ରାଜ୍ୟକୁ କାଳ ବୈଶାଖୀ ସହ ବଜ୍ରପାତ ସମ୍ଭାବନା। ରବିବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ବହୁ ଜିଲ୍ଲାରେ ଘଡଘଡି ସହ ବର୍ଷା ଓ ଘୂର୍ଣ୍ଣିଝଡ ହେବା ନେଇ ସୂଚନା ଦେଇଥି ପାଣିପାଗ ବିଭାଗ। ସୂଚନା ମୁତାବକ, ଛତିଶଗଡ଼ ଉପର ଦେଇ ପଶ୍ଚିମ ବିହାରରୁ ଉତ୍ତର ତେଲେଙ୍ଗାନା ପର୍ଯ୍ୟନ୍ତ ସମୁଦ୍ର ପତନଠାରୁ ୦.୯ କିଲୋମିଟର ଉଚ୍ଚତାରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା କାଲି (ରବିବାର) ମଧ୍ୟାହ୍ନ ସୁଦ୍ଧା ଉତ୍ତର, ଦକ୍ଷିଣ, ଆଭ୍ୟନ୍ତର, ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୩୦- ୫୦ କିଲୋମିଟର ବେଗରେ ପବନ ବହିବ।
ଏଥିସହ ଏହି ସମୟରେ ବଜ୍ରପାତ, ଘଡ଼ଘଡ଼ି ସହ କାଳବୈଶାଖୀ ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ଓଡ଼ିଶାର ଅନ୍ୟ ଜିଲ୍ଲାରେ ମଧ୍ୟ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସମ୍ଭାବନା ଥିବାରୁ, ଲୋକଙ୍କୁ ସତର୍କ ରହିବା ସହ ପାଣିପାଗ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ଆହୁରି ଘଡଘଡି ଓ ବିଜୁଳି ସମୟରେ ଗଛ ଓ ଖାଲି ଜାଗାରେ ନ ରହି କୌଣସି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି।
ସେହିପରି ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଆସନ୍ତା ୫ ଦିନ ଭିତରେ ଦିନର ସର୍ବୋଚ୍ଚ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ଆସନ୍ତା ୨୪ ଘଣ୍ଟା ଭିତରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରି କିମ୍ବା ତା’ଠାରୁ ଅଧିକ ହେବାର ସମ୍ଭାବନା ଦେଖାଦେଇଛି। ପରବର୍ତ୍ତୀ ସମୟରେ ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଓ ଝାରସୁଗୁଡ଼ା ପରି ରାଜ୍ୟର ଆଭ୍ୟନ୍ତରୀଣ କେତେକ ଜିଲ୍ଲାର କିଛି ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବ।
ତେଣୁ, ଏହି ସବୁ ଜିଲ୍ଲାରେ ଲୋକମାନଙ୍କୁ ଦିନ ୧୧ଟାରୁ ଅପରାହ୍ନ ୩ଟା ଭିତରେ ଘରୁ ନ ବାହାରିବାକୁ କୁହାଯାଇଛି। ଯଦି ନିହାତି ଦରକାର, ବାହାରକୁ ଗଲେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।