ଅଙ୍ଗନବାଡ଼ି ପାଇଁ ସରକାର ବର୍ଷକୁ ଅତିରିକ୍ତ ୧୭୫ କୋଟି ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ

ରାଜ୍ୟ ସରକାର ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଦିଆଯାଉଥିବା ଅଣ୍ଡାର ମୂଲ୍ୟ ବୃଦ୍ଧି କରିଛନ୍ତି । ଅଣ୍ଡା ଦାମ ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି । ଶିଶୁମାନଙ୍କ ପୋଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡାର ମୂଲ୍ୟ ୨ ଟଙ୍କା ବଢାଇଛନ୍ତି । ଏଥିପାଇଁ ସରକାର ବର୍ଷକୁ ଅତିରିକ୍ତ ୧୭୫ କୋଟି ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ । ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସରକାର ଦେଉଥିବା ଅର୍ଥରେ ଆବଶ୍ୟକ ଅଣ୍ଡା ଦେବା ସମ୍ଭବ ହେଉନଥବା କର୍ମୀମାନେ ପୂର୍ବରୁ ଅଭିଯୋଗ କରିଥିଲେ । ତେଣୁ ଅଣ୍ଡାର ମୂଲ୍ୟ ବୃଦ୍ଧି ଲାଗି ଦୀର୍ଘ ଦିନ ହେଲା ଦାବି ହୋଇଆସୁଥିଲା ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଏହି ସମସ୍ୟାକୁ ସ୍ବୀକାର କରିଥିଲେ । ବଜାରରେ ଗୋଟିଏ ଅଣ୍ଡାର ଦାମ୍‌ ୮ ଟଙ୍କା ଥିବାବେଳେ ସରକାର ଏ ବାବଦରେ ଦେଉଥିଲେ ୫ଟଙ୍କା । ଏହି କାରଣରୁ ଅଙ୍ଗନଓ୍ବାଡ଼ି ପିଲାଙ୍କୁ ମାସକୁ ୨୦ ବଦଳରେ ମାତ୍ର ୧୫ଟି ଅଣ୍ଡା ମିଳୁଥିଲା । ଗର୍ଭବତୀ ଓ ପ୍ରସୂତୀଙ୍କୁ ମାସିକ ୧୨ଟି ଅଣ୍ଡା ଦେବା କଥା, ମାତ୍ର ଅଙ୍ଗନଓ୍ବାଡ଼ି ଦିଦି କେଉଁଠି ୮ଟି ତ ଆଉ କେଉଁଠି ୯ଟି ଅଣ୍ଡା ଦେଉଥିବା ଅଭିଯୋଗ ହୋଇଥିଲା । ଶେଷରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ମୂଲ୍ୟ ବୃଦ୍ଧି ହୋଇଛି । ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏକ୍ସ ମାଧ୍ୟମରେ କୃତଜ୍ଞତା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।