ବିଜେଡିର ଅପରାଜୟ ଗଡରେ କିଏ କାହାକୁ ଦେବେ ଟକ୍କର

ସଜେଇ ହେଉଛି ନିର୍ବାଚନ ମୈଦାନ । ଅଣ୍ଟା କସୁଛନ୍ତି ବିଭିନ୍ନ ଦଳର ଟାଣୁଆ ନେତା । ଟାର୍ଗେଟରେ କ୍ଷମତା, ସେଥିପାଇଁ ଲୋକଙ୍କୁ ପ୍ରଲୋଭିତ କରିବା ଉଦ୍ଦେଶ୍ୟରେ କିଏ କେତେ ପ୍ରକାର ପନ୍ଥା ଆପଣାଉଛନ୍ତି । ଏବେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନୀ ମଣ୍ଡଳୀରେ ମଧ୍ୟ ଦେଖିବାକୁ ମିଳିଛି ନିର୍ବାଚନ ତାତୀ । ଏ ତାତୀ ଦୁଇଟି ନେତାଙ୍କୁ ନେଇ । ଗୋଟିଏ ପଟେ ବର୍ଷିୟାନ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ଏବଂ ଅନ୍ୟପଟେ ରହିଛନ୍ତି ସମାଜସୋବୀ ଅଜୟ ରାଉତ ।

ପାଟକୁରାରେ ଜିତିବାର ଗ୍ୟାରେଣ୍ଟି ରଖିଥିବା ବିଜୁ ଜନତା ଦଳର ଟିକେଟ ଆଶାୟୀ ଥିବା ଅନେକ ନେତୃତ୍ୱଙ୍କ ଭିତରୁ ସମାଜସେବୀ ଅଜୟ ରାଉତଙ୍କ ନାଁ ସବୁଠୁ ଆଗରେ । ନିଷ୍କଳଙ୍କ ନେତା ଭାବେ ୧୫ ବର୍ଷ ହେବ ନିରବଛିନ୍ନ ଲୋକସେବା କରିଆସୁଥିବା ଅଜୟ ୨୦୨୪ ସାଧାରଣ ନିର୍ବାଚନରେ ପାଟକୁରା ବିଧାୟକ ପାର୍ଥି ଟିକେଟ ପାଇବା ଏକ ରକମ ସ୍ପଷ୍ଟ ବୋଲି ଚର୍ଚ୍ଚ ହେଉଛି । ଅଜୟ ମଧ୍ୟ ପାଟକୁରା ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକ ଯଥା, ଗରଦପୁର, ଡେରାବିଶ ଓ ମାର୍ଶାଘାଇର ସାତ ପଞ୍ଚାୟତରେ ହଜାର ହଜାର କର୍ମୀଙ୍କୁ ନେଇ ଜନସମାବେଶ କରି ନିଜ ସାଙ୍ଗଠନିକ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଅଜୟ ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝି ସେମାନଙ୍କୁ ଯଥାସମ୍ଭବ ସାହାଯ୍ୟ ଯୋଗାଇ ସମାଜ ସେବାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି । ନିଜର ଦୃଢ଼ ସାଙ୍ଗଠନିକ ଦକ୍ଷତାକୁ ସେ ସାଧାରଣ ନିର୍ବାଚନରେ ପ୍ରତିପାଦନ କରିବାକୁ ଯାଉଛନ୍ତି ।

ଅନ୍ୟପଟେ ଅଜୟଙ୍କ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିବେ ବରିଷ୍ଟ ନେତା ବିଜୟ ମହାପାତ୍ର ଓ ତାଙ୍କ ପୁଅ ଅରବିନ୍ଦ। ଶୁଣିବାକୁ ମିଳୁଛି ବିଜୟ ୨୦୨୪ ସାଧାରଣ ନିର୍ବାଚନରେ ପାଟକୁରା ରଣାଙ୍ଗନରେ ତାଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ଓଲ୍ହାଇବେ । ଫଳରେ ବିଜୟଙ୍କ ନିଜସ୍ୱ ଭୋଟ ବ୍ୟାଙ୍କ ମଧ୍ୟ ଅରବିନ୍ଦଙ୍କ ସପକ୍ଷ ରେ ଯାଇପାରେ । ୨୦୧୯ ନିର୍ବାଚନରେ ପାଟକୁରାରେ ବିଜୟ ମହାପାତ୍ର ବିଜେଡି ପାର୍ଥି ସାବିତ୍ରୀ ଅଗ୍ରୱାଲଙ୍କ ଠୁ ପରାଜିତ ହୋଇଥିଲେ ମଧ୍ୟ ୭୮ ହଜାରରୁ ଉର୍ଦ୍ଧ ଭୋଟ ହାତେଇବାରେ ସଫଳ ହୋଇଥିଲେ । ବିଜୟଙ୍କ ଲୋକପ୍ରିୟତା ଅରବିନ୍ଦଙ୍କ ରାଜନୀତିକ କ୍ୟାରିୟରକୁ ସୁହାଇପାରେ । ତେବେ ବିଜୁ ଜନତା ଦଳର ବିକାଶ ମୂଳକ କାର୍ଯ୍ୟ ଓ ଅଜୟଙ୍କ ସମାଜ ସେବା ଅରବିନ୍ଦଙ୍କୁ କେତେ ଟକ୍କର ଦେଇପାରିବ ତାହା କେବଳ ସମୟ କହିବ । ପାଟକୁରା ନିର୍ବାଚନ ମଣ୍ଡଳୀ ବିଜେଡିର ଅପରାଜେୟ ଗଡ଼ ହୋଇରହିଥିବା ବେଳେ ବିଜେଡିରୁ ଅଜୟ ରାଉତ ପାର୍ଥି ହେଲେ ତାଙ୍କର ଜିତିବା ଏକ ରକମ ସ୍ପଷ୍ଟ ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *