୍ତ କର୍ମଚାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା, ନିକଟସ୍ଥ ବିଦ୍ୟାଳୟର ଶହ ଶହ ସଂଖ୍ୟକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଚାନ୍ଦବାଲି ବ୍ଲକ ପରିସରରୁ ଏକ ବିଶାଳ ରାଲି ବାହାରି ଚାନ୍ଦବାଲି ସହର ପରିକ୍ରମା କରିବା ସହ ଘରେ ଘରେ ତ୍ରିରଙ୍ଗା ଉଡାଇବାକୁ ସମସ୍ତଙ୍କୁ ନିବେଦନ କରିଥିଲେ ।

ବଲାଙ୍ଗୀରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନର ତ୍ରିରଙ୍ଗା ଶୋଭାଯାତ୍ରା । ଅଭିଯାନରେ ସାମିଲ ହେଲେ ଲୋକ ପ୍ରତିନିଧି, ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟାଳୟ ସ୍ଥିତ କୋଶଳ କଳା ମଣ୍ଡଳ ପଡିଆ ଠାରୁ ପାଟଣା ଛକ ଦେଇ ପିପି ଏକାଡେମୀ ହାଇସ୍କୁଲ ଛକଠୁ କୋଶଳ କଳା ମଣ୍ଡଳ ପଡିଆ ଯାଏଁ ତ୍ରିରଙ୍ଗା ଶୋଭାଯାତ୍ରା ହୋଇଥିଲା । ଏଥିରେ କେତେକ ଅଧିକାରୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଯାଜପୁର ରୋଡ ଆଦର୍ଶ ଯୋଗ କେନ୍ଦ୍ର ଓ ସିଭିଲ ସୋସାଇଟି ତରଫରୁ ୭୮ ତମ ସ୍ୱାଧୀନତା ଦିବସ ଅବସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠାନ ର ସମସ୍ତ କର୍ମ କର୍ତା ଆଦର୍ଶ ଯୋଗ କେନ୍ଦ୍ର ରୁ ଜାତୀୟ ପତାକା ଧରି ସ୍ଲୋଗାନ ଦେବା ସହିତ ଚୋର୍ଦା ଛକ କାଳୀ ମେଳଣ ପଡିଆ ଦେଇ ହରେକୃଷ୍ଣ ଭବନରେ ପହଞ୍ଚିଥିଲେ ।

ସେହିପରି କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଅଞ୍ଚଳରେ ବହୁ ଆଡମ୍ବରରେ ଆୟଜିତ ହୋଇଯାଇଛି ହର ଘର ତ୍ରିରଙ୍ଗା ପଦଯାତ୍ରା । ଏଥିରେ ଦେଶର ଏକତା ଓ ଶକ୍ତି ପ୍ରଦର୍ଶନ କରିଥିଲେ ଯୋଡା ପୌରାଞ୍ଚଳର କର୍ମକର୍ତ୍ତା, ଛାତ୍ରଛାତୀ ଓ ବୁଦ୍ଧିଜୀବୀ । କାର୍ଯ୍ୟକ୍ରମରେ ସାମିଲ ହୋଇଥିବା କର୍ମକର୍ତ୍ତା, ଛାତ୍ରଛାତୀ ଓ ବୁଦ୍ଧିଜୀବୀ ହାତରେ ତ୍ରିରଙ୍ଗା ପତାକା ଧରି ସହର ପରିକ୍ରମା କରିବା ସହ କଲ୍ୟାଣି ମଣ୍ଡପରେ ପହଞ୍ଚିଥିଲେ । ସେଠାରେ ଦେଶ ପାଇଁ ବଳିଦାନ ଦେଇଥିବା ମହାପୁରୁଷଙ୍କୁ ସମ୍ମାନ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *