Tag: #suchana news

  • ଫାଷ୍ଟଫୁଡ ନେଲା ଜୀବନ

    ଫାଷ୍ଟଫୁଡ ନେଲା ଜୀବନ

    ଆଜିକାଲି ସମୟରେ ପ୍ରାୟ ସମସ୍ତେ ଫାଷ୍ଟଫୁଡ୍ କିମ୍ବା ଜଙ୍କ ଫୁଡକୁ ଅଧିକ ପସନ୍ଦ କରୁଥିବା ଦେଖାଯାଉଛି। ଏହା ପାଟିକୁ ଭଲ ଲାଗୁଥିଲେ ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ସେହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରେ +୨ ପ୍ରଥମ ବର୍ଷରେ ପଢୁଥିବା ଜଣେ କଲେଜ ଛାତ୍ରୀ ଅଧିକ ଫାଷ୍ଟଫୁଡ ସେବନ କରି ମୃତ୍ୟୁବରଣ କରିଥିବା ଜଣାପଡିଛି। ଡାକ୍ତରମାନଙ୍କ କହିବା ଅନୁଯାୟୀ, ମୃତ୍ୟୁର ପ୍ରଧାନ କାରଣ ମାତ୍ରାଧିକ ଜଙ୍କ ଫୁଡ୍ ସେବନ କରିବା।

    ରିପୋର୍ଟ ଅନୁସାରେ, ଛାତ୍ରୀଜଣକ ଅମରୋହା ନଗର କୋତୱାଲି ଅଞ୍ଚଳର ଆଫଗାନ ମୋହଲ୍ଲାର ବାସିନ୍ଦା ଥିଲେ। ତାଙ୍କର ଚାଉମିନ୍, ମ୍ୟାଗି, ପିଜା ଓ ବର୍ଗର ଭଳି ଫାଷ୍ଟଫୁଡ ଖାଇବାର ଅଭ୍ୟାସ ଥିବା କଥା ପରିବାର ସଦସ୍ୟମାନେ କହିଛନ୍ତି। କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ହେବା ପରେ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ପଠାଯାଇଥିଲା।

    ଚିକିତ୍ସକମାନଙ୍କ କହିବା ଅନୁଯାୟୀ, ଅତ୍ୟଧିକ ଫାଷ୍ଟଫୁଡ ସେବନ ଯୋଗୁଁ ଛାତ୍ରୀଙ୍କ ଅନ୍ତନଳୀରେ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଥିଲା। ଅବସ୍ଥା ସଂକଟପୂର୍ଣ୍ଣ ହେବାରୁ ଅନ୍ତନଳୀ ସଫା କରିବା ପାଇଁ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା। ତଥାପି, ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରିନଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

    ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି। ଅତି କମ ବୟସରେ ଏଭଳି ମୃତ୍ୟୁ ସମଗ୍ର ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି। ଏହି ଘଟଣା ଫାଷ୍ଟଫୁଡ ଓ ଜଙ୍କ ଫୁଡ୍ ପ୍ରତି ସଚେତନତାର ଆବଶ୍ୟକତାକୁ ପୁନର୍ବାର ଉଜାଗର କରିଛି।

  • ଦେବାଳିଆ ପାକିସ୍ତାନ ହାଲ ବେହାଲ

    ଦେବାଳିଆ ପାକିସ୍ତାନ ହାଲ ବେହାଲ

    ଗଭୀର ଆର୍ଥିକ ସଂକଟରେ ଫସିଥିବା ପାକିସ୍ତାନ ଶେଷରେ ନିଜର ରାଷ୍ଟ୍ରୀୟ ବିମାନ ସେବା ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ (PIA) କୁ ବିକ୍ରି କରିବାକୁ ବାଧ୍ୟ ହୋଇଛି। ଗତ କିଛି ବର୍ଷ ହେବ ପାକିସ୍ତାନ ଦେବାଳିଆ ଅବସ୍ଥାରେ ପହଞ୍ଚିଥିବା ବେଳେ ଏବେ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। IMF ସମେତ ସମସ୍ତ ବନ୍ଧୁ ରାଷ୍ଟ୍ରମାନଙ୍କର ଆର୍ଥିକ ସହାୟତା ମଧ୍ୟ ପାକିସ୍ତାନକୁ ସଙ୍କଟରୁ ଉଦ୍ଧାର କରିପାରିଲା ନାହିଁ। ବର୍ତ୍ତମାନ ପରିସ୍ଥିତି ଏତେ ଖରାପ ହୋଇଛି ଯେ, ଶହବାଜ ସରିଫଙ୍କୁ ପାକିସ୍ତାନର ସରକାରୀ ବିମାନ କମ୍ପାନି PIAକୁ ବିକ୍ରି କରିବାକୁ ପଡିଛି। ଏହି ଚୁକ୍ତି ୧୩୫ ବିଲିୟନ ଟଙ୍କାରେ କରାଯାଇଛି। ପାକିସ୍ତାନ ମଙ୍ଗଳବାର କମ୍ପାନିର ଘରୋଇକରଣ ପ୍ରକ୍ରିୟା ସଫଳତାର ସହ ସମାପ୍ତ କରିଛି ଏବଂ ଏକ ସ୍ଥାନୀୟ ନିବେଶ କମ୍ପାନିକୁ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ ବିକ୍ରି କରିଛି।

    ଜାତୀୟ ଗଣମାଧ୍ୟମ ରିପୋର୍ଟ୍ ଅନୁସାରେ, ଏହା ବର୍ଷ ବର୍ଷ ଧରି ପରିଚାଳନାଗତ ତ୍ରୁଟି ଯୋଗୁଁ ସଂଘର୍ଷ କରୁଥିବା ଏକଦା ପ୍ରତିଷ୍ଠିତ ବାହକକୁ ପୁନର୍ଜୀବିତ କରିବା ଲକ୍ଷ୍ୟ ରଖିଛି। ଏହି ନିଲାମ ପାଇଁ ତିନୋଟି କମ୍ପାନୀ ନିଲାମ ଦେଇଥିଲେ, ଯଥା ଆରିଫ୍ ହବିବ୍, ଲକି ସିମେଣ୍ଟ୍ ଏବଂ ଏୟାରବ୍ଲୁ। ଲକି ସିମେଣ୍ଟ୍ ବିପକ୍ଷରେ ଏକ ପ୍ରତିଦ୍ଵନ୍ଦୀ ନିଲାମ ଡାକିବା ପରେ ଆରିଫ୍ ହବିବ୍ ଏହି ନିଲାମ ଜିତିଥିଲେ। ୧୩୫ ବିଲିୟନ ଟଙ୍କାର ସଫଳ ନିଲାମ ମୂଲ୍ୟ ସରକାରଙ୍କ ୧୦୦ ବିଲିୟନ ଟଙ୍କାର ରେଫରେନ୍ସ ମୂଲ୍ୟ ଅପେକ୍ଷା ବହୁତ ଅଧିକ ଥିଲା।

    ଏହି ପର୍ଯ୍ୟାୟରେ PIA ର ୭୫% ଶେୟର୍‌ର ବିକ୍ରୟ ହେବ। ଏବଂ ସଫଳ ବିଡରଙ୍କ ପାଖରେ ବାକି ୨୫% କ୍ରୟ କରିବା ପାଇଁ ୯୦ ଦିନ ସମୟ ରହିବ। ଜାତୀୟ ବାହକ କମ୍ପାନୀର ବିକ୍ରୟରୁ ସଂଗୃହୀତ ଅର୍ଥର ଏକ ବୃହତ ଅଂଶ ୯୨.୫ % ବିମାନ କମ୍ପାନୀରେ ବିନିଯୋଗ କରାଯିବା, ଯେତେବେଳେ କି ବାକି ୭.୫% ସରକାରଙ୍କୁ ପ୍ରଦାନକରାଯିବା।

    ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫ୍ ଏଇ ବିକ୍ରୟ ପ୍ରକ୍ରିୟାର ପାରଦର୍ଶିତାକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ “ଏହା ପାକିସ୍ତାନର ଇତିହାସରେ ସବୁଠାରୁ ବଡ଼ ଲେନଦେନରେରୁ ଗୋଟିଏ ହେବ”। ସମ୍ପୂର୍ଣ୍ଣ ବିଡ୍ ପ୍ରକ୍ରିୟାଟି ସ୍ଥାନୀୟ ଟିଭି ଚ୍ୟାନେଲମାନଙ୍କରେ ସିଧା ପ୍ରସାରଣ କରାଯାଇଥିଲା। ଏହି ବିକ୍ରୟ ପାଇଁ ପୂର୍ବ ବର୍ଷ ବିଫଳ ହେବା ସତ୍ୱେ ଏହି ବର୍ଷ ସଫଳ ହୋଇଛି।

    ପୂର୍ବେ ଗୋଟିଏ ପ୍ରମୁଖ ବିମାନ ସେବା ସଂସ୍ଥା ଭାବେ ପରିଚିତ PIA ପାଇଁ ନିଜୀକରଣ ଏକ ଯୁଗର ଶେଷକୁ ସୂଚିତ କରୁଛି। ଦୀର୍ଘବର୍ଷର ଖରାପ ପରିଚାଳନା ଏହାର ସେବାର ଗୁଣମାନ ଓ ପ୍ରତିଷ୍ଠାକୁ ଗୁରୁତର ଭାବେ କ୍ଷତିଗ୍ରସ୍ତ କରିଥିଲା, ଯାହାର ପରିଣାମସ୍ୱରୂପ ସରକାରକୁ ଏହାକୁ ନିଜୀ ନିବେଶକଙ୍କ ପାଖକୁ ବିକ୍ରୟ କରିବାକୁ ବାଧ୍ୟ ହେବାକୁ ପଡ଼ିଲା।

  • ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ବ୍ରହ୍ମପୁର କମ୍ପି ଉଠିଲା

    ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ବ୍ରହ୍ମପୁର କମ୍ପି ଉଠିଲା

    ବ୍ରହ୍ମପୁର ସହରରେ ଗତ ରାତିରେ ଏକ ଭୟଙ୍କର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଏହି ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା ବେଳେ ପାଖାପାଖି ଅନେକ ଘରକୁ କ୍ଷତି ପହଞ୍ଚିଛି।

    ସୂଚନା ଅନୁଯାୟୀ, ବ୍ରହ୍ମପୁର ନିମାଖାଣ୍ଡି ଥାନା ଅନ୍ତର୍ଗତ ବୋରିଗାଁ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ବୋରିଗାଁ ବଡବନ୍ଧ ସାହିର ପ୍ରଫୁଲ ରାଉଳଙ୍କ ଘରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଗତ ରାତି ପ୍ରାୟ ୧୦ଟା ୩୦ମିନିଟରେ ହଠାତ୍ ଗ୍ୟାସ ସିଲିଣ୍ଡରରୁ ଭୟଙ୍କର ଶବ୍ଦ ସହ ବିସ୍ଫୋରଣ ଘଟିଥିଲା। ପୀଡ଼ିତ ଜଣଙ୍କ ଯେତେବେଳେ ରୋଷେଇ ପାଇଁ ଗ୍ୟାସ ଅନ କରିଥିଲେ ସେହି ସମୟରେ ଗ୍ୟାସ ଲିକ୍କ ହୋଇ ବିସ୍ଫୋରଣ ହୋଇଥିଲା, ଏହାର ପ୍ରଭାବରେ ଘରର କାନ୍ଥ ଭାଙ୍ଗିଯାଇଥିଲା ଓ ଆଖପାଖରେ ଥିବା କିଛି ଘରରେ ମଧ୍ୟ ଫାଟ ପଡ଼ିଥିଲା।

    ଘଟଣାବେଳେ ଘର ଭିତରେ ଥିବା ବ୍ୟକ୍ତି ଗୁରୁତର ଭାବେ ଦଗ୍ଧ ହୋଇଥିଲେ। ପୀଡ଼ିତଙ୍କ ଛଡା ଅନ୍ୟ କେହି ପରିବାର ଲୋକ ଘରେ ନଥିଲେ। ଶବ୍ଦ ସୁଣି ପଡ଼ୋସୀମାନେ ଘଟଣାସ୍ଥଳକୁ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ MKCG ମେଡିକାଲକୁ ନେଇଥିଲେ। ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

    ଘଟଣାର ସୂଚନା ପାଇ ଅଗ୍ନିଶମ ବିଭାଗ ଏବଂ TPCODL ଟିମ୍ ସ୍ଥଳରେ ପହଞ୍ଚି ଅଗ୍ନିକୁ ନିୟନ୍ତ୍ରଣ କରିଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତରେ ଗ୍ୟାସ ଲିକ୍ କିମ୍ବା ଅନ୍ୟ କିଛି ତ୍ରୁଟି ହେତୁ ବିସ୍ଫୋରଣ ଘଟିଥିବା ଆଶଙ୍କା କରାଯାଉଛି। ପୋଲିସ୍ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଆରମ୍ଭ କରିଛି।

  • ବନ ବିଭାଗର ଥାର ଗାଡ଼ି କିଣାକୁ ନେଇ ବଡ଼ ଦୁର୍ନୀତି ସନ୍ଦେହ

    ବନ ବିଭାଗର ଥାର ଗାଡ଼ି କିଣାକୁ ନେଇ ବଡ଼ ଦୁର୍ନୀତି ସନ୍ଦେହ

    ଜଙ୍ଗଲ ବିଭାଗରେ ଥାର ଗାଡ଼ି କିଣା ଓ ମୋଡିଫିକେସନକୁ ନେଇ ବଡ଼ ଦୁର୍ନୀତି ହୋଇଥିବା ସନ୍ଦେହ ଦିନକୁ ଦିନ ଗଭୀର ହେଉଛି। ବିଧାନସଭାରେ ଥାର ଗାଡ଼ି ମୋଡିଫିକେସନରେ ୫ କୋଟି ଟଙ୍କାରୁ ଅଧିକ ଅତିରିକ୍ତ ଖର୍ଚ୍ଚ ନେଇ ପ୍ରଶ୍ନ ଉଠିବା ପରେ ସରକାରୀ ସ୍ତରରେ ହଟଚମଟ ଆରମ୍ଭ ହୋଇଛି। ଏହି ସମ୍ପୂର୍ଣ୍ଣ ଘଟଣାର ସ୍ୱତନ୍ତ୍ର ଅଡିଟ୍‌ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

    ସୂଚନାମୁତାବକ, ଜଙ୍ଗଲ ଅଞ୍ଚଳରେ ପେଟ୍ରୋଲିଂ କରିବା ଉଦ୍ଦେଶ୍ୟରେ ବନ ବିଭାଗ ୫୧ଟି ଥାର ଗାଡ଼ି କିଣିଛି। ଏହି ୫୧ଟି ଗାଡ଼ି କିଣିବା ପାଇଁ ପ୍ରାୟ ୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ, ମୋଡିଫିକେସନ ନାଁରେ ଆଉ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡିଛି। ଏହାଫଳରେ ଗୋଟିଏ ଗାଡ଼ି ପାଇଁ ସର୍ବମୋଟ ୨୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଯାଇଛି।

    ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏହି ବିଷୟରେ ଉତ୍ତର ରଖିବା ପରେ ଦୁର୍ନୀତିର ଗନ୍ଧ ବାରି ହୋଇଥିଲା। ମନ୍ତ୍ରୀ କହିଥିଲେ, ଜଙ୍ଗଲ ଅଞ୍ଚଳରେ ରାତିରେ ପେଟ୍ରୋଲିଂ ପାଇଁ ଗାଡ଼ିରେ ବଡ଼ ଲାଇଟ, ବମ୍ଫର ମୋଡିଫିକେସନ ସହ ଅନ୍ୟାନ୍ୟ ସୁବିଧା ଯୋଡାଯାଇଛି। ତେବେ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ ହୋଇଥିଲେ ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

    ଏହି ମଧ୍ୟରେ ବନ୍ୟପ୍ରାଣୀ ବିଭାଗ ପିସିସିଏଫ୍‌ଙ୍କ କାର୍ଯ୍ୟାଳୟରେ ଥାର ଗାଡ଼ି କିଣା ଓ ମୋଡିଫିକେସନ ସମ୍ପର୍କିତ ସମସ୍ତ ଖର୍ଚ୍ଚର ସ୍ୱତନ୍ତ୍ର ଅଡିଟ୍‌ କରିବାକୁ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି।

    ଅଟୋମୋବାଇଲ ବିଶେଷଜ୍ଞଙ୍କ ମତାନୁସାରେ, ଏଭଳି ପେଟ୍ରୋଲିଂ ମୋଡିଫିକେସନ କଲେ ସର୍ବାଧିକ ସାଢେ ୩ରୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରେ। ତେଣୁ ୧୦ ଲକ୍ଷ ଟଙ୍କା ପ୍ରତି ଗାଡ଼ି ମୋଡିଫିକେସନ ଦାବି ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି।

    ଏହି ଅଡିଟ୍‌ ରିପୋର୍ଟ ପରେ ବନ ବିଭାଗର ଥାର ଗାଡ଼ି କିଣା ମାମଲାରେ ଦୁର୍ନୀତିର ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

  • ଟି–୨୦ ବିଶ୍ୱକପ ପୂର୍ବରୁ ଶୁଭମନ୍ ଗିଲ୍‌ଙ୍କୁ ଝଟକା

    ଟି–୨୦ ବିଶ୍ୱକପ ପୂର୍ବରୁ ଶୁଭମନ୍ ଗିଲ୍‌ଙ୍କୁ ଝଟକା

    ଟିମ୍ ଇଣ୍ଡିଆର ଟି–୨୦ ବିଶ୍ୱକପ ଦଳ ଘୋଷଣା ପୂର୍ବରୁ ଶୁଭମନ୍ ଗିଲ୍‌ଙ୍କ ପାଖକୁ ଆସିଥିବା ଗୋଟିଏ ଫୋନ୍ କଲ୍ ଏବେ ବଡ଼ ଚର୍ଚ୍ଚାର ବିଷୟ ହୋଇଛି। ସେହି ଫୋନ୍ କଲ୍‌ରେ ଗିଲ୍‌ଙ୍କୁ ସଫାସଫା କୁହାଯାଇଥିଲା ଯେ, ତାଙ୍କୁ ଟି–୨୦ ବିଶ୍ୱକପ ଦଳରେ ସ୍ଥାନ ମିଳିନି। ଆଉ ମାତ୍ର କିଛି ମିନିଟ୍ ପରେ ପ୍ରେସ୍ କନଫରେନ୍ସ ହୋଇ ବିଶ୍ୱକପ ଟିମ୍ ଘୋଷଣା ହୋଇଯାଇଥିଲା, ଯେଉଁଥିରେ ଶୁଭମନ୍ ଗିଲ୍‌ଙ୍କ ନାମ ନଥିଲା।

    ଆଗାମୀ ଟି–୨୦ ବିଶ୍ୱକପ ପାଇଁ ଘୋଷିତ ଦଳରେ ସୂର୍ୟ୍ୟକୁମାର ଯାଦବଙ୍କୁ କ୍ୟାପଟେନ୍ ଏବଂ ଅକ୍ଷର ପଟେଲ୍‌ଙ୍କୁ ଭାଇସ୍ କ୍ୟାପଟେନ୍ କରାଯାଇଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା, ଟିମ୍ ଇଣ୍ଡିଆର ଓ୍ୱାନଡେ ଓ ଟେଷ୍ଟ ଦଳର ମୁଖ୍ୟ ଭରସା ଶୁଭମନ୍ ଗିଲ୍‌ଙ୍କୁ ଟି–୨୦ ବିଶ୍ୱକପ୍ ଦଳରୁ ବାଦ ଦିଆଯିବା।

    ରିପୋର୍ଟ ଅନୁସାରେ, ଶନିବାର ଦିନ ସିଲେକ୍ସନ୍ କମିଟିର ବୈଠକ ଚାଲିଥିବା ସମୟରେ ହିଁ ଗିଲ୍‌ଙ୍କୁ ଏହି ଫୋନ୍ କଲ୍ ଯାଇଥିଲା। ସେତେବେଳେ ସେ ଅହମ୍ମଦାବାଦରୁ ଚଣ୍ଡିଗଡ଼ ଫେରୁଥିଲେ। BCCIର ଜଣେ ଅଧିକାରୀ ତାଙ୍କୁ ଦଳ ଗଠନ କାରଣ ଦେଖାଇ ଏହି ନିଷ୍ପତ୍ତି ବିଷୟରେ ଜଣାଇଥିଲେ। ଏହା ଗିଲ୍ ପାଇଁ ଅପେକ୍ଷା କରାଯାଇନଥିବା ଝଟକା ଥିଲା, କାରଣ ସେ ନ୍ୟୁଜିଲାଣ୍ଡ ସିରିଜ୍ ଏବଂ ବିଶ୍ୱକପ୍ ପାଇଁ ନିଜକୁ ପ୍ରସ୍ତୁତ ବୋଲି ଭାବୁଥିଲେ।

    ଚୟନକର୍ତ୍ତାମାନଙ୍କ କହିବା ଅନୁସାରେ, ଟିମ୍ କମ୍ବିନେସନ୍ ଓ ଟି–୨୦ ଫର୍ମାଟ୍‌ର ଚାହିଦା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି। ଗତ କିଛି ଟି–୨୦ ମ୍ୟାଚ୍‌ରେ ଗିଲ୍‌ଙ୍କ ବ୍ୟାଟ୍ ଶାନ୍ତ ରହିଥିବାବେଳେ, ସୟଦ ମୁସ୍ତାକ ଅଲି ଟ୍ରଫିରେ ଦମଦାର ପ୍ରଦର୍ଶନ କରିଥିବା ଇଶାନ କିଷାନ ଓ ରିଙ୍କୁ ସିଂହଙ୍କୁ ସୁଯୋଗ ମିଳିଛି।

    ତଥାପି, ଶେଷ ମୁହୂର୍ତ୍ତରେ ଫୋନ୍ କଲ୍ ମାଧ୍ୟମରେ ଏଭଳି ସୂଚନା ଦେବାକୁ ନେଇ ବିବାଦ ମଧ୍ୟ ସୃଷ୍ଟି ହୋଇଛି। ବିଶେଷଜ୍ଞମାନେ କହୁଛନ୍ତି, ଗିଲ୍‌ଙ୍କ ଆଗକୁ ଦୀର୍ଘ କ୍ୟାରିଅର୍ ରହିଛି ଏବଂ ଗୋଟିଏ ବିଶ୍ୱକପରୁ ବାଦ ପଡ଼ିବା ତାଙ୍କ ଭବିଷ୍ୟତକୁ ଆଘାତ ଦେଇପାରିବ ନାହିଁ।

  • ଯାତ୍ରୀଙ୍କ ଖର୍ଚ୍ଚା ବଢ଼େଇଲା ରେଳବିଭାଗ

    ଯାତ୍ରୀଙ୍କ ଖର୍ଚ୍ଚା ବଢ଼େଇଲା ରେଳବିଭାଗ

    ରେଲୱେ ଯାତ୍ରୀଙ୍କ ପାଇଁ ଏକ ବଡ ଖବର ଆସିଛି। ଭାରତୀୟ ରେଲୱେ ଟିକେଟ୍ ଦରରେ ବୃଦ୍ଧି କରିଛି, ଯାହା ଜେନେରାଲ୍‌ କ୍ଲାସ୍‌ରୁ ଏସି କ୍ଲାସ୍‌ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀଙ୍କୁ ପ୍ରଭାବିତ କରିବ। ଏହି ବୃଦ୍ଧି ବିଶେଷକରି ଦୂରଦୂରାନ୍ତ ଯାତ୍ରା କରୁଥିବା ଯାତ୍ରୀମାନଙ୍କର ଖର୍ଚ୍ଚା ବଢାଇଦେବ।

    ନୂଆ ଦର ଅନୁସାରେ, ସାଧାରଣ ବର୍ଗରେ ୨୧୫ କିଲୋମିଟରରୁ ଅଧିକ ଯାତ୍ରା ପାଇଁ ପ୍ରତି କିଲୋମିଟର ୧ ପଇସା ବଢିଛି। ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନରେ ନନ୍ ଏସି ପାଇଁ ପ୍ରତି କିଲୋମିଟର ୨ ପଇସା ବୃଦ୍ଧି ହୋଇଛି। ଏସି କ୍ଲାସ୍‌ରେ ମଧ୍ୟ ପ୍ରତି କିଲୋମିଟର ୨ ପଇସା ଦର ବଢାଯାଇଛି।

    ଉଦାହରଣ ସ୍ୱରୂପ, ନନ୍ ଏସି କ୍ଲାସ୍‌ରେ ୫୦୦ କିମି ଯାତ୍ରା ପାଇଁ ଯାତ୍ରୀକୁ ଅଧିକ ୧୦ ଟଙ୍କା ଦେବାକୁ ପଡ଼ିବ। ଏହି ନୂଆ ଟିକେଟ୍ ଦର ୨୬ ତାରିଖରୁ ପ୍ରଭାବୀ ହେବ। ରେଲୱେ ଏହାକୁ ଯାତ୍ରୀ ସଂଖ୍ୟା, ଦୂରତା ଓ ସମସ୍ତ ବର୍ଗରେ ଟିକେଟ୍ ରେଭେନ୍ୟୁ ବୃଦ୍ଧି ପାଇଁ କରିଛି।ରେଲୱେ ସେବାର ଗୁଣତ୍ୱ ରକ୍ଷା କରିବା ଏବଂ ରେଲୱେ ବଜେଟ୍‌ରେ ସାହାଯ୍ୟ କରିବାର ଲକ୍ଷ୍ୟରେ ନିଆଯାଇଛି। ଯାତ୍ରୀମାନେ ନୂଆ ଦରକୁ ଧ୍ୟାନରେ ରଖି ଯାତ୍ରା ପରିକଳ୍ପନା କରିବା ଉଚିତ।

    କିଛି ଯାତ୍ରୀ ଏହି ବୃଦ୍ଧିକୁ ଅସନ୍ତୁଷ୍ଟ ଭାବରେ ନେଇଛନ୍ତି, କିନ୍ତୁ ରେଲୱେ ଏହାକୁ ଆବଶ୍ୟକୀୟ ପଦକ୍ଷେପ ଭାବରେ ବର୍ଣ୍ଣନା କରିଛି, ଯାହା ଦୀର୍ଘ ମାସ୍‌ରେ ସବୁ ବର୍ଗର ଯାତ୍ରୀଙ୍କୁ ଲାଭ ଦେବ।

  • ରାଜସ୍ଵ ବିଭାଗ ଜାରି କଲା ନୂତନ SOP

    ରାଜସ୍ଵ ବିଭାଗ ଜାରି କଲା ନୂତନ SOP

    ଓଡ଼ିଶାରେ ଜମି ବେଞ୍ଚମାର୍କ ମୂଲ୍ୟ ବୃଦ୍ଧି ପାଇଁ ରାଜସ୍ଵ ବିଭାଗ ତୁରନ୍ତ ପଦକ୍ଷେପ ନେଇଛି। ରାଜସ୍ଵ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବୃଦ୍ଧି କୌଣସି ସମସ୍ତ ଜମି ଓ ସ୍ଥାବର ସମ୍ପତ୍ତିର ମୂଲ୍ୟରେ ପ୍ରଭାବ ପକାଇବାରୁ ଏହା ସାମ୍ପ୍ରତିକ ଭାବେ ସବୁ ପାଇଁ ଗୁରୁତ୍ଵପୂର୍ଣ୍ଣ ଘଟଣା ଭାବରେ ଦେଖାଯାଉଛି।

    ସୂଚନା ଅନୁଯାୟୀ, ଜମିଗୁଡ଼ିକର ସ୍ଥିତି, ପ୍ରକାର ଏବଂ ରାଜପଥ ନିକଟତାକୁ ଧ୍ୟାନରେ ରଖି ବେଞ୍ଚମାର୍କ ମୂଲ୍ୟ ନିର୍ଣ୍ଣୟ କରାଯିବ। ଏହି ପଦକ୍ଷେପ ରାଜସ୍ଵ ବିଭାଗ ଦ୍ୱାରା ଡିସେମ୍ବର ୧୯ ରେ ଜାରି କରାଯାଇଥିବା ଏସ୍‌ଓପି ଅନୁସାରେ କରାଯିବ। ଏସ୍‌ଓପି ଅନୁଯାୟୀ, ପ୍ରତି ଦୁଇ ବର୍ଷରେ ଜମି ଓ ସ୍ଥାବର ସମ୍ପତ୍ତିର ବେଞ୍ଚମାର୍କ ମୂଲ୍ୟାୟନ ହେବାକୁ ନିର୍ଦ୍ଧାରିତ।

    ରାଜସ୍ଵ ବିଭାଗ ପକ୍ଷରୁ ଏହାକୁ ନିୟମିତ କରିବା ପାଇଁ ସମସ୍ତ ଜିଲ୍ଲା ଚିଠି ପଠାଇ ଏବଂ ଜମି ମୂଲ୍ୟାୟନରେ କିଛି ମୂଳଭୂତ ଦିଗକୁ ଗୁରୁତ୍ଵ ଦିଆଯିବ। ଏଥିରେ ଜମିର ରକ୍ଷା, ଅବସ୍ଥିତି, ପ୍ରକାର, ସହର ନିକଟତା ଓ ବିକାଶ ସମ୍ଭାବନା ସମ୍ମିଳିତ।

    ଏହି ଏସ୍‌ଓପି ଜାରି ହେବାର ଲକ୍ଷ୍ୟ ହେଉଛି ଜମି ଓ ସ୍ଥାବର ସମ୍ପତ୍ତିର ନିୟମିତ ମୂଲ୍ୟାୟନ କରି, ଗୁରୁତ୍ଵ ସଂଗ୍ରହ ଓ ଆଇନ-ଶୃଙ୍ଖଳାରେ ସମସ୍ତ ବ୍ୟବସ୍ଥା କରିବା। ଏହାର ଫଳରେ ଜମି ବିକ୍ରୟ ଓ ଅନ୍ୟାନ୍ୟ ସମ୍ପତ୍ତି ଲେନଦେନରେ ସଠିକ୍ ମୂଲ୍ୟ ନିର୍ଣ୍ଣୟ ହେବାକୁ ସାହାଯ୍ୟ ମିଳିବ।

    ଓଡ଼ିଶାର ସମସ୍ତ ଜିଲ୍ଲାରେ ଏହି ଏସ୍‌ଓପି କାର୍ଯ୍ୟକାରୀ ହେବା ସହ, ଜମି ବେଞ୍ଚମାର୍କ ମୂଲ୍ୟର ସମସ୍ତ ଅଦ୍ୟତନ ସୂଚନା ସଂଗ୍ରହ ଓ ପ୍ରଚାର କରାଯିବ।

  • ଅନୁଗୁଳରେ ଆଇନ-ଶୃଙ୍ଖଳାକୁ ଚାଲେଞ୍ଜ, ପୁଲିସ ଅଧିକାରୀଙ୍କ ଉପରେ ହତ୍ୟା ଉଦ୍ୟମ

    ଅନୁଗୁଳରେ ଆଇନ-ଶୃଙ୍ଖଳାକୁ ଚାଲେଞ୍ଜ, ପୁଲିସ ଅଧିକାରୀଙ୍କ ଉପରେ ହତ୍ୟା ଉଦ୍ୟମ

    ଅନୁଗୁଳ ଜିଲ୍ଲାରେ ଆଇନ-ଶୃଙ୍ଖଳାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି ଏକ ଚାଞ୍ଚଳ୍ୟକର ଘଟଣା। ଗତ ୧୮ ତାରିଖ ରାତିରେ ଅନୁଗୁଳ ସାଇବର ଥାନା ଅଧିକାରୀ ଇନ୍ସପେକ୍ଟର ଖଲେଶ୍ୱର ସେଠୀଙ୍କ ଉପରେ ହତ୍ୟା ଉଦ୍ୟମ ହୋଇଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

    ସୂଚନା ଅନୁଯାୟୀ, ଇନ୍ସପେକ୍ଟର ଖଲେଶ୍ୱର ସେଠୀ ଗତ ୧୮ ତାରିଖ ରାତି ପ୍ରାୟ ସାଢେ ୧୧ଟା ସମୟରେ ଡ୍ୟୁଟି ସାରି ଥାନାରୁ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ବୁଢ଼ୀ ଠାକୁରାଣୀ ଛକ ନିକଟରେ ହଠାତ୍‌ ଏକ ବସ୍‌ ତାଙ୍କ ଦିଗକୁ ଦ୍ରୁତ ଗତିରେ ଆସିଥିଲା। ଡ୍ରାଇଭର୍‌ ତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତେବେ ଇନ୍ସପେକ୍ଟର ସେଠୀ ସଚେତନ ହୋଇ ରାସ୍ତା କଡ଼କୁ ଚାଲିଯିବାରୁ ଅଳ୍ପକେ ଜୀବନରକ୍ଷା ପାଇଥିଲେ।

    ଘଟଣା ପରେ ବସ୍‌ରୁ ଡ୍ରାଇଭର୍‌ ସହ ଅନ୍ୟ ଦୁଇ ଜଣ ସହଯୋଗୀ ଓହ୍ଲାଇ ତାଙ୍କୁ ଗାଳିଗୁଲଜ କରିବା ସହ ଜାତିକୁ ନେଇ ଆକ୍ଷେପ କରିଥିବା ଅଭିଯୋଗ ମଧ୍ୟ ହୋଇଛି। ଏହା ପରେ ଇନ୍ସପେକ୍ଟର ସେଠୀ ତୁରନ୍ତ ଅନୁଗୁଳ ଥାନାକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପୁଲିସ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା।

    ଏହି ଘଟଣାକୁ ନେଇ ପୁଲିସ ଥାନାରେ ଏତଲା ଦାଖଲ ହେବା ପରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କ ପରିଚୟ ଓ ଘଟଣାର ପୃଷ୍ଠଭୂମି ଖୋଜିବା ପାଇଁ ପୁଲିସ ତଦନ୍ତ ଜୋରଦାର କରିଛି।

  • ସନ୍ଦେହଜନକ ଖାଦ୍ୟରେ ଅନୁଗୋଳରେ ଅଭାବନୀୟ ଘଟଣା

    ସନ୍ଦେହଜନକ ଖାଦ୍ୟରେ ଅନୁଗୋଳରେ ଅଭାବନୀୟ ଘଟଣା

    ଢେଙ୍କାନାଳ ଜିଲ୍ଲାରୁ ଏକ ମର୍ମାନ୍ତିକ ଘଟଣା ସାମ୍ନାକୁ ଆସିଛି। ସନ୍ଦେହଜନକ ଖାଦ୍ୟ ଖାଇବା ପରେ ଗୋଟିଏ ପରିବାରର ତିନିଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହି ଦୁଃଖଦ ଘଟଣା ଢେଙ୍କାନାଳ ଜିଲ୍ଲାର କଣ୍ଟାବଣିଆ ଥାନା ଅନ୍ତର୍ଗତ ଇଟାପା ଗାଁରେ ଘଟିଛି। ଘଟଣା ପରେ ସମଗ୍ର ଗାଁରେ ଶୋକର ପରିବେଶ ଦେଖାଦେଇଛି।

    ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଅନ୍ତର୍ଯ୍ୟାମୀ ସାହୁଙ୍କ ପରିବାର ଚିକେନ୍ ସହ ପାଳଙ୍ଗ ଶାଗ ରନ୍ଧି ଖାଇଥିଲେ। ଖାଇବା ପରେ ସମସ୍ତେ ଶୋଇପଡ଼ିଥିଲେ। କିନ୍ତୁ ସକାଳ ହେଲେ ମଧ୍ୟ ଘରର କବାଟ ଖୋଲା ନହେବାରୁ ପଡୋଶୀମାନଙ୍କର ସନ୍ଦେହ ବଢ଼ିଥିଲା। ପଡୋଶୀମାନେ କବାଟ ଖୋଲି ଭିତରକୁ ପ୍ରବେଶ କରିବା ପରେ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖିଥିଲେ।

    ତୁରନ୍ତ ତିନିଜଣଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେତେବେଳେକୁ ବହୁତ ବିଳମ୍ବ ହୋଇସାରିଥିଲା। ଡାକ୍ତରମାନେ ଅନ୍ତର୍ଯ୍ୟାମୀ ସାହୁଙ୍କ ପତ୍ନୀ ଓ ତାଙ୍କ ଦୁଇ ପୁଅ ପିଣ୍ଟୁ ସାହୁ ଓ ଲିଣ୍ଟୁ ସାହୁଙ୍କୁ ମୃତ ଘୋଷଣା କରିଥିଲେ।

    ବର୍ତ୍ତମାନ ସମସ୍ତଙ୍କ ମୃତଦେହ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି। ବ୍ୟବଚ୍ଛେଦ ପରେ ମୃତଦେହଗୁଡ଼ିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏହା ଖାଦ୍ୟ ବିଷାକ୍ତତା (ଫୁଡ୍ ପଏଜନିଂ) ଯୋଗୁଁ ଘଟିଛି କିମ୍ବା ଅନ୍ୟ କୌଣସି କାରଣ ରହିଛି, ତାହା ସ୍ପଷ୍ଟ ହୋଇନାହିଁ।

    ଘଟଣାକୁ ନେଇ ଅନୁଗୋଳ ଓ କଣ୍ଟାବଣିଆ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଓ ପ୍ରାଥମିକ ତଦନ୍ତ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

  • ଚାପମୁକ୍ତ ଜୀବନ ପାଇଁ ଧ୍ୟାନ,ଆଜି ବିଶ୍ୱ ଧ୍ୟାନ ଦିବସ

    ଚାପମୁକ୍ତ ଜୀବନ ପାଇଁ ଧ୍ୟାନ,ଆଜି ବିଶ୍ୱ ଧ୍ୟାନ ଦିବସ

    ବିଶ୍ୱ ଧ୍ୟାନ ଦିବସ (World Meditation Day) ପ୍ରତିବର୍ଷ ସାରା ବିଶ୍ୱରେ ମାନସିକ ଶାନ୍ତି, ଆତ୍ମିକ ସନ୍ତୁଳନ ଓ ସୁସ୍ଥ ଜୀବନ ଶୈଳୀ ପ୍ରତି ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ। ଆଧୁନିକ ଜୀବନରେ ମନୁଷ୍ୟ ଅତ୍ୟଧିକ ଚାପ, ଅସ୍ଥିରତା ଓ ମାନସିକ ରୋଗର ସମ୍ମୁଖୀନ ହେଉଥିବାରୁ ଧ୍ୟାନକୁ ଏକ ଆବଶ୍ୟକ ଆତ୍ମିକ ଅଭ୍ୟାସ ଭାବେ ଗ୍ରହଣ କରାଯାଇଛି।

    ଧ୍ୟାନ ହେଉଛି ଏକ ମନୋନିୟନ୍ତ୍ରଣ ପ୍ରକ୍ରିୟା, ଯାହା ମାନବ ମନକୁ ଅଶାନ୍ତିରୁ ଶାନ୍ତି ଦିଗକୁ ନେଇଯାଏ। ଧ୍ୟାନର ବିଭିନ୍ନ ପ୍ରକାର ରହିଛି—ଯେପରିକି ଧ୍ୟାନ ଯୋଗ, ମନ୍ତ୍ର ଧ୍ୟାନ, ଶ୍ୱାସ-ପ୍ରଶ୍ୱାସ ଧ୍ୟାନ ଓ ମାଇଣ୍ଡଫୁଲନେସ୍ ଧ୍ୟାନ। ଏହି ସମସ୍ତ ପ୍ରକାର ଧ୍ୟାନ ମାନବ ମନକୁ ଏକାଗ୍ର କରିବାରେ ସାହାଯ୍ୟ କରେ।

    ନିୟମିତ ଧ୍ୟାନ ଅଭ୍ୟାସ ମାଧ୍ୟମରେ ମାନସିକ ଚାପ କମେ, କ୍ରୋଧ ଓ ଉତ୍ତେଜନା ନିୟନ୍ତ୍ରଣରେ ଆସେ ଏବଂ ଧୈର୍ଯ୍ୟ ବୃଦ୍ଧି ପାଏ। ଶାରୀରିକ ଦୃଷ୍ଟିରୁ ଧ୍ୟାନ ରକ୍ତଚାପ ନିୟନ୍ତ୍ରଣ, ହୃଦୟ ସ୍ୱାସ୍ଥ୍ୟ ସୁଧାର ଓ ନିଦ୍ରା ସମସ୍ୟା ଦୂର କରିବାରେ ଲାଭଦାୟକ। ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟର ସମନ୍ୱୟ ଧ୍ୟାନ ଦ୍ୱାରା ସମ୍ଭବ।

    ଧ୍ୟାନର ସାମାଜିକ ଗୁରୁତ୍ୱ ମଧ୍ୟ ଅତ୍ୟଧିକ। ଧ୍ୟାନ ଅଭ୍ୟାସ କରୁଥିବା ବ୍ୟକ୍ତି ଅଧିକ ସହନଶୀଳ ଓ ସମବେଦନଶୀଳ ହୁଏ। ଏହା ଦ୍ୱାରା ପରିବାର, ସମାଜ ଓ କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକ ପରିବେଶ ଗଢ଼ି ଉଠେ।

    ବିଶ୍ୱ ଧ୍ୟାନ ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ଧ୍ୟାନକୁ ଦୈନିକ ଜୀବନର ଏକ ଅଂଶ କରିବା ପାଇଁ ଲୋକମାନଙ୍କୁ ପ୍ରେରିତ କରିବା। ଏହି ଦିବସ ମାଧ୍ୟମରେ ଶାନ୍ତି, ସହଅବସ୍ଥାନ ଓ ମାନବତାର ବାର୍ତ୍ତା ସାରା ବିଶ୍ୱରେ ପ୍ରସାରିତ ହୁଏ। ସେହିପରି, ବିଶ୍ୱ ଧ୍ୟାନ ଦିବସ ମାନବ ଜୀବନରେ ଧ୍ୟାନର ଆବଶ୍ୟକତାକୁ ଉଦ୍‌ଘାଟିତ କରିଥାଏ ଏବଂ ଏକ ସୁସ୍ଥ, ଶାନ୍ତ ଓ ସନ୍ତୁଳିତ ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।