ପାଣି ବିନା ହଇରାଣ ହେଉଛନ୍ତି ଲୋକେ। ଗରା ବାଲ୍ଟି ଧରି ରାସ୍ତା କୁ ଓଲ୍ହେଇଲେ ଗ୍ରାମବାସୀ । ନୀଳଗିରି ଅଞ୍ଚଳରେ ଖରା ଆରମ୍ଭ ହେବା ସହିତ ପାନୀୟ ଜଳ ସମସ୍ୟା ଭୟାବହ ରୂପ ଧାରଣ କରିଛି।

ବାଲେଶ୍ୱର ଜିଲ୍ଲାର ନୀଳଗିରି ବ୍ଲକ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତର ଆଡିଆଖୁଣ୍ଟା ଗାଁରେ ଲୋକମାନେ ଜଳକଷ୍ଟରେ ଜୀବନଯାପନ କରୁଛନ୍ତି। ବିଶେଷ କରି ମହିଳାମାନେ ଗରା ଓ ବାଲ୍ଟି ଧରି ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଛନ୍ତି।
ଗାଁରେ ସରକାରଙ୍କ ବସୁଧା ଯୋଜନା ରହିଥିଲେ ମଧ୍ୟ ଲୋକମାନେ ଶୁଦ୍ଧ ପିଇବା ପାଣି ପାଉନଥିବା ଅଭିଯୋଗ କରିଛନ୍ତି। ନଳ ଯୋଗାଣ ବ୍ୟବସ୍ଥା କାଗଜରେ ସୀମିତ ରହିଥିବା ବେଳେ, ପ୍ରାୟୋଗିକ ଭାବେ ଗାଁରେ ପାଣି ଆସୁନାହିଁ। ଏହାର ପ୍ରତିବାଦରେ ଶତାଧିକ ମହିଳା ଓ ଗ୍ରାମବାସୀ ଆଡିଆଖୁଣ୍ଟା ଛକରେ ମାଟିଆଳୀ ନରସିଂହପୁର ରାସ୍ତାକୁ ଅବରୋଧ କରି ଧାରଣା ଦେଇଛନ୍ତି।
ଆନ୍ଦୋଳନକାରୀମାନଙ୍କ କହିବା ଅନୁସାରେ, ପ୍ରତିଦିନ ପାଣି ପାଇଁ ଦୂର ଦୂରନ୍ତ ଯିବାକୁ ପଡୁଛି, ଯାହାରୁ ଦୈନିକ ଜୀବନ ଅସୁବିଧାରେ ପଡୁଛି। ଖରା ଦିନ ଆରମ୍ଭ ହେବା ସହିତ ସମସ୍ୟା ଆଉ ବେଶି ଗୁରୁତର ହୋଇଯାଇଛି।
ଗ୍ରାମବାସୀ ଶୀଘ୍ର ସ୍ଥାୟୀ ସମାଧାନ ଦାବି କରିଥିବା ବେଳେ, ସ୍ଥାନୀୟ ପ୍ରଶାସନ ଏହି ସମସ୍ୟାକୁ ଗମ୍ଭୀରତାର ସହ ନେଇ ତୁରନ୍ତ ପଦକ୍ଷେପ ନେବେ କି ନାହିଁ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ରହିଛି।