Tag: suchanatv24x7

  • ପୁରୀ ବଡଦାଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା, ୫ ବର୍ଷୀୟ ଶିଶୁର ମୃତ୍ୟୁ

    ପୁରୀ ବଡଦାଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା, ୫ ବର୍ଷୀୟ ଶିଶୁର ମୃତ୍ୟୁ

    ପୁରୀ ବଡଦାଣ୍ଡର ବଳଗଣ୍ଡି ଛକରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ବୋଲେରୋ ଗାଡ଼ିର ଧକ୍କାରେ ୫ ବର୍ଷୀୟ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

    ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଜଣେ ବୃଦ୍ଧ ଓ ତାଙ୍କ ୫ ବର୍ଷୀୟ ନାତି ସ୍କୁଟିରେ ଜଳଖିଆ କିଣିବା ପାଇଁ ବଡଦାଣ୍ଡ ଦେଇ ବଳଗଣ୍ଡି ଛକକୁ ଆସିଥିଲେ। ଜଳଖିଆ କିଣି ସ୍କୁଟିରେ ଫେରୁଥିବା ବେଳେ ପଛରୁ ଆସୁଥିବା ଏକ ବୋଲେରୋ ହଠାତ୍‌ ଧକ୍କା ଦେଇଥିଲା। ଧକ୍କାରେ ଜେଜେ ତଳେ ପଡ଼ିଯାଇଥିବାବେଳେ ବୋଲେରୋଟି ଛୋଟ ପିଲାଟିକୁ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା।

    ଘଟଣା ଦେଖି ସ୍ଥାନୀୟ ଲୋକେ ହୋହାଲ୍ଲା କରିଥିବାବେଳେ ବୋଲେରୋ ଡ୍ରାଇଭର ଘଟଣାସ୍ଥଳରୁ ପଳାଇବାକୁ ଚେଷ୍ଟା କରୁଥିଲେ। ତେବେ ଲୋକମାନେ ତାଙ୍କୁ କାବୁ କରି ପୁଲିସଙ୍କୁ ସୂଚନା ଦେଇଥିଲେ। ସାଙ୍ଗେ ସାଙ୍ଗେ ଗୁରୁତର ଆହତ ପିଲାଟିକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ।

    ଘଟଣା ପରେ ବଳଗଣ୍ଡି ଛକ ଓ ଆଖପାଖ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋ ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ହେପାଜତ ନେଇ ତଦନ୍ତ ଆରମ୍ଭ କରିଛି।

  • ବିଳମ୍ବିତ ରାତିରେ HDFC ଏଟିଏମ୍ ଲୁଟ

    ବିଳମ୍ବିତ ରାତିରେ HDFC ଏଟିଏମ୍ ଲୁଟ

    ଯାଜପୁର ଜିଲ୍ଲାରେ ଏକ ହ୍ରାଇପ୍ରୋଫାଇଲ ଏଟିଏମ୍ ଲୁଟ ଘଟଣା ସାରା ଅଞ୍ଚଳକୁ ଚଞ୍ଚଳ କରିଦେଇଛି। ବିଞ୍ଝାରପୁର ଥାନା ଅନ୍ତର୍ଗତ ମଇଁନ୍ଦା ଛକରେ ଗତକାଲି ବିଳମ୍ବିତ ରାତିରେ HDFC ବ୍ୟାଙ୍କର ଏକ ଏଟିଏମ୍‌କୁ ଦୁର୍ବୃତ୍ତମାନେ ତାଡ଼ି ଉଖାଡ଼ି ଏକ ଡାଲା ଅଟୋରେ ନେଇଯାଇଥିବା ସୂଚନା ମିଳିଛି। ଲୁଟ୍ ସମୟର ସମସ୍ତ ଦୃଶ୍ୟ ନିକଟସ୍ଥ ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି।

    ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ପୂର୍ବ ପରିକଳ୍ପନା ଅନୁଯାୟୀ ଏଟିଏମ୍‌କୁ ଲକ୍ଷ୍ୟ କରି ମଧ୍ୟରାତ୍ରି ପରେ ଘଟଣା ଘଟାଇଥିଲେ। ଏଟିଏମ୍‌ଟିକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ନେଇ ଏକ ଡାଲା ଅଟୋରେ ପଳାୟନ କରିଥିଲେ। ପରେ ଘଟଣାସ୍ଥଳରୁ ପ୍ରାୟ ୪୦୦ ମିଟର ଦୂରରେ ଲୁଟ ହୋଇଥିବା ଏଟିଏମ୍ ଓ ବ୍ୟବହୃତ ଡାଲା ଅଟୋକୁ ପୋଲିସ ଜବତ କରିଛି।

    ଏଟିଏମ୍‌ରୁ ପ୍ରାୟ ୫ ଲକ୍ଷ ଟଙ୍କା ଲୁଟ ହୋଇଥିବା ଆଶଙ୍କା କରାଯାଉଛି। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବାବେଳେ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି। ଆସପାସର ଅନ୍ୟାନ୍ୟ ସିସିଟିଭି କ୍ୟାମେରାର ଫୁଟେଜ ମଧ୍ୟ ସଂଗ୍ରହ କରାଯାଉଛି।

    ଏହି ଦୁଃସାହସିକ ଲୁଟ ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ପୋଲିସ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରିବା ନେଇ ତଦନ୍ତ ଜୋରଦାର କରିଛି।

  • ଶେଷ ପର୍ଯ୍ୟାୟରେ ବରଗଡ଼ ଧନୁଯାତ୍ରା, ଗୋପପୁରେ ବିୟୋଗର ମୁହୂର୍ତ୍ତ

    ଶେଷ ପର୍ଯ୍ୟାୟରେ ବରଗଡ଼ ଧନୁଯାତ୍ରା, ଗୋପପୁରେ ବିୟୋଗର ମୁହୂର୍ତ୍ତ

    ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ଧନୁଯାତ୍ରାର ନବମ ରଜନୀ ଉତ୍ସାହ ଓ ଭାବନାରେ ପୂର୍ଣ୍ଣ ହୋଇଥିଲା। ମାମୁ କଂସଙ୍କ ନିମନ୍ତ୍ରଣ ପାଇ ଶ୍ରୀକୃଷ୍ଣ ଓ ବଳରାମ ମଥୁରାକୁ ଗମନ କରିବା ବେଳେ ଗୋପପୁରର ପରିବେଶ ସ୍ତବ୍ଧ ହୋଇଯାଇଥିଲା। ବେନି ଭାଇଙ୍କୁ ବିଦାୟ ଦେବା ସମୟରେ ଗୋପଗୋପୀଙ୍କ ଆଖିରେ ଅଶ୍ରୁ ଓ ମନରେ ବିୟୋଗର ବେଦନା ସ୍ପଷ୍ଟ ଭାବେ ଦେଖାଯାଇଥିଲା। ସେହି ସମୟରେ ରାଜଦରବାରରେ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା ପାଇଁ କଂସଙ୍କ ଷଡ଼ଯନ୍ତ୍ର ମଞ୍ଚସ୍ଥ ହୋଇଥିଲା, ଯାହା ଦର୍ଶକଙ୍କୁ ଆକୃଷ୍ଟ କରିଥିଲା।

    ଆଜି ଧନୁଯାତ୍ରା ମହୋତ୍ସବର ଦଶମ ରଜନୀ। ଏହି ରଜନୀରେ ଶ୍ରୀକୃଷ୍ଣ ଓ ବଳରାମ ମଥୁରାରେ ବୁଲାବୁଲି କରିବା ସହ କୁବଜଙ୍କୁ ଉଦ୍ଧାର କରିବେ। ଏହି ଅବସରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଆସନ୍ତାକାଲି ଧନୁଯାତ୍ରାର ଅନ୍ତିମ ରଜନୀ ହେବ ଏବଂ ଶନିବାର କଂସବଧ ଅନୁଷ୍ଠିତ ହୋଇ ମହୋତ୍ସବର ସମାପ୍ତି ଘଟିବ। ଗତ ମାସ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଧନୁଯାତ୍ରାରେ ଯୋଗ ଦେଇଥିଲେ।

    ସୂଚନାଯୋଗ୍ୟ ଯେ, ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଚିତ ବରଗଡ଼ ଧନୁଯାତ୍ରା ମହୋତ୍ସବ ଗତ ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ୧୧ ଦିନ ଧରି ଚାଲୁଛି ଏବଂ ୨୦୨୬ ଜାନୁଆରୀ ୩ ତାରିଖରେ ସମାପ୍ତ ହେବ। ଏଥର ଧନୁଯାତ୍ରାରେ କଂସ ସମେତ ସମସ୍ତ ପ୍ରମୁଖ ଚରିତ୍ର ପାଇଁ ପୂର୍ବରୁ କଳାକାର ଚୟନ କରାଯାଇଥିଲା।

    ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମର ସୁଶୀଲ ମେହେର କଂସ ଅଭିନେତା ଭାବେ ମନୋନୀତ ହୋଇଥିବାବେଳେ ପ୍ରଭାସ କୁମାର ତ୍ରିପାଠୀ ମୁଷ୍ଟିକ, ହିମାଂଶୁ ସାହୁ ଚାଣୁର, ଆର୍ତ୍ତତ୍ରାଣ ମହାପାତ୍ର ଉଗ୍ରସେନ, କାମରାଜ ଭୋଇ ନାରଦ, ମନୋଜ ସାହୁ ବସୁଦେବ, ଜଗନ୍ନାଥ ସାହୁ ଅକ୍ରୂର, ଜଗବନ୍ଧୁ ମହାଲିଙ୍ଗ ସାର୍ତ୍ତକୀ, ହେମନ୍ତ ପ୍ରଧାନ ସେନାପତି ଓ ଗୁଲାବ ଚନ୍ଦ୍ର ଦାଶ ମହାମନ୍ତ୍ରୀ ଭୂମିକାରେ ଅଭିନୟ କରୁଛନ୍ତି। ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ଏହି ସମସ୍ତ ଘୋଷଣା ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ କରାଯାଇଥିଲା।

  • ନୂଆବର୍ଷ ଉତ୍ସବରେ ରାଜଧାନୀରେ ମଦ ବିକ୍ରିରେ ରେକର୍ଡ ଭାଙ୍ଗିଛି

    ନୂଆବର୍ଷ ଉତ୍ସବରେ ରାଜଧାନୀରେ ମଦ ବିକ୍ରିରେ ରେକର୍ଡ ଭାଙ୍ଗିଛି

    ନୂଆବର୍ଷ ସେଲିବ୍ରେସନ୍‌ର ମଉଜରେ ଏଥର ଭୁବନେଶ୍ୱରରେ ମଦ ବିକ୍ରି ସମସ୍ତ ରେକର୍ଡ ଭାଙ୍ଗିଛି। ୨୦୨୫ ମସିହାର ଶେଷ ସପ୍ତାହରେ ରାଜଧାନୀରେ ଦେଶୀ–ବିଦେଶୀ ମିଶାଇ ମୋଟ ୪ ଲକ୍ଷ ଲିଟରରୁ ଅଧିକ ମଦ ବିକ୍ରି ହୋଇଥିବା ସୂଚନା ଦେଇଛି ଅବକାରୀ ବିଭାଗ। ବଡ଼ଦିନରୁ ଆରମ୍ଭ କରି ଜିରୋ ନାଇଟ୍ ସେଲିବ୍ରେସନ୍‌ ପର୍ଯ୍ୟନ୍ତ କ୍ଲବ, ପବ୍‌, ଅଫ୍‌-ସପ୍‌ ଓ ହୋଟେଲଗୁଡ଼ିକରେ ମଦ ପାନର ଜବରଦସ୍ତ ଚାହିଦା ଦେଖାଯାଇଥିଲା।

    ଅବକାରୀ ବିଭାଗ ତଥ୍ୟ ଅନୁଯାୟୀ, ଏହି ୭ ଦିନରେ ପ୍ରାୟ ଅଢେଇ ଲକ୍ଷ ଲିଟର ବିଦେଶୀ ମଦ ଏବଂ ଦେଢ ଲକ୍ଷ ଲିଟର ଦେଶୀ ମଦ ବିକ୍ରି ହୋଇଛି। ସେହିପରି ୧ ଲକ୍ଷ ୭୮ ହଜାର ଲିଟର ବିୟର୍‌ ମଧ୍ୟ ବିକ୍ରି ହୋଇଥିବା ରିପୋର୍ଟ ମିଳିଛି। ମୋଟ ମଦ ବିକ୍ରିର ଆର୍ଥିକ ମୂଲ୍ୟ ୩୨ କୋଟି ୫୫ ଲକ୍ଷ ଟଙ୍କାକୁ ଅତିକ୍ରମ କରିଛି, ଯାହା ପୂର୍ବବର୍ଷ ତୁଳନାରେ ଅନେକ ଅଧିକ।

    କେବଳ ବିଦେଶୀ ମଦ ବିକ୍ରିରୁ ୨୮ କୋଟି ୪ ଲକ୍ଷ ୮୧ ହଜାର ଟଙ୍କା ଆୟ ହୋଇଥିବାବେଳେ ବିୟର୍‌ ବିକ୍ରିରୁ ୩ କୋଟି ୫୬ ଲକ୍ଷ ୧୧ ହଜାର ଟଙ୍କା ଆସିଛି। ସେହିଭଳି ଦେଶୀ ମଦ ବିକ୍ରିର ଅଙ୍କ ୯୪ ଲକ୍ଷ ୨୦ ହଜାର ଟଙ୍କାରେ ପହଞ୍ଚିଛି।

    ନୂଆବର୍ଷ ଉତ୍ସବକୁ ନେଇ ରାଜଧାନୀରେ ମଦ ବିକ୍ରି ଯେପରି ରେକର୍ଡ ସୃଷ୍ଟି କରିଛି, ସେଥିରୁ ଏହି ସେଲିବ୍ରେସନ୍‌ର ଭାରି ଆର୍ଥିକ ପ୍ରଭାବ ସ୍ପଷ୍ଟ ଜଣା ପଡ଼ୁଛି।

  • ୧୦୨୬ ହୋଇପାରେ ବଡ ଯୁଦ୍ଧ!

    ୧୦୨୬ ହୋଇପାରେ ବଡ ଯୁଦ୍ଧ!

    ପାକିସ୍ତାନ ବିରୋଧରେ ଭାରତର ସାମରିକ ଅଭିଯାନ ‘ଅପରେସନ ସିନ୍ଦୂର’କୁ ୭ ମାସ ବିତିଗଲାଣି। କିନ୍ତୁ ଏହି ଅଭିଯାନରେ ପାକିସ୍ତାନ ଯେଉଁ ଭୟାବହ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିଲା, ତାହାକୁ ଏପର୍ଯ୍ୟନ୍ତ ପୂରଣ କରିପାରିନାହିଁ। ବିଶେଷକରି ଭାରତ ଆକ୍ରମଣରେ କ୍ଷତିଗ୍ରସ୍ତ ପାକିସ୍ତାନର ୧୧ଟି ପ୍ରମୁଖ ବିମାନଘାଟି (ଏୟାରବେସ୍‌) ଏବେ ସୁଦ୍ଧା ସଂପୂର୍ଣ୍ଣ ଭାବେ ମରାମତି ହୋଇନଥିବା ଉପଗ୍ରହ ଚିତ୍ର ଓ ଗୁଇନ୍ଦା ସୂଚନାରୁ ସ୍ପଷ୍ଟ ହୋଇଛି।

    ପ୍ରତିରକ୍ଷା ବିଶେଷଜ୍ଞ ସନ୍ଦୀପ ଉନ୍ନିଥାନଙ୍କ ମତାନୁସାରେ, ଭାରତର ଆକ୍ରମଣରେ ପାକିସ୍ତାନୀ ଏୟାରବେସ୍‌ଗୁଡିକ ଯେଉଁ ପରିମାଣର କ୍ଷତିଗ୍ରସ୍ତ ହୋଇଛି, ତାହାକୁ ମରାମତି କରିବା ଏକ ସମୟସାପେକ୍ଷ ଓ ଜଟିଳ ପ୍ରକ୍ରିୟା। ଏହାର ସ୍ପଷ୍ଟ ପ୍ରମାଣ ଗତ ସପ୍ତାହରେ ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ୍‌ ଦାରଙ୍କ ସ୍ୱୀକାରୋକ୍ତି, ଯେଉଁଥିରେ ସେ ଭାରତୀୟ ଆକ୍ରମଣରେ ରାୱଲପିଣ୍ଡି ସ୍ଥିତ ନୁର ଖାନ ବାୟୁସେନା ଘାଟି କ୍ଷତିଗ୍ରସ୍ତ ହୋଇଥିବା କଥା ମାନିଥିଲେ।

    ଜିଓ-ଇଣ୍ଟେଲିଜେନ୍ସ ବିଶେଷଜ୍ଞ ଡାମିଏନ୍‌ ସାଇମନ ନଭେମ୍ବର ମାସରେ ସେୟାର କରିଥିବା ଉପଗ୍ରହ ଚିତ୍ରରୁ ଜଣାପଡ଼ିଛି ଯେ, ପାକିସ୍ତାନ ଏପର୍ଯ୍ୟନ୍ତ ନୁର ଖାନ ବାୟୁସେନା ଘାଟିକୁ ମରାମତି କରିପାରିନାହିଁ। ସାମରିକ ରଣନୀତି ଦୃଷ୍ଟିରୁ ଏହି ଏୟାରବେସ୍‌ ପାକିସ୍ତାନ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେବା ସତ୍ତ୍ୱେ ‘ଅପରେସନ ସିନ୍ଦୂର’ରେ ଏହା ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା।

    ଉପଗ୍ରହ ଚିତ୍ରରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଭୋଲାରି ଏୟାରବେସ୍‌ର ରନୱେ ଉପରେ ଏବେ ସୁଦ୍ଧା ତାର୍ପୋଲିନ ବିଛାଯାଇଛି। ଭାରତ ସୀମା ନିକଟରେ ଥିବା ମୁରିଦ ଏୟାରବେସ୍‌ର କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟରକୁ ଲାଲ୍‌ ତାର୍ପୋଲିନରେ ଘୋଡ଼ାଯାଇଥିବା ଦେଖାଯାଇଛି। ମୁଶାଫ୍‌ ଏୟାରବେସ୍‌ କ୍ଷତିଗ୍ରସ୍ତ ହେବା ପରେ ଏହାର ଅପରେସନ ସୀମିତ କରାଯାଇଛି। ଏହାର ରନୱେରେ ଦୁଇଟି ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ଗୋଟିଏ ଗର୍ତ୍ତର ବ୍ୟାସ ପ୍ରାୟ ୧୫ ଫୁଟ ହେବାର ଆକଳନ କରାଯାଇଛି।

    ସେହିପରି ଜାକୋବାବାଦ ଏୟାରବେସ୍‌ର ରେଡାର ଓ ଏୟାର ଡିଫେନ୍ସ ସିଷ୍ଟମ୍‌କୁ ଏବେ ଅଫଲାଇନ୍‌ ରଖାଯାଇଛି। ଏହି ଏୟାରବେସ୍‌ ପାକିସ୍ତାନର ସବୁଠାରୁ ଅତ୍ୟାଧୁନିକ ଘାଟି ଭାବେ ପରିଚିତ ଥିଲା, ଯେଉଁଠାରେ ଜେଏଫ୍‌-୧୭ ବ୍ଲକ୍-୨ ଓ ଏଫ୍‌-୧୬ ଯୁଦ୍ଧବିମାନ ମୁତୟନ ଥିଲେ। ରଫିକ୍‌, ସୁକ୍କୁର, ଚୁନିଆନ, ପାସ୍‌ରୁର୍‌, ସିଆଲକଟ୍‌ ଓ ସକର୍ଦୁ ଏୟାରବେସ୍‌ଗୁଡିକ ମଧ୍ୟ ଅପରେସନ ସିନ୍ଦୂର ସମୟରେ କ୍ଷତିଗ୍ରସ୍ତ ହୋଇଥିଲେ, ଯାହାର ମରାମତି ଏପର୍ଯ୍ୟନ୍ତ ହୋଇନାହିଁ।

    ଏହି ପରିପ୍ରେକ୍ଷୀତରେ ଆମେରିକାର ଏକ ରିପୋର୍ଟରେ ପ୍ରକାଶ କରିଛି ଯେ, ୨୦୨୬ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବାର ଆଶଙ୍କା ରହିଛି। ତେବେ ପାକିସ୍ତାନ ଏପର୍ଯ୍ୟନ୍ତ ତାହାର କ୍ଷତିଗ୍ରସ୍ତ ଏୟାରବେସ୍‌ଗୁଡିକୁ ସୁଧାରିପାରିନଥିବା ବେଳେ, ଯୁଦ୍ଧ ପାଇଁ ପ୍ରସ୍ତୁତି କରିବା ତାହା ପାଇଁ ପ୍ରାୟ ଅସମ୍ଭବ ବୋଲି ସାମରିକ ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି। ଆମେରିକାର ‘କାଉନସିଲ୍‌ ଅନ୍‌ ଫରେନ୍‌ ରିଲେସନ୍‌’ ରିପୋର୍ଟ ଅନୁସାରେ, ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ୨୦୨୬ରେ ଭାରତ–ପାକିସ୍ତାନ ମଧ୍ୟରେ ତଣାବ ବଢ଼ିପାରେ, କିନ୍ତୁ ପାକିସ୍ତାନର ଏୟାରବେସ୍‌ ମରାମତି ପାଇଁ ସମ୍ପୂର୍ଣ୍ଣ ୨୦୨୬ ବର୍ଷ ବିତିଯିବା ସମ୍ଭାବନା ରହିଛି।

  • ବର୍ଷ ଆରମ୍ଭରୁ ବିସ୍ଫୋରଣ ଆତଙ୍କ, ସ୍ୱିଜରଲ୍ୟାଣ୍ଡର ବାର

    ବର୍ଷ ଆରମ୍ଭରୁ ବିସ୍ଫୋରଣ ଆତଙ୍କ, ସ୍ୱିଜରଲ୍ୟାଣ୍ଡର ବାର

    ବର୍ଷ ଆରମ୍ଭ ହେବା ସହିତ ଆସିଛି ଭୟାବହ ବିସ୍ଫୋରଣର ଖବର। ସ୍ୱିଜରଲ୍ୟାଣ୍ଡରେ ନୂଆବର୍ଷ ପାଳନ ସମୟରେ ଏକ ବାରରେ ହଟାତ୍‌ ବିସ୍ଫୋରଣ ଘଟି ଅନେକ ଲୋକଙ୍କ ଜୀବନ ଯାଇଥିବା ସୂଚନା ମିଳିଛି। ବିସ୍ଫୋରଣ ପରେ ବାରଟି ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା, ଯାହାଫଳରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

    ସ୍ୱିଜରଲ୍ୟାଣ୍ଡ ପୁଲିସର ସୂଚନା ଅନୁସାରେ, ଏହି ଦୁର୍ଘଟଣା କ୍ରାନ୍ସ ମୋଣ୍ଟାନା ସହରରେ ଘଟିଛି। ନୂଆବର୍ଷ ଉତ୍ସବ ପାଳନ ପାଇଁ ବାରଟିରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିବା ବେଳେ ହଟାତ୍‌ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ସମୟରେ ଅନେକ ଲୋକ ବାର ଭିତରେ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିଥିବା ଆଶଙ୍କା କରାଯାଉଛି।

    ଘଟଣା ଘଟିବା ସହିତ ପୁଲିସ ଓ ଆପତକାଳୀନ ସେବା ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ଘଟଣାସ୍ଥଳକୁ ସୁରକ୍ଷା ବଳ ଘେରାଉ କରି ତଦନ୍ତ ଜୋରଦାର କରାଯାଇଛି।

    ତେବେ ଏପର୍ଯ୍ୟନ୍ତ ବିସ୍ଫୋରଣର ସଠିକ୍‌ କାରଣ ସ୍ପଷ୍ଟ ହୋଇନାହିଁ। ମୃତକଙ୍କ ସଂଖ୍ୟା ଓ କେତେ ଲୋକ ଆହତ ହୋଇଛନ୍ତି, ସେନେଇ ମଧ୍ୟ ପୁଲିସ ପକ୍ଷରୁ ଅଧିକ ସୂଚନା ଦିଆଯାଇନାହିଁ। ତଦନ୍ତ ଚାଲିଥିବା ବେଳେ ଏହା ଦୁର୍ଘଟଣା କି ଷଡଯନ୍ତ୍ର, ସେନେଇ ସମସ୍ତ ଦିଗରୁ ତଦନ୍ତ କରାଯାଉଛି।

  • ପ୍ରବଳ ଶୀତ ଯୋଗୁଁ ଓଡ଼ିଶା ଜନଜୀବନ ଅସ୍ତବ୍ୟସ୍ତ

    ପ୍ରବଳ ଶୀତ ଯୋଗୁଁ ଓଡ଼ିଶା ଜନଜୀବନ ଅସ୍ତବ୍ୟସ୍ତ

    ଘନ କୁହୁଡ଼ିରେ ଘେରି ହୋଇଯାଇଛି ସାରା ଓଡ଼ିଶା। ସହରରୁ ଆରମ୍ଭ କରି ଉପାନ୍ତ ଓ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି କୁହୁଡ଼ି ଜନଜୀବନକୁ କଲବଲ କରୁଛି। ରାଜଧାନୀ ଭୁବନେଶ୍ୱର ଓ କଟକ ଟୁଇନ୍‌ ସିଟିରେ ସକାଳୁ ଘନ କୁହୁଡ଼ି ଏଭଳି ଆସ୍ତରଣ ହୋଇଥିଲା ଯେ ମାତ୍ର ୫ ମିଟର ଦୂରରୁ ବି କିଛି ଦୃଶ୍ୟମାନ ହେଉନଥିଲା। କୁହୁଡ଼ି ଯୋଗୁଁ ସକାଳ ସମୟରେ ଯାନବାହନ ଚଳାଚଳ ଗଭୀର ଭାବେ ପ୍ରଭାବିତ ହୋଇଥିବା ଦେଖାଗଲା।

    ଘନ କୁହୁଡ଼ି କାରଣରୁ ନୂଆବର୍ଷରେ ବିମାନ ଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି। ଭୁବନେଶ୍ୱର ବିମାନବନ୍ଦରରୁ ଦେଶର ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ଅନେକ ବିମାନ ବିଳମ୍ବିତ ହୋଇଥିବାରୁ ଯାତ୍ରୀମାନେ ଦୀର୍ଘ ସମୟ ଧରି ବିମାନବନ୍ଦରରେ ଅପେକ୍ଷା କରି ରହିଥିଲେ। ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ, ଦୃଶ୍ୟମାନତା କମ ଥିବାରୁ ସୁରକ୍ଷାକୁ ଗୁରୁତ୍ୱ ଦେଇ ବିମାନ ଚଳାଚଳରେ ସତର୍କତା ଅବଲମ୍ବନ କରାଯାଉଛି।

    ସେପଟେ କୁହୁଡ଼ି ପାଇଁ ଚିଲିକା ହ୍ରଦରେ ଭସାପୋଲ ଯାତାୟାତ ସାମୟିକ ଭାବେ ବନ୍ଦ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ହ୍ରଦରେ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି। କୋଣାର୍କରେ ମଧ୍ୟ ସକାଳୁ ଘନ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଥିବାରୁ ରାସ୍ତାରୁ କୋଣାର୍କ ମନ୍ଦିର ଦୃଶ୍ୟମାନ ହେଉନଥିଲା।

    କେନ୍ଦ୍ରାପଡ଼ା ସହ ଅନ୍ୟାନ୍ୟ ଜିଲ୍ଲାରେ ବି ସକାଳ ସମୟରେ ଘନ କୁହୁଡ଼ି ରହୁଥିବାରୁ ୧୦ ମିଟରରୁ ଅଧିକ ଆଗକୁ ଦେଖିବା ମୁସ୍କିଲ ହୋଇପଡ଼ିଛି। ଗାଡ଼ିଚାଳକ ଓ ପଥଚାରୀମାନେ ସାବଧାନତାର ସହ ଯାତାୟାତ କରୁଥିବାବେଳେ, କୁହୁଡ଼ି ସାଙ୍ଗକୁ ପ୍ରବଳ ଶୀତ ଲୋକଙ୍କ ଦୈନନ୍ଦିନ ଜୀବନକୁ ଦୁର୍ବିଷହ କରିଦେଇଛି। ସକାଳୁ ଆରମ୍ଭ ହୋଇଥିବା କୁହୁଡ଼ି ଦିନ ୧୦ଟା ପର୍ଯ୍ୟନ୍ତ ରହୁଥିବା ଦେଖିବାକୁ ମିଳୁଛି।

  • ବାଂଲାଦେଶରେ ଥମୁନି ହିନ୍ଦୁ ବିରୋଧୀ ହିଂସା, ପୁଣି ଗୁଳିକରି ହତ୍ୟା

    ବାଂଲାଦେଶରେ ଥମୁନି ହିନ୍ଦୁ ବିରୋଧୀ ହିଂସା, ପୁଣି ଗୁଳିକରି ହତ୍ୟା

    ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ଥମିବାର ନାଁ ନେଉନାହିଁ। ପୁଣି ଏକ ହୃଦୟବିଦାରକ ଘଟଣାରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଗତ ଦୁଇ ସପ୍ତାହ ମଧ୍ୟରେ ଏହା ତୃତୀୟ ହିନ୍ଦୁ ହତ୍ୟା ଘଟଣା ହୋଇଥିବାରୁ ସମଗ୍ର ଘଟଣାକୁ ନେଇ ଗଭୀର ଚିନ୍ତା ଓ ଉଦ୍ବେଗ ପ୍ରକାଶ ପାଇଛି।

    ସୂଚନା ଅନୁଯାୟୀ, ବାଂଲାଦେଶର ମୟମନସିଂହ ଜିଲ୍ଲା ଭାଲୁକା ଉପଜିଲ୍ଲା ଅଞ୍ଚଳରେ ଅବସ୍ଥିତ ଲବିବ୍‌ ଗ୍ରୁପର ଏକ କପଡ଼ା କାରଖାନାରେ ସୋମବାର ସନ୍ଧ୍ୟା ପ୍ରାୟ ୬.୪୫ଟା ସମୟରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ବଜେନ୍ଦ୍ର ବିଶ୍ୱାସ (୪୨) ବୋଲି ଚିହ୍ନଟ କରାଯାଇଛି। ସେ ଉକ୍ତ କାରଖାନାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ।

    ପୁଲିସ କହିଛି ଯେ, ଅଭିଯୁକ୍ତ ନମନ ମିଆଁ (୨୯) ମଧ୍ୟ ସେହି କାରଖାନାରେ ସିକ୍ୟୁରିଟି ଡ୍ୟୁଟିରେ ଥିଲେ। ଉଭୟ ଅନସାର୍ ବାରାକ୍‌ ଅଞ୍ଚଳରେ କାର୍ଯ୍ୟରତ ଥିବା ବେଳେ ପ୍ରଥମେ ମଧ୍ୟରେ ବଚସା ହୋଇଥିଲା। ପରେ ଅଭିଯୁକ୍ତ ନମନ ମିଆଁ ବଜେନ୍ଦ୍ର ବିଶ୍ୱାସଙ୍କ ଉପରେ ଗୁଳି ଚଳାଇଥିଲେ। ଗୁଳି ବାମ ଜଙ୍ଘରେ ବାଜିବାରୁ ବଜେନ୍ଦ୍ର ଗୁରୁତର ଆହତ ହୋଇଥିଲେ।

    ତାଙ୍କୁ ତୁରନ୍ତ ଭାଲୁକା ଉପଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଅନୁଯାୟୀ, ଅଭିଯୁକ୍ତ ଉଗ୍ର ବିଚାରଧାରାରେ ପ୍ରଭାବିତ ଥିବା ସନ୍ଦେହ କରାଯାଉଛି ଏବଂ ଘଟଣାକୁ ନେଇ ତଦନ୍ତ ଜାରି ରହିଛି।

    ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର ୧୮ ତାରିଖରେ ହିନ୍ଦୁ ଯୁବକ ଦୀପୁଚନ୍ଦ୍ର ଦାସଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ତାହାର କିଛି ଦିନ ପରେ ଅନ୍ୟ ଜଣେ ହିନ୍ଦୁ ଯୁବକ ଅମୃତ ମଣ୍ଡଳଙ୍କୁ ମଧ୍ୟ ଗୁଳିକରି ହତ୍ୟା କରାଯାଇଥିଲା। ରବିବାର ରାତିରେ ପୁଣି ବାଂଲାଦେଶରେ ୫ଟି ହିନ୍ଦୁ ଘରକୁ ନିଆଁ ଲଗାଯାଇଥିବା ଖବର ମିଳିଛି।

    ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ବଢ଼ିଚାଲିଥିବାରୁ ଏହାକୁ ନେଇ ବିଶ୍ୱବ୍ୟାପୀ ସ୍ତରରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି।

  • ଦିଲ୍ଲୀରେ ଆନ୍ତର୍ଜାତୀୟ ମୋବାଇଲ୍ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ

    ଦିଲ୍ଲୀରେ ଆନ୍ତର୍ଜାତୀୟ ମୋବାଇଲ୍ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ

    ଜାତୀୟ ରାଜଧାନୀ ଦିଲ୍ଲୀରେ ଏକ ବଡ଼ ଆନ୍ତର୍ଜାତୀୟ ଅପରାଧ ଚକ୍ରର ପର୍ଦ୍ଦାଫାସ ହୋଇଛି। ଦିଲ୍ଲୀ ପୋଲିସର କେନ୍ଦ୍ରୀୟ ଜିଲ୍ଲା ସ୍ପେଶାଲ୍ ଷ୍ଟାଫ୍ ଟିମ୍ ଏକ ଆନ୍ତର୍ଜାତୀୟ ମୋବାଇଲ୍ ଫୋନ୍ ଚୋରା ଚାଲାଣ ରାକେଟକୁ ଧରିବାରେ ବଡ଼ ସଫଳତା ହାସଲ କରିଛି। ଏହି ଅଭିଯାନରେ ଚାରି ଜଣ କୁଖ୍ୟାତ ଅଭିଯୁକ୍ତଙ୍କୁ ଗିରଫ କରାଯାଉଥିବା ବେଳେ, କୋଲକାତା ଦେଇ ବାଂଲାଦେଶକୁ ଚୋରା ଚାଲାଣ ହେଉଥିବା ୧୧୬ଟି ଚୋରି ଓ ଛିନତାଇ ହୋଇଥିବା ମହଙ୍ଗା ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଛି।

    ପୋଲିସ ସୂତ୍ର ଅନୁଯାୟୀ, ଅଭିଯୁକ୍ତମାନେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରୁ ଚୋରି ଓ ଛିନତାଇ ହୋଇଥିବା ମହଙ୍ଗା ସ୍ମାର୍ଟଫୋନ୍ ସଂଗ୍ରହ କରୁଥିଲେ। ପରେ ସ୍ୱତନ୍ତ୍ର ବିଦେଶୀ ସଫ୍ଟୱେର୍ ଓ ଅନଲକିଂ ଟୁଲ୍ ବ୍ୟବହାର କରି ଫୋନ୍‌ଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ବାଇପାସ୍ କରାଯାଉଥିଲା। ଏହା ପରେ ଏହି ମୋବାଇଲ୍‌ଗୁଡ଼ିକୁ କୋଲକାତା ମାର୍ଗରେ ବାଂଲାଦେଶକୁ ଚୋରା ଭାବରେ ପଠାଯାଉଥିଲା।

    ଗିରଫ ଅଭିଯୁକ୍ତମାନଙ୍କଠାରୁ Vivo, Oppo, iPhone, Samsung,Redmi, Motorola, OnePlus ଓ Nothing ସହ ଅନ୍ୟାନ୍ୟ ନାମୀ ବ୍ରାଣ୍ଡର ୧୧୬ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ସେହିପରି ଆଧାର କାର୍ଡ, ଅନଲକିଂ ଡିଭାଇସ୍ ଓ ବିଦେଶୀ ସଫ୍ଟୱେର୍ ମଧ୍ୟ ପୋଲିସ ଜବତ କରିଛି।

    ପୋଲିସ କହିଛି ଯେ, ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସମୀର, ଯିଏ ‘ରାହୁଲ’ ନାମରେ ମଧ୍ୟ ପରିଚିତ। ସେ ପ୍ରତି ମୋବାଇଲ୍ ଫୋନ୍ ପାଇଁ ପ୍ରାୟ ୧,୫୦୦ ଟଙ୍କା ନେଇ ବେଆଇନ ଭାବରେ ଫୋନ୍ ଅନଲକ୍ କରୁଥିଲା। ଅଭିଯୁକ୍ତମାନେ ଚୋରି ହୋଇଥିବା Vi ସିମ୍ କାର୍ଡ ବ୍ୟବହାର କରି ନକଲି ମେସେଜ୍ ପଠାଇ iCloud ID ଡିଲିଟ୍ କରୁଥିଲେ, ଯାହାଦ୍ୱାରା ଫୋନ୍‌ଗୁଡ଼ିକୁ ସହଜରେ ବିକ୍ରି କରାଯାଇପାରୁଥିଲା।

    ସମ୍ପୂର୍ଣ୍ଣ ଅପରେସନ୍ ସମୟରେ ଦିଲ୍ଲୀ ପୋଲିସ ୧୦୦ରୁ ଅଧିକ CCTV କ୍ୟାମେରାର ଫୁଟେଜ୍ ବିଶ୍ଳେଷଣ କରି ଏହି ଆନ୍ତର୍ଜାତୀୟ ଚୋରା ଚାଲାଣ ଚକ୍ରକୁ ଧରିବାରେ ସଫଳ ହୋଇଛି। ଘଟଣାକୁ ନେଇ ଆହୁରି ତଦନ୍ତ ଜାରି ରହିଛି।

  • ନୂଆବର୍ଷରେ କଡ଼ା ନିୟମ, ଭଦ୍ରକ ଏସପି ଅଫିସକୁ ଫୁଲ ଓ ଡାଏରୀ ନିଷେଧ

    ନୂଆବର୍ଷରେ କଡ଼ା ନିୟମ, ଭଦ୍ରକ ଏସପି ଅଫିସକୁ ଫୁଲ ଓ ଡାଏରୀ ନିଷେଧ

    ଆସନ୍ତାକାଲି ଇଂରାଜୀ ନୂଆବର୍ଷକୁ ଦୃଷ୍ଟିରେ ରଖି ଭଦ୍ରକ ପୁଲିସ୍‌ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏସପି ଅଫିସକୁ ଫୁଲତୋଡ଼ା ଓ ଡାଏରୀ ନେଇ ଆସିବାକୁ ନିଷେଧ କରାଯାଇଛି। ପୁଲିସ୍‌ ଅଧିକାରୀ କିମ୍ବା କୌଣସି ବ୍ୟକ୍ତି ଫୁଲ ଓ ଡାଏରୀ ଆଣିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ଏ ନେଇ ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ୍‌ କାନ୍ଥରେ ସଚେତନତା ପୋଷ୍ଟର୍ ଲଗାଯାଇଛି। ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶକ୍ରମେ କଡ଼ା ନୋଟିସ୍‌ ଜାରି ହୋଇଛି।

    ଏପଟେ, ନୂଆବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ କେହି ମଧ୍ୟ କାର୍ଯ୍ୟାଳୟକୁ ନ ଆସିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିବେଦନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଇ ସେ କହିଛନ୍ତି ଯେ ନୂଆବର୍ଷ ଦିନଟି ସରକାରୀ କାର୍ଯ୍ୟଦିବସ ହେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାଧାରଣ ଦିନଭଳି କାମ କରିବ। ତେଣୁ ଶୁଭେଚ୍ଛା ଜଣାଇବା ପାଇଁ କେହି ତାଙ୍କ କାର୍ଯ୍ୟାଳୟକୁ ନ ଆସିବାକୁ ସେ ଅନୁରୋଧ କରିଛନ୍ତି।

    ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ସରକାରୀ କର୍ମଚାରୀମାନେ ଅଫିସ ସମୟରେ ଶୁଭେଚ୍ଛା ଓ ଅଭିନନ୍ଦନ କାର୍ଯ୍ୟକ୍ରମରେ ଯୋଗ ନ ଦେଇ କାର୍ଯ୍ୟଦାୟିତ୍ୱ ଉପରେ ଗୁରୁତ୍ୱ ଦିଅନ୍ତୁ। ଓଡ଼ିଶାର ଜନସାଧାରଣ ଓ ଶୁଭାକାଂକ୍ଷୀମାନଙ୍କ ସଦିଚ୍ଛା ପ୍ରତି ସେ କୃତଜ୍ଞତା ଜଣାଇଛନ୍ତି। ଏଥିସହିତ, ସରକାରୀ ବାସଭବନକୁ ଶୁଭେଚ୍ଛା ଜଣାଇବାକୁ ଆସୁଥିବା ଲୋକମାନଙ୍କୁ କୌଣସି ଉପହାର କିମ୍ବା ପୁଷ୍ପଗୁଚ୍ଛ ନ ଆଣିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।