Tag: #TrumpPolicy

  • ବାଦାମରୁ ମଦ ପର୍ଯ୍ୟନ୍ତ—ଶୁଳ୍କ ଶୂନ୍ୟ ହେବ ଏହି ସାମଗ୍ରୀ

    ବାଦାମରୁ ମଦ ପର୍ଯ୍ୟନ୍ତ—ଶୁଳ୍କ ଶୂନ୍ୟ ହେବ ଏହି ସାମଗ୍ରୀ

    ଭାରତ–ଆମେରିକା ମଧ୍ୟରେ ସମ୍ପନ୍ନ ହୋଇଥିବା ଐତିହାସିକ ବାଣିଜ୍ୟ ଚୁକ୍ତିକୁ ନେଇ ଦେଶର ରାଜନୀତି ତେଜ ହୋଇଉଠିଛି। ଏହି ଚୁକ୍ତି ପରେ ବିରୋଧୀ ଦଳଗୁଡ଼ିକ ମୋଦୀ ସରକାରଙ୍କୁ ଲକ୍ଷ୍ୟ କରି ସମାଲୋଚନା କରୁଥିବା ବେଳେ, ଟ୍ରେଡ୍ ଡିଲ୍‌କୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠୁଛି।

    ଏହି ସମସ୍ତ ଆଲୋଚନା ମଧ୍ୟରେ ଆମେରିକାର ସ୍ପଷ୍ଟ ଆଭିମୁଖ୍ୟ ଅନେକ ପ୍ରଶ୍ନରେ ପୂର୍ଣ୍ଣଛେଦ ପକାଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ–ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ ଟ୍ରୁଥ୍ ସୋସିଆଲରେ ଏକାଧିକ ଦାବି କରିଥିବା ବେଳେ, ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରୀୟର ମଙ୍ଗଳବାର ଦିନ ‘ଏକ୍ସ’ରେ ଏକ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି ଯେ ଭାରତ ଆମେରିକୀୟ କୃଷି ଉତ୍ପାଦ ଉପରେ ଶୁଳ୍କକୁ ଶୂନ୍ୟ କରିବ।

    ଗ୍ରୀୟର କହିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ସହିତ ହୋଇଥିବା ଏହି ଐତିହାସିକ ଚୁକ୍ତି ଆମେରିକୀୟ ଚାଷୀ ଓ ଉତ୍ପାଦକମାନଙ୍କୁ ଭାରତୀୟ ବଜାରରେ ପ୍ରବେଶ କରିବାରେ ବଡ଼ ସୁଯୋଗ ଦେବ। ତେବେ ସେ ଏକ ସାକ୍ଷାତକାରରେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ଚୁକ୍ତି ଭାରତକୁ କିଛି କୃଷି ଉତ୍ପାଦର ଆମଦାନୀ ଉପରେ ସୁରକ୍ଷାମୂଳକ ବ୍ୟବସ୍ଥା ବଜାୟ ରଖିବାର ସୁଯୋଗ ଦେଇଛି।ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରୀୟର କହିଛନ୍ତି, ଭାରତରେ ବାଦାମ, ମଦ, ସ୍ପିରିଟ୍, ଫଳ, ପନିପରିବା ଇତ୍ୟାଦି ଅନେକ ସାମଗ୍ରୀ ଉପରେ ଶୁଳ୍କ ଶୂନ୍ୟ ହେବାକୁ ଯାଉଛି। ଯଦିଓ, ସେ ଚାଉଳ, ସୋୟାବିନ୍, ଚିନି କିମ୍ବା କ୍ଷୀର ଉତ୍ପାଦ ବିଷୟରେ ଉଲ୍ଲେଖ କରିନଥିଲେ, କିନ୍ତୁ ଭାରତ ଏହି ସବୁ ସାମଗ୍ରୀକୁ ବାଣିଜ୍ୟ ଚୁକ୍ତିରୁ ବାଦ ଦେଇଛି।


    ସେପଟେ ରାଷ୍ଟ୍ରପଟି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋର ସବୁଠାରୁ ଭଲ ବନ୍ଧୁମାନଙ୍କ ମଧ୍ୟରୁ ଜଣେ, ଯିଏ ୫୦୦ ବିଲିୟନ ଡଲାର ମୂଲ୍ୟର ଆମେରିକୀୟ ସାମଗ୍ରୀ କିଣିବାକୁ, ଆମେରିକା ଉପରେ ଶୁଳ୍କକୁ ଶୂନ୍ୟ କରିବାକୁ ଏବଂ ରୁଷରୁ ଅଶୋଧିତ ତେଲ କିଣିବା ବନ୍ଦ କରିବାକୁ ରାଜି ହୋଇଛନ୍ତି, ଯାହା ଏକ ଭଲ ସଙ୍କେତ। କାହିଁକିନା ଭାରତ ରୁଷଠୁ ତେଲ କିଣିବା, ପରୋକ୍ଷ ଭାବରେ ୟୁକ୍ରେନ ଯୁଦ୍ଧକୁ ପାଣ୍ଠି ଯୋଗାଇ ଦେବା ସହ ସମାନ ଥିଲା। ଏବେ ଭାରତ ରୁଷଠୁ ତେଲ ନକିଣିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛି ତାହା ସ୍ଵାଗତଯୋଗ୍ୟ ବୋଲି ଟ୍ରମ୍ପ କହିଛନ୍ତି।

  • ଟ୍ରମ୍ପଙ୍କ ଭେନେଜୁଏଲା ବିରୋଧୀ ନୀତି ପୁଣି ଚର୍ଚ୍ଚାରେ

    ଟ୍ରମ୍ପଙ୍କ ଭେନେଜୁଏଲା ବିରୋଧୀ ନୀତି ପୁଣି ଚର୍ଚ୍ଚାରେ

    ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭେନେଜୁଏଲା ବିରୋଧରେ କଠୋର ନୀତି ପୁଣିଥରେ ଆନ୍ତର୍ଜାତୀୟ ରାଜନୀତିରେ ତୀବ୍ର ଚର୍ଚ୍ଚା ସୃଷ୍ଟି କରିଛି। ଏହାର ମୁଖ୍ୟ କାରଣ ହେଉଛି ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଗିରଫ କରାଯାଇଛି, ଯାହାକୁ ନେଇ ବିଶ୍ୱ ରାଜନୀତିରେ ହଲଚଲ ଦେଖାଦେଇଛି।

    ଆମେରିକା ପକ୍ଷରୁ କୁହାଯାଇଛି ଯେ, ଦୀର୍ଘଦିନ ଧରି ଚାଲିଥିବା ମାଦକ ଚୋରାଚାଳା, ଆନ୍ତର୍ଜାତୀୟ ଅପରାଧ ଚକ୍ର ଓ ଭାରି ଦୁର୍ନୀତି ସମ୍ପର୍କିତ ମାମଲାରେ ମାଦୁରୋ ଓ ତାଙ୍କ ସରକାରର କିଛି ଶୀର୍ଷ ନେତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆମେରିକୀୟ ନ୍ୟାୟ ବିଭାଗର ଅଭିଯୋଗ ଅନୁସାରେ, ମାଦୁରୋ ‘ଆନ୍ତର୍ଜାତୀୟ ମାଦକ ଚୋରାଚାଳା ନେଟୱର୍କ’ ସହ ସଂପୃକ୍ତ ଥିଲେ ଏବଂ କୋକେନ୍ ପରି ମାଦକ ଦ୍ରବ୍ୟ ଆମେରିକା ସହ ଅନ୍ୟାନ୍ୟ ଦେଶକୁ ପଠାଯାଉଥିଲା।

    ଡୋନାଲ୍ଡ ଟ୍ରମ୍ପ ତାଙ୍କ ଶାସନକାଳରେ ଭେନେଜୁଏଲା ବିରୋଧରେ ଦୀର୍ଘଦିନ ଧରି ଅର୍ଥନୈତିକ ପ୍ରତିବନ୍ଧ, ତେଲ ନିଷେଧାଜ୍ଞା ଓ କୂଟନୀତିକ ଚାପ ଲାଗୁ କରିଥିଲେ। ଟ୍ରମ୍ପଙ୍କ ମତରେ, ଏହା “ଭେନେଜୁଏଲାରେ ଲୋକତନ୍ତ୍ର ପୁନରୁଦ୍ଧାର ପାଇଁ ଆବଶ୍ୟକ ପଦକ୍ଷେପ”। ତେବେ ଭେନେଜୁଏଲା ସରକାର ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରି ଏହାକୁ ଆମେରିକାର ରାଜନୈତିକ ଷଡଯନ୍ତ୍ର ଓ ହସ୍ତକ୍ଷେପମୂଳକ ନୀତି ବୋଲି ଅଭିଯୋଗ କରିଛି।

    ମାଦୁରୋଙ୍କ ଗିରଫ ସମ୍ବନ୍ଧୀୟ ଖବରକୁ ନେଇ ଭେନେଜୁଏଲା ସରକାର କହିଛନ୍ତି ଯେ, ଏହା ଏକ ସ୍ୱାଧୀନ ଦେଶର ରାଷ୍ଟ୍ରପତିଙ୍କୁ ଅବୈଧ ଭାବେ ଲକ୍ଷ୍ୟ କରିବାର ଚେଷ୍ଟା ବୋଲି କହିଛି ଏବଂ ଏହାକୁ ଆନ୍ତର୍ଜାତୀୟ ଆଇନ ଓ ସଂଯୁକ୍ତ ରାଷ୍ଟ୍ର ସଂଘର ସାର୍ବଭୌମତ୍ୱ ନୀତିର ଉଲ୍ଲଂଘନ ବୋଲି ଅଭିହିତ କରିଛି।

    ଏହି ଘଟଣା ପରେ ଲାଟିନ୍ ଆମେରିକା ସହିତ ଅନେକ ଦେଶରେ ମିଳିତ ପ୍ରତିକ୍ରିୟା ଦେଖାଦେଇଛି। କିଛି ଦେଶ ଆମେରିକାର ଆଇନଗତ ପଦକ୍ଷେପକୁ ସମର୍ଥନ କରୁଥିବାବେଳେ, ଅନେକ ଦେଶ ଏହାକୁ ଆନ୍ତର୍ଜାତୀୟ ରାଜନୈତିକ ସ୍ଥିରତା ପାଇଁ ଭୟଙ୍କର ପ୍ରସଙ୍ଗ ବୋଲି ମନେ କରୁଛନ୍ତି।

    ରାଜନୈତିକ ବିଶ୍ଳେଷକଙ୍କ ମତରେ, ମାଦୁରୋ ଗିରଫ ମାମଲା କେବଳ ଆମେରିକା ଓ ଭେନେଜୁଏଲା ସମ୍ପର୍କରେ ସୀମିତ ନୁହେଁ, ଏହା ଆଗାମୀ ଦିନରେ ସମଗ୍ର ଲାଟିନ୍ ଆମେରିକାର ରାଜନୀତି ଓ ଆମେରିକାର ବିଦେଶନୀତି ଉପରେ ଗଭୀର ପ୍ରଭାବ ପକାଇପାରେ।