Tag: #suchana news

  • ଜାତୀୟ କନ୍ୟା ସନ୍ତାନ ଦିବସ :ଝିଅଟିଏ କେବଳ ସନ୍ତାନ ନୁହେଁ, ସେ ହିଁ ସମାଜର ଶକ୍ତି

    ଜାତୀୟ କନ୍ୟା ସନ୍ତାନ ଦିବସ :ଝିଅଟିଏ କେବଳ ସନ୍ତାନ ନୁହେଁ, ସେ ହିଁ ସମାଜର ଶକ୍ତି

    ଆଜି ସାରା ଦେଶ ପାଳନ କରୁଛି ଜାତୀୟ କନ୍ୟା ସନ୍ତାନ ଦିବସ | ଏହି ଦିବସଟି କେବଳ ଏକ ଆନୁଷ୍ଠାନିକ ପର୍ବ ନୁହେଁ, ବରଂ ଝିଅମାନଙ୍କର ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ ଓ ସମାନ ସୁଯୋଗ ପ୍ରତି ଜନସାଧାରଣଙ୍କୁ ସଚେତନ କରିବାର ଏକ ମହତ୍ତ୍ୱପୂର୍ଣ୍ଣ ଦିନ |

    ପ୍ରତିବର୍ଷ ଜାନୁଆରୀ ୨୪ ତାରିଖକୁ ଭାରତରେ ଜାତୀୟ କନ୍ୟା ସନ୍ତାନ ଦିବସ ଭାବେ ପାଳନ କରାଯାଏ | ୨୦୦୮ ମସିହାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ଦିବସ ପାଳନର ଶୁଭାରମ୍ଭ କରାଯାଇଥିଲା| ସମାଜରେ କନ୍ୟା ସନ୍ତାନମାନେ ସାମ୍ନା କରୁଥିବା ଅସମାନତା, ଶିକ୍ଷାର ଅଭାବ, କନ୍ୟା ଭ୍ରୂଣ ହତ୍ୟା ଓ ବାଲ୍ୟ ବିବାହ ଭଳି କୁପ୍ରଥାକୁ ବିରୋଧକରି ଜନସଚେତନତା ସୃଷ୍ଟି କରିବା ଏହାର ମୂଳ ଉଦ୍ଧେଶ୍ୟ |

    ବିଶେଷଜ୍ଞମାନେ ମତରେ, “ଜଣେ ଶିଶୁକନ୍ୟା କେବଳ ଗୋଟିଏ ପରିବାରର ସଦସ୍ୟ ନୁହେଁ, ସେ ହେଉଛି ଆସନ୍ତାକାଲିର ସମାଜର ମୂଳ ଆଧାର।”ଗୋଟେ ଝିଅ ଯଦି ଶିକ୍ଷିତ ହେଲା କେବଳ ଏକ ପରିବାର ବିକାଶ ହେବ ନାହିଁ ,ବରଂ ସମଗ୍ର ଦେଶ ମଧ୍ୟ ପ୍ରଗତିର ପଥରେ ଆଗେଇ ଯିବା |

    ଚଳିତ ବର୍ଷ ଜାତୀୟ କନ୍ୟା ସନ୍ତାନ ଦିବସ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ, ଶିକ୍ଷାମୂଳକ ସଭା, କ୍ରୀଡ଼ା ଓ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି |ଝିଅମାନଙ୍କୁ ବୈଷୟିକ ଶିକ୍ଷା, କ୍ରୀଡ଼ା ଓ ନେତୃତ୍ୱ ମାଧ୍ୟମରେ ସଶକ୍ତ କରିବା ଉପରେ ଏଥିରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

    ଆଜିର ସମୟରେ ଝିଅମାନେ ଆଉ କେବଳ ଘରର ଚାରିକାନ୍ଥଭିତରେ ସୀମିତ ରହୁନାହାନ୍ତି | ମହାକାଶ ବିଜ୍ଞାନ, ଚିକିତ୍ସା, କ୍ରୀଡ଼ା, ପ୍ରଶାସନ ଓ ସୀମା ସୁରକ୍ଷା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସେମାନେ ନିଜ ପ୍ରତିଭାର ପରିଚୟ ଦେଉଛନ୍ତି | ତଥାପି ଦେଶର କିଛି ଅଞ୍ଚଳରେ ଆଜି ମଧ୍ୟ କନ୍ୟା ଭ୍ରୂଣ ହତ୍ୟା ଓ ବାଲ୍ୟ ବିବାହ ଭଳି ଅନ୍ଧ ବିଶ୍ୱସ ରହିଛି, ଯାହା ଏକ ଚିନ୍ତାର କାରଣ ହୋଇ ରହିଛି |ଏହି ସମସ୍ୟାର ସମାଧାନ ପାଇଁ କେବଳ ସରକାରୀ ନୀତି ନୁହେଁ, ସାମାଜିକ ମାନସିକତାରେ ପରିବର୍ତ୍ତନ ଅତ୍ୟାବଶ୍ୟକ | ଝିଅମାନଙ୍କୁ ପୁଅମାନଙ୍କ ସହ ସମାନ ସୁଯୋଗ ଦେବା ସହ,ସୁରକ୍ଷା ଓ ସମ୍ମାନ ଦେବା ନିହାତି ଆବଶ୍ୟକ |କାରଣ ଝିଅଟିଏ ହସିଲେ ହିଁ ଦେଶ ହସିବ ଏବଂ ଏକ ସମୃଦ୍ଧ ଭାରତ ଗଠନ ହେବ |

  • ପୁରୀ ଶ୍ରୀମନ୍ଦିରରେ ଅଘଟଣ: ପୋଲିସ ମାଡ଼ରେ ନାବାଳକ ଗୁରୁତର

    ପୁରୀ ଶ୍ରୀମନ୍ଦିରରେ ଅଘଟଣ: ପୋଲିସ ମାଡ଼ରେ ନାବାଳକ ଗୁରୁତର

    ପୁରୀ ଶ୍ରୀମନ୍ଦିର ବାହାର କାଠ ନିକଟରେ ପୋଲିସ ମାଡ଼ରେ ଜଣେ ନାବାଳକ ଗୁରୁତର ଆହତ ହୋଇଥିବା ଅଭିଯୋଗ ଆସିଛି ସାମ୍ନାକୁ | ଆହତ ନାବାଳକକୁ ମନ୍ଦିର ଆମ୍ବୁଲାନ୍ସ ଯୋଗେ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି | ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଆବଶ୍ୟକ ପଡିଲେ କଟକର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର କହିଛନ୍ତି।

    ଖବର ଅନୁଯାୟୀ, ଶୁକ୍ରବାର ରାତିରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଅଂଚଳର ଅଚ୍ୟୁତାନନ୍ଦ ବିଶ୍ୱାଳ ତାଙ୍କ ସ୍ତ୍ରୀ ଓ ନାବାଳକ ପୁଅ ସହ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ | ଦର୍ଶନ କରିବା ସମୟରେ ବାହାର କାଠ ପାଖ ଭିଡ଼ ମଧ୍ୟରେ ଜଣେ ପୋଲିସ ପୋଷାକଧାରୀ ତାଙ୍କ ନାବାଳକ ପୁଅକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି | ଏହାକୁ ନେଇ ପ୍ରତିବାଦ କରିବାରୁ ସମ୍ପୃକ୍ତ ପୋଲିସ କର୍ମଚାରୀ ପୁଣି ମାଡ଼ ମାରିଥିବା କୁହାଯାଉଛି |

    ଏହି ଘଟଣା ସମ୍ପର୍କରେ ପୁରୀ ଏସପିଙ୍କୁ ଜଣାଇବା ପରେ ସିଟି ଡିଏସପି, ସିଂହଦ୍ୱାର ଥାନା ଓ କୁମ୍ଭାରପଡ଼ା ଥାନାର ଅଧିକାରୀମାନେ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି | ତେବେ ଏହି ଘଟଣାକୁ ନେଇ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି ଆଧିକାରିକଙ୍କ ପ୍ରତିକ୍ରିୟା ମିଳିପାରିନି |

  • ଗୋଲାପ ବିକ୍ରି ଆଳରେ ନାବାଳିକା ସହ ଦୁଷ୍କର୍ମ

    ଗୋଲାପ ବିକ୍ରି ଆଳରେ ନାବାଳିକା ସହ ଦୁଷ୍କର୍ମ

    ଦିଲ୍ଲୀର କାରୋଲ ବାଗ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଟ୍ରାଫିକ ସିଗନାଲ ନିକଟରେ ଗୋଲାପ ଫୁଲ ବିକ୍ରି କରୁଥିବା ଏକ ୧୧ ବର୍ଷୀୟ ନାବାଳିକାକୁ ଜଣେ ଇ-ରିକ୍ସା ଚାଳକ ଠକେଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି |
    ପୁଲିସର ତଦନ୍ତ ଅନୁଯାୟୀ , ଜାନୁଆରୀ ୧୧ ତାରିଖ ଅପରାହ୍ଣ ୩ଟା ୩୦ ସମୟରେ ପ୍ରସାଦ ନଗର ଟ୍ରାଫିକ ସିଗନାଲ ନିକଟରେ ଏହି ଘଟଣା ଘଟିଥିଲା | ୪୦ ବର୍ଷୀୟ ଇ-ରିକ୍ସା ଚାଳକ ଦୁର୍ଗେଶ ନାବାଳିକାଟିକୁ ଫୁଲ ବିକ୍ରି କରିଦେବା ଆଳ ଦେଖାଇ ନିଜ ରିକ୍ସାରେ ବସାଇ ନେଇଥିଲା। ପରେ ସେ ନିକଟସ୍ଥ ଏକ ଜଙ୍ଗଲାଞ୍ଚଳକୁ ନେଇ ଦୁଷ୍କର୍ମ କରିଥିଲେ | ବାଳିକାଟି ଅଚେତ ହୋଇଯାଇଥିବାର ଦେଖି ଅଭିଯୁକ୍ତ ଭୟଭୀତ ହୋଇଯାଇଥିଲା | ଯେଉଁ ଟ୍ରାଫିକ ପୋଷ୍ଟ ନିକଟରୁ ଝିଅଟିକୁ ନେଇଥିଲା ସେଠାରେ ଅଚେତ ଅବସ୍ଥାରେ ଛାଡ଼ି ପଳାଇଯାଇଥିଲା ଅଭିଯୁକ୍ତ । ପରେ ହୋସ୍ ଆସିବା ପରେ ନାବାଳିକା ବହୁ କଷ୍ଟରେ ଘରେ ପହଞ୍ଚିଥିଲା |

    ଘଟଣା ବିଷୟରେ ଜାଣିବା ପରେ ପରିବାରଲୋକ ତୁରନ୍ତ ଝିଅଟିକୁ ହସ୍ପିଟାଲ ନେଇଯାଇଥିଲେ | ତାହାପରେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ | ପୁଲିସ୍‌ ଏହି ମାମଲାରେ ପୋକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତ ଇ-ରିକ୍ସା ଚାଳକକୁ ଗିରଫ କରିଛି। ଘଟଣାକୁ ନେଇ ତଦନ୍ତ ଜାରିରହିଛି | ଏହି ଘଟଣା ପରେ ସହରରେ ନାବାଳିକାଙ୍କ ସୁରକ୍ଷାକୁ ନେଇ ପୁନର୍ବାର ପ୍ରଶ୍ନ ଉଠିଛି |

  • ୪ ଦିନ ଧରି ବ୍ୟାଙ୍କ ବନ୍ଦ: ଗ୍ରାହକଙ୍କୁ ବଢ଼ିପାରେ ସମସ୍ୟା

    ୪ ଦିନ ଧରି ବ୍ୟାଙ୍କ ବନ୍ଦ: ଗ୍ରାହକଙ୍କୁ ବଢ଼ିପାରେ ସମସ୍ୟା

    ଦେଶର ବ୍ୟାଙ୍କ ସେବା ଆସନ୍ତା ସପ୍ତାହରେ ଗୁରୁତର ଭାବେ ପ୍ରଭାବିତ ହେବାକୁ ଯାଉଛି । ଜାନୁଆରୀ ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଲଗାତାର ୪ ଦିନ ଧରି ବ୍ୟାଙ୍କ ବନ୍ଦ ରହିବାର ଆଶଙ୍କା ଆଶଙ୍କା ଉଠୁଛି |
    ଜାନୁଆରୀ ୨୪ରେ ପଡୁଛି ଚତୁର୍ଥ ଶନିବାର ଓ ୨୫ ରବିବାର ଥିବାରୁ ସାପ୍ତାହିକ ଛୁଟି ରହିବ । ୨୬ ଜାନୁଆରୀରେ ଗଣତନ୍ତ୍ର ଦିବସ ପାଇଁ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ଏହା ପରେ ୨୭ ଜାନୁଆରୀରେ ବ୍ୟାଙ୍କ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟ କରିବେ ,ତାହା ନେଇ ବ୍ୟାଙ୍କିଂ ସେବା ସମ୍ପୂର୍ଣ୍ଣ ବିପଦରେ ପଡିପାରେ |
    ବ୍ୟାଙ୍କ କର୍ମଚାରୀମାନେ ସପ୍ତାହକୁ ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ଦାବିରେ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଧର୍ମଘଟରେ ସରକାରୀ, ବେସରକାରୀ, ବିଦେଶୀ, ଗ୍ରାମୀଣ ଓ ସମବାୟ ବ୍ୟାଙ୍କର ପ୍ରାୟ ୮ ଲକ୍ଷ କର୍ମଚାରୀ ଓ ଅଧିକାରୀ ସାମିଲ ହେବେ |
    ଏହି ସମୟରେ ଚେକ୍ କ୍ଲିୟରେନ୍ସ, ନଗଦ ଜମା-ଉଠାଣ, ଋଣ ସମ୍ବନ୍ଧୀୟ କାର୍ଯ୍ୟରେ ପ୍ରଭବ ପଡିପାରେ | ତେଣୁ ଗ୍ରାହକମାନଙ୍କୁ ଆଗରୁ ଜଣେଇ ଦିଆଯାଉଛିକି ନିଜ ଆବଶ୍ୟକ ବ୍ୟାଙ୍କ କାର୍ଯ୍ୟ ସମାପ୍ତ କରିନେବାକୁ | ହେଲେ ଏଟିଏମ୍, ଅନଲାଇନ୍ ବ୍ୟାଙ୍କିଂ ଓ ଡିଜିଟାଲ୍ ଟ୍ରାଞ୍ଜାକ୍ସନ୍ ସେବା ସାଧାରଣ ଭାବେ ଚାଲୁ ରହିବାର ଆଶା କରାଯାଉଛି |

  • ଘଣ୍ଟା ଘଣ୍ଟା ଧରି ଅପେକ୍ଷା , ଶେଷରେ ଇଭେଣ୍ଟ ଛାଡିଲେ ନାନା ପାଟେକର

    ଘଣ୍ଟା ଘଣ୍ଟା ଧରି ଅପେକ୍ଷା , ଶେଷରେ ଇଭେଣ୍ଟ ଛାଡିଲେ ନାନା ପାଟେକର

    ରୋମିଓ ଫିଲ୍ମର ଟ୍ରେଲର ଶୁଭାରମ୍ଭକୁ ନେଇ ଆୟୋଜିତ ହୋଥିବା ଇଭେଣ୍ଟରେ ଏକ ଅପ୍ରତ୍ୟାଶିତ ଘଟଣା ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି | ଚଳଚ୍ଚିତ୍ରର ବରିଷ୍ଠ ଅଭିନେତା ନାନା ପାଟେକର ସହକଳାକାର ସାହିଦ୍ କପୁର୍ ଓ ତୃପ୍ତି ଡିମିରି ବହୁ ସମୟ ଧରି ବିଳମ୍ବରେ ପହଞ୍ଚିବାରୁ ବିରକ୍ତ ହୋଇ ଇଭେଣ୍ଟ ଛାଡି ପଳାଇଯାଇଥିଲେ |
    ସୂଚନା ଅନୁସାରେ, ଫିଲ୍ମର ଟ୍ରେଲର ଲଞ୍ଚ ପାଇଁ ନାନା ପାଟେକର ଠିକ ସମୟରେ ତଥା ସବୁଠାରୁ ପ୍ରଥମେ ଇଭେଣ୍ଟରେ ପହଁଚିଯାଇଥିଲେ | କିନ୍ତୁ ସାହିଦ୍ କପୁର୍ ଓ ତୃପ୍ତି ଡିମିରି ଘଣ୍ଟା ଘଣ୍ଟା ଧରି ନ ଆସିବାରୁ ତାଙ୍କ ଧୈର୍ୟ୍ୟର ସୀମା ଅତିକ୍ରମ ହୋଇଯାଇଥିଲା | ଫଳରେ ଟ୍ରେଲର ଲଞ୍ଚ ଆରମ୍ଭ ହେବା ପୂର୍ବରୁ ନାନା ପାଟେକର ଇଭେଣ୍ଟ ଛାଡି ଚାଲିଯାଇଥିଲେ |
    ନାନା ପାଟେକରଙ୍କ ଏଭଳି ପଦକ୍ଷେପ ନବା ପରେ ଇଭେଣ୍ଟ ସ୍ଥଳରେ ଚର୍ଚ୍ଚା ଜୋର୍ ଧରିଥିଲା | ପରେ ଫିଲ୍ମର ନିର୍ଦ୍ଦେଶକ ବିଶାଲ ଭରଦ୍ବାଜ ମଞ୍ଚ ଉପରକୁ ଆସି ଏହି ଘଟଣାକୁ ନେଇ ସଫେଇ ଦେଇଥିଲେ |
    ଗଣମାଧ୍ୟମରେ ବିଶାଲ ଭରଦ୍ବାଜ କହିଥିଲେ, ନାନା ପାଟେକରଙ୍କ ଇଭେଣ୍ଟ ଛାଡି ଯିବାର କୌଣସି ବଡ଼ ବିଷୟ ନୁହେଁ | ଏହା ତାଙ୍କର ନିଜସ୍ୱ ଶୈଳୀ ଓ ଅନନ୍ଦାଜ | ସେ ଆହୁରି କହିଥିଲେ ଯେ ଗତ ୨୭ ବର୍ଷ ଧରି ସେ ନାନା ପାଟେକରଙ୍କୁ ଜାଣିଛନ୍ତି ଓ ତାଙ୍କର ପିଲାଳିଆମି ସମସ୍ତଙ୍କୁ ଜଣା | ଏହି ମଧ୍ୟ ସେ ସ୍ୱାକାର କରିଥିଲେ ନାନା ପାଟେକରଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିଥିଲା ଏହିଥିରେ ତାଙ୍କର କୌଣସି ଦୋଷ ନାହିଁ | ଆହୁରି ମଧ୍ୟ କହିଛନ୍ତି “ଏହା ଆମର ପ୍ରଥମ ସହଯୋଗୀତା, ତଥାପି ନାନାଙ୍କ ପ୍ରତି ମୋର ସମ୍ମାନ ବହୁତ ଅଛି | ତାଙ୍କର ଏହି ଶୈଳୀ ପାଇଁ ସେ ସବୁବେଳେ ଜଣାଶୁଣା |”
    ନାନା ପାଟେକରଙ୍କ ଇଭେଣ୍ଟ ଛାଡି ଚାଲିଯିବା ଘଟଣା ଏବେ ସୋସିଆଲ ମିଡିଆ ଓ ଗସିପ୍ ଜଗତରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଯାଇଛି |

  • କିଲର ସାଜିଛି ଥାର୍ ! ଦାମୀ ଗାଡ଼ିର ନିଶା ନେଉଛି ଜୀବନ

    କିଲର ସାଜିଛି ଥାର୍ ! ଦାମୀ ଗାଡ଼ିର ନିଶା ନେଉଛି ଜୀବନ

    ରାଜ୍ୟରେ ଗୋଟେ ପରେ ଗୋଟେ ଥାର୍ ଦୁର୍ଘଟଣାର ଚିନ୍ତା ବଢ଼ିଲାଣି | ଗତକାଲି ଖୋର୍ଦ୍ଧା ଜିଲ୍ଲା ଗଙ୍ଗପଡ଼ା ନିକଟରେ ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି | ଦ୍ରୁତ ଗତିରେ ଆସୁଥିବା ଏକ ଥାର୍ ଗାଡ଼ିଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରେଲରକୁ ପଛ ପଟୁ ଧକ୍କା ଦେଇଥିଲା| ଧକ୍କା ଏତେ ଜୋରସେ ଥିଲା ଯେ ଥାର୍ ଗାଡ଼ିଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା |
    ଦୁର୍ଘଟଣା ସମୟରେ ଥାର୍ ଗାଡ଼ିରେ ୪ ଜଣ ଯାତ୍ରୀ ବସିଥିଲେ | ସେହିଠି ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଗୁରୁତର ଭାବେ ଆହତ ହୋଇଥିବା ଲୋକଟିକୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି| ମୃତାହତମାନେ ଜଟଣୀ ବ୍ଲକ ମଦନପୁର ଅଞ୍ଚଳର ବୋଲି ଜଣାପଡିଛି | ଚର୍ଚ୍ଚାର ବିଷୟ ହେଉଛି କି ଏହି ଥାର୍ ଗାଡ଼ିଟି ମାତ୍ର ୧୫ ଦିନ ତଳେ କିଣାଯାଇଥିଲା |

    ଏହା ପୂର୍ବରୁ ମଧ୍ୟ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ଗତ ମଙ୍ଗଳବାର ରାତିରେ ଏକ ଥାର୍ ଗାଡ଼ି ବୁଲେଟକୁ ଧକ୍କା ଦେଇଥିଲା | ସେଠାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଥିବାବେଳେ ୨ଜଣଙ୍କ ଅବସ୍ଥା ବହୁତ ଗୁରୁତ୍ୱର ହୋଇଥିଲା | ଏହା ପୂର୍ବରୁ ଚନ୍ଦକା ରୋଡ୍ ଓ ପାତ୍ରପଡ଼ା ଅଞ୍ଚଳରେ ମଧ୍ୟ ଥାର୍ ଦୁର୍ଘଟଣା ଘଟିଥିବା ନଜର ଆସିଛି |
    କଡ଼ା ଟ୍ରାଫିକ୍ ନିୟମ, ଓଭରସ୍ପିଡ୍ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଓ ଯୁବପିଢ଼ିଙ୍କ ମଧ୍ୟରେ ରାସ୍ତା ସୁରକ୍ଷା ସଚେତନତା ନ କରିଲେ , “କିଲର୍ ଗାଡ଼ି” ଭାବେ ପରିଚିତ ହେଉଥିବା ଥର ଗାଡି ଦ୍ୱାରା ଦୁର୍ଘଟଣାକୁ ରୁକିବା କଷ୍ଟକର ହୋଇଯିବ |

  • ଶ୍ରୀମନ୍ଦିରକୁ ଉଡ଼ାଇଦେବାର ଆସିଲା ଧମକ

    ଶ୍ରୀମନ୍ଦିରକୁ ଉଡ଼ାଇଦେବାର ଆସିଲା ଧମକ

    ପୁରୀ ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଫେସବୁକରେ ପୋଷ୍ଟ ଏକ ମାଧ୍ୟମରେ ଧମକ ଦିଆଯାଇଛି | ଏହି ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି ହୋଇଯାଇଛି | ଏହି ଘଟଣାରେ ପୋଲିସ ଏକାଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି |

    ପୁରୀ ଏସପି ସୂଚନା ଦେଇଛନ୍ତି ଯେ , ସୁରକ୍ଷା ଦୃଷ୍ଟିକୋଣରୁ ଶ୍ରୀମନ୍ଦିର ସୁରକ୍ଷା ବାହିନୀ ସହ STU ଓ ସମସ୍ତ ସୁରକ୍ଷା ଫୋର୍ସଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି | ଶ୍ରୀମନ୍ଦିର ପରିସରରେ ବୋମା ନିଷ୍କ୍ରିୟକାରୀ ଦଳ ସଜାଗ ରହିଥିବାବେଳେ , ସିଟି ଡିଏସପିଙ୍କ ନେତୃତ୍ୱରେ ଏକ ବିଶେଷ ଟିମ୍ ଗଠନ କରାଯାଇଛି | ଯାହା ଦ୍ୱାରା ସମ୍ପୂର୍ଣ୍ଣ ଅଞ୍ଚଳରେ ତଲାଶି ଓ ଯାଞ୍ଚ ଚାଲି ରହିବ |

    ପୋଲିସ କହିଛି, ‘ଜୁଲି ରାଣୀ ପଣ୍ଡା’ ନାମରେ ଥିବା ଫେସବୁକ୍ ଆଇଡି କିଏ ଅପରେଟ୍ କରୁଥିଲେ ଓ କେଉଁ ସ୍ଥାନରୁ ଏହା ଚାଲୁହୋଇଥିଲା , ସେ ସମ୍ପର୍କରେ ତଦନ୍ତ ଜାରି ରହିଛି | ଫେସବୁକ୍ URL ମାଧ୍ୟମରେ ଆବଶ୍ୟକ ତଥ୍ୟ ସଂଗ୍ରହ କରାଯାଉଛି |

    ପ୍ରଥମେ ସେହି ଫେସବୁକ୍ ଆଇଡିରୁ ଏକ ୱେବ୍ ଚ୍ୟାନେଲ ମାଲିକଙ୍କୁ ଧମକ ଦିଆଯାଇଥିଲା | ସେହି ଏତଲାକୁ ଭିତ୍ତି କରି ପୁରୀ ବାସେଳୀ ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା | ସେହିପରି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଦିଆଯାଇଥିବା ଧମକକୁ ମଧ୍ୟ ହାଲକା ଭାବେ ନିଆଯାଇନାହିଁ ବୋଲି ପୁରୀ ଏସପି ସ୍ପଷ୍ଟ କରିଛନ୍ତି | ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଥିବା ବେଳେ, ପୋଲିସ ଓ ସୁରକ୍ଷା ଏଜେନ୍ସିମାନେ ସଜାଗ ଅଛନ୍ତି।

  • ଗାଁରେ ପଶିଲା ଗୋଠ ଛଡା ଦନ୍ତା

    ଗାଁରେ ପଶିଲା ଗୋଠ ଛଡା ଦନ୍ତା

    ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାରିଲେପଟା ବୋଡକାଟଲା ଗାଁରେ ଗୋଠ ଛଡା ଦନ୍ତା ହାତୀର ଆତଙ୍କ ଦେଖାଦେଇଛି | ଆଜି ସକାଳ ପ୍ରାୟ ୭ଟା ସମୟରେ ହାତୀଟି ଗାଁଭିତରକୁ ପଶିଯାଇ ଭୟଙ୍କର ଆତଙ୍କ ସୃଷ୍ଟି କରିଥିଲା | ହାତୀ ଆକ୍ରମଣରେ ୪୨ ବର୍ଷୀୟ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି | ମୃତକଙ୍କ ପରିଚୟ ଲୋବୋ ସିଂ ବୋଲି ଜଣା ପଡିଛି | ଗାଁରେ ପଶିଥିବା ହାତୀର ସାମ୍ନାରେ ଯିଏ ପଡ଼ୁଛି, ତାଙ୍କୁ ଆକ୍ରମଣ କରୁଥିବାର ସୂଚନା ମିଳିଛି |

    ଏହି ଘଟଣା ପରେ ବିଶ୍ରା ବନଖଣ୍ଡକୁ ଲାଗିରହିଥିବା ଗାଁଗୁଡ଼ିକର ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି | ହାତୀକୁ ଦେଖି ଗାଁ ଲୋକେ ତୁରନ୍ତ ବନ ବିଭାଗକୁ ସୂଚନା ଦେଇଥିଲେ|
    ସୂଚନା ପାଇ ଘଟଣାସ୍ଥଳରେ ବିଶ୍ରା ବନବିଭାଗର କର୍ମଚାରୀ ପହଞ୍ଚି ହାତୀକୁ ଘଉଡ଼ାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି | ସୁରକ୍ଷା ଦୃଷ୍ଟିକୋଣରୁ ଗାଁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି | ଏପର୍ଯ୍ୟନ୍ତ ସେ ଅଞ୍ଚଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ବନବିଭାଗ ପକ୍ଷରୁ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଚାଲିଛି |

  • ଆଜି ମହାପ୍ରଭୁଙ୍କ ଦିବ୍ୟ ଦୁର୍ଲଭ ପଦ୍ମବେଶ

    ଆଜି ମହାପ୍ରଭୁଙ୍କ ଦିବ୍ୟ ଦୁର୍ଲଭ ପଦ୍ମବେଶ

    ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅତ୍ୟନ୍ତ ଦୁର୍ଲଭ ଓ ରାମଣୀୟ ପଦ୍ମବେଶ ଅନୁଷ୍ଠିତ ହୋଇଛି | ମାଘ ମାସ ଶୁକ୍ଳ ପକ୍ଷ ପ୍ରତିପଦା ଠାରୁ ଶ୍ରୀ ପଞ୍ଚମୀ ମଧ୍ୟରେ ପଡୁଥିବା ପ୍ରଥମ ବୁଧବାର ଏହି ପାରମ୍ପରିକ ବେଶ ପାଳିତ ହୋଇଥାଏ |
    ପରମ୍ପରାନୁସାରେ ବଡ଼ଛତା ମଠ ପକ୍ଷରୁ ପ୍ରତିବର୍ଷ ଏହି ବେଶ ପାଇଁ ଆବଶ୍ୟକ ସମସ୍ତ ସରଞ୍ଜାମ ଯୋଗାଇ ଦିଆଯାଇଥାଏ | ସୋଲ, କଦଳୀ ପାଟୁକା, ଜରି, ଜମ୍ବୁରା ସହ ପାରମ୍ପରିକ ରଙ୍ଗ ଓ ଅଠା ବ୍ୟବହାର କରି ପଦ୍ମବେଶ ପ୍ରସ୍ତୁତ କରାଯାଇଥାଏ |
    ଏହି ବେଶ ପ୍ରଭୁଙ୍କ ନିମନ୍ତେ ତିଆରି କରିବା ପାଇଁ ନିଯୁକ୍ତ ସେବକମାନେ ହବିଷ ଅନ୍ନ ଖାଇବା ସହ ଶୁଦ୍ଧତା, ଶ୍ରଦ୍ଧା ଓ ଭକ୍ତିଭାବ ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହାକୁ ସମ୍ପନ୍ନ କରିଥାନ୍ତି |
    ବର୍ଷକୁ କେବଳ ଗୋଟିଏ ଦିନ ବଡ଼ସିଂହାର ନୀତିରେ ମହାପ୍ରଭୁ ପଦ୍ମବେଶରେ ପହୁଡ଼ ହୁଅନ୍ତି | ପରଦିନ ମଙ୍ଗଳା ଆଳତୀ ପର୍ଯ୍ୟନ୍ତ ଭକ୍ତମାନେ ଏହି ଦିବ୍ୟ ବେଶର ଦର୍ଶନ ଲାଭ କରିଥାନ୍ତି |
    ପୁରାଣ କଥାନୁସାରେ ଭକ୍ତ ମନହର ଦାଶଙ୍କର ମନବାଞ୍ଛା ପୂରଣ ପାଇଁ ମହାପ୍ରଭୁ ଏହି ପଦ୍ମବେଶ ଧାରଣ କରିଥିବାରୁ ଏହି ପରମ୍ପରା ବହୁ ଦିନରୁ ଚାଲିଆସୁଛି |

  • ପାରାଦ୍ୱୀପରେ ନିଆଁର ତାଣ୍ଡବ: ପାଳଗଦାରୁ ଆରମ୍ଭ ହୋଇ ଜଳିଗଲା ଘର

    ପାରାଦ୍ୱୀପରେ ନିଆଁର ତାଣ୍ଡବ: ପାଳଗଦାରୁ ଆରମ୍ଭ ହୋଇ ଜଳିଗଲା ଘର

    ପାରାଦ୍ୱୀପରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ପାରାଦ୍ୱୀପ ଲକ୍ ଥାନା ଅନ୍ତ୍ରଗର୍ତ ପିପ୍ପଳ ଗ୍ରାମରେ ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି | ପାଳଗଦାରେ ନିଆଁ ଲାଗି ଚାଳଘର ସହ ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ, ଘର ଭିତରେ ରୋଷେଇ କରୁଥିବା ମହିଳା ଜଣକ ପୋଡ଼ି ହୋଇଯାଇଥିଲା ଯାହା ଫଳରେ ତାଙ୍କର ଜୀବନ ଚାଲିଯାଇଥିଲା | ମୃତକ ମହିଳାଙ୍କ ପରିଚୟ ରିନି କୁମାରୀ ଦଳାଇ ବୋଲି ଜଣ ପଡିଛି |
    ଘଟଣା ସମୟରେ ଘରେ ମୃତକ ମହିଳା, ତାଙ୍କର ଏକ ଛୋଟ ଶିଶୁ ଓ ଅସୁସ୍ଥ ଶଶୁର ଥିଲେ | ମହିଳା ଜଣକ ତାଙ୍କ ଛୁଆକୁ ଶଶୁରଙ୍କ ପାଖରେ ଛାଡି, ରୋଷେଇ କରିବା ପାଇଁ ଚାଳଘରକୁ ଯାଇଥିଲେ | ଅନ୍ୟ ପରିବାର ସଦସ୍ୟ ବାହାରେ ଥିଲେ |

    ହଠାତ୍ କୌଣସି କାରଣରୁ ଚାଳଘର ନିକଟରେ ଥିବା ପାଳଗଦାରେ ନିଆଁ ଲାଗିଯାଇଥିଲା | ସେହି ସମୟରେ ନିଆଁ ଚାଳଘରକୁ ଧରିନେଇ ସମ୍ପୂର୍ଣ୍ଣ ଘରକୁ ଗ୍ରାସ କରିଥିଲା | ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ, ଚାଳଘର ମଧ୍ୟରେ ଥିବା ରିନି କୁମାରୀ ଦଳାଇ ପୋଡ଼ି ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା |

    ଖବର ପାଇ ତୁରନ୍ତ କୁଜଙ୍ଗ ଅଗ୍ନିଶମ ବିଭାଗ ଓ ପାରାଦ୍ୱୀପ ଲକ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିନିର୍ବାପଣ କାର୍ଯ୍ୟ ଆରମ୍ଭ କରିଥିଲେ | ତେବେ ସେତବେଳକୁ ଘରଟି ସମ୍ପୂର୍ଣ୍ଣ ଭାବେ ଜଳି ନଷ୍ଟ ହୋଇଯାଇଥିଲା | ଏହି ଦୁଃଖଦ ଘଟଣା ପରେ ସମଗ୍ର ପିପ୍ପଳ ଗ୍ରାମ ଓ ଆସପାସ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି | ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମଟମ ପାଇଁ ପଠାଇଥିବା ସହ ଅଗ୍ନିକାଣ୍ଡର ସଠିକ୍ କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖାଯାଇଛି |ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ |