Tag: #Vladimirputin

  • ଟ୍ରମ୍ପଙ୍କ ଦାବି ପରେ ରୁଷ୍‌ର ସ୍ପଷ୍ଟ କଥା: ଭାରତ ଚାହିଲେ ଯେକୌଣସି ଦେଶରୁ ତୈଳ କିଣିପାରିବ

    ଟ୍ରମ୍ପଙ୍କ ଦାବି ପରେ ରୁଷ୍‌ର ସ୍ପଷ୍ଟ କଥା: ଭାରତ ଚାହିଲେ ଯେକୌଣସି ଦେଶରୁ ତୈଳ କିଣିପାରିବ

    ଆମେରିକା ସହିତ ଭାରତର ବାଣିଜ୍ୟ ଚୁକ୍ତି ସମ୍ପନ୍ନ ହେବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ଯେ ଭାରତ ଆଗାମୀ ଦିନରେ ରୁଷ୍‌ଠାରୁ ତୈଳ କ୍ରୟ କରିବ ନାହିଁ। ଏହି ବୟାନ ପରେ ରୁଷ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଭାରତ ନିଜ ଆବଶ୍ୟକତା ଅନୁଯାୟୀ ଯେକୌଣସି ଦେଶରୁ ତୈଳ କିଣିବାକୁ ସମ୍ପୂର୍ଣ୍ଣ ସ୍ୱାଧୀନ।

    କ୍ରେମଲିନ୍‌ର କହିବା ଅନୁସାରେ, ଭାରତ ଅନ୍ୟ ଦେଶମାନଙ୍କଠାରୁ ତୈଳ ଆଣିବାର ପ୍ରୟାସ କେବେବି ନୂଆ କଥା ନୁହେଁ ଓ ଏହାକୁ ମସ୍କୋ ବିରୋଧୀ ପଦକ୍ଷେପ ଭାବେ ମଧ୍ୟ ଦେଖାଯାଉନାହିଁ। ଟ୍ରମ୍ପଙ୍କ ମତାନୁସାରେ, ଭାରତ–ଆମେରିକା ବାଣିଜ୍ୟ ଚୁକ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍‌ରୁ ତୈଳ କ୍ରୟ ବନ୍ଦ କରିବାକୁ ଓ ଆମେରିକା ସହିତ ସମ୍ଭବତଃ ଭେନେଜୁଏଲାରୁ ଅଶୋଧିତ ତୈଳ କିଣିବାକୁ ସମ୍ମତି ଦେଇଛନ୍ତି।

    ଟ୍ରମ୍ପଙ୍କ ଏହି ଦାବି ପରେ କ୍ରେମଲିନ୍‌ ପ୍ରବକ୍ତା ଡିମିତ୍ରି ପେସ୍‌କୋଭ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରୁଷ୍‌ କେବେବି ଭାରତ ପାଇଁ ତୈଳ ଓ ପେଟ୍ରୋଲିୟମ ଉତ୍ପାଦର ଏକମାତ୍ର ଯୋଗାଣକାରୀ ରହିନଥିଲା। ଆନ୍ତର୍ଜାତିକ ଶକ୍ତି ବିଶେଷଜ୍ଞମାନେ ମଧ୍ୟ ଏହି କଥା ଭଲଭାବେ ଜାଣନ୍ତି ଯେ ଭାରତ ପୂର୍ବରୁ ମଧ୍ୟ ଅନେକ ଉତ୍ସରୁ ତୈଳ ଓ ପେଟ୍ରୋଲିୟମ ସାମଗ୍ରୀ କ୍ରୟ କରୁଥିଲା।

    ପେସ୍‌କୋଭ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ରୁଷ୍‌ଠାରୁ ତୈଳ କ୍ରୟ ବନ୍ଦ କରିବା ସମ୍ପର୍କରେ ମସ୍କୋ ଭାରତ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପାଇନାହିଁ। ପୂର୍ବ ଦିନ ମଧ୍ୟ ସେ ଏହି ମତ ପୁନରାବୃତ୍ତି କରିଥିଲେ ଓ କହିଥିଲେ ଯେ ଏନେଇ ନୂଆଦିଲ୍ଲୀ ପକ୍ଷରୁ କୌଣସି ସ୍ପଷ୍ଟ ସଙ୍କେତ ମିଳିନାହିଁ।ଅନ୍ୟପକ୍ଷରେ ରୁଷ୍‌ର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ମାରିଆ ଜଖାରୋଭା ମଧ୍ୟ ଦୁଇ ଦେଶ ମଧ୍ୟରେ ଶକ୍ତି ସହଯୋଗର ସମର୍ଥନ କରିଥିଲେ। ଜଖାରୋଭା କହିଥିଲେ, ହାଇଡ୍ରୋକାର୍ବନ ବ୍ୟାପାର ଭାରତ ଓ ରୁଷ୍‌ ଉଭୟଙ୍କ ପାଇଁ ଲାଭଦାୟକ। ଏକ ସାମ୍ବାଦିକ ସମ୍ମିଳନୀରେ ଜଖାରୋଭା କହିଥିଲେ କି ଭାରତ ଦ୍ବାରା ରୁଷ୍‌ ହାଇଡ୍ରୋକାର୍ବନ କିଣିବା ଦୁଇ ପକ୍ଷ ପାଇଁ ଲାଭଦାୟକ ହେବ ।

    ଏହା ବିଶ୍ବ ଶକ୍ତି ବଜାରରେ ସ୍ଥିରତା ବଜାୟ ରଖିବାରେ ସାହାଯ୍ୟ କରିବ। ଆମେ ଆମର ଭାରତୀୟ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ସହଯୋଗ ଜାରି ରଖିବାକୁ ପ୍ରସ୍ତୁତ। ରୁଷ୍‌ର ଶକ୍ତି ବିଶ୍ଳେଷକମାନେ କହିଛନ୍ତି ଯେ, ଭାରତୀୟ ବିଶୋଧନାଗାରଗୁଡ଼ିକ ପାଇଁ ରୁଷ୍‌ର ଅଶୋଧିତ ତୈଳର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ସହଜ ହେବନାହିଁ। ରୁଷ୍‌ର ଜାତୀୟ ଶକ୍ତି ସୁରକ୍ଷା ପାଣ୍ଠିର ଇଗୋର ୟୁଶକୋଭ କହିଛନ୍ତି ଯେ ଆମେରିକା ମୁଖ୍ୟତଃ ହାଲୁକା ଗ୍ରେଡ୍‌ର ତୈଳ ରପ୍ତାନୀ କରିଥାଏ । ଅନ୍ୟପକ୍ଷରେ ରୁଷ ଭାରତୀୟ ରିଫାଇନାରୀଗୁଡ଼ିକ ଦ୍ୱାରା ବ୍ୟବହୃତ ଭାରୀ, ସଲଫର-ସମ୍ପୃକ୍ତ ୟୁରାଲ୍ସ ଅଶୋଧିତ ତୈଳ ଯୋଗାଣ କରେ। ଭାରତକୁ ଅନ୍ୟ ଗ୍ରେଡ୍ ସହିତ ଆମେରିକୀୟ ତୈଳ ମିଶ୍ରଣ କରିବାକୁ ପଡିବ, ଯାହା ଖର୍ଚ୍ଚ ବୃଦ୍ଧି କରିବ । ଏକ ସହଜରେ ବଦଳା ଯିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ୟୁଶକୋଭ ଆହୁରି କହିଛନ୍ତି ଯେ, ରୁଷ ପ୍ରତିଦିନ ଭାରତକୁ ୧.୫ ରୁ ୨ ନିୟୁତ ବ୍ୟାରେଲ ତୈଳ ପଠାଏ, ଆମେରିକା ସହଜରେ ଏତେ ପରିମାଣର ତୈଳ ପଠାଇ ପାରିବ ନାହିଁ । ଟ୍ରମ୍ପ ଏପରି କହି ଆମେରିକା ଏହାଦ୍ବାରା ଭାରତ ଓ ରୁଷ୍‌ଠାରୁ ସର୍ତ୍ତ ଜିତି ଯାଇଥିବା ଦର୍ଶାଇବାକୁ ଚାହୁଛନ୍ତି ବୋଲି ସେ କହିଛନ୍ତି । 

  • ମସ୍କୋ: ବେଲାରୁଷର ଏଣ୍ଟ୍ରି,’ୱାଗନର’ର ୟୁ-ଟର୍ଣ୍ଣ, ଅଳ୍ପକେ ବର୍ତ୍ତିଲା ଋଷ

    ମସ୍କୋ: ବେଲାରୁଷର ଏଣ୍ଟ୍ରି,’ୱାଗନର’ର ୟୁ-ଟର୍ଣ୍ଣ, ଅଳ୍ପକେ ବର୍ତ୍ତିଲା ଋଷ

    ଋଷରେ ଗୃହଯୁଦ୍ଧ ପରିସ୍ଥିତି । କେତେବେଳେ ଦେଶ ଭିତରେ କ’ଣ ଘଟିବ କହିହେବନି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏବେ ଜୋରଦାର ବିରୋଧ ହେଉଛି । ଋଷରେ ରହୁଥିବା ଲୋକ, ଦେଶର ଖାଉଥିବା ଲୋକ ଏବେ ଋଷକୁ ହିଁ ନଷ୍ଟ କରିବାକୁ ବସିଛନ୍ତି । ପୁଟିନ ବିରୋଧରେ ଦଳେ ଥିବାବେଳେ ଅନ୍ୟ ଗୋଷ୍ଠୀ ସମର୍ଥନରେ ବାହାରିଛନ୍ତି । ମାନେ ପ୍ରାଇଭେଟ୍ ଆର୍ମି ‘ୱାଗନର’, ରାଷ୍ଟ୍ରପତି ପୁଟିନଙ୍କୁ ନିଜ ପଦରୁ ହଟାଇବାକୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛି । ଏପରିକି କିଛି ସହରକୁ ନିଜ କବଜାକୁ ନେଇଛି । ସେପଟେ ପ୍ରାଇଭେଟ୍ ଆର୍ମି ‘ୱାଗନର’ ଉପରେ କଡ଼ା ନଜର ରଖିଛନ୍ତି ଋଷ ସେନା । ଦୋଷୀକୁ ଦଣ୍ଡ ଦେବା ପାଇଁ ପୁଟିନ ସେନା ସଂକଳ୍ପ ନେଇଛନ୍ତି । ଦେଶଦ୍ରୋହୀ, ବିଶ୍ୱାସଘାତକମାନଙ୍କୁ କେବେ ବି କ୍ଷମା କରାଯିବନି ବୋଲି ପୁଟିନ୍ ରୋକଠୋକ୍ କହିଛନ୍ତି ।

    ପ୍ରାଇଭେଟ୍ ଆର୍ମି ‘ୱାଗନର’ମୁଖ୍ୟ ପ୍ରିଗୋଝିନ୍‌, ପୁଟିନଙ୍କୁ ଗାଦିଚ୍ୟୁତ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି । ଏପରିକି ମସ୍କୋ ଅଭିମୁଖେ ପ୍ରାଇଭେଟ୍ ଆର୍ମି ଯାଉଥିବା ବେଳେ ଏଣ୍ଟ୍ରି ମାରିଛନ୍ତି ବେଲାରୁଷ ରାଷ୍ଟ୍ରପତି । ସେ ମଧ୍ୟସ୍ଥତା ପାଇଁ ‘ୱାଗନର’ମୁଖ୍ୟଙ୍କ ସହ ଆଲୋଚନା କରିବା ପରେ ପ୍ରିଗୋଝିନ୍‌ ସହମତି ପ୍ରକାଶ କରିଛନ୍ତି । ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ରାଜି ହେବାରୁ ୟୁ-ଟର୍ଣ୍ଣ ନେଇଛି ୱାଗନର ସେନା । ଶେଷରେ ଋଷରେ ବିଦ୍ରୋହର ଧ୍ୱନି ସାମାନ୍ୟ କମିଛି । ରକ୍ତାକ୍ତ ଯୁଦ୍ଧରୁ ଅଳ୍ପକେ ବର୍ତ୍ତିଛି ଦେଶ ତଥାପି ଆଲର୍ଟ ରହିଛନ୍ତି ଋଷ ସେନା ।

    ଋଷ ଏବଂ ୟୁକ୍ରେନ ଯୁଦ୍ଧକୁ ୧୬ ମାସ ପୁରିଲାଣି । ତଥାପି ଏହାର କୌଣସି ନିଷ୍କର୍ଷ ବାହାରୁନି । ସମାଧାନର ରାସ୍ତା କେହି ବି ବାହାର କରୁନାହାଁନ୍ତି । ୟୁକ୍ରେନ ପୁରାପୁରି ଭାବେ ଧ୍ୱସ୍ତବିଧ୍ୱସ୍ତ ହେଲାଣି । ଆମେରିକା ଏବଂ ୟୁରୋପ ମହାଦେଶର ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ଅସ୍ତ୍ରଶସ୍ତ୍ର ଯୋଗାଉଥିବାରୁ ୟୁକ୍ରେନ ଯୁଦ୍ଧ ଜାରି ରଖିଛି । ଋଷକୁ ମଧ୍ୟ ବହୁ କ୍ଷତି ସହିବାକୁ ପଡ଼ିଲାଣି ।

    ବାହ୍ୟ ବଳ ସହାୟତାରେ ୟୁକ୍ରେନ୍ ପଛକୁ ହଟୁନି କି ଯୁଦ୍ଧ ବନ୍ଦ କରୁନି । ଏଭଳି ସ୍ଥିତିରେ ଦେଶ ଭିତରେ ହିଁ ପୁଟିନଙ୍କୁ ବିରୋଧର ସାମ୍ନା କରିବାକୁ ପଡ଼ିଛି । ଋଷ ଗୃହଯୁଦ୍ଧ ଉପରେ କଡ଼ା ନଜର ରଖିଛନ୍ତି ଆମେରିକା, ୟୁକ୍ରେନ ପରି ବିରୋଧୀ ରାଷ୍ଟ୍ର । ସେପଟେ ଋଷ ସ୍ଥିତି ନେଇ ଭାରତ ଭଳି ମିତ୍ର ରାଷ୍ଟ୍ର ଗୁଡ଼ିକ ଟେନସନରେ ପଡ଼ିଛନ୍ତି । ଋଷ ସ୍ଥିତି ସମ୍ଭାଳିବା ପାଇଁ ମିତ୍ରରାଷ୍ଟ୍ର ବେଲାରୁଷ ଆଲୋଚନା କରିବାକୁ ପ୍ରସ୍ତାବ ରଖିଛନ୍ତି । ତେଣୁ ଗୃହଯୁଦ୍ଧ ଆଶଙ୍କା ଦୂର ହେବା ସହ ଦେଶରେ ଶାନ୍ତି ବଜାୟ ରହିବ ବୋଲି ଆଶା କରାଯାଉଛି ।