
ଆଜି ରଜ ପର୍ବର ଦ୍ୱିତୀୟ ଦିନ ମାନେ ରଜ ସଂକ୍ରାନ୍ତି । ଓଡ଼ିଆ ପରମ୍ପରା ଅନୁସାରେ ସବୁଠି ଧୁମଧାମରେ ପାଳିତ ହେଉଛି ରଜ ମହୋତ୍ସବ । ଆଜି ଦ୍ୱିତୀୟ ଦିନରେ ଘରେ ପିଠାପଣାର ଆସର । ପ୍ରସ୍ତୁତ ହୋଇଛି ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ।

ଯାଜପୁର ବ୍ଲକ୍ ସାହାସପୁର ପଞ୍ଚାୟତରେ ଏହି ପର୍ବର ଟିକେ ନିଆରା ଅନୁଭୂତି । ଗାଁର ମୁରବୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଛି ମଉଜ କାର୍ଯ୍ୟକ୍ରମ । ରଜ ଦୋଳି,ପୁଚି ଖେଳ,ଦୌଡ଼ି ଡିଆଁ,ହୁଳହୁଳି,କାନ୍ଦଣା ଗୀତ, କବାଡ଼ି, ଲୁଡୁ ଓ ତାସ୍ ଭଳି ଖେଳ ଆୟୋଜନ କରାଯାଇଛି ।

ଖେଳ ମାଧ୍ୟମରେ ରଜ ପରମ୍ପରାକୁ ମନେ ପକାଇବା ଏବଂ ନୂତନ ପିଢ଼ିଙ୍କୁ ଓଡ଼ିଆ ପରମ୍ପରା ସମ୍ପର୍କରେ ଅବଗତ କରିବା ପାଇଁ ଏଭଳି ନିଆରା ଉଦ୍ୟମ କରିଛନ୍ତି ପଞ୍ଚାୟତବାସୀ ।

ଉପକୂଳ ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ଗଣପର୍ବ ରଜ । ଏଥିପାଇଁ ଘରେ ଘରେ ପିଠା,ମିଠାର ଆସର । ଏହା ସାଙ୍ଗକୁ ତାସ,ଲୁଡୁ, ଦୋଳି ଖେଳ ସହ ବିଭିନ୍ନ ପ୍ରକାର ପାନର ସ୍ୱାଦ । ରଜ ଦୋଳି ଖେଳି ବେଶ୍ ମଉଜ କରୁଛନ୍ତି କୁଆଁରୀ ।

ଯାଜପୁର ଦଶରଥପୁର ବ୍ଲକ୍ ମଙ୍ଗଳପୁରରେ କେବିକେ ଗ୍ରୁପ କଳାକାରଙ୍କ ପକ୍ଷରୁ ମହା ଆଡ଼ମ୍ବରରେ ପାଳିତ ହୋଇଛି ରଜ ମଉଜ । ଏହି ଅବସରରେ ନାଚଗୀତ ସହ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇବାର ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି । ଆଜି ରଜ ପର୍ବର ଦ୍ୱିତୀୟ ଦିନ ।

ଘରେ ଘରେ ପାଳିତ ହେଉଛି ରଜ ସଂକ୍ରାନ୍ତି । ଆସନ୍ତାକାଲି ରଜ ଉତ୍ସବ ବିଦାୟ ନେବ । ଗାଁଠୁ ସହର ସବୁଠି ରଜ ମହୋତ୍ସବର ମାହୋଲ ।