
ଶୁକ୍ରବାର ରାତିରେ ବାଲେଶ୍ବରରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ବିଶ୍ୱରେ ଘଟିଥିବା ବିଭିନ୍ନ ରେଳ ଦୁର୍ଘଟଣା ମଧ୍ୟରେ ଏହି ଦୁର୍ଘଟଣାକୁ ସବୁଠାକରୁ ବଡ ଦୁର୍ଘଟଣା କୁହାଯାଉଛି। ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୨୮୦ ଟପିଯାଇଥିବା ବେଳେ ବିଭିନ୍ନ ଦେଶ ପକ୍ଷରୁ ଓ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଏହି ଘଟଣାକୁ ନେଇ ଶୋକ ବ୍ୟକ୍ତ କରାଯାଇଛି। କାନଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟୁ ଓ ତାଇୱାନ୍ର ରାଷ୍ଟ୍ରପତି ସିଆ ଇଙ୍ଗ୍-ୱେନ୍ଆଜି ଶୋକବ୍ୟକ୍ତ କରିଛନ୍ତି।

କାନଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟୁ ଟୁଇଟ୍ କରି ଲେଖିଛନ୍ତି କି, ଭାରତର ଓଡ଼ିଶାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାର ଫଟୋ ଓ ରିପୋର୍ଟ ମତେ ବ୍ୟଥିତ କରିଛି। ଆତ୍ମୀୟ ସ୍ୱଜନଙ୍କୁ ହରାଇଥିବା ବ୍ୟକ୍ତିମାନଙ୍କ ପ୍ରତି ମୋର ଅନ୍ତରତମ ସମବେଦନା ରହିଛି। ଆହତମାନଙ୍କ କଥା ବି ମୁଁ ଚିନ୍ତା କରୁଛି। ଏହି ଅସୁବିଧା ସମୟରେ କାନଡାବାସୀ ଭାରତବାସୀଙ୍କୁ ସହଯୋଗ କରିବାକୁ ପ୍ରସ୍ତୁତ ଥିବା କାନଡା ପ୍ରଧାନମନ୍ତ୍ରୀ କହିଛନ୍ତି।

ସେହିପରି ତାଇୱାନ୍ର ରାଷ୍ଟ୍ରପତି ସିଆ ଇଙ୍ଗ୍-ୱେନ୍ ବାହାନଗା ରେଳ ଦୁର୍ଘଟଣା ପାଇଁ ଶୋକବ୍ୟକ୍ତ କରିଛନ୍ତି। ୱେନ ଟୁଇଟ୍ କରି କହିଛନ୍ତିକି, ଭାରତରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କ ପାଇଁ ପ୍ରାର୍ଥନା କରୁଛି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା। ଆଶା ଉଦ୍ଧାର ଅଭିଯାନ ସମସ୍ତଙ୍କର ଆବଶ୍ୟକ ପୂରଣ କରିବ।

ନେପାଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଟୁଇଟ୍ କରାଯାଇଛି, ଆଜି ଓଡ଼ିଶାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ବହୁଯାତ୍ରୀଙ୍କ ଜୀବନହାନି ଘଟଣା ମୋତେ ମର୍ମାହତ କରିଛି। ଏହି ଦୁଃଖଦ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଓ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ରହିଛି।
ସେହିପରି, କ୍ରିକେଟର ବିରାଟ କୋହଲି ଟୁଇଟ୍ କରି ଶୋକବ୍ୟକ୍ତ କରିଛନ୍ତି। ବିରାଟ କହିଛନ୍ତି କି, ଓଡ଼ିଶାରେ ଘଟିଥିବା ଭୟାବହ ଟ୍ରେନ୍ ଦୁର୍ଘଟଣା କଥା ଶୁଣି ଦୁଃଖିତ। ଆତ୍ମୀୟ ସ୍ୱଜନଙ୍କୁ ହରାଇଥିବା ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ରହିଛି ଓ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି।

ଅଭିନେତ୍ରୀ ପରିଣୀତି ଚୋପ୍ରା ମଧ୍ୟ ଏହି ଏହି ଟ୍ରେନ୍ ଦୁର୍ଘଟଣାରେ ଶୋକବ୍ୟକ୍ତ କରି ଟୁଇଟ୍ କରିଛନ୍ତି। ସେ ଟୁଇଟରରେ ଉଲ୍ଲେଖ କରିଛନ୍ତି କି, ଓଡ଼ିଶାରେ ଘଟିଥିବା ଏହି ଭୟାଙ୍କର ରେଳ ଦୁର୍ଘଟଣାରେ ପ୍ରଭାବିତ ହୋଇଥିବା ସମସ୍ତଙ୍କ ପାଇଁ ମୋର ପ୍ରାର୍ଥନା। ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଈଶ୍ବର ସମସ୍ତଙ୍କର ମଙ୍ଗଳ କରନ୍ତୁ।
ସଲ୍ମାନ୍ ଖାଁ ଟୁଇଟ କରି ଲେଖିଛନ୍ତି କି, ଦୁର୍ଘଟଣା ବିଷୟରେ ଶୁଣି ଅତ୍ୟନ୍ତ ମର୍ମାହତ। ଏହି ଦୁଃଖଦ ଦୁର୍ଘଟଣାରେ ମୃତବ୍ୟକ୍ତିମାନଙ୍କ ଆତ୍ମାକୁ ଈଶ୍ବର ଶାନ୍ତି ପ୍ରଦାନ କରନ୍ତୁ। ସେମାନଙ୍କ ପରିବାରବର୍ଗଙ୍କୁ ରକ୍ଷା କରନ୍ତୁ ଓ ଦୁଃଖ ସହିବାକୁ ସାମର୍ଥ୍ୟ ପ୍ରଦାନ କରନ୍ତୁ।

ସେହିପରି ଅଭିନେତା ଅକ୍ଷୟ କୁମାର ମଧ୍ୟ ଶୋକବ୍ୟକ୍ତ କରି ଟୁଇଟରରେ ଉଲ୍ଲେଖ କରିଛନ୍ତି କି, ଓଡ଼ିଶାରେ ଘଟିଥିବା ଭୟାବହ ଟ୍ରେନ୍ ଦୁର୍ଘଟଣାର ଫଟୋ/ଭିଡିଓ ଦେଖି ମର୍ମାହତ। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଏହି ଦୁଃଖଦ ସମୟରେ ପ୍ରଭାବିତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି।