ସଚିନ ପାଇଲଟ ବାପାଙ୍କ ଆଜି ଶ୍ରାଦ୍ଧବାର୍ଷିକୀ, ନୂଆ ଦଳ ଘୋଷଣା କରିବା ଚର୍ଚ୍ଚା

ରାଜସ୍ଥାନରେ ରାଜନୀତି ବାତାବରଣ ଏବେ ଠିକ୍ ନାହିଁ । କଂଗ୍ରେସ ପାଇଁ ଟେନସନ୍ ବଢ଼ିବାରେ ଲାଗିଛି । କାରଣ ସଚିନ ପାଇଲଟ୍ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ । କଂଗ୍ରେସ ଛାଡ଼ି ନୂଆ ଦଳ ଗଠନ କରିପାରନ୍ତି ସଚିନ ପାଇଲଟ୍ । ଆଜି ବାପା ରାଜେଶ ପାଇଲଟ୍‌ଙ୍କ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ରାଜସ୍ଥାନ କଂଗ୍ରେସ ନେତା ସଚିନ ପାଇଲଟ୍‌ ଶ୍ରଦ୍ଧାଞ୍ଜଳି ଅର୍ପଣପୂର୍ବକ ଟ୍ୱିଟ୍ କରିଥିବା ରହସ୍ୟମୟ ବାର୍ତ୍ତା କଂଗ୍ରେସକୁ ଚିନ୍ତିତ କରିପକାଇଛି । ..

ଶ୍ରାଦ୍ଧ ବାର୍ଷିକୀରେ ପିତା ରାଜେଶ ପାଇଲଟ୍‌ଙ୍କୁ ଭକ୍ତିପୂତ ପ୍ରଣାମ ଜଣାଉଛି ବୋଲି ଟ୍ୱିଟରରେ ଜଣାଇଛନ୍ତି ସଚିନ । ନିଜ କର୍ମକ୍ଷେତ୍ର ପ୍ରତି ତାଙ୍କର ଆସକ୍ତି,ଜନସାଧାରଣଙ୍କୁ ଆପଣାଇବାର ଆନ୍ତରିକତା ଓ ଜନକଲ୍ୟାଣ ନିମନ୍ତେ ତାଙ୍କର କାର୍ଯ୍ୟଶୈଳୀ ମାର୍ଗଦର୍ଶିକା ବୋଲି ସେ କହିଛନ୍ତି । ସର୍ବସାଧାରଣଙ୍କ ସ୍ବାର୍ଥକୁ ଶ୍ରେଷ୍ଠ ବିଚାରି ସେ କଦାପି ନିଜ ନୀତି ସହିତ ସାଲିସ କରି ନାହାଁନ୍ତି । ସଦାସର୍ବଦା ତାଙ୍କ ଚିନ୍ତାଧାରା ଓ ଆଦର୍ଶ ଅନୁସରଣ କରିବି ବୋଲି କହିଛନ୍ତି ସଚିନ । ବାପା ରାଜେଶ ପାଇଲଟ୍‌ଙ୍କ ଶ୍ରାଦ୍ଧ ଦିବସରେ ସଚିନ ନିଜ ରାଜନୈତିକ ଭବିଷ୍ୟତ ବିଷୟରେ କୌଣସି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାରନ୍ତି । ଏଭଳି କଳ୍ପନାଜଳ୍ପନା ଚାଲିଥିବା ବେଳେ ଆଜି ଦୌସାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ସଚିନ । ତେଣୁ କଂଗ୍ରେସ ତାଙ୍କ ଉପରେ ସତର୍କ ଦୃଷ୍ଟି ରଖିଛି ।

ରାଜେଶ ପାଇଲଟଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ନୂଆ ଦଳ ଗଠନ କରିବା ନେଇ ବଡ଼ ଘୋଷଣା କରିପାରନ୍ତି । କିନ୍ତୁ ପାଇଲଟ୍ ଏ ନେଇ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି । ରାଜସ୍ଥାନରେ ଚାଲିଥିବା ଦଳର ଆଭ୍ୟନ୍ତରୀଣ କନ୍ଦଳର ସକାରାତ୍ମକ ସମାଧାନ ହୋଇଯିବ ବୋଲି କଂଗ୍ରେସ ବିଶ୍ବାସ ରଖିଛି ।

Leave a Reply

Your email address will not be published. Required fields are marked *