Tag: suchanatv24x7

  • ସାପ କାମୁଡାରେ ଯୁବକ ମୃତ

    କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ସେରେଣ୍ଡା ଗ୍ରାମରେ ଆଜି ଜଣେ ଯୁବକ ଚନ୍ଦନ ବୋଡା ସାପ କାମୁଡାରେ ପ୍ରାଣ ହରାଇଛନ୍ତି।
    ଗ୍ରାମର ସମ୍ଭୁ ମହାକୁଡ ମଧ୍ୟାହ୍ନରେ ଘରେ ଶୋଇଥିବା ବେଳେ ସାପଟି ଆସି ତାଙ୍କ ହାତକୁ ଚୋଟ ମାରିବା ପରେ ଅନ୍ୟ ହାତକୁ ମଧ୍ୟ କାମୁଡି ଥିଲା। ତାଙ୍କ ଚିତ୍କାର ଶୁଣି ଘର ଲୋକେ ସେଠାରେ ପହଞ୍ଚି ତାଙ୍କୁ ବଡବିଲ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ପାଇ ପୋଲିସ ସେଠାରେ ପହଞ୍ଚି ପଚରା ଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛିl

  • ସରସ୍ଵତୀ ପୂଜାରେ ଅଘଟଣ ; ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଛାତ୍ର ମୃତ

    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମୂର୍ଶୁଣ୍ଢି ମେଟାକାନି ଛକରେ ବିଦ୍ୟୁତ୍ ଖମ୍ବରେ ବାଇକ୍ ପିଟି ହୋଇ ଚାଲିଗଲା ଛାତ୍ରଙ୍କ ଜୀବନ । ବିଦ୍ୟାଳୟକୁ ସରସ୍ଵତୀ ପୂଜା ପାଇଁ ଗଲାବେଳେ ଘଟିଛି ଦୁର୍ଘଟଣା। ମୃତକ ଛାତ୍ର ଚୌକା ଗାଁର ଦଶମ ଶ୍ରେଣୀର ଛାତ୍ର କ୍ରିସ୍ ମହାକୁର। ଗୁରୁତର ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ଚୌକା ଗାଁ ଦୁଇ ଜଣ ଛାତ୍ର ମୂର୍ଶୁଣ୍ଢି ରଘୁନାଥ ଉଚ୍ଚ ବିଦ୍ୟାଳୟକୁ ବାଇକ୍ ଯୋଗେ ସରସ୍ଵତୀ ପୂଜା କରିବାକୁ ଆସୁଥିଲେ ।

    ମେଟାକାନି ଛକରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲେ । ଦୁଇ ଛାତ୍ର ଗୁରୁତର ଅବସ୍ଥାରେ ପଡିଥିବାବେଳେ ଦୁଇ ଛାତ୍ରକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସନ୍ତୋଷ ଭୋଇ । ତେବେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ଛାତ୍ରକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଗୁରୁତର ଛାତ୍ର ଦେବାଶିଷ କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ତେବେ ଏଠାରେ ପ୍ରଶ୍ନ ସରକାରଙ୍କ ବାରମ୍ବାର ତାଗିଦ୍ ସତ୍ତ୍ୱେ ଛାତ୍ରମାନଙ୍କୁ କିଭଳି ବାଇକ୍ ଚଳାଇବାକୁ ଦେଉଛନ୍ତି ଅଭିଭାବକ ଓ କାହିଁକି ବାରଣ କରୁ ନାହାନ୍ତି ସ୍କୁଲ କର୍ତ୍ତୃପକ୍ଷ ।

  • ଶାନ୍ତି ଅନୁଷ୍ଠାନର ରୋଡ ଫୁଡ ପର୍ବର ଉଦଯାପନୀ ଦିବସ

    ପୁରୀ: ଶ୍ରୀକ୍ଷେତ୍ରରେ ବାରମାସରେ ତେରପର୍ବ ପାଳିତ ହୋଇଥାଏ | ସେଥିମଧ୍ୟରୁ କେତକ ପର୍ବ ନିଆରା ଢଙ୍ଗରେ ପାଳିତ ହୋଇଥାଏ | ପୁରୀ ସହରର ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଶାନ୍ତି” ପକ୍ଷରୁ ରୋଡ ଫୁଡ ପର୍ବ ଅନୁଷ୍ଠିତ ହୋଇଥିଲା | ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟହ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଆବାଳ ବୃଦ୍ଧ ବନିତାଙ୍କୁ ବିତରଣ କରାଯାଇଥିଲା |

    ଅନୁଷ୍ଠାନ ପକ୍ଷରୁ ସୁସ୍ଵାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଶହଶହ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଇଥିଲା | ଦୀର୍ଘ ଦିନ ପର୍ଯ୍ୟନ୍ତ ଚାଲିଥିବା ଉତ୍ସବର ଆଜି ଥିଲା ଉଦଯାପନି ଦିବସ | ପଦ୍ମନାଭ ତ୍ରିପାଠୀ, ପୁଷ୍ପଜିତ ମହାପାତ୍ର, କାଶୀନାଥ ସୁବୁଦ୍ଧି ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା |

  • ଇଲେକ୍ଟ୍ରୋ ହୋମିଓ ଦୟାଲ କ୍ଲିନିକ ତରଫରୁ ମାଗଣା ସ୍ବାସ୍ଥ୍ୟ ସେବା ଶିବିର

    ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ସ୍ଥିତ ଅର୍ଜୁନଡ଼ିହା ଠାରେ ଇଲେକ୍ଟ୍ରୋ ହୋମିଓପାଥି ଉଦ୍ଭାବକ କାଉଣ୍ଟ ସିଜର ମେଟିଙ୍କ ଜନ୍ମ ମାସ ଉପଲକ୍ଷେ ଝାରପୋଖରିଆ ଠାରେ ଥିବା ଇଲକ୍ଟ୍ରୋ ହୋମିଓ ଦୟାଲ କ୍ଲିନିକ ତରଫରୁ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଚୂଡ଼ାମଣି ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରରେ ବିଭିନ୍ନ ରାଜ୍ୟର ଇଲକ୍ଟ୍ରୋ ହୋମିଓ ଡାକ୍ତରମାନେ ଉପସ୍ଥିତ ଥିଲେ |

    ଶିବିରରେ ମୁଖ୍ୟ ଅତିଥି ଭାବେ ସାରସକଣା ପୂର୍ବତନ ବିଧାୟକ ବୁଢ଼ାନ ମୁର୍ମୁ ଯୋଗଦେଇ ଥିବା ବେଳେ ଅତିଥି ଭାବେ ସୁଶାନ୍ତ ହୋତା, ଗୋପାଳଚନ୍ଦ୍ର ସାହୁ, ବିନୀତ ଗୋୟେଲ, ଏସଜି ଚୌହାନ, ମନୋରଞ୍ଜନ ସେନାପତି ଓ ଝାରପୋଖରିଆ ଇଲେକ୍ଟ୍ରୋ ହୋମିଓ ମେଡ଼ିକାଲ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଫକୀର ଚନ୍ଦ୍ର ସେନାପତିଙ୍କ ସହ ବହୁ ବରିଷ୍ଠ ଡାକ୍ତର ମାନେ ଉପସ୍ଥିତ ଥିଲେ | ଶିବିରରେ ପ୍ରାୟ ୬୦ରୁ ଉର୍ଦ୍ଧ୍ବ ରୋଗୀଙ୍କୁ ଆସିଥିବା ଡାକ୍ତର ମାନଙ୍କ ଦ୍ଵାରା ମାଗଣା ଚିକିତ୍ସା କରାଯାଇଥିବା ସହିତ ମାଗଣାରେ ଔଷଧ ବଣ୍ଟନ କରାଯାଇ ଥିଲା | ତେବେ ଆଗାମୀ ଦିନରେ ଉକ୍ତ ସ୍ଥାନରେ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା କରିବା ପାଇଁ ଇଲୋକ୍ଟ୍ର ହୋମିୟୋ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି |

  • ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ

    ଯାଜପୁର ଓ କେନ୍ଦୁଝରର ମିଳନ ସ୍ଥଳୀ ଉଚ୍ଚବାଲି ପଞ୍ଚାୟତର ତୁରା ଠାରେ ପ୍ରତିଷ୍ଠିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଏକବିଂଶତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ‌। ଆଖପାଖର ହଜାର ହଜାର ସଂଖ୍ୟାରେ ଗ୍ରାମବାସୀ, ଅଭିଭାବକ,ଶିକ୍ଷାବିତ୍, ବୁଦ୍ଧିଜୀବୀମାନେ ଯୋଗ ଦେଇ, ବିଦ୍ୟାଳୟଟି ରାଜ୍ୟସ୍ତରୀୟ ଓ ବ୍ଲକସ୍ତରରେ କୃତୀ ଛାତ୍ରଛାତ୍ରୀ ତିଆରି କରି ଗ୍ରାମାଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଅନେକ କଲ୍ୟାଣ କରିଥିବାରୁ ଅତିଥିମାନେ ପ୍ରଶଂସା କରିଥିଲେ।

    ଆୟୋଜିତ ସାଧାରଣ ସଭାରେ ଶିକ୍ଷାବିତ୍ ଘନଶ୍ୟାମ ଜେନାଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ସମବାୟ, ହସ୍ତତନ୍ତ ହସ୍ତଶିଳ୍ପ ବୟନଶିଳ୍ପ ମନ୍ତ୍ରୀ ଡ଼ଃ ପ୍ରଦିପ ବଳ ସାମନ୍ତ, ମୁଖ୍ୟବକ୍ତା ଭାବେ ଦାନଗଦି ବିଡ଼ିଓ ପ୍ରଦିପ ସେଠୀ, ବିଶିଷ୍ଟ ଅତିଥି ଭାବେ ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ଆନନ୍ଦପୁର ଶରତ ରାଉତ,ସମ୍ମାନିତ ଅତିଥି ଭାବେ ଦାନଗଦି ବିଇଓ ଶୁଭ୍ରାଂଶୁ ପୁହାଣ, ଦାନଗଦି ବ୍ଲକ ସାଂସଦ ପ୍ରତିନିଧି ରବିନ୍ଦ୍ର ମୋହନ ଜେନା, ବିଧାୟକ ପ୍ରତିନିଧି ପ୍ରଶାନ୍ତ ରାୟ, ଉପସଭାପତି ଅଧିକାରୀ ନାୟକ ଯୋଗ ଦେଇଥିଲେ। ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ନିମନ୍ତ୍ରିତ ଅତିଥି ପୁରସ୍କାର ପ୍ରଦାନ କରିଥିଲେ‌।

  • ବାଇକ ରାକେଟ ଗ୍ୟାଙ୍ଗ ଠାବ; ୬ ଗିରଫ, ୫ ବାଇକ ଜବତ

    କେନ୍ଦୁଝର ଜିଲ୍ଲା ଯୋଡା ଅଞ୍ଚଳରେ ସକ୍ରିୟ ବାଇକ ରାକେଟ ଗ୍ୟାଙ୍ଗକୁ ଧରିଛି ପୋଲିସ | ଏମାନଙ୍କୁ ଧରିବା ପାଇଁ ଅଞ୍ଚଳର ସାଧାରଣ ଲୋକମାନେ ଦୀର୍ଘ ଦିନ ଧରି ଥାନାରେ ଅଭିଯୋଗ କରିଆସୁଥିଲେ ସୁଦ୍ଧା ବିଫଳ ହେଉଥିଲା ପୋଲିସ | ଆଜି ଯୋଡ଼ା ପୋଲିସ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରିଛି | ଗିରଫ ୬ଜଣ ହେଲେ ସୌରଭ ମହାକୁଡ ଓରଫ ଗୁଡୁ, ବୀର ସିଂ ମୁଣ୍ଡା, ସନ୍ତୋଷ ମହାନ୍ତ, ଗୋବିନ୍ଦ ମୁଣ୍ଡା, ପୁରୁଷୋତ୍ତମ ମହାନ୍ତ, ଲକ୍ଷ୍ମଣ ଜିତ୍। ୨୦୨୪ ମାର୍ଚ୍ଚ ୧ ତାରିଖରେ ଯୋଡ଼ା ଥାନା ଆମ ବାଗାନ କଲୋନିରେ ରହୁଥିବା ବି ଜୟୀରାମ ରେଡ୍ଡୀଙ୍କର ବାଇକ ନିଜ ଘର ସମ୍ମୁଖରୁ ଚୋରି ହୋଇଯାଇଥିଲା । ଏନେଇ ସେ ଯୋଡ଼ା ଥାନାରେ ସେତେବେଳେ ଲିଖିତ ଅଭିଯୋଗ କରିଥିଲେ ।

    ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଚୋରି ବାଇକ କ୍ରୟ କରିଥିବା ଜାଣିବାକୁ ପାଇ ଏହି ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ |ମାମଲାରେ ଜଡିତ ଥିବା ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଯୋଡ଼ା ଥାନା ଆଇଆଇସି ଲୋକେଶ୍ୱର ସାହୁ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ନାମରେ ମଧ୍ୟ ଆଗରୁ ଅପରାଧିକ ମାମଲା ରହିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ।

  • ସମାନ କାମକୁ ଦିଅ ସମାନ ଦରମା : ସିକ୍ୟୁରିଟି ଗାର୍ଡଙ୍କ ଧର୍ମଘଟ

    କୋରାପୁଟ ଜିଲ୍ଲା ସୁନାବେଡ଼ା ହାଲରେ କାର୍ଯ୍ୟରତ ପ୍ରାଇଭେଟ୍ ସିକ୍ୟୁରିଟି କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇବା ସହ ଆଜି ଠାରୁ କାର୍ଯ୍ୟବନ୍ଦ କରିଛନ୍ତି। ସୁନାବେଡ଼ା ହାଲ ଟାଉନସିପ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ସମସ୍ତ ସିକ୍ୟୁରିଟି ଗାର୍ଡ। ଦୀର୍ଘ ୧୨ ବର୍ଷ ଧରି ନିଜ ଦାୟିତ୍ୱରେ କେବେ ଅବହେଳା ନକରି କାର୍ଯ୍ୟ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହାଲ ପକ୍ଷରୁ ଦରମା ବୃଦ୍ଧି, ପେନସନ ଭଳି ଯୋଜନାରେ ଅନ୍ତର୍ଭୁକ୍ତ କରୁ ନାହାନ୍ତି। ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଓଲଟା ଦାବି ପୁରଣ ବଦଳରେ ଚାକିରିରୁ ଛଟେଇ କରିବାକୁ ଧମକ ଦେଉଛନ୍ତି। ତେଣୁ ନୁତନ ନିୟମ ଅନୁସାରେ କାର୍ଯ୍ୟରତ ସମସ୍ତ ସିକ୍ୟୁରିଟି ଗାର୍ଡଙ୍କ ସମାନ କାମକୁ ସମାନ ଦରମା ନିୟମ ଲାଗୁ କରିବାକୁ ନିବେଦନ କରିଛନ୍ତି ।

    ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ଭିଭିନ୍ନ ପ୍ରତିଷ୍ଠାନରେ କାର୍ଯରତ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଇଛି । ଅଣ କୁଶଳି, ଅର୍ଦ୍ଧକୁଶଳୀ, କୁଶଳି ଏବଂ ଉଚ୍ଚକୁଶଳୀ ଶ୍ରେଣୀ ସହିତ ଦେଶର ଏ ବି ଏବଂ ସି ଵର୍ଗର ଭୌଗୋଳିକ ଅଞ୍ଚଳରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ବିଭିନ୍ନ ହାରରେ ମଜୁରୀ ପ୍ରଦାନ କରାଯାଇଥାଏ । ହାଲ ଅସ୍ଥାୟୀ ଠିକା ସୁରଷା ବେତନ ବଢିଥିବାବେଳେ ସେମାନଙ୍କୁ ସୀମିତ ଦେଉଥିବା ଦେଖାଦେଇଛି । ଦିନକୁ ନୂତନ ବେତନ ଅନୁଯାଇ ଅନ ସ୍କିଲଡ 783 ଦିନ ମଜୁରି, ସେମି ସ୍କିଲ୍ଡ଼ 868 ଏବଂ ସ୍କିଲ୍ଡ଼ 954 ଟଙ୍କା ଥିବାବେଳେ ସରକାରୀ ନିୟମ ଅନୁଯାୟୀ ଦିନକୁ ବେତନ ଦର କମିଥିବା ନେଇ ହାଲ ଅସ୍ଥାୟୀ ସୁରକ୍ଷା କର୍ମୀ ଧାରଣାରେ ବସିଥିବା ଦେଖିବାକୁ ମିଳୁଛି ।


    ନୂତନ ଭାବେ ଟେଣ୍ଡର ପାଇଥିବା ଇଏସଏସ କମ୍ପାନୀ ନୂତନ ଲାଗୁ ହୋଇଥିବା ବେତନକୁ ମଞ୍ଜୁର କରୁନଥିବା ନେଇ କାର୍ଯ୍ୟ ବନ୍ଦ କରି ଅନିର୍ଦ୍ଦିଷ୍ଟ କାଳ ଧାରଣାରେ ବସିବେ ବୋଲି 85 ରୁ ଉର୍ଦ୍ଧ୍ବ ସୁରକ୍ଷା କର୍ମୀ ସୂଚନା ଦେଇଛନ୍ତି । ଏହି ବାବଦରେ ଇଏସଏସ କମ୍ପାନୀ ଅଧିକାରୀଙ୍କୁ ଫୋନ କରାଯିବାରୁ ସେ କୌଣସି ଉତ୍ତର ଦେଇନଥିଲେ ।

  • ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ


    ଖୋର୍ଦ୍ଧା : ମଣିଷ ଜୀବନ ଅମୁଲ୍ୟ, ଏଣୁ ଏହାର ସୁରକ୍ଷା ଆମର କର୍ତ୍ତବ୍ୟ l ଜୀବନ ସୁରକ୍ଷିତ ରହିଲେ ଦେଶ ଓ ଜାତି ହସି ଉଠିବ l ଭାରତରେ ପ୍ରତି ବର୍ଷ ହାରାହାରି ୧.୫ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାନ୍ତି l ଗାଡି, ମୋଟରର ବହୁଳ ବ୍ୟବହାର ଓ ଅସାବଧାନତା ଯୋଗୁଁ ମଣିଷ ଦୁର୍ଘଟଣାର ଶିକାର ହୋଇ ମୂଲ୍ୟବାନ ଜୀବନକୁ ହରାଇ ବସୁଛି l ଗାଁ ଠାରୁ ସହର ସବୁଠି ଗାଡି ମୋଟର ବ୍ୟବହାର ସଂଖ୍ୟା ବଢ଼ି ଯାଇଛି l ବିଭିନ୍ନ କାରଣ ଯୋଗୁଁ ସଡ଼କ ଉପରେ ଜୀବନ କୁ ସୁରକ୍ଷା କରାଯାଇ ପାରୁନାହିଁ l ଏହାର ପ୍ରମୁଖ କାରଣ ହେଲା ଅସାବଧାନତା ଓ ଖାମଖିଆଲିଆ ମନୋଭାବ l ତେବେ ଏ ନେଇ ଖୋର୍ଦ୍ଧା ସହରରେ ମଧ୍ୟ ସଚେତନତା ଅଭିଯାନ ଆରମ୍ବ ହୋଇଯାଇଛି l ଏହି ଉପଲକ୍ଷେ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଖୋର୍ଦ୍ଧା ଜ଼ିଲ୍ଲା ପ୍ରଶାସନ ର ସୌଜନ୍ୟତାରେ ଏବଂ ଜିଲ୍ଲା ପ୍ରେସ କ୍ଲବ ଖୋର୍ଦ୍ଧା, ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ, ଉତ୍କଳ ସାମ୍ବାଦିକ ସଙ୍ଘ, ସମ୍ମିଳିତ କର୍ମଜୀବି ସାମ୍ବାଦିକ ସଙ୍ଘ ଏବଂ ସାମାଜିକ ଅନୁଷ୍ଠାନ ଜାଗୃତିର ମିଳିତ ସହଯୋଗରେ ସିଗମା ପବ୍ଲିକ ସ୍କୁଲର ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସଭା ଓ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l

    ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଅତିରିକ୍ତ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଅନାଦି ଚରଣ ସେଠି, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, ଅରବିନ୍ଦ ନାୟକ, ଜ଼ିଲ୍ଲା ସଂସ୍କୃତି ଅଧିକାରୀ, ଚୌଧୁରୀ ଅରବିନ୍ଦ ଦାସ, ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ନାୟକ, ଯାନ ବାହାନ ନିରୀକ୍ଷକ, ଦେବାଶିଷ ପାଇକରାୟ, ଟ୍ରାଫିକ ସବଇନ୍ସପେକ୍ଟର ତୃପ୍ତିରେଖା ଜେନା, ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ତଥା ଖୋର୍ଦ୍ଧା ପ୍ରେସ କ୍ଲବ ଉପଦେଷ୍ଟା ତପନ କୁମାର ନାୟକ, ଜ଼ିଲ୍ଲା ପ୍ରେସ କ୍ଲବ ସଭାପତି ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ, ଉତ୍କଳ ସାମ୍ବାଦିକ ସଙ୍ଘ ଜ଼ିଲ୍ଲା ସଭାପତି ଅବ୍ୟକ୍ତ ହରି ହର ଖାଡ଼ଙ୍ଗା, ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ ଖୋର୍ଦ୍ଧା ଜ଼ିଲ୍ଲା ସଭାପତି ପ୍ରକାଶ କୁମାର ହାତୀ, ଜାଗୃତି ଅନୁଷ୍ଠାନର ମୁଖ୍ୟ ପ୍ରଭାତ କୁମାର ପାଣିଗ୍ରାହୀ, ଜ଼ିଲ୍ଲା ପ୍ରେସ କ୍ଲବ ଉପ ସଭାପତି ଲଳିତ ମୋହନ ମହାପାତ୍ର, ସମ୍ପାଦକ ଦିଲ୍ଲୀପ କୁମାର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ପ୍ରବୀଣ ଭଞ୍ଜ ଓଡ଼ିଆ ରଞ୍ଜିତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା କରାଇଥିଲେ l

    ଏହାପରେ ଟିଏଲସି ରାସ୍ତା ନିକଟରେ ବାଇକ ଏବଂ ଚାରି ଚକିଆ ଯାନରେ ବିନା ହେଲମେଟ ଏବଂ ସିଟ ବେଲ୍ଟରେ ଯାତାୟାତ କରୁଥିବା ଚାଳକ ମାନଙ୍କୁ ଗୋଲାପ ଫୁଲ ଦେଇ ଟ୍ରାଫିକ ନିୟମ ବିଷୟରେ ସଚେତନ କରାଇଥିଲେ | ଏହି ସଚେତନତା କାର୍ଯ୍ୟକ୍ରମରେ ସିଗମା ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସମେତ, ପୁଲିସ ଓ ପରିବହନ ବିଭାଗ କର୍ମଚାରୀ ଏବଂ ପ୍ରାୟ 100ରୁ ଉର୍ଦ୍ଧ୍ୱ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ l ଜ଼ିଲ୍ଲା ପ୍ରେସ କ୍ଲବର ଏଭଳି ସଚେତନତା କାର୍ଯ୍ୟକ୍ରମକୁ ସାଧାରଣରେ ଉଚ୍ଚ ପ୍ରଂଶସା କରାଯାଇଥିଲା l

  • ଶହୀଦ ଲକ୍ଷ୍ମଣ ନାୟକ ଅଟୋ ଚାଳକ ସଂଘ ବୈଠକ

    କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଆମ୍ବେଦକର ମିନି ଷ୍ଟାଡିୟମ ଠାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ନାମରେ ଅଟୋ ଚାଳକ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି | ଉପଦେଷ୍ଟା ଶ୍ୟାମ ଖିଲୋ, ମୋହନ ଲାଲ କୁଲଦୀପ ଯୋଗ ଦେଇଥିବାବେଳେ ଆଜି କାର୍ଯ୍ୟକାରୀ ସଭାପତି ଭାବେ ଚଣ୍ଡାଳ ଖିଲୋ, ସଂଯୋଜକ ପୁର୍ଣ ଜାନି, ଯୁଗ୍ମ କଷାଦକ୍ଷ ବିନୋଦ ହନ୍ତାଳ ଯୋଗଦେଇ ସଂଘକୁ କିପରି ସୁଦୃଢ କରିହେବ, ସେ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ |

    ଆଗାମୀ ଦିନରେ ସଂଘର କର୍ମକର୍ତ୍ତାମାନେ ଅନେକ ସମାଜିକ କାମରେ ସଂଶ୍ଲିଷ୍ଟ ରହି ଲୋକଙ୍କ ଅସୁବିଧାରେ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ ବୋଲି ସଂଘ ସଭାପତି ସଂଗ୍ରାମ କୁଲଦୀପ କହିଛନ୍ତି | ଏହି ଅବସରରେ ବହୁ ସଂଖ୍ୟାରେ ଅଟୋ ଚାଳକ କର୍ମକର୍ତ୍ତା ଉପସ୍ଥିତ ଥିବା ଦେଖବାକୁ ମିଳିଛି | ଅଟୋ ଚାଳକ ସଭାପତି ଭାବେ ସଂଗ୍ରାମ କୁଲଦୀପ, ଉପ ସଭାପତି ଭାବେ ରବି, ଯୁଗ୍ମ ସମ୍ପାଦକ କିରନ ପାଙ୍ଗୀ, ଜୋଳ ଖିଲୋ, କୋଷାଧ୍ୟକ୍ଷ ପ୍ରତାପ ଚେଟି, ରୋହିତ ଶବର ସମାଜ କଲ୍ୟାଣରେ ସହଯୋଗ କରିବେ ବୋଲି ସୂଚନା ଦେଇଛନ୍ତି |

  • ଚାନ୍ଦପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ

    ରଣପୁର ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଚାନ୍ଦପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ପରିଚାଳନା କମିଟି ସଭାପତି ଅକ୍ଷୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ବିଚାରପତି, ଜିଲ୍ଲା ଖାଉଟି ଅଦାଲତ ନାରାୟଣ ମହାପାତ୍ର ଓ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପ୍ରମୁଖ, ଖୋର୍ଦ୍ଧା ଜିଲ୍ଲା ଶିକ୍ଷାବିକାଶ ସମିତି ପଦ୍ମନାଭ ସାହୁ ପ୍ରମୁଖ ଯୋଗଦେଇ ଥିଲେ।

    ପ୍ରଥମେ ଅତିଥିଙ୍କ ଦ୍ବାରା ଗୁରୁ ଦେବଙ୍କ ଫଟୋଚିତ୍ର ନିକଟରେ ପ୍ରଦିପ ପ୍ରଜ୍ଜ୍ୱଳନ କରିି ସଭା କାର୍ଯ୍ୟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସଭା କାର୍ଯ୍ୟ ପରେ ବାର୍ଷିକ କ୍ରୀଡା ଓ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।

    ସମ୍ପାଦକ କିଶୋର ଚନ୍ଦ୍ର ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ସୁବାଷ ଚନ୍ଦ୍ର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।