ଭକ୍ତିରେ ଚାଲୁଛନ୍ତି ହଜାର ହଜାର କାଉଡିଆ…

ଶ୍ରାବଣ ମାସ, ଭୋଳା ବାବାଙ୍କୁ ଜଳ ଅର୍ପଣ କଲେ ହୁଅନ୍ତି ସେ ସନ୍ତୋଷ- ଏକଥା ଆମେ ନୁହେଁ କହୁଛନ୍ତି ଭକ୍ତଗଣ। ଶ୍ରାବଣ ମାସର ତୃତୀୟ ସୋମବାର, କାନ୍ଧରେ ବାହୁଂଗି ହାତରେ ଶ୍ରାବଣ ମାସର ପବିତ୍ର ଜଳ ମନରେ ପବିତ୍ରତା ସହ ବୋଲ ବମ ହରେ ବମ କହି ଆଗକୁ ଆଗକୁ ବଢି ଚାଲିଛନ୍ତି କାଉଡିଆ। ଝିପି ଝିପି ବର୍ଷାକୁ ଖାତିର ନକରି ଏକମୁହାଁ ହୋଇ ଚାଲୁଛନ୍ତି ଶୈବ ପିଠକୁ।

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଥିବା ପ୍ରସିଦ୍ଧ ବାବା ଚନ୍ଦନେଶ୍ୱରଙ୍କଠାରେ ଜଳାଭିଷେକ କରୁଛନ୍ତି ହଜାର ହଜାର କାଉଡ଼ିଆ। ଭୋର ପ୍ରାୟ ୪ ଟା ସମୟରୁ ବାବାଙ୍କ ଦ୍ୱାରଫିଟା ନୀତିକାନ୍ତି ପରେ ଜଳାଭିଷେକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଗତକାଲି ରାତିରୁ ରାଜ୍ୟତଥା ରାଜ୍ୟ ବାହାରୁ ବିଭିନ୍ନ ନଦୀ ଘାଟରୁ ପାଣି ଭାର ନେଇ ଆସୁଛନ୍ତି କାଉଡ଼ିଆ, ନିଜ ନିଜର ମନସ୍କାମନା ପୂର୍ଣ୍ଣ କରି ଜଳାଭିଷେକ କରିବା ସହିତ କ୍ଷୀର ଓ ବେଲପତ୍ର ଦେଇ ବାବାଙ୍କ ଆଶିଷ ଲାଭ କରୁଛନ୍ତି ଶ୍ରଦ୍ଧାଳୁ। ମନ୍ଦିର ପ୍ରବଳ ଭିଡ ହେବାରୁ ନାଟ ମଣ୍ଡପରେ ବ୍ରତଧାରୀ ମାନେ ପୂଜାର୍ଚ୍ଚନା କରୁଛନ୍ତି। ମନ୍ଦିର ପାଖରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଲମ୍ବା ଲାଇନ ଥିବା ବେଳେ ବାବାଙ୍କ ପାଖରେ ଜଳାଭିଷେକ କରିବା ପାଇଁ ପ୍ରାୟ ୨ ଘଣ୍ଟାରୁ ଅଧିକା ସମୟ ଧରି କାଉଡ଼ିଆଙ୍କୁ ଛିଡା ହେବାକୁ ପଡୁଛି। ଭିଡ଼କୁ ଦୃଷ୍ଟିରେ ରଖି କାଉଡ଼ିଆଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡାକଡି ବ୍ୟବସ୍ଥା କରାଯାଇଛି।