Tag: suchanatv24x7

  • ଲୁହାପଥର ଲୁଟ ଉଦ୍ୟମ, ୨ଟି ଟ୍ରକ୍ ଜବତ

    ଲୁହାପଥର ଲୁଟ ଉଦ୍ୟମ, ୨ଟି ଟ୍ରକ୍ ଜବତ

    ଯୋଡା ଖଣି ମଣ୍ଡଳରେ ଅହେତୁକ ଭାବେ ବୃଦ୍ଧି ପାଇଛି ଚୋରି । ବାରମ୍ବାର ଚୋରି ହେବା ପରେ ମଧ୍ୟ ଖଣି ବିଭାଗ ଚୋରି ରୋକିବାରେ ବିଫଳ ହେଉଛି l ଖଣି ବିଭାଗ ଦ୍ଵାରା ବିଭିନ୍ନ ସ୍ଥାନରେ ଦାବିଦାର ନ ଥିବା ଖଣିଜ କୁ କାଗଜ ପତ୍ରରେ ଜବତ ଦେଖାଇ ବିଭାଗ ବେପରୁଆ ଭାବେ ସେହି ସ୍ଥାନରେ ଛାଡି ଦେଉଛି । ଯାହା ଫଳରେ ଜବତ ଖଣିଜ ଦ୍ରବ୍ୟ ଚୋରି ହେବାରେ ଲାଗିଛି । ଖଣି ଜଗିବା ପାଇଁ ଓ ଖଣିରେ ଅନୁଶାସନ ରଖିବା ପାଇଁ ଖଣି ବିଭାଗ ରହିଛି ।

    ଖଣିଜ ଚୋରା ଚାଲାଣ କୁ ରୋକିବା, ଖଣିଜ ବୋଝେଇ ଗାଡ଼ି ଧରିବାରେ ଖଣି ବିଭାଗ କୌଣସି ଆଖିଦୃଶିଆ କାର୍ଯ୍ୟ କରି ପାରୁ ନାହିଁ । ଖଣି ଚୋରିକୁ ପୋଲିସ ଓ ବନ ବିଭାଗ କିଛି ଅଂଶରେ ଆୟତ୍ତ କରୁଛନ୍ତି । ଆଜି ଯୋଡା ବେହେରା ସାହି ଠାରେ ଜବତ ହୋଇ ଗଚ୍ଛିତ ଥିବା ଲୁହାପଥରକୁ ଚୋରା ଚାଲାଣ କରୁଥିବା ଦୁଇଟି ଟ୍ରକ କୁ ଯୋଡା ପୋଲିସ ଧରିଵାରେ ସଫଳ ହେଇଛି । ଏଥିରେ ସଂପୃକ୍ତ ବ୍ୟକ୍ତି ମାନେ ଘଟଣା ସ୍ଥଳରୁ ଫେରାର ହେଇଯାଇଛନ୍ତି ।

  • ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ୨୦୨୫ ଉଦଘାଟିତ

    ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ୨୦୨୫ ଉଦଘାଟିତ

    ନାମାଚାର୍ଯ୍ୟ ଶ୍ରୀମଦ୍ ବାୟାବାବା ଭାଗବତ ପ୍ରଚାର ସମିତି ରାହାମା ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ-୨୦୨୫ ଉଦଘାଟିତ ହୋଇଯାଇଛି । ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜଙ୍କ କରକମଳରେ ଉଦଘାଟିତ ହୋଇଛି । ଏହି ମହୋତ୍ସବରେ ସାଧୁସନ୍ଥ ମାନଙ୍କ ସହ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ରାଧାବଲ୍ଲଭ ମଠ ପୁରୀ ମହନ୍ତ ମହାରାଜ ରାମକୃଷ୍ଣ ଦାସ ମହାରାଜ, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ ମହାରାଜ, ନାମାଚାର୍ଯ୍ୟ ବାୟାବାବାଙ୍କ ଶିଷ୍ୟ ଶ୍ରୀ ବୈକୁଣ୍ଠନାଥ ଦାସ ପ୍ରମୁଖ ଯୋଗଦେଇଥିଲେ । ଉପସ୍ଥିତ ସମସ୍ତ ସାଧୁସନ୍ଥ ମାନେ ମହୋତ୍ସବ ସ୍ଥଳ ପରିକ୍ରମା କରି ମା’ ବିମଳା, ମା’ ଲକ୍ଷ୍ମୀ, ଚାରିଧାମ ଦର୍ଶନ, ପଞ୍ଚସଖାଙ୍କ ଲୀଳା ପ୍ରଦର୍ଶନ, ବନ୍ଧୁ ମହାନ୍ତି, ଦାସିଆ ବାଉରୀ ଙ୍କ କଳାକୃତି ପ୍ରଦକ୍ଷିଣ କରି ଶ୍ରୀଜଗନ୍ନାଥଙ୍କ ଚବିଶ ବେଶ, ଛପନ ଭୋଗ ଓ ପଞ୍ଚକୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ପୀଠ ଆଦି ଦର୍ଶନ କରିଥିଲେ ।

    ପ୍ରଥମେ ଅନୁଷ୍ଠାନର ମୁଖ୍ୟ ସଂଯୋଜକ ତଥା ସମ୍ପାଦକ ଡ଼ ସୁନାକର ବେହେରା ସମସ୍ତ ସାଧୁସନ୍ଥ ଓ ଅତିଥି ମାନଙ୍କୁ ମଞ୍ଚକୁ ସ୍ବାଗତ କରି ଅନୁଷ୍ଠାନର ଆଧ୍ୟାତ୍ମିକ, ସାମାଜିକ ମୂଲ୍ୟବୋଧ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର କରିବାପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଘଣ୍ଟଘଣ୍ଟା, ବେଦଧ୍ୱନି, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ପରିବେଶ । ମହୋତ୍ସବକୁ ମହାରାଜ ଉଦଘାଟନ କରି ଶ୍ରୀଜଗନ୍ନାଥ ସଂସ୍କୃତି କିପରି ବିପଥଗାମୀ ସମାଜକୁ ଶୃଙ୍ଖଳିତ କରି ପାରିବ ଓ ଗୋମାତାଙ୍କ ସେବାଦ୍ଵାରା କିପରି ଏକ ସୁସ୍ଥ ସମାଜ ଓ ବାତାବରଣ ସୃଷ୍ଟି ହୋଇପାରିବ ତାହା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ମହାରାଜ ଶ୍ରୀଜଗନ୍ନାଥ ସଂସ୍କୃତିର ସାରସ୍ଵତ ତତ୍ତ୍ୱ ଓ ମାନବ ସମାଜରେ ସଂସ୍କାର ଓ ମାନବିକ ମୂଲ୍ୟବୋଧର ଉତ୍ତରୋତ୍ତର ଉନ୍ନତି କାମନା କରି ଏକ ସଫଳ ଜୀବନକୁ ରୂପାନ୍ତରିତ କରିବାକୁ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ ।

    ଅନ୍ୟ ଅତିଥି ମାନଙ୍କ ସହ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ଼ ଧୃତିଧର ଦାସ ଓ ପଣ୍ଡିତ ପ୍ରମୋଦ କୁମାର କର ପ୍ରମୁଖ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଖ୍ୟାତ ପ୍ରବଚକ ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ ମହାରାଜ ନିଜର ଧାରାବାହିକ ପ୍ରବଚନ ପ୍ରାରମ୍ଭ କରି ମହାପ୍ରଭୁ ଶ୍ରୀଜଗନ୍ନାଥ, ଯୁଗପୁରୁଷ ଶ୍ରୀକୃଷ୍ଣ ଓ ଶ୍ରୀଭାଗବତ ମହାପୁରାଣର ବ୍ୟାଖ୍ୟା ବର୍ଣ୍ଣନା କରିଥିଲେ । ସମଗ୍ର ଅଞ୍ଚଳକୁ ଦ୍ଵିତୀୟ ଶ୍ରୀକ୍ଷେତ୍ର ବୋଲି ଅଭିହିତ କରି ଏହି ମହାଯଜ୍ଞରେ ସମସ୍ତ ଜନସାଧାରଣ ଭାଗନେବାକୁ ଅନୁରୋଧ କରିଥିଲେ । ଏଥିରେ ସର୍ବଶ୍ରୀ ଶରତ ଚନ୍ଦ୍ର ସାହୁ, ମନୋହର ସ୍ବାଇଁ, ଅକ୍ଷୟ ଉତ୍ତମ ଚରଣ ଦାସ, ଦୁର୍ଯ୍ୟୋଧନ ପାତ୍ର, ସ୍ନେହମୟୀ ଆଚାର୍ଯ୍ୟ, ସରସ୍ବତୀ ଦାସ ପ୍ରମୁଖ ଯୋଗଦାନ କରି ସମସ୍ତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ହଜାର ହଜାର ସଂଖ୍ୟାରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ମହାପ୍ରସାଦ ସେବନ ର ବନ୍ଦୋବସ୍ତ ହୋଇଥିଲା ।

  • ମା’ ତାରିଣୀ ଦର୍ଶନ କରି ଫେରୁଥିଲେ; ଦୁର୍ଘଟଣା ଘଟି ଗୋଟିଏ ପରିବାରର ୪ ଗୁରୁତର, ଜଣେ ଆହତ

    ମା’ ତାରିଣୀ ଦର୍ଶନ କରି ଫେରୁଥିଲେ; ଦୁର୍ଘଟଣା ଘଟି ଗୋଟିଏ ପରିବାରର ୪ ଗୁରୁତର, ଜଣେ ଆହତ

    କେନ୍ଦୁଝର ଜିଲ୍ଲା ଘଷିପୁରା ୨୦ନଂ ଜାତୀୟ ରାଜପଥ ମା’ ମଙ୍ଗଳା ହୋଟେଲ ନିକଟରେ କାର ଦୁର୍ଘଟଣାଗ୍ରସ୍ତ ଘଟି ଗୋଟିଏ ପରିବାରର ୪ଜଣ ଗୁରୁତର ଜଣେ ଆହତ ହୋଇଛନ୍ତି I

    ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲାର ସୋର ଅଞ୍ଚଳରୁ ଏକ ପରିବାର ଘଟଗାଁ ମା’ତାରିଣୀ ଦର୍ଶନ ସାରି ଫେରୁଥିବା ବେଳେ କାର ସାମ୍ନାକୁ ଏକ ବାଇକ ଆରୋହୀ ପଲାଇ ଆସିଥିଲେ, ତାଙ୍କୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ପୋଲ ଉପରେ ଧକ୍କା ହୋଇଥିଲା ଯାହା ଫଳରେ ଦୁର୍ଘଟଣା ହୋଇଛି |

    ଶିବ ପ୍ରସାଦ ସେଠୀ, ପାର୍ବତୀ ସେଠୀ, ପଦ୍ମାବତୀ ସେଠୀ, ସୁଲୋଚନା ସେଠୀଙ୍କୁ ଗୁରୁତରଙ୍କୁ ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି |

  • ବରଗଡ଼ ଜିଲ୍ଲାରେ ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ ଆୟୋଜିତ

    ବରଗଡ଼ ଜିଲ୍ଲାରେ ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ ଆୟୋଜିତ

    କୃଷିନୀତି ପ୍ରତିବାଦରେ ବରଗଡ଼ ଠାରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ | ବରଗଡ଼ ଜିଲ୍ଲା ସୟାଁ ଖେଳ ପଡ଼ିଆଠାରେ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଏହି ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ ଆୟୋଜିତ ହୋଇଛି। ଏହି ମହାପଞ୍ଚାୟତରେ ଅନେକ ଚାଷୀ, ସ୍ବେଚ୍ଛାସେବୀ, ସାମାଜିକ ସଂଗଠନ ସାମିଲ ହୋଇଛନ୍ତି। ଏଥିରେ ଭାରତୀୟ କିଷାନ ୟୁନିଅନର ପ୍ରବକ୍ତା ରାକେଶ ଟିକାୟତଙ୍କ ସମେତ ଅନେକ ରାଷ୍ଟ୍ରୀୟ ସ୍ତରୀୟ କୃଷକ ନେତା ଯୋଗଦାନ କରିଛନ୍ତି। ସରକାରଙ୍କ କୃଷିନୀତି ସମ୍ପୂର୍ଣ୍ଣ ଭାବରେ କମ୍ପାନୀ ଓ ପୁଞ୍ଜିପତିମାନଙ୍କୁ ସୁହାଉଛି। ଅନ୍ୟପକ୍ଷରେ ଯେଉଁ କୃଷକଙ୍କ ପାଇଁ ନୀତି ପ୍ରସ୍ତୁତ କରାଯାଉଛି, ସେମାନେ ଦିନକୁ ଦିନ ଗରିବ ଋଣଗ୍ରସ୍ତ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି |

    ପୁଞ୍ଜିପତିମାନେ ଯେତିକି ଟଙ୍କା ଋଣ କରି ବିଦେଶକୁ ପଳାଉଛନ୍ତି, ସେତିକି ଟଙ୍କା ଋଣ ଚାଷୀମାନେ ନେଇ ନାହାନ୍ତି। ସେହିପରି ସରକାରମାନେ ଅଧିକ ଅମଳ ପାଇଁ ଉନ୍ନତ ବିହନ,ରାସାୟନିକ ସାର ଓ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର ପାଇଁ ପ୍ରୋତ୍ସାହିତ କରୁଥିବା ବେଳେ ଚାଷୀମାନେ ବିନିଯୋଗ ଅର୍ଥ ତୁଳନାରେ ବିକ୍ରି ମୂଲ୍ୟ କମ୍ ପାଉଛନ୍ତି । ଚାଷୀ ମାନଙ୍କ ଉତ୍ପାଦିତ ସମସ୍ତ ଫସଲକୁ ସରକାର କ୍ରୟ ନ କରି ଏକ ତୃତୀୟାଂଶ କିଣୁଛନ୍ତି । ଯାହା ଦ୍ୱାରା ବଳକା ଶସ୍ୟକୁ ଚାଷୀ ଦଲାଲ ଏବଂ ବେପାରୀମାନଙ୍କୁ କମ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବଜାର ବ୍ୟବସ୍ଥା, ଭିତ୍ତିଭୂମି ଓ ଶୀତଳ ଭଣ୍ଡାର ଅଭାବରୁ ଚାଷୀ କ୍ଷତିଗ୍ରସ୍ତ ଓ ଶୋଷଣର ଶିକାର ହେଉଛନ୍ତି। ବିଭିନ୍ନ ସରକାରମାନେ ଜଳସେଚନ କଥା କହୁଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ସମସ୍ତ ଚାଷ ଜମିକୁ ଜଳସେଚିତ କରିପାରୁ ନାହାନ୍ତି। ବରଗଡ଼ ଜିଲ୍ଲାର୍ ୧୨ ବ୍ଲକ ମଧ୍ୟରୁ ୪ ବ୍ଲକ ସମ୍ପୂର୍ଣ୍ଣ ଜଳସେଚିତ ହୋଇଥିବା ବେଳେ ୮ ବ୍ଲକ ଜଳ ବିନା ମରୁଡ଼ିର ସାମ୍ନା କରୁଛନ୍ତି ।

    ଠିକ ସମୟରେ ଫସଲବୀମା ପଇସା ପାଉନ ଥିବାରୁ ଚାଷୀମାନେ ଆନ୍ଦୋଳନ କରୁଛନ୍ତି । ବିଭିନ୍ନ କମ୍ପାନୀର କୋଟି କୋଟି ଟଙ୍କା ବିଜୁଳି ବିଲ ଛାଡ଼ କରାଯାଉଥିବା ବେଳେ ଘରୋଇ ଉପଭୋକ୍ତା ଓ ଚାଷୀମାନଙ୍କ ପାଖରୁ ଜୋର ଜବରଦସ୍ତ ବିଜୁଳି ବିଲ ଆଦାୟ କରାଯାଉଛି ବିଲ ନ ଦେଲେ ଲାଇନ କାଟି ଦିଆହେଉଛି ବୋଲି ଅଭିଯୋଗ କରିଛନ୍ତି କୃଷକ ସଂଗଠନ |

  • ବାୟୁ ପ୍ରଦୁଷଣ ଦାବିରେ ଗ୍ରାମବାସୀଙ୍କ ରାସ୍ତା ରୋକ, ନାଲି ଆଖି ଦେଖାଉଛି ପୋଲିସ

    ବାୟୁ ପ୍ରଦୁଷଣ ଦାବିରେ ଗ୍ରାମବାସୀଙ୍କ ରାସ୍ତା ରୋକ, ନାଲି ଆଖି ଦେଖାଉଛି ପୋଲିସ

    ଧୁଳି ଧୂଆଁରେ ଅସ୍ତବ୍ୟସ୍ତ ଗ୍ରାମବାସୀ । ବାୟୁ ପ୍ରଦୁଷଣ ପ୍ରତିକାର ଦାବୀରେ ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ । ରାସ୍ତା ରୋକ ଯୋଗୁଁ ଯୋଡ଼ା ବାମେବାରୀ ରାସ୍ତାରେ ଯାତାୟତ ଠପ ହୋଇଯାଇଛି । କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବଳଦା ପଞ୍ଚାୟତ ବିପ୍ଲଟ ଗ୍ରାମାଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି । ଗାଁରେ ବିଦ୍ୟୁତ ସେବା ମଧ୍ୟ ନାହିଁ ।

    ଯୋଡ଼ା ବାମେବାରୀ ରାସ୍ତାରେ ମାତ୍ରାଧିକ ଭାରି ଯାନ ଚଳାଚଳ ଯୋଗୁଁ ଧୁଳି ଧୁଆଁ ରେ ଅତିଷ୍ଠ ହୋଇପଡିଛନ୍ତି ଗ୍ରାମବାସୀ । ଏ ନେଇ ବାରମ୍ବାର ପ୍ରଶାସନ କୁ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ଗୁରୁତ୍ବ ଦେଉନାହିଁ । ଯେଉଥିପାଇଁ ଆଜି ବାଧ୍ୟ ହୋଇ ଗ୍ରାମ ବାସୀ ରାସ୍ତା ରୋକ କରିଛନ୍ତି । ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବୟସ୍କ ପାର୍ଜୟନ୍ତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

    ବାୟୁ ପ୍ରଦୁଷଣ କାରଣରୁ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେବା ସହ ଛୋଟ ଛୁଆ ମାନେ ମଧ୍ୟ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଏହି ଅଞ୍ଚଳ ରେ ଏକାଧିକ ଖଣି କମ୍ପାନୀ କାର୍ଯ୍ୟ କରୁଛି । ହେଲେ ଏହି କମ୍ପାନୀରୁ ଖଣିଜ ଦ୍ରବ୍ୟ ପରିବହନ କାର୍ଯ୍ୟ ଦୈନିକ ହଜାର ହଜାର ଟ୍ରକ ଚଳାଚଳ ଯୋଗୁଁ ଏଭଳି ପରିସ୍ଥିତି ସୣଷ୍ଟି ହୋଇଛି । ତେବେ ଖଣି ପ୍ରଭାବିତ ଅନୁଦାନ ଖଣି ଅଞ୍ଚଳରେ କାର୍ଯ୍ୟ ରେ ଲାଗୁ ନଥିବା ଅଭିଯୋଗ କରି ଗ୍ରାମବାସୀ ରାସ୍ତା ରୋକ କରିଥିବା ଜଣାପଡିଛି । ପ୍ରଦୂଷଣ ବିଭାଗ ଓ ପ୍ରଶାସନ ସବୁ ଜାଣି ମଧ୍ୟ ଚୁପ ରହିଥିବା ଅଭିଯୋଗ ହେଉଛି । ତେବେ ଦେଖିବାକୁ ବାକି ରହିଲା ଏହି ଘଟଣାର କେବେ ସମାଧାନ ହେଉଛି ।

  • ମହାକାଶରୁ ଫେରିବେ ସୁନିତା ୱିଲିୟମ୍ସ, କିନ୍ତୁ ପୃଥିବୀରେ ପାଦ ରଖିପାରିବେ ନାହିଁ!

    ମହାକାଶରୁ ଫେରିବେ ସୁନିତା ୱିଲିୟମ୍ସ, କିନ୍ତୁ ପୃଥିବୀରେ ପାଦ ରଖିପାରିବେ ନାହିଁ!

    ସୁନିତା ୱିଲିୟମ୍ସଙ୍କୁ ଆଣିବା ପାଇଁ NASA SpaceXଏକ୍ସର ଡ୍ରାଗନ କ୍ରୁ କ୍ୟାପସୁଲକୁ ବାଛିଥିଲା। ଏହି କ୍ୟାପସୁଲ ନିର୍ମାଣ ହେବା ପରଠାରୁ ୪୯ ଥର ଉତକ୍ଷେପଣ କରାଯାଇଛି। ଡ୍ରାଗନ୍ କ୍ୟାପସୁଲ୍ ୪୪ ଥର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାତ୍ରା କରିଛି।

    ଖୁବଶିଘ୍ର ପୃଥିବୀକୁ ଫେରିବେ ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ । ଗତ ୯ ମାସ ଧରି ମହାକାଶରେ ଫସିଥିବା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ସାଥୀ ମହାକାଶଚାରୀମାନଙ୍କ ସହିତ ମାର୍ଚ୍ଚ ୧୮ ମଙ୍ଗଳବାର ସକାଳ ୮:୧୫ ରେ ସେ ପୃଥିବୀ ଫେରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଭାରତୀୟ ସମୟ ଅନୁସାରେ ମାର୍ଚ୍ଚ ୧୯ ରେ ପୃଥିବୀରେ ପହଞ୍ଚିବେ ।

    କ୍ରୁ-୯ ମେମ୍ବର ପୃଥିବୀ ଫେରିବା ସୁନିଶ୍ଚିତ କରିବା ଲାଗି କ୍ରୁ-୧୦ ମିଶନକୁ ଲଞ୍ଚ କରାଯାଇଥିଲା । ଏହି ମିଶନ ଜରିଆରେ 4ଜଣ ମହାକାଶଚାରୀ ରବିବାର ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ପହଞ୍ଚିସାରିଛନ୍ତି ।

    ସ୍ପେଶ ଷ୍ଟେସନରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ କ୍ରୁ-୯ ସଦସ୍ୟମାନେ ଜୋରଦାର ସ୍ବାଗତ କରିଥିଲେ । ଏବେ କ୍ରୁ-୧୦ମିଶନର ସଦସ୍ୟମାନଙ୍କୁ ସମସ୍ତ କାର୍ଯ୍ୟ ହସ୍ତାନ୍ତର କରିବା ପରେ କମାଣ୍ଡର ସୁନୀତା ପୃଥିବୀ ଅଭିମୁଖେ ବାହାରିବେ ।

    ଅନ୍ତର୍ଜାତୀୟ ସ୍ପେଶ୍‌ ଷ୍ଟେସନରୁ ଏଜେନ୍ସିର କ୍ରୁ-୯ ମିଶନକୁ ଫେରିବା ପାଇଁ ଫ୍ଲୋରିଡା ଉପକୂଳରେ ପାଣିପାଗ ଏବଂ ସ୍ପ୍ଲାସଡାଉନ୍ ସ୍ଥିତିର ଆକଳନ ପାଇଁ ନାସା ଏବଂ ସ୍ପେସ୍ ଏକ୍ସ ରବିବାର ଆଲୋଚନା କରିଥିଲେ । ମାର୍ଚ୍ଚ ୧୮ , ମଙ୍ଗଳବାର ସନ୍ଧ୍ୟା ପାଇଁ ପୂର୍ବାନୁମାନ କରାଯାଇଥିବା ଅନୁକୂଳ ପରିସ୍ଥିତି ଉପରେ ଆଧାର କରି ମିଶନ ମ୍ୟାନେଜରମାନେ ପୂର୍ବ କ୍ରୁ-୯ ଫେରିବା ସୁଯୋଗକୁ ଟାର୍ଗେଟ କରୁଛନ୍ତି ।

  • ନିଖୋଜ ଛାତ୍ରଙ୍କ ମିଳିଲା ମୃତଦେହ

    ନିଖୋଜ ଛାତ୍ରଙ୍କ ମିଳିଲା ମୃତଦେହ

    ବରଗଡ଼ ଜିଲା ଭଟଲି ବ୍ଲକ କେଲେଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡିଆ ଗ୍ରାମର ନବମ ଶ୍ରେଣୀ ଛାତ୍ର ସମୀର ପ୍ରଧାନ ରବିବାରରୁ ନିଖୋଜ ଥିଲେ । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପରିବାର ଲୋକେ ସମୀରଙ୍କର କୌଣସି ସନ୍ଧାନ ପାଇ ନ ଥିଲେ ।

    ତେବେ ତାଙ୍କ ବାପା ଦିବ୍ୟ ଲୋଚନ ପୁଅ ନିଖୋଜ ନେଇ ଭଟଲି ଥାନାରେ ଏକ ଏତଲା ଦେଇଥିଲେ । ଆଜି ସମୀରଙ୍କ ମୃତଦେହ ଏକ ଜଙ୍ଗଲ ମଧ୍ୟରୁ ଜବତ କରାଯାଇଛି । ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଭଟଲି ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

  • ପୂର୍ବତନ ପ୍ୟାକ୍ସ ସମ୍ପାଦକ ଗିରଫ

    ପୂର୍ବତନ ପ୍ୟାକ୍ସ ସମ୍ପାଦକ ଗିରଫ

    ବରଗଡ଼ ଜିଲା ଲଖନପୁର ପ୍ରାଥମିକ କୃଷି ସମବାୟ ସମିତିର ପୂର୍ବତନ ସମ୍ପାଦକ ଧୃବ ଚରଣ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ପୂର୍ବରୁ ତାଙ୍କ ବିରୋଧରେ ୩୧ଲକ୍ଷ ୪୭ହଜାର ୬୮୫ ଟଙ୍କା ଅନିୟମିତତା ଅଭିଯୋଗ ହୋଇଥିଲା ।

    ଭିଜିଲାନ୍ସ ଏହାର ତଦନ୍ତ କରି ତାଙ୍କୁ ଗିରଫ କରିଛି । ଘଟଣାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

  • ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

    ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

    ସନାତନ ଧର୍ମର ଆରାଧ୍ୟ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ରାମ ନବମୀ ଆସନ୍ତା ଏପ୍ରିଲ ମାସରେ ଅନୁଷ୍ଠିତ ହେବ । ଏହାକୁ ନେଇ ପୁରପଲ୍ଲୀରେ ରାମ ଭକ୍ତଙ୍କ ଚଳଚଞ୍ଚଳ ଦେଖିବାକୁ ମିଳିଛି । ଭକ୍ତ ମାନଙ୍କ ଦ୍ୱାରା ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମ ଚନ୍ଦ୍ରଙ୍କ ରାମ ନବମୀ ଉତ୍ସବ ପାଳନ ହେବ । ଜାତି , ଧର୍ମ , ବର୍ଣ୍ଣ ନିର୍ବିଶେଷରେ ସମସ୍ତ ହିନ୍ଦୁ ସମାଜ ଏକତ୍ରିତ ହୋଇ ଏହି ମହାନ ପର୍ବକୁ ପାଳନ କରିବେ । ଓଡିଶାର ବିଭିନ୍ନ ଜିଲ୍ଲାରେ ରାମ ନବମୀ ଶୋଭାଯାତ୍ରା ବଡ଼ ଧୁମ ଧାମରେ ପାଳନ ହେଉଛି । ଚଳିତ ବର୍ଷ ଠାରୁ ପ୍ରଥମ କରି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଆରମ୍ଭ ହେବାକୁ ଯାଉଛି ଶ୍ରୀରାମ ନବମୀ ଶୋଭାଯାତ୍ରା ଉତ୍ସବ । ଏହାକୁ ନେଇ ଗତକାଲି ଶ୍ରୀରାମ ମହାଯଜ୍ଞ ସମିତି ରାଜନଗର କୋର କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏହି ଅବସରରେ ଶ୍ରୀରାମ ମହାଯଜ୍ଞ ସମିତିର ସଂଯୋଜକ ଶ୍ରୀ ରାଜୀବ ଲୋଚନ ନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ରାମ ନବମୀ ଶୋଭାଯାତ୍ରା ରାଜନଗର ମାଟିରେ ପ୍ରଥମ କରି ଭବ୍ୟ ଓ ଦିବ୍ୟ ରୂପରେ ପାଳନ କରାଯିବ ।

    ଏହି ଶୋଭାଯାତ୍ରା ଏହି ବର୍ଷ ଠାରୁ ଆରମ୍ଭ ହୋଇ ପ୍ରତିବର୍ଷ ପ୍ରଭୁ ଶ୍ରୀରାମ ଚନ୍ଦ୍ର ଙ୍କ ରାମ ନବମୀରେ ପାଳନ କରାଯିବ । କୋର କମିଟିର ସଭାପତି ଶ୍ରୀ ରବୀନ୍ଦ୍ର ସେଠୀ ଶ୍ରୀରାମ ନବମୀର ଶୋଭାଯାତ୍ରା ରୂପରେଖକୁ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଆସନ୍ତା ଏପ୍ରିଲ ମାସ ୫ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ହେବ । ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନ ଆଜ୍ଞାମାଳ ଶୋଭାଯାତ୍ରା, ଗୋପୂଜନ ଓ ଶହେ ଆଠ ହନୁମାନ ଚାଳିଶା ପାଠ ହେବ । ଦ୍ୱିତୀୟ ଦିନ ଏକ ବିଶାଳ କଳସ ଶୋଭାଯାତ୍ରା, ଶ୍ରୀରାମ ଯଜ୍ଞ ଓ ସଂନ୍ଧ୍ୟାରେ ଭଜନ ସଂନ୍ଧ୍ୟା ଅନୁଷ୍ଠିତ ହେବ । ଓ ଶେଷ ଦିନରେ ଏକ ବିଶାଳ ଭବ୍ୟ ଓ ଦିବ୍ୟ ନଗର ସଂକୀର୍ତ୍ତନ କରାଯିବ । ତେବେ ଏହି ବିଶାଳ ଶୋଭାଯାତ୍ରା ମହୁଲିଆ ପଡିଆରୁ ଠାରୁ ଆରମ୍ଭ ହୋଇ ରାଜନଗର ମୁଖ୍ୟ ବଜାର ଓ ଗୋପାଳପୁର ମୁଖ୍ୟ ବଜାର ଦେଇ ମହିଁସାଷୁର ପଞ୍ଚାୟତ ପଡିଆଠାରେ ଶେଷ ହେବା ନେଇ କୋର କମିଟିର ନଗର ସଂଚାଳନ ପ୍ରମୁଖ ଭରତ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି ।

  • କଳିଙ୍ଗ ନଗରରେ ନିଆରା ଢଙ୍ଗରେ ‘ହୋଲି’ ପାଳିତ

    କଳିଙ୍ଗ ନଗରରେ ନିଆରା ଢଙ୍ଗରେ ‘ହୋଲି’ ପାଳିତ

    ହୋଲି ଏମିତି ଏକ ପର୍ବ ଯାହାକି ପ୍ରେମ, ଆନନ୍ଦ ଓ ଉଲ୍ଲାସର ପର୍ବ | ଏହି ପର୍ବରେ ନଥାଏ ଜାତି ଧର୍ମ ଓ ସାନ ବଡ଼ର ସମ୍ପର୍କ | ଯିଏ ଯାହାବି ହେଉନା କାହିଁକି ଧାଇଁ ଆସିଥାଏ ଏ ବନ୍ଧୁତ୍ୱର ପର୍ବ ହୋଲି ଖେଳିବାକୁ | ଆଜି ସେହି ପରିପ୍ରେକ୍ଷୀରେ କଳିଙ୍ଗ ନଗର ଅଞ୍ଚଳରେ ଧୁମଧାମରେ ହୋଲି ପର୍ଵ ପାଳିତ ହୋଇଯାଇଛି |

    ଦାନଗଦି ଅଞ୍ଚଳର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ଓ ସାମ୍ବାଦିକ ସଙ୍ଘ କିଛି ନିଆରା ଢଙ୍ଗରେ ହୋଲି ପାଳନ କରିଛନ୍ତି ଓ ଅନାଥ ଶିଶୁ ମାନଙ୍କର କେହି ନଥିବା ବେଳେ ସେଠାରେ ପହଞ୍ଚି ତାଙ୍କ ସହ ହୋଲି ପାଳନ ସହ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରି ମୁହଁରେ ଟିକିଏ ହସ ଦେଇପାରିଛି | ହଁ ଆଜ୍ଞା ଆମେ କହୁଛୁ ଯାଜପୁର ଜିଲ୍ଲା ଦାନଗଦି ବ୍ଳକ ଅନ୍ତର୍ଗତ ମଙ୍ଗଳପୁରସ୍ଥିତ ଅର୍ଣ୍ଣପୂର୍ଣା ଚାଇଲଡ଼ କେୟାରଠାରେ ଥିବା ଅନାଥ ଶିଶୁଙ୍କ ଉପସ୍ଥିତରେ ଅଗ୍ରଣୀ ସ୍ୱଚ୍ଛାସେବୀ ସଂଘଠନ” ଟିକିଏ ହସ “ପରିବାର ଓ ସାମ୍ୱାଦିକ ସଂଘ ମିଳିତ ସହଯୋଗରେ ହୋଲି ଉତ୍ସବ ପାଳନ କରାଯାଇଛି |

    ଏହାପରେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଉପସ୍ଥିତରେ ରୋଗୀମାନଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରାଯାଇଥିବାର ଦେଖିବାକୁ ମିଳିଛି | ଆଗାମୀ ଦିନରେ ଦୁଃଖୀ, ଗରିବ ପାଖରେ ପହଞ୍ଚି କୋକଙ୍କ ମୁହଁରେ ଟିକିଏ ହସ ଦେବାପାଇଁ ପ୍ରୟାସ ଜାରିରହିଛି | ଉକ୍ତ କାର୍ଯ୍ୟକ୍ରମରେ ଦାନଗଦି ଶିଶୁ ସୁରକ୍ଷା ମଞ୍ଚର ଆବାହକ ବିଶ୍ୱଜିତ ମାଝୀ, ଟିକିଏ ହସର ସମସ୍ତ ସଦସ୍ୟ ଓ ଷ୍ଟିଲ ସିଟି ପ୍ରେସ କ୍ଲବର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ |