Tag: suchanatv24x7

  • ୧୮ ଦିନରେ ୬ ହିନ୍ଦୁ ହତ୍ୟା, ବାଲାଂଦେଶରେ ଅବ୍ୟାହତ ଦଙ୍ଗାକାରୀ ହିଂସା

    ୧୮ ଦିନରେ ୬ ହିନ୍ଦୁ ହତ୍ୟା, ବାଲାଂଦେଶରେ ଅବ୍ୟାହତ ଦଙ୍ଗାକାରୀ ହିଂସା

    ବାଲାଂଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମୁଦାୟକୁ ଟାର୍ଗେଟ କରି ହିଂସା ଘଟଣା ଥମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଜଣ ହିନ୍ଦୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବାବେଳେ, ଗତ ୧୮ ଦିନରେ ମୋଟ ୬ ଜଣ ହିନ୍ଦୁ ଜୀବନ ହରାଇଛନ୍ତି। ସଂଖ୍ୟାଲଘୁଙ୍କ ଟାର୍ଗେଟ କରି ଆକ୍ରମଣ କରୁଛନ୍ତି ଦଙ୍ଗାକାରୀ।

    ଗ୍ରୋସରୀ ଦୋକାନୀ ମୋନି ଚକ୍ରବର୍ତ୍ତିଙ୍କୁ ଦଙ୍ଗାକାରୀମାନେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ଏହି ହତ୍ୟା ପୂର୍ବରୁ କେବଳ କିଛି ଘଣ୍ଟା ଆଗରୁ ଯଶୋର ଜିଲ୍ଲାରେ ୪୫ ବର୍ଷୀୟ କାରଖାନା ମାଲିକ ଏବଂ ଜଣେ ଖବରକାଗଜର କାର୍ଯ୍ୟକାରୀ ସମ୍ପାଦକ ରାଣା ପ୍ରତାପଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

    ପୋଲିସ ସୂତ୍ର ଅନୁଯାୟୀ, ପଡ଼ୋଶୀ କେଶବପୁର ଉପ-ଜିଲ୍ଲାର ଜଣେ ସ୍କୁଲ ଶିକ୍ଷକଙ୍କ ପୁଅ ରାଣା ପ୍ରତାପ ଗତ ଦୁଇ ବର୍ଷ ଧରି କୋପାଳିଆ ବଜାରରେ ଏକ ବରଫ କାରଖାନା ଚଳାଉଥିଲେ। ସୋମବାର ସନ୍ଧ୍ୟାରେ କିଛି ଅଜ୍ଞାତ ଦୁଷ୍କର୍ମୀ ତାଙ୍କୁ କାରଖାନାରୁ ଡାକି ନିକଟସ୍ଥ ଏକ ଗଳିକୁ ନେଇ ଗୁଳି କରିଥିଲେ। ଆକ୍ରମଣକାରୀମାନେ ତାଙ୍କ ମୁଣ୍ଡକୁ ତିନି ରାଉଣ୍ଡ ଗୁଳି ମାରିଥିଲେ ଏବଂ ଗଳା କାଟି ପଳାଇ ଯାଇଥିଲେ।ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ରାଣା ପ୍ରତାପଙ୍କ ମୁଣ୍ଡରେ ତିନୋଟି ଗୁଳି ବାଜିଥିଲା। ଘଟଣାରେ କିଏ ସଂପୃକ୍ତ ଅଛନ୍ତି ତାହା ନେଇ ତଦନ୍ତ ଚାଲିଛି।

    ଏହା ସହିତ, ଶନିବାର ଦିନ ଝିନାଇଦା ଜିଲ୍ଲାରେ ଜଣେ ହିନ୍ଦୁ ମହିଳାଙ୍କ ସହ ଦୁଇଜଣ ଦୁଷ୍କର୍ମୀ ଦୁଷ୍କର୍ମ କରିଥିଲେ। ଟଙ୍କା ଦାବି କରିବା ସହିତ ସେମାନେ ମହିଳାଙ୍କୁ ଗଛରେ ବାନ୍ଧି ତାଙ୍କ କେଶ କାଟିଦେଇଥିଲେ। ଏହି ବର୍ବର କାଣ୍ଡକୁ ଭିଡିଓରେ ରେକର୍ଡ କରି ସୋସିଆଲ ମିଡିଆରେ ପ୍ରସାର କରାଯାଇଥିଲା। ମହିଳାଜଣକ ଚେତାଶୂନ୍ୟ ହୋଇପଡ଼ିବା ପରେ ସ୍ଥାନୀୟ ବାସିନ୍ଦା ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ।

    ପୂର୍ବରୁ ଜାନୁଆରି ୩ ତାରିଖରେ ୫୦ ବର୍ଷୀୟ ଖୋକନ ଚନ୍ଦ୍ର ଦାସଙ୍କୁ ନିର୍ମମ ଭାବେ ଆକ୍ରମଣ କରି ତାଙ୍କ ଦେହରେ ନିଆଁ ଲଗାଇ ଦିଆଯାଇଥିଲା, ଯାହାଫଂହଲରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଡିସେମ୍ବର ୨୪ରେ ରାଜବାରୀ ସହରର ପାଂଶା ଉପଜିଲ୍ଲାରେ ଅମୃତ ମଣ୍ଡଳଙ୍କୁ ଦାଦାବଟି ଆଦାୟ ଅଭିଯୋଗରେ ପିଟି ପିଟି ହତ୍ୟା କରାଯାଇଥିଲା।

    ଡିସେମ୍ବର ୧୮ରେ ମୈମନସିଂ ସହରରେ ୨୫ ବର୍ଷୀୟ ଦୀପୁ ଚନ୍ଦ୍ର ଦାସଙ୍କୁ ଧର୍ମ ବିରୋଧୀ ମନ୍ତବ୍ୟ ଅଭିଯୋଗରେ ଭିଡ଼ ଦ୍ୱାରା ପିଟି ପିଟି ହତ୍ୟା କରାଯାଇ ତାଙ୍କ ମୃତଦେହକୁ ପୋଡ଼ି ଦିଆଯାଇଥିଲା।

    ଏକ ପୃଥକ ଘଟଣାରେ, ଡିସେମ୍ବର ୨୩ରେ ଚିଟାଗଂର ଉପକଣ୍ଠରେ ଥିବା ରାଉଜାନ ଅଞ୍ଚଳରେ କାତାରରେ କାମ କରୁଥିବା ପ୍ରବାସୀ ଶ୍ରମିକ ଶୁଖ ଶିଲ୍ ଏବଂ ଅନିଲ୍ ଶିଲ୍‌ଙ୍କ ଘରେ ଅଜ୍ଞାତ ଦୁଷ୍କର୍ମୀମାନେ ନିଆଁ ଲଗାଇ ଦେଇଥିଲେ। ତେବେ ଘରର ସମସ୍ତେ କୌଣସି ମତେ ପ୍ରାଣରକ୍ଷା କରିପାରିଥିଲେ।ଲଗାତାର ହିନ୍ଦୁ ସମୁଦାୟକୁ ଲକ୍ଷ୍ୟ କରି ଘଟୁଥିବା ଏହି ହିଂସା ଘଟଣା ବାଲାଂଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷାକୁ ନେଇ ଗଭୀର ପ୍ରଶ୍ନ ଉଠାଇଛି।

  • ‘ପୃଥିବୀର ନର୍କ’ ଭାବେ ପରିଚିତ ଏମଡିସି ଜେଲ୍‌ରେ ମାଦୁରୋ

    ‘ପୃଥିବୀର ନର୍କ’ ଭାବେ ପରିଚିତ ଏମଡିସି ଜେଲ୍‌ରେ ମାଦୁରୋ

    ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଗିରଫଦାରୀ ପରେ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ପଦକ୍ଷେପକୁ ନେଇ ଆନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରଶ୍ନ ଉଠିଛି। ମାଦୁରୋଙ୍କୁ ଗିରଫ ପରେ ନ୍ୟୁୟର୍କର ବ୍ରୁକଲିନ୍‌ର ମେଟ୍ରୋପଲିଟାନ୍ ଡିଟେନସନ୍ ସେଣ୍ଟର (ଏମଡିସି)ରେ ରଖାଯାଇଛି, ଏକ ଏମିତି ଫେଡେରାଲ୍ ଜେଲ୍ ଯାହା ‘ପୃଥିବୀର ନର୍କ’ ଭାବେ ପରିଚିତ।

    ଏମଡିସି ଜେଲ୍ ଦୀର୍ଘ ଦିନ ଧରି ବିଶୃଙ୍ଖଳା, ହିଂସା, ଅବ୍ୟବସ୍ଥା ଓ ମାନବାଧିକାର ଉଲ୍ଲଂଘନ ଅଭିଯୋଗରେ ଖବରରେ ରହିଆସୁଛି। ବର୍ତ୍ତମାନ ଏଠାରେ ପ୍ରାୟ ୧,୩୦୦ କଏଦୀ ରହୁଛନ୍ତି। ଗ୍ୟାଙ୍ଗ ସଦସ୍ୟ, ଡ୍ରଗ୍ସ ମାଫିଆ, ଧଳା କଲର ଅପରାଧୀ ଓ ଆନ୍ତର୍ଜାତୀୟ ଅପରାଧରେ ଅଭିଯୁକ୍ତମାନେ ଏଠାରେ ବନ୍ଦୀ ଅଛନ୍ତି।

    ଏହି ଜେଲରେ ସଂଗୀତଜ୍ଞ ଆର. କେଲି ଏବଂ ସିଆନ୍ ଡିଡି କମ୍ବସ୍ ଭଳି ଉଚ୍ଚ-ପ୍ରୋଫାଇଲ୍ କଏଦୀଙ୍କୁ ମଧ୍ୟ ରଖାଯାଇଛି। ଅବସ୍ଥା ଏତେ ଦୟନୀୟ ଯେ କେତେକ ଆମେରିକୀୟ ବିଚାରପତି ଅପରାଧୀମାନଙ୍କୁ ଏହି ଜେଲକୁ ପଠାଇବାକୁ ମଧ୍ୟ ଅସ୍ୱୀକାର କରିଥିବା ଘଟଣା ରହିଛି।

    ୧୯୯୦ ଦଶକର ପ୍ରାରମ୍ଭରେ ନିର୍ମିତ ଏହି ଜେଲ୍‌କୁ ମାନହାଟନ୍ ଓ ବ୍ରୁକଲିନ୍‌ର ଫେଡେରାଲ୍ କୋର୍ଟରେ ବିଚାରାଧୀନ କଏଦୀଙ୍କ ପାଇଁ ବ୍ୟବହାର କରାଯାଉଥିଲା। ବର୍ତ୍ତମାନ ଏଠାରେ ମେକ୍ସିକୋର ସିନାଲୋଆ ଡ୍ରଗ୍ କାର୍ଟେଲର ସହ-ପ୍ରତିଷ୍ଠାତା ଇସମାଏଲ ‘ଏଲ୍ ମାୟୋ’ ଜାମ୍ବାଡା ଗାର୍ସିଆ ଓ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଲୁଇଗି ମାଞ୍ଜିଓନେ ମଧ୍ୟ ରହୁଛନ୍ତି।

    ପୂର୍ବରୁ କ୍ରିପ୍ଟୋ ଉଦ୍ୟୋଗୀ ସାମ୍ ବ୍ୟାଙ୍କମ୍ୟାନ୍-ଫ୍ରାଏଡ୍ ଓ ଜେଫ୍ରି ଏପଷ୍ଟାଇନଙ୍କ ସହଯୋଗୀ ଘିସଲେନ୍ ମ୍ୟାକ୍ସୱେଲ ମଧ୍ୟ ଏଠାରେ ବନ୍ଦୀ ଥିଲେ। ଏପଷ୍ଟାଇନଙ୍କ ଜେଲ୍ ମୃତ୍ୟୁ ପରେ ନ୍ୟୁୟର୍କର ମେଟ୍ରୋପଲିଟାନ୍ କରେକ୍ସନାଲ୍ ସେଣ୍ଟରକୁ ବନ୍ଦ କରାଯାଇଥିଲା ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗଭୀର ପ୍ରଶ୍ନ ଉଠିଥିଲା।

    ଏମଡିସିରେ ହିଂସା ଏକ ସାଧାରଣ ଘଟଣା। କଏଦୀ ଓ ସେମାନଙ୍କ ଓକିଲମାନେ ଦୀର୍ଘଦିନ ଧରି ଏଠାରେ ମାରପିଟ୍, ଆକ୍ରମଣ ଓ ଅସୁରକ୍ଷିତ ପରିବେଶ ନେଇ ଅଭିଯୋଗ କରୁଛନ୍ତି। ୨୦୨୪ ମସିହାରେ ଏଠାରେ ଦୁଇଜଣ କଏଦୀଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। କିଛି ଜେଲ୍ କର୍ମଚାରୀଙ୍କ ବିରୋଧରେ ଲାଞ୍ଚ ଗ୍ରହଣ ଓ ନିଷିଦ୍ଧ ସାମଗ୍ରୀ ଯୋଗାଣ ଅଭିଯୋଗ ମଧ୍ୟ ରହିଛି।

    ମାର୍ଚ୍ଚ ୨୦୨୪ରେ ହୋଇଥିବା ଏକ ହିଂସାତ୍ମକ ଘଟଣାରେ ୨୩ ଜଣ କଏଦୀ ଆହତ ହୋଇଥିଲେ। ଏଥିରେ ଅସ୍ତ୍ର ଚୋରାଚାଲାଣ ମାମଲାରେ ସଜାପ୍ରାପ୍ତ ଏକ କଏଦୀ ଓ ପ୍ରସିଦ୍ଧ ହିପ୍-ହପ୍ କଳାକାର ଜାମ୍ ମାଷ୍ଟର ଜୟଙ୍କ ହତ୍ୟା ସହିତ ସଂପୃକ୍ତ ଅଭିଯୋଗ ମଧ୍ୟ ଉଠିଥିଲା।

    ୨୦୧୯ ମସିହାର ଶୀତ ଋତୁରେ ଜେଲ୍‌ରେ ବିଦ୍ୟୁତ୍ ବିଭ୍ରାଟ ହୋଇ ସମଗ୍ର ଜେଲ୍ ଦୀର୍ଘ ସମୟ ଧରି ଅନ୍ଧାରରେ ରହିଥିଲା, ଯାହା କଏଦୀମାନଙ୍କ ପାଇଁ ଅମାନବିକ ପରିସ୍ଥିତି ସୃଷ୍ଟି କରିଥିଲା।

    ତଥାପି, ସମ୍ପ୍ରତି ଫେଡେରାଲ୍ ବ୍ୟୁରୋ ଅଫ୍ ପ୍ରିଜନ୍ସ ଦାବି କରିଛି ଯେ ଏମଡିସିର ପରିସ୍ଥିତିରେ କିଛି ଉନ୍ନତି ହୋଇଛି। ସୁରକ୍ଷା କର୍ମୀ ଓ ଡାକ୍ତରଙ୍କ ସଂଖ୍ୟା ବଢ଼ାଯାଇଛି ଏବଂ ବିଦ୍ୟୁତ୍–ପାଣି ସମସ୍ୟାର ସମାଧାନ କରାଯାଇଛି ବୋଲି ସେମାନେ କହିଛନ୍ତି। କିନ୍ତୁ ମାଦୁରୋଙ୍କ ଗିରଫ ପରେ ଏହି ‘ନର୍କ ସମାନ’ ଜେଲ୍ ପୁଣିଥରେ ବିଶ୍ୱ ଦୃଷ୍ଟିରେ ଆସିଛି।

  • ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ସରକାରୀ ଡାକ୍ତରଖାନାରେ ରୋଗୀ ଦେଖିବେନି ଡାକ୍ତର

    ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ସରକାରୀ ଡାକ୍ତରଖାନାରେ ରୋଗୀ ଦେଖିବେନି ଡାକ୍ତର

    ଡାକ୍ତରମାନଙ୍କ ଦାବିକୁ ନେଇ ରାଜ୍ୟରେ ଓମ୍‌ସା (Odisha Medical Services Association) ଆନ୍ଦୋଳନ ଆହୁରି କଠୋର ହୋଇଛି। ଆଜିଠାରୁ ଘଣ୍ଟିକିଆ ନୁହେଁ, ବରଂ ଦୁଇ ଘଣ୍ଟା OPD ବନ୍ଦ କରିବାକୁ ଓମ୍‌ସା ନିଷ୍ପତ୍ତି ନେଇଛି। ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାର OPD ସେବା ବର୍ଜନ କରାଯିବ। ଏହି ସମୟରେ କେବଳ ଜରୁରିକାଳୀନ ସେବା ଜାରି ରହିବ।

    ଏହି ସୂଚନା ଦେଇଛନ୍ତି ଓମ୍‌ସା ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ଏବଂ ସାଧାରଣ ସମ୍ପାଦକ ଡାକ୍ତର ସଞ୍ଜୀବ ପ୍ରଧାନ। ସେମାନଙ୍କ କହିବାନୁସାରେ, ଡାକ୍ତରମାନଙ୍କ ୧୦ ଦାବି ନେଇ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସଠିକ୍ ନିଷ୍ପତ୍ତି ନିଆଯାଇନଥିବାରୁ ଆନ୍ଦୋଳନ ଅବଧି ବଢ଼ାଇବାକୁ ସଂଘ ବାଧ୍ୟ ହୋଇଛି।

    ଓମ୍‌ସା ଘୋଷଣା କରିଛି ଯେ, ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୯ଟାରୁ ୧୧ଟା OPD ବନ୍ଦ ରହିବ। ଏହା ପରେ ୨୬ ତାରିଖରୁ NHM ଯୋଜନାରେ ଅସହଯୋଗ ଜାରି ରହିବା ସହ ୨୭ ତାରିଖରୁ OPD ସମ୍ପୂର୍ଣ୍ଣ ବନ୍ଦ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

    ପଦୋନ୍ନତି, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା, ମୂଳ ଦରମା ବୃଦ୍ଧି, ସ୍ୱଚ୍ଛ ବଦଳି ନୀତି, ଖାଲି ପଦବୀ ପୂରଣ, OMS କ୍ୟାଡର ପୁନର୍ଗଠନ ସହ ୧୦ ଦାବି ପୂରଣ ପାଇଁ ଓମ୍‌ସା ଅଡ଼ି ରହିଛି। ଏହି ଆନ୍ଦୋଳନର ପ୍ରଭାବରେ ସାଧାରଣ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।

  • ବିଶ୍ୱର ସବୁଠାରୁ ବଡ଼ ୨୧୦ ମେଟ୍ରିକ୍ ଟନର ଶିବଲିଙ୍ଗ ବିହାରର ଗୋପାଳଗଞ୍ଜରେ

    ବିଶ୍ୱର ସବୁଠାରୁ ବଡ଼ ୨୧୦ ମେଟ୍ରିକ୍ ଟନର ଶିବଲିଙ୍ଗ ବିହାରର ଗୋପାଳଗଞ୍ଜରେ

    ଆପଣ ଅନେକ ଶିବଲିଙ୍ଗ ଦେଖିଥିବେ, କିନ୍ତୁ ଏଭଳି ବିଶାଳ ଶିବଲିଙ୍ଗ ସମ୍ଭବତଃ କେବେ ନୁହେଁ। ୨୧୦ ମେଟ୍ରିକ୍ ଟନ ଓଜନ ବିଶିଷ୍ଟ ବିଶ୍ୱର ସବୁଠାରୁ ବଡ଼ ଶିବଲିଙ୍ଗ ବର୍ତ୍ତମାନ ବିହାରର ଗୋପାଳଗଞ୍ଜ ସହରରେ ପହଞ୍ଚିଛି। ଏହି ବିଶାଳ ଶିବଲିଙ୍ଗକୁ ତାମିଲନାଡୁର ମହାବଳୀପୁରମରୁ ଟ୍ରକ୍ ମାଧ୍ୟମରେ ଆଣାଯାଇଛି ଏବଂ ଏହାକୁ ପୂର୍ବ ଚମ୍ପାରଣରେ ନିର୍ମାଣାଧୀନ ବିରାଟ ରାମାୟଣ ମନ୍ଦିରରେ ସ୍ଥାପନ କରାଯିବ।

    ଶିବଲିଙ୍ଗ ଗୋପାଳଗଞ୍ଜରେ ପହଞ୍ଚିବା ସହିତ ହଜାର ହଜାର ଭକ୍ତ ଏହାକୁ ଦେଖିବା ଏବଂ ଫଟୋ ଉଠାଇବା ପାଇଁ ଏକାଠି ହୋଇଥିଲେ। ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶରେ ପରିଣତ ହୋଇଥିଲା। “ହର ହର ମହାଦେବ” ଓ “ଓମ୍ ନମଃ ଶିବାୟ” ଧ୍ୱନିରେ ପରିବେଶଟି ପ୍ରକମ୍ପିତ ହୋଇଉଠିଥିଲା।

    ରିପୋର୍ଟ ଅନୁସାରେ, ଏହି ବିଶାଳ ଶିବଲିଙ୍ଗର ଲମ୍ବ ଓ ପ୍ରସ୍ଥ ୩୩ ଫୁଟ ହୋଇଥିବା ବେଳେ ଏହାର ଓଜନ ପ୍ରାୟ ୨୧୦ ମେଟ୍ରିକ୍ ଟନ। ଏହାର ସବୁଠାରୁ ବଡ଼ ବିଶେଷତା ହେଉଛି ଏହି ଶିବଲିଙ୍ଗରେ ୧,୦୦୦ଟି ଛୋଟ ଛୋଟ ଶିବଲିଙ୍ଗ ଖୋଦିତ ହୋଇଛି, ଯାହା ଏହାକୁ ବିଶ୍ୱରେ ଅନନ୍ୟ କରେ।

    ତାମିଲନାଡୁର ମହାବଳୀପୁରମରୁ ଯାତ୍ରା ଆରମ୍ଭ କରି ପ୍ରାୟ ୪୫ ଦିନର ଦୀର୍ଘ ଯାତ୍ରା ପରେ ଏହି ଶିବଲିଙ୍ଗ ବିହାରରେ ପହଞ୍ଚିଛି। ଆଗାମୀ ଜାନୁଆରୀ ୧୭ ତାରିଖରେ ବିରାଟ ରାମାୟଣ ମନ୍ଦିର ପରିସରରେ ପୀଠ ପୂଜା, ଯଜ୍ଞ ଓ ଅନ୍ୟାନ୍ୟ ବେଦିକ ରୀତିନୀତି ସହିତ ଏହାର ଔପଚାରିକ ସ୍ଥାପନା କରାଯିବ।

    ମନ୍ଦିର ପରିସରରେ ପ୍ରବେଶ ପୂର୍ବରୁ ଶିବଲିଙ୍ଗଙ୍କୁ ଭବ୍ୟ ସ୍ୱାଗତ କରାଯିବା ସହ ପ୍ରାର୍ଥନା, ଆରତୀ ଓ ସଂକୀର୍ତ୍ତନ ଆୟୋଜିତ ହେବ। ସମଗ୍ର କାର୍ଯ୍ୟକ୍ରମକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଭାରି ଉତ୍ସାହ ଓ ଆଶା-ଆକାଂକ୍ଷା ଦେଖିବାକୁ ମିଳୁଛି।

  • ସିଂହାସନ ଆରୋହଣ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ

    ସିଂହାସନ ଆରୋହଣ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ

    ପୁରୀ ଗଜପତିଙ୍କ ଶ୍ରୀନଅରରେ ଆଜି ପାରମ୍ପରିକ ରୀତିନୀତି ଅନୁଯାୟୀ ପବିତ୍ର ପୁଷ୍ୟାଭିଷେକ ଅନୁଷ୍ଠିତ ହେବ। ଏହି ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସିଂହାସନ ଆରୋହଣ କରି ରାଜାଭିଷେକରେ ଅଭିଷିକ୍ତ ହେବେ। ଶ୍ରୀନଅରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଗଜପତିଙ୍କୁ ଅଭିମନ୍ତ୍ରିତ କରାଯାଇ ରାଜ୍ୟର ମଙ୍ଗଳ ଓ ସମୃଦ୍ଧି ପାଇଁ କାମନା କରାଯିବ।

    ପୌଷପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି ସମ୍ପନ୍ନ ହେବା ପରେ ପରମ୍ପରା ଅନୁଯାୟୀ ଆଜି ଶ୍ରୀନଅରରେ ଗଜପତିଙ୍କର ରାଜାଭିଷେକ ଉତ୍ସବ ପାଳିତ ହେବ। ଏହି ଉତ୍ସବ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ନୀତିକୁ ଆଧାର କରି ପ୍ରଚଳିତ ରହିଛି।

    ଉତ୍ସବର ମୁଖ୍ୟ ଆକର୍ଷଣ ଭାବେ ଷୋଳ ଶାସନର ବ୍ରାହ୍ମଣ ପୁରୋହିତମାନେ ଏକତ୍ରିତ ହୋଇ ବେଦମନ୍ତ୍ର ଉଚ୍ଚାରଣ ସହ ଗଜପତି ମହାରାଜାଙ୍କୁ ଆଶୀର୍ବାଦ ପ୍ରଦାନ କରିବେ। ଧାର୍ମିକ ଶୃଙ୍ଖଳା, ପାରମ୍ପରିକ ବିଧି ଓ ଆସ୍ଥାର ମେଳାପରେ ଏହି ପୁଷ୍ୟାଭିଷେକ ଉତ୍ସବ ଶ୍ରୀନଅରରେ ଅତ୍ୟନ୍ତ ଭବ୍ୟତାର ସହିତ ପାଳିତ ହେବ।

  • ଅନୁମତି ବିନା ବ୍ଲାଷ୍ଟିଂ, ଢେଙ୍କାନାଳର ପଥର ଖଣିରେ ବଡ଼ ବିସ୍ଫୋରଣ

    ଅନୁମତି ବିନା ବ୍ଲାଷ୍ଟିଂ, ଢେଙ୍କାନାଳର ପଥର ଖଣିରେ ବଡ଼ ବିସ୍ଫୋରଣ

    ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଗୋପାଳପୁର ନିକଟ ଏକ ପଥର ଖଣିରେ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଗତକାଲିଠାରୁ ଏହି ବିସ୍ଫୋରଣକୁ ନେଇ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ବିସ୍ଫୋରଣରେ କିଛି ମୃତାହତ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ, ଏପର୍ଯ୍ୟନ୍ତ ମୃତ୍ୟୁ ବା ଆହତଙ୍କ ସଠିକ୍ ସଂଖ୍ୟା ସରକାରୀ ଭାବେ ସ୍ପଷ୍ଟ ହୋଇନାହିଁ।

    ଖବର ପାଇ ଘଟଣାସ୍ଥଳକୁ ଓଡ଼ପଡା ତହସିଲଦାର ଓ ମୋଟଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଥିବା ସହ କାହାକୁ ମଧ୍ୟ ଭିତରକୁ ପ୍ରବେଶ ଅନୁମତି ଦିଆଯାଉନାହିଁ।

    ତଦନ୍ତ ମଧ୍ୟରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବିସ୍ଫୋରଣ ଘଟିଥିବା ପଥର ଖଣିରେ ବ୍ଲାଷ୍ଟିଂ ପାଇଁ ଅନୁମତି ନଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ବ୍ଲାଷ୍ଟିଂ ଅନୁମତି ନଥିବାରୁ ଗତ ବର୍ଷ ସେପ୍ଟେମ୍ବର ୮ ତାରିଖରେ ଢେଙ୍କାନାଳ ଜିଲ୍ଲା ମାଇନିଂ ଅଫିସ ପକ୍ଷରୁ ସଂପୃକ୍ତ ଲିଜଧାରୀଙ୍କୁ ଖଣି ବନ୍ଦ କରିବାକୁ ଚିଠି ଦିଆଯାଇଥିଲା।

    ତଥାପି ନିୟମକୁ ଅଣଦେଖା କରି ଉକ୍ତ ଖଣିରେ ବ୍ଲାଷ୍ଟିଂ ଚାଲିଥିବା ଅଭିଯୋଗ ଆସିଛି, ଯାହା ଏହି ବିସ୍ଫୋରଣର ପ୍ରଧାନ କାରଣ ହୋଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାକୁ ନେଇ ଜିଲ୍ଲା ଖଣି ଅଧିକାରୀ କିମ୍ବା ସଂପୃକ୍ତ ଲିଜଧାରୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ।

    ବିସ୍ଫୋରଣ ପଛରେ କେତେ ଦୂର ପର୍ଯ୍ୟନ୍ତ ଅବୈଧ କାର୍ଯ୍ୟକଳାପ ଦାୟୀ ଓ କେହି ଅବହେଳା କରିଛନ୍ତି କି ନାହିଁ, ସେନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ ଗଭୀର ତଦନ୍ତ ଚାଲିଥିବା ଜଣାପଡ଼ିଛି।

  • ରାଜଧାନୀରେ ପୁଣି ଏକ ମୁଣ୍ଡ ନେଲା ଆମ ବସ

    ରାଜଧାନୀରେ ପୁଣି ଏକ ମୁଣ୍ଡ ନେଲା ଆମ ବସ

    ଗତ କଲି ସକାଳ ପ୍ରାୟ ୧୧ଟା ସମୟରେ ରାଜଧାନୀର ରୁପାଲି ଛକ ନିକଟରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଟ୍ରାଫିକ୍ ରେଡ୍ ସିଗ୍ନାଲ୍‌ରେ ଅଟକି ରହିଥିବା ଏକ ଅଟୋକୁ ପଛପଟୁ ଆସି ଧକ୍କା ଦେଇଛି ‘ଆମ ବସ’। ଧକ୍କା ଏତେ ଭୟଙ୍କର ଥିଲା ଯେ ଅଟୋଟି ଛିନ୍‌ଛତ୍ର ହୋଇଯାଇଥିଲା।

    ଏହି ଦୁର୍ଘଟଣାରେ ଅଟୋ ଚାଳକ ବିଷ୍ଣୁ ପାତ୍ରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଅଟୋରେ ବସିଥିବା ୩ ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ଆହତ ହୋଇଥିବାବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତଙ୍କୁ ତୁରନ୍ତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

    ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଅଟୋଟି ରାମ ମନ୍ଦିର ପଟୁ ବାଣୀବିହାର ଅଭିମୁଖେ ଯାଉଥିଲା। ଛକରେ ରେଡ୍ ସିଗ୍ନାଲ୍ ଥିବାରୁ ଅଟୋ ଅଟକିଥିଲା। ସାମ୍ନାରେ ଏକ ସ୍କୁଲ ବସ ଥିବାବେଳେ ପଛପଟୁ ତୀବ୍ର ଗତିରେ ଆସିଥିଲା ‘ଆମ ବସ’ ଏବଂ ଅଟୋକୁ ଚାପି ଦେଇଥିଲା।

    ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଆମ ବସ୍ ଚାଳକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରି ଉତ୍ୟକ୍ତ ଲୋକେ ବସ୍‌ଟିକୁ ଭଙ୍ଗାରୁଜା କରିଥିଲେ। ପ୍ରାୟ ଘଣ୍ଟାଏ କାଳ ଜନପଥରେ ଟ୍ରାଫିକ୍ ଯାମ ହୋଇଥିଲା।

    ଘଟଣାସ୍ଥଳରେ ଡିସିପି ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ‘ଆମ ବସ’ ଦୁର୍ଘଟଣା ଉପରେ ପୁଣିଥରେ ପ୍ରଶ୍ନ ଉଠିଛି।

    ସୂଚନା ଅନୁଯାୟୀ, ଗତ ଜୁନ୍ ୨୦୨୪ ପରଠାରୁ ଟ୍ବିନ୍‌ସିଟିରେ ‘ଆମ ବସ’ ଦ୍ୱାରା ୨୫ରୁ ଅଧିକ ଦୁର୍ଘଟଣା ଘଟିଥିବାବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ମାତ୍ର କାର୍ଯ୍ୟକାରୀ ପଦକ୍ଷେପ ନ ନେଉଥିବାରୁ ଦୁର୍ଘଟଣାରେ ବ୍ରେକ୍ ଲାଗୁନି ।

  • ଟ୍ରମ୍ପଙ୍କ ଭେନେଜୁଏଲା ବିରୋଧୀ ନୀତି ପୁଣି ଚର୍ଚ୍ଚାରେ

    ଟ୍ରମ୍ପଙ୍କ ଭେନେଜୁଏଲା ବିରୋଧୀ ନୀତି ପୁଣି ଚର୍ଚ୍ଚାରେ

    ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭେନେଜୁଏଲା ବିରୋଧରେ କଠୋର ନୀତି ପୁଣିଥରେ ଆନ୍ତର୍ଜାତୀୟ ରାଜନୀତିରେ ତୀବ୍ର ଚର୍ଚ୍ଚା ସୃଷ୍ଟି କରିଛି। ଏହାର ମୁଖ୍ୟ କାରଣ ହେଉଛି ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଗିରଫ କରାଯାଇଛି, ଯାହାକୁ ନେଇ ବିଶ୍ୱ ରାଜନୀତିରେ ହଲଚଲ ଦେଖାଦେଇଛି।

    ଆମେରିକା ପକ୍ଷରୁ କୁହାଯାଇଛି ଯେ, ଦୀର୍ଘଦିନ ଧରି ଚାଲିଥିବା ମାଦକ ଚୋରାଚାଳା, ଆନ୍ତର୍ଜାତୀୟ ଅପରାଧ ଚକ୍ର ଓ ଭାରି ଦୁର୍ନୀତି ସମ୍ପର୍କିତ ମାମଲାରେ ମାଦୁରୋ ଓ ତାଙ୍କ ସରକାରର କିଛି ଶୀର୍ଷ ନେତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆମେରିକୀୟ ନ୍ୟାୟ ବିଭାଗର ଅଭିଯୋଗ ଅନୁସାରେ, ମାଦୁରୋ ‘ଆନ୍ତର୍ଜାତୀୟ ମାଦକ ଚୋରାଚାଳା ନେଟୱର୍କ’ ସହ ସଂପୃକ୍ତ ଥିଲେ ଏବଂ କୋକେନ୍ ପରି ମାଦକ ଦ୍ରବ୍ୟ ଆମେରିକା ସହ ଅନ୍ୟାନ୍ୟ ଦେଶକୁ ପଠାଯାଉଥିଲା।

    ଡୋନାଲ୍ଡ ଟ୍ରମ୍ପ ତାଙ୍କ ଶାସନକାଳରେ ଭେନେଜୁଏଲା ବିରୋଧରେ ଦୀର୍ଘଦିନ ଧରି ଅର୍ଥନୈତିକ ପ୍ରତିବନ୍ଧ, ତେଲ ନିଷେଧାଜ୍ଞା ଓ କୂଟନୀତିକ ଚାପ ଲାଗୁ କରିଥିଲେ। ଟ୍ରମ୍ପଙ୍କ ମତରେ, ଏହା “ଭେନେଜୁଏଲାରେ ଲୋକତନ୍ତ୍ର ପୁନରୁଦ୍ଧାର ପାଇଁ ଆବଶ୍ୟକ ପଦକ୍ଷେପ”। ତେବେ ଭେନେଜୁଏଲା ସରକାର ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରି ଏହାକୁ ଆମେରିକାର ରାଜନୈତିକ ଷଡଯନ୍ତ୍ର ଓ ହସ୍ତକ୍ଷେପମୂଳକ ନୀତି ବୋଲି ଅଭିଯୋଗ କରିଛି।

    ମାଦୁରୋଙ୍କ ଗିରଫ ସମ୍ବନ୍ଧୀୟ ଖବରକୁ ନେଇ ଭେନେଜୁଏଲା ସରକାର କହିଛନ୍ତି ଯେ, ଏହା ଏକ ସ୍ୱାଧୀନ ଦେଶର ରାଷ୍ଟ୍ରପତିଙ୍କୁ ଅବୈଧ ଭାବେ ଲକ୍ଷ୍ୟ କରିବାର ଚେଷ୍ଟା ବୋଲି କହିଛି ଏବଂ ଏହାକୁ ଆନ୍ତର୍ଜାତୀୟ ଆଇନ ଓ ସଂଯୁକ୍ତ ରାଷ୍ଟ୍ର ସଂଘର ସାର୍ବଭୌମତ୍ୱ ନୀତିର ଉଲ୍ଲଂଘନ ବୋଲି ଅଭିହିତ କରିଛି।

    ଏହି ଘଟଣା ପରେ ଲାଟିନ୍ ଆମେରିକା ସହିତ ଅନେକ ଦେଶରେ ମିଳିତ ପ୍ରତିକ୍ରିୟା ଦେଖାଦେଇଛି। କିଛି ଦେଶ ଆମେରିକାର ଆଇନଗତ ପଦକ୍ଷେପକୁ ସମର୍ଥନ କରୁଥିବାବେଳେ, ଅନେକ ଦେଶ ଏହାକୁ ଆନ୍ତର୍ଜାତୀୟ ରାଜନୈତିକ ସ୍ଥିରତା ପାଇଁ ଭୟଙ୍କର ପ୍ରସଙ୍ଗ ବୋଲି ମନେ କରୁଛନ୍ତି।

    ରାଜନୈତିକ ବିଶ୍ଳେଷକଙ୍କ ମତରେ, ମାଦୁରୋ ଗିରଫ ମାମଲା କେବଳ ଆମେରିକା ଓ ଭେନେଜୁଏଲା ସମ୍ପର୍କରେ ସୀମିତ ନୁହେଁ, ଏହା ଆଗାମୀ ଦିନରେ ସମଗ୍ର ଲାଟିନ୍ ଆମେରିକାର ରାଜନୀତି ଓ ଆମେରିକାର ବିଦେଶନୀତି ଉପରେ ଗଭୀର ପ୍ରଭାବ ପକାଇପାରେ।

  • ଓଡିଶା ଗାଁ ଉପରେ ଆନ୍ଧ୍ର ପ୍ରଭାବ ବଢ଼ୁଛି

    ଓଡିଶା ଗାଁ ଉପରେ ଆନ୍ଧ୍ର ପ୍ରଭାବ ବଢ଼ୁଛି

    କୋଟିଆ ବିବାଦ ପରେ ଏବେ ଆନ୍ଧ୍ରପ୍ରଦେଶର ନଜର ଓଡିଶା–ଆନ୍ଧ୍ର ସୀମାନ୍ତର ଆଉ ଏକ ସଂବେଦନଶୀଳ ଅଞ୍ଚଳ ଉପରେ। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ସୀମାନ୍ତର ଗାଁଗୁଡିକୁ ଧୀରେଧୀରେ ନିଜ କବଜାକୁ ନେଉଥିବା ଅଭିଯୋଗ ଆସିଛି। ପ୍ରଥମେ ଜୁମଡାଙ୍ଗ ଗ୍ରାମ ପରେ ଏବେ ଓଡିଶାର ଦୋରାଗୁଡା ଗାଁ ଆନ୍ଧ୍ର ପ୍ରଭାବରେ ଆସିଥିବା ଚିତ୍ର ସାମ୍ନାକୁ ଆସିଛି।

    ସୂଚନା ଅନୁଯାୟୀ, ଦୋରାଗୁଡା ଗାଁକୁ ଓଡିଶା ପଟୁ ସିଧାସଳଖ ରାସ୍ତା ସଂଯୋଗ ନଥିବା ସୁଯୋଗକୁ ନେଇ ଆନ୍ଧ୍ର ସରକାର ଗାଁଟି ପାଇଁ ପ୍ରଶସ୍ତ ରାସ୍ତା ନିର୍ମାଣ କରୁଛି। ଏହା ସହ ଅସ୍ଥାୟୀ ସ୍କୁଲ ଖୋଲି ଓଡିଆ ପିଲାମାନଙ୍କୁ ତେଲୁଗୁ ଭାଷାରେ ପାଠ ପଢ଼ାଯାଉଛି। ଧୀରେଧୀରେ ଓଡିଶାର ଛାତ୍ରଛାତ୍ରୀଙ୍କ ମାତୃଭାଷା ଓଡିଆ ପରିବର୍ତ୍ତେ ତେଲୁଗୁ ହେଉଥିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

    କେବଳ ଶିକ୍ଷା ନୁହେଁ, ଆନ୍ଧ୍ର ସରକାର ପକ୍ଷରୁ ଗାଁଗୁଡିକୁ ମାଗଣା ବିଦ୍ୟୁତ ଓ ପାନୀୟ ଜଳ ସଂଯୋଗ ଯୋଗାଇ ଦିଆଯାଉଛି। ବିଦ୍ୟୁତ ସଂଯୋଗ ନଥିବା ସ୍ଥାନରେ ସୋଲାର ଲାଇଟ ଲଗାଇ ସମଗ୍ର ଗାଁକୁ ଆଲୋକିତ କରାଯାଉଛି। ପିଡିଏସ ଚାଉଳ, ଆବାସ ଯୋଜନାରେ ଅର୍ଥ ସହାୟତା ସହିତ ଚିକିତ୍ସାଳୟ ଓ ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଛି, ତାହା ମଧ୍ୟ ଓଡିଶାର ପଟ୍ଟା ଜମି ଉପରେ।

    ପୂର୍ବରୁ ଓଡିଶାର ଭୋଟର କାର୍ଡ ଓ ଆଧାର କାର୍ଡ ଥିବା ଅନେକ ଲୋକଙ୍କ ନାମ ଏବେ ଆନ୍ଧ୍ରପ୍ରଦେଶର ଭୋଟର ଓ ଆଧାର ତାଲିକାରେ ଯୋଡ଼ାଯାଇଛି। ଓଡିଶା ପକ୍ଷରୁ ରାସ୍ତା, ବିଦ୍ୟୁତ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ନ ପହଞ୍ଚିବାରୁ ଆନ୍ଧ୍ରର ସୁବିଧାକୁ ଆକୃଷ୍ଟ ହୋଇ ସ୍ଥାନୀୟ ବାସିନ୍ଦା ଆନ୍ଧ୍ର ମୁହାଁ ହେଉଥିବା ଦେଖାଯାଉଛି ।

    ଏନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ଚିନ୍ତା ପ୍ରକାଶ କରିଛି। ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, ତହସିଲ ଓ ବ୍ଲକ ସ୍ତରର କର୍ମଚାରୀଙ୍କୁ ସମ୍ପୃକ୍ତ ଗାଁଗୁଡିକୁ ପଠାଯାଇ ସ୍ଥିତିର ସଂପୂର୍ଣ୍ଣ ଅନୁଧ୍ୟାନ କରାଯିବ। ଓଡିଶା ସରକାରଙ୍କ ତରଫରୁ ସହାୟତା ଅପହଞ୍ଚ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଏହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ଆଶ୍ୱାସନ ଦେଇଛନ୍ତି।

  • ୩୫ ଲକ୍ଷ ଋଣ ଛାଡ଼ ପାଇଁ ସ୍ତ୍ରୀକୁ ହତ୍ୟା ଉଦ୍ୟମ

    ୩୫ ଲକ୍ଷ ଋଣ ଛାଡ଼ ପାଇଁ ସ୍ତ୍ରୀକୁ ହତ୍ୟା ଉଦ୍ୟମ

    ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ୩୫ ଲକ୍ଷ ଟଙ୍କାର ବ୍ୟବସାୟ ଋଣରୁ ମୁକ୍ତି ପାଇବା ଲୋଭରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ସ୍ୱାମୀ ଫିନାଇଲ୍ ଗୁଣ୍ଡକୁ ପାଣିରେ ମିଶାଇ ସ୍ତ୍ରୀଙ୍କୁ ପିଇବାକୁ ବାଧ୍ୟ କରିଥିବା କଥା ପୋଲିସ ତଦନ୍ତରେ ସ୍ପଷ୍ଟ ହୋଇଛି। ସୌଭାଗ୍ୟବଶତଃ ପୀଡିତା ବଞ୍ଚିଯାଇଛନ୍ତି।

    ଘଟଣାଟି ସତନା ସହରର ସିଭିଲ୍ ଲାଇନ୍ସ ଥାନା ଅନ୍ତର୍ଗତ ବଗାହା ଅଞ୍ଚଳରେ ଘଟିଛି। ପୀଡିତା ପୂର୍ଣ୍ଣିମା ତ୍ରିପାଠୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ୱାମୀ ଅନୁରାଗ ସୋହନ ତ୍ରିପାଠୀ ତାଙ୍କ ନାମରେ “ରୁଦ୍ର ଏଣ୍ଟରପ୍ରାଇଜେସ୍” ନାମକ ଏକ ଫାର୍ମ ଖୋଲି ସର୍ଜିକାଲ୍ ସାମଗ୍ରୀ ବ୍ୟବସାୟ କରୁଥିଲେ। ଏହି ବ୍ୟବସାୟ ପାଇଁ ବ୍ୟାଙ୍କରୁ ପୂର୍ଣ୍ଣିମାଙ୍କ ନାମରେ ୩୫ ଲକ୍ଷ ଟଙ୍କା ଋଣ ନିଆଯାଇଥିଲା। କିନ୍ତୁ ବ୍ୟବସାୟ ବିଫଳ ହେବା ପରେ ଋଣ ଚାପ ବଢ଼ିଥିଲା।

    ପୋଲିସ କହିଛି, ଡିସେମ୍ବର ୨୮ ତାରିଖ ରାତିରେ ଅନୁରାଗ ମଦ୍ୟପାନ କରି ଘରକୁ ଫେରି ପୂର୍ଣ୍ଣିମାଙ୍କୁ ଗାଳିଗୁଲଜ ଓ ମାଡ଼ମାରିଥିଲେ, ଯାହାଫହଳରେ ତାଙ୍କ ମୁହଁ ଓ ପାଟିରେ ଗୁରୁତର ଆଘାତ ଲାଗିଥିଲା। ପରଦିନ ସକାଳେ ବାଥରୁମରେ ରଖାଯାଇଥିବା ଫିନାଇଲ୍ ଟାବଲେଟ୍ ଗୁଣ୍ଡ କରି ପାଣିରେ ମିଶାଇ ସେହି ପାଣି ପିଇବାକୁ ସ୍ତ୍ରୀଙ୍କୁ ବାଧ୍ୟ କରିଥିବା ଅଭିଯୋଗ ରହିଛି। ମୃତ୍ୟୁ ହେଲେ ଋଣ ଛାଡ଼ ହୋଇଯିବ ବୋଲି ସେ ଧମକ ଦେଇଥିବା କଥା ମଧ୍ୟ ପୀଡିତା କହିଛନ୍ତି।

    ଅସୁସ୍ଥ ଥିବା ପୂର୍ଣ୍ଣିମାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ସେ ଚିକିତ୍ସାଧୀନ ଥିଲେ। ଡିସଚାର୍ଜ ପରେ ସେ ଓ ତାଙ୍କ ପରିବାର ସିଭିଲ୍ ଲାଇନ୍ସ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କ ବିରୁଦ୍ଧରେ ହତ୍ୟା ଚେଷ୍ଟା ସହ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।