ଶେଷ ଦିନରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ରାଜ୍ୟପାଳ

ସେ ଥିଲେ ଜଣେ ଦକ୍ଷ ପ୍ରଶାସକ ଆଉ ସୁଯୋଗ୍ୟ ସମାଜ ସଂସ୍କାରକ । ସେ ଏକା ଧାରରେ ଜଣେ ସାହିତ୍ୟକ, ଜଣେ ସଂଗୀତ ପ୍ରେମୀ ତଥା ବିଶେଷ କରି ଜଣେ ଦକ୍ଷ ରାଜ୍ୟପାଳ । ତାଙ୍କୁ କ୍ଷମତାରେ ଥିବା ସରକାର ଆଉ ବିରୋଧୀଙ୍କୁ ସାଥିରେ ଧରି ରାଜ୍ୟର ବିକାଶ କରିବାର କଳା ବେଶ ଭାଲଭାବେ ଜଣା । ପୂର-ପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ନିଜର ବ୍ୟବହାର ଓ ବ୍ୟକ୍ତିତ୍ବ ବଳରେ ସେ ଛାଡିଯାଇଛନ୍ତି ସ୍ବତନ୍ତ୍ର ଛାପ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଉ କି ବିଛିନ୍ନାଞ୍ଚଳ, ସବୁଠି ତାଙ୍କ ଲୋକପ୍ରିୟତା ଆକାଶଛୂଆଁ । କାରଣ ସେ ଯେ କେବଳ ରାଜ୍ୟପାଳ ଥିଲେ ତାହା ନୁହେଁ ଜଣେ ପ୍ରକୃତିକୁ ଭଲପାଉଥିବା ଆଉ ସହୃଦୟ ମଣିଷଟେ ଥିଲେ । ଛୋଟଛୋଟ ପିଲାଙ୍କ ସହିତ ତାଙ୍କର ଥିଲା ଅହେତୁକ ଦୁର୍ବଳତା ।

ଆଜ୍ଞା ହଁ ଆମେ ଆଜି ଯେଉଁ ବଳିଷ୍ଠ ବ୍ୟକ୍ତିତ୍ବଙ୍କ ବିଷୟରେ ଆଲୋଚନା କରୁଛୁ ସେ ହେଉଛନ୍ତି ଓଡିଶାରେ ଦୀର୍ଘ ୫ ବର୍ଷ ଧରି ଦାୟୀତ୍ବରେ ଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ତାଙ୍କ କାର୍ଯ୍ୟକାଳର ଆଜି ହେଉଛି ଶେଷ ଦିନ । ତାଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଥିବାରୁ ନୂଆ ରାଜ୍ୟପାଳ କିଏ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଷ୍ଟ୍ରପତି ଭବନ ପକ୍ଷରୁ ନୂଆ ରାଜ୍ୟପାଳ କିଏ ହେବେ ସେ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନଥିବା ବେଳେ ବିଧିବଦ୍ଧ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଗଣେଶୀ ଲାଲ ଏହି ଦାୟୀତ୍ବରେ ରହିବେ ବୋଲି ଅନିମାନ କରାଯାଉଛି।

ଜଣେ ରାଜ୍ୟପାଳ ହୋଇଥିଲେ ବି ସର୍ବଦା ଅତି ସାଧାରଣ ଲୋକଙ୍କ ପରି ଥିଲା ତାଙ୍କ ଜୀବନଚର୍ଯ୍ୟା । ସାଧାସିଧା ଜୀବନ…ଉଚ୍ଚ ବିଚାର ଥିଲା ତାଙ୍କ ଜୀବନର ମୂଳ ମନ୍ତ୍ର । ଅଗଷ୍ଟ ପନ୍ଦରରେ ଛୋଟ ପିଲାଙ୍କୁ ଚୋକଲେଟ ବାଣ୍ଟିବା ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସହିତ ମିଳାମିଶା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଥିଲା ଅତ୍ୟନ୍ତ ମାର୍ଜିତ ।

ଗଣେଶୀ ଲାଲ ୨୦୧୮ ମସିହା ମେ’ ୨୯ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ । ସେ ଓଡ଼ିଶାବାସୀଙ୍କ ସଫଳତାର ଯାତ୍ରାରେ ଯାତ୍ରୀ ହେବା ସହ ବିଭିନ୍ନ ଜିଲ୍ଲାର ଅନେକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଛନ୍ତି । ନିଜର ସାଣିତ ବ୍ୟବହାର ଏବଂ ମାର୍ଜିତ ଆଚରଣ ଆଉ ସଂସ୍କାର ପାଇଁ ସେ ରାଜ୍ୟରେ ବୁଦ୍ଧିଜୀବୀଙ୍କ ନିକଟରେ ବେଶ ପରିଚିତ । ଦେଶର ବିଭିନ୍ନ ପ୍ରାନ୍ତରେ ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଟଣାଓଟରା ହୋଇଥିବା ବେଳେ ରାଜ୍ୟରେ ପ୍ରତ୍ୟକ ଦଳ ମଧ୍ୟରେ ସମନ୍ବୟ ରକ୍ଷା କରି ରାଜ୍ୟକୁ ଆଗକୁ ବଢାଇବାରେ ତାଙ୍କର ଯୋଗଦାନ ଅତୁଳନୀୟ ।

ରାଜ୍ୟପାଳ ଗଣେଶୀ ଲାଲ ଏଥିପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କ ସଫଳତାର ଶ୍ରେୟ ଜନସାଧାରଣଙ୍କ ସମର୍ଥନ ଓ ଆଶୀର୍ବାଦକୁ ଦେଇଛନ୍ତି । ତାଙ୍କର ଏହି ବିଚକ୍ଷଣ ଯାତ୍ରାରେ ଓଡିଶା ପାଇଁ ଥିବା ଅବଦାନ ପାଇଁ ତାଙ୍କର ଦୀର୍ଘ ଜୀବନ କାମନା କରି ସମଗ୍ର ଓଡିଶା ଆଜି ଝୁରୁଛି ।

Leave a Reply

Your email address will not be published. Required fields are marked *