ସେହୱାଗ-ଜୟସୁରିଆ ନୁହେଁ ବରଂ ଏହି ବ୍ୟାଟସମ୍ୟାନ୍ ଟେଷ୍ଟ କ୍ରିକେଟର ଧାରା ବଦଳାଇ ଦେଇଥିଲେ

ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ୱାସିମ ଆକ୍ରମ ଟେଷ୍ଟ କ୍ରିକେଟରେ ଓପନରଙ୍କ ଖେଳ ଶୈଳୀ ବଦଳାଇ ଦେଇଥିବା ବ୍ୟାଟସମ୍ୟାନଙ୍କ ବିଷୟରେ କହିଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ ଭାରତର ବୀରେନ୍ଦ୍ର ସେହୱାଗଙ୍କୁ ବିଶ୍ୱର ସବୁଠାରୁ ବିସ୍ଫୋରକ ବ୍ୟାଟସମ୍ୟାନ ଭାବରେ ବିବେଚନା କରାଯାଏ ଯିଏ ଟେଷ୍ଟ, ଦିନିକିଆ ଏବଂ ଟି-୨୦ରେ ରନର ଝଡ଼ ସୃଷ୍ଟି କରି ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଥିଲେ।

ସେହି ସମୟରେ, ସନଥ ଜୟସୁରିଆ ପ୍ରଥମେ ଦିନିକିଆ ପ୍ରଥମ ୧୫ ଓଭରରେ ଦ୍ରୁତ ରନ ସ୍କୋର କରିବାର ପରମ୍ପରାକୁ କ୍ରିକେଟ ଜଗତରେ ଜୀବିତ କରିଥିଲେ। ହେଲେ ୱାସିମ ଆକ୍ରମ ଏହି ଦୁଇ ବ୍ୟାଟସମ୍ୟାନଙ୍କୁ ଟେଷ୍ଟ କ୍ରିକେଟର ବିସ୍ଫୋରକ ବ୍ୟାଟସମ୍ୟାନ ଭାବରେ ବିବେଚନା କରିନାହାଁନ୍ତି।

‘ସ୍ୱିଙ୍ଗ୍ସୁ ଲତାନ ଅଫ୍’ ଆକ୍ରମ, myco sports pk ର YouTube ଚ୍ୟାନେଲରେ ଏକ ସାକ୍ଷ୍ୟାତକାର ସମୟରେ ସ୍ୱୀକାର କରିଛନ୍ତି ଯେ ଶାହିଦ ଆଫ୍ରିଦି ହେଉଛନ୍ତି ସେହି ବ୍ୟାଟ୍ସମ୍ୟାନ ଯିଏ ଟେଷ୍ଟ କ୍ରିକେଟରେ ଓପନରଙ୍କ ମାନସିକତା ବଦଳାଇ ଦେଇଥିଲେ। ଆକ୍ରମ ଶାହିଦଙ୍କ ବିଷୟରେ କହିଛନ୍ତି, “୧୯୯୯-୨୦୦୦ ମସିହାରେ ଶାହିଦ ଟେଷ୍ଟ କ୍ରିକେଟରେ ଓପନରଙ୍କ ମାନସିକତା ବଦଳାଇ ଦେଇଥିଲେ। ଯେଉଁଠାରେ ଖରାପ ବଲ ପଡୁଥିଲା, ଶାହିଦ ଚୌକା ମାରୁଥିଲେ ବା ବାହାରକୁ ଆସି ଛକା ମାରୁଥିଲେ। ସେ ସୁନୀଲ ଜୋଶୀ ଏବଂ କୁମ୍ବଲେଙ୍କ ବଲ ରେ ଆଗକୁ ଯାଇ ଛକା ମାରୁଥିଲେ। ଭାରତର ସ୍ପିନରମାନଙ୍କ ବିରୁଦ୍ଧରେ ଆକ୍ରମଣାତ୍ମକ ବ୍ୟାଟିଂ କରିବା ଟେଷ୍ଟରେ ସହଜ କଥା ନୁହେଁ।”

ୱାସିମ ଆକ୍ରମ ଆହୁରି କହିଛନ୍ତି, “ଭାରତ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ସବୁବେଳେ ଚାପରେ ପରିପୂର୍ଣ୍ଣ ଥାଏ। ଏପରି ଚାପପୂର୍ଣ୍ଣ ମ୍ୟାଚ୍‌ରେ ଶୀଘ୍ର ରନ୍ କରିବା ସହଜ କଥା ନୁହଁ । ୧୯୯୯ ମସିହାରେ ଭାରତ ବିପକ୍ଷରେ ଚେନ୍ନାଇ ଟେଷ୍ଟ ମ୍ୟାଚ୍‌ରେ ଶାହିଦ ୧୯୧ ବଲ୍‌ରେ ୨୧ ଚୌକା ଏବଂ ତିନୋଟି ଛକା ସହିତ ୧୪୧ ରନ୍ କରିଥିଲେ, ତା’ପରେ ସେ ଦିଲ୍ଲୀ ଟେଷ୍ଟରେ ୩୨ ଏବଂ ୪୧ ରନ୍ କରିଥିଲେ। ଆମେ ଦିଲ୍ଲୀ ଟେଷ୍ଟ ହାରିଥିଲୁ, କିନ୍ତୁ ସେହି ଟେଷ୍ଟ ସିରିଜ୍‌ରେ ଶାହିଦ ତାଙ୍କ ବ୍ୟାଟିଂ ସହିତ ଓପନରମାନଙ୍କ ଖେଳିବା ଶୈଳୀକୁ ବଦଳାଇ ଦେଇଥିଲେ।”