Tag: #suchana news

  • ଶହୀଦ ଲକ୍ଷ୍ମଣ ନାୟକ ଅଟୋ ଚାଳକ ସଂଘ ବୈଠକ

    କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଆମ୍ବେଦକର ମିନି ଷ୍ଟାଡିୟମ ଠାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ନାମରେ ଅଟୋ ଚାଳକ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି | ଉପଦେଷ୍ଟା ଶ୍ୟାମ ଖିଲୋ, ମୋହନ ଲାଲ କୁଲଦୀପ ଯୋଗ ଦେଇଥିବାବେଳେ ଆଜି କାର୍ଯ୍ୟକାରୀ ସଭାପତି ଭାବେ ଚଣ୍ଡାଳ ଖିଲୋ, ସଂଯୋଜକ ପୁର୍ଣ ଜାନି, ଯୁଗ୍ମ କଷାଦକ୍ଷ ବିନୋଦ ହନ୍ତାଳ ଯୋଗଦେଇ ସଂଘକୁ କିପରି ସୁଦୃଢ କରିହେବ, ସେ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ |

    ଆଗାମୀ ଦିନରେ ସଂଘର କର୍ମକର୍ତ୍ତାମାନେ ଅନେକ ସମାଜିକ କାମରେ ସଂଶ୍ଲିଷ୍ଟ ରହି ଲୋକଙ୍କ ଅସୁବିଧାରେ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ ବୋଲି ସଂଘ ସଭାପତି ସଂଗ୍ରାମ କୁଲଦୀପ କହିଛନ୍ତି | ଏହି ଅବସରରେ ବହୁ ସଂଖ୍ୟାରେ ଅଟୋ ଚାଳକ କର୍ମକର୍ତ୍ତା ଉପସ୍ଥିତ ଥିବା ଦେଖବାକୁ ମିଳିଛି | ଅଟୋ ଚାଳକ ସଭାପତି ଭାବେ ସଂଗ୍ରାମ କୁଲଦୀପ, ଉପ ସଭାପତି ଭାବେ ରବି, ଯୁଗ୍ମ ସମ୍ପାଦକ କିରନ ପାଙ୍ଗୀ, ଜୋଳ ଖିଲୋ, କୋଷାଧ୍ୟକ୍ଷ ପ୍ରତାପ ଚେଟି, ରୋହିତ ଶବର ସମାଜ କଲ୍ୟାଣରେ ସହଯୋଗ କରିବେ ବୋଲି ସୂଚନା ଦେଇଛନ୍ତି |

  • ଚାନ୍ଦପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ

    ରଣପୁର ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଚାନ୍ଦପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ପରିଚାଳନା କମିଟି ସଭାପତି ଅକ୍ଷୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ବିଚାରପତି, ଜିଲ୍ଲା ଖାଉଟି ଅଦାଲତ ନାରାୟଣ ମହାପାତ୍ର ଓ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପ୍ରମୁଖ, ଖୋର୍ଦ୍ଧା ଜିଲ୍ଲା ଶିକ୍ଷାବିକାଶ ସମିତି ପଦ୍ମନାଭ ସାହୁ ପ୍ରମୁଖ ଯୋଗଦେଇ ଥିଲେ।

    ପ୍ରଥମେ ଅତିଥିଙ୍କ ଦ୍ବାରା ଗୁରୁ ଦେବଙ୍କ ଫଟୋଚିତ୍ର ନିକଟରେ ପ୍ରଦିପ ପ୍ରଜ୍ଜ୍ୱଳନ କରିି ସଭା କାର୍ଯ୍ୟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସଭା କାର୍ଯ୍ୟ ପରେ ବାର୍ଷିକ କ୍ରୀଡା ଓ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।

    ସମ୍ପାଦକ କିଶୋର ଚନ୍ଦ୍ର ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ସୁବାଷ ଚନ୍ଦ୍ର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

  • ଆଇଟିଡିଏ ପ୍ରଶାସକ ଅଧିକାରୀଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢାଉ

    ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର ବଣାଇ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଅଧିକାରୀ ବିଶ୍ଵଦର୍ଶୀ ସାହୁଙ୍କ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଆଜି ସକାଳେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି। ସୁନ୍ଦରଗଡ ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ କ୍ରମେ ଏହି ତଦନ୍ତ ଚଲାଇଥିବା ଜଣାପଡ଼ିଛି।

    ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହୋଇଥିବା ନେଇ ଚଢାଉ ହୋଇଛି | ଏହି ଚଢାଉରେ ବଣାଇଗଡ ପିଏ ଆଇଟିଡିଏ ସରକାରୀ ବାସଭବନର ସହ ଭୁବନେଶ୍ବର ସମେତ ସାତୋଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଚାଲିଛି । ଏହି ଚଢାଉ ବଣାଇ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବାସଭବନରେ, ଭୁବନେଶ୍ବର, ବାଲେଶ୍ବର, ଯାଜପୁର ସମ୍ପର୍କୀୟଙ୍କ ଘର, ଭୁବନେଶ୍ବର ଶ୍ରୀରାମ ନଗର ନିକଟରେ ଥିବା ଦୁଇ ମହଲା ବିଶିଷ୍ଟ କୋଠାଘରେ, ଭୁବନେଶ୍ବର ଲକ୍ଷ୍ମୀସାଗର ସ୍ଥାନରେ ଚଢାଉ ଜାରି ଚାଲିଥିବା ଜଣାପଡ଼ିଛି।

    ସେହିପରି ସୁନ୍ଦରଗଡ ଜିଲ୍ଲାର ଆଦିବାସୀ ଉନ୍ନୟନ କାର୍ଯ୍ୟାଳୟରେ ମଧ୍ୟ ଚଢାଉ ହୋଇଥିବା ଜଣାପଡିଛି। ଏହି ଭିଜିଲାନ୍ସ ଚଢାଉ ଜାରି ଚାଲିଥିବା ବେଳେ ଜଣେ ଅତିରିକ୍ତ ଏସପି, ୩ ଜଣ ଡିଏସପି, ଆଇଆଇସି ମଧ୍ୟ ତତ୍କାଳୀନ ଚଢାଉରେ ଜାରି ରଖିଛନ୍ତି। ବହୁ ମାତ୍ରାରେ ନଗଦ ଟଙ୍କା ଓ ସୁନା ଗହଣା ସହିତ ଗାଡି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବାର ଜଣାପଡିଛି ।

  • ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

    ଆଜି ଯାଜପୁର ପରିବହନ ବିଭାଗ ଅଧିକାରୀଙ୍କ ନେତୃତ୍ୱରେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଯାଜପୁର ଟାଉନ ରୂଢିଆ ସ୍ଥିତ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି |

    କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସଦସ୍ୟ ଉପସ୍ଥିତ ଥିବାବେଳେ ବିଶେଷ ଭାବରେ ପରିବହନ ବିଭାଗର ଉପସ୍ଥିତ ଅଧିକାରୀ ମାନେ ମୁଖ୍ୟତଃ ଗାଡି ଚଳେଇବା ବେଳେ କିଭଳି ନିୟମ ମାନି ଗାଡି ଚଲେଇବେ ସଚେତନତା କରିଥିଲେ |

    ଏହି ଅବସରରେ ଉପସ୍ଥିତ ଅତିଥି ମାନେ ହେଲମେଟ ପିନ୍ଧିଥିବା ବାଇକ ଚାଳକଙ୍କୁ ଓ ସିଟ ବେଲ୍ଟ ପିନ୍ଧିଥିବା କାର ଚାଳକଙ୍କୁ ଧନ୍ୟବାଦ ଦେବା ସହିତ ଗୋଲାପ ଫୁଲ ଦେଇ ଶୁଭେଚ୍ଛା ଜଣାଇଥିଲେ | ଏହି କାର୍ଯ୍ୟକ୍ରମରେ ଚଣ୍ଡିଖୋଲ ପରିବହନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ |

  • ଅଜଣା ଗାଡ଼ି ଧକ୍କାରେ ବୃଦ୍ଧା ମୃତ

    ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ନାଚିନ୍ଦା ଛକ ରାସ୍ତା ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲିଯିବା ଫଳରେ ଘଟଣା ସ୍ଥଳରେ ବୃଦ୍ଧାଙ୍କ ମୃତ୍ଯୁ ହୋଇଥିବା ସନ୍ଦେହ କରାଯାଉଛି | ସ୍ଥାନୀୟ ଲୋକେ ମୃତ ଦେହ ଦେଖି ପୋଲିସକୁ ଖବର ଦେଇଥିଲେ | ଖବର ପାଇ କମର୍ଦ୍ଦା ପୋଲିସ ଘଟଣାର ତଦନ୍ତ କରୁଛି । ସୂଚନା ଅନୁସାରେ ଆଜି ସକାଳେ କମର୍ଦ୍ଦା-ବାଲିଆପାଳ ରାସ୍ତା ନାଚିନ୍ଦା ଛକ ରାସ୍ତା ପାର୍ଶ୍ଵରେ ବାଲିଆପାଳ ଥାନା ଅନ୍ତର୍ଗତ ଅସ୍ତି ଗ୍ରାମପଞ୍ଚାୟତ ଚଡ଼ ବଢାପାଳ ଗ୍ରାମର ଶ୍ରୀକାନ୍ତ ଜତି ସବୁ ଦିନ ଭୋରରୁ କାମ କରିବା ପାଇଁ ଯାଉଥିଲେ |

    ସ୍ଥାନୀୟ ଲୋକେ ତାଙ୍କୁ ଯେତେ ଡାକିବାରୁ ସେ ଉଠିଲେ ନାହିଁ, ତୁରନ୍ତ 108 ଏବଂ କମର୍ଦ୍ଦା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ହସ୍ପିଟାଲରେ ନେଇଯାଉଥିବା ବେଳେ ଡାକ୍ତର ତାଙ୍କର ମୃତ ଘୋଷଣା କରିଛନ୍ତି । ତେବେ ବୃଦ୍ଧଙ୍କ ମୃତ୍ୟୁର ଘଟଣାକୁ ନେଇ ଅଧିକ ଖୋଲତାଡ଼ ଆରମ୍ଭ କରିଛି ପୋଲିସ ।

  • ଗାଁ ପାଲଟିବ ସହର, ଅଣ୍ଟା ଭିଡିଲେ ରାଜ୍ୟ ସରକାର

    ଗାଁ ପାଲଟିବ ସହର, ଅଣ୍ଟା ଭିଡିଲେ ରାଜ୍ୟ ସରକାର

    ଏଥର ଗାଁ ପାଲଟିବ ସହର। ସହର ପରି ଚମକିବ ଗାଁ। ଗାଁ ର ହେବ ବିକାଶ। ଏଥିପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଗାଁ ଲୋକଙ୍କ ନିଷ୍ପତ୍ତି ଆଧାରରେ ତ୍ବରାନ୍ବିତ ହେବ ଏହି ବିକାଶ ପ୍ରକ୍ରିୟା। ରାଜ୍ୟ ସରକାର ଆଣିଲେ ବିକଶିତ ଗାଁ ବିକଶିତ ଓଡ଼ିଶାର ମାର୍ଗଦର୍ଶିକା। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏହି ମାର୍ଗଦର୍ଶିକା ଜିଲ୍ଲାପାଳ ଏବଂ ବିଡ଼ିଓଙ୍କ ପାଖକୁ ପଠାଯାଇଛି। ଏଥିରେ କୁହାଯାଇଛି ଫେବୃଆରୀ ୧୫ସୁଦ୍ଧା ପ୍ରତି ଗାଁ ନିଜ ପାଇଁ ୫ବର୍ଷିଆ ଯୋଜନା ପ୍ରସ୍ତୁତ କରି ବିଭାଗକୁ ପଠାଇବେ।

    ଏହି ଯୋଜନା ଅଧିନରେ ପ୍ରତି ବ୍ଲକରେ ରିଡିଂ ରୁମ୍ ନିର୍ମାଣ କରାଯିବ। ଏଠାରେ ବହି ପଢା ସାଙ୍ଗକୁ ଇଣ୍ଟରନେଟ ସୁବିଧା ମଧ୍ୟ ରହିବ । ସ୍ବଳ୍ପ ଦେୟ ଦେଇ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ର ଛାତ୍ରୀ ପଢିପାରିବେ।

    ସେହିପରି ପଞ୍ଚାୟତ ରେ କଲ୍ୟାଣ ମଣ୍ଡପ, ପୋଖରୀ, ନଦୀ, ଗାଧୁଆ ତୁଠ ପାଇଁ ଟଙ୍କା ମିଳିବ। ଭୋଗମଣ୍ଡପ, ଭାଗବତ ଟୁଙ୍ଗି ସହ ସବୁ ଧର୍ମର ଧାର୍ମିକ ପୀଠ ଉପାସନା ବିକାଶ ପାଇଁ ଟଙ୍କା ଖର୍ଚ୍ଚ ହେବ। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଜଙ୍ଗଲ ଅଞ୍ଚଳରେ ରାସ୍ତା ତିଆରି ଉପରେ ଥିବା କଟକଣାକୁ ଉଠାଇ ଦିଆଯାଇଛି। ସେପଟେ ନୂଆ ମାର୍ଗଦର୍ଶିକା କୁ ନେଇ ବିରୋଧୀ ସମାଲୋଚନା କରିଛନ୍ତି। ବଦ୍ରୀ ନାରାୟଣ ପାତ୍ର କହିଛନ୍ତି, ଆମ ଯୋଜନାର ନାଁ ବଦଳାଇଛନ୍ତି ସରକାର। ସେହିପରି ନୀଳମାଧବ କହିଛନ୍ତି ନିଜ କର୍ମୀ ଙ୍କୁ ଫାଇଦା ଦେବା ଏହାର ଲକ୍ଷ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ୧ହଜାର କୋଟି ରହିଥିଲା। ନୂଆ ମାର୍ଗଦର୍ଶିକା ରେ ଏହି ଟଙ୍କା ଆବଣ୍ଟନ ହେବ। ମାର୍ଗଦର୍ଶିକା ଅନୁସାରେ ଆଦିବାସୀ ବହୁଳ ଅଞ୍ଚଳ ପାଇଁ ୪୦ପ୍ରତିଶତ ବା ୪୦୦କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଟଙ୍କା କେବଳ ଆଇ ଟି ଡି ଏ ବା ଇଣ୍ଟିଗ୍ରେଟେଡ ଟ୍ରାଇବାଲ ଡେଭଲପମେଣ୍ଟ ଏଜେନ୍ସି ଅଧିନରେ ଥିବା ୧୨୧ ଟି ବ୍ଲକ ରେ ଖର୍ଚ୍ଚ ହେବ। ଅବଶିଷ୍ଟ ୧୯୩ଟି ବ୍ଲକ ପାଇଁ ୬୦୦ କୋଟି ଟଙ୍କା ଆବଣ୍ଟିତ ହେବ।

    ତେବେ ଫେବୃୟାରୀ ୧୪ ସୁଦ୍ଧା ଗ୍ରାମସଭାରେ ପ୍ରକଳ୍ପ ତାଲିକା ଚୟନ ସରିବ। ୧୫ ତାରିଖରେ ସମସ୍ତ ପଞ୍ଚାୟତ ବ୍ଲକ୍ ରେ ଦାଖଲ କରିବେ। ୧୮ ତାରିଖରେ ପଞ୍ଚାୟତ ସମିତି ଟେକ୍ନିକାଲ କମିଟି ଯାଞ୍ଚ କରିବେ । ୨୦ରେ ଜିଲ୍ଲା ପାଳଙ୍କ ପାଖକୁ ପଠାଇବେ। ଜିଲ୍ଲାପାଳଙ୍କ ଅନୁମୋଦନ ପରେ କାମ ଆରମ୍ଭ ହେବ। ବିଜେପି କହିଛି ପୂର୍ବ ସରକାର ଉପର ମୁହାଁ ଥିଲେ। ଲୋକଙ୍କ ଅଧିକାରୀକୁ ଗୁରୁତ୍ବ ଦେଉନଥିଲେ । ବିଜେପି ସରକାର ଲୋକମାନଙ୍କ ମତାମତ ଆଧାରରେ ପ୍ରକଳ୍ପ କାମ କରୁଛନ୍ତି। ପଲ୍ଲୀ ର ବିକାଶ ହେଲେ ଦିଲ୍ଲୀର ବିକାଶ ହେବ। ପୁର୍ବ ସରକାରରେ ଆରମ୍ଭ ହୋଇ ଶେଷ ହୋଇନଥିବା ବିଭିନ୍ନ ପ୍ରକଳ୍ପରର ଆବଶ୍ୟକତା କୁ ଅନୁଭବ କରି ପାଣ୍ଠି ବ୍ୟୟ ବରାଦ ପାଇଁ ବ୍ୟବସ୍ଥା ରଖିଛନ୍ତି। ଆମ ଓଡ଼ିଶା ନବୀନ ଓଡ଼ିଶା ପ୍ରକଳ୍ପରେ ଅଧାପନ୍ତରିଆ ଥିବା ପ୍ରକଳ୍ପ ପାଇଁ ବିକଶିତ ଗାଁ ବିକଶିତ ଓଡ଼ିଶା ପାଣ୍ଠିରୁ ଟଙ୍କା ଦେଇହେଵ।

    ତେବେ ପୁରୁଣା ପ୍ରକଳ୍ପ ପାଇଁ ୨୦ ପ୍ରତିଶତ ରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ଅନୁଦାନ ମିଳିପାରିବ ବୋଲି ମାର୍ଗଦର୍ଶିକା ରେ ରହିଛି।

  • ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ ନିର୍ମଳା ସୀତାରମଣ ଲୋକସଭାରେ ଉପସ୍ଥାପନ କରିବେ ଅର୍ଥନୈତିକ ସର୍ଭେ

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ ନିର୍ମଳା ସୀତାରମଣ ଲୋକସଭାରେ ଉପସ୍ଥାପନ କରିବେ ଅର୍ଥନୈତିକ ସର୍ଭେ

    ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଲୋକସଭାରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବେ। ଏହି ଅର୍ଥନୈତିକ ସର୍ବେକ୍ଷଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାରେ ଏବଂ ଫେବୃଆରୀ ୧,୨୦୨୫ ରେ ଉପସ୍ଥାପିତ ହେବାକୁ ଥିବା ବଜେଟ୍ ପାଇଁ ରାସ୍ତା ଦେଖାଇବାରେ ସାହାଯ୍ୟ କରିବ |

    କେବେ ଉପସ୍ଥାପିତ ହେବ ଅର୍ଥନୈତିକ ସର୍ଭେ ?
    ରାଷ୍ଟ୍ରପତିଙ୍କ ଅଭିଭାଷଣ ଶେଷ ହେବା ପରେ, ଲୋକସଭା ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ଅର୍ଥମନ୍ତ୍ରୀ ସୀତାରମଣ ଦ୍ୱିପ୍ରହର ପ୍ରାୟ ୧ ଟାରେ ଲୋକସଭାରେ ଏବଂ ଅପରାହ୍ନ ୨ଟାରେ ରାଜ୍ୟସଭାରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିପାରନ୍ତି । ଅପରାହ୍ନ ୨. ୩୦ ରେ ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ ଯାହାକୁ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ୍ ତାଙ୍କ ଦଳ ସହିତ ଅର୍ଥନୈତିକ ସର୍ଭେ ପ୍ରସ୍ତୁତ କରିବେ।

    ଅର୍ଥନୀତି ବ୍ୟବସ୍ଥାର ଦିଗ ଓ ସ୍ଥିତି ଜଣାଇବ ସର୍ବେ
    ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ସରକାର ସଂସଦରେ ଏକ ଆର୍ଥିକ ସମୀକ୍ଷା ଉପସ୍ଥାପନ କରିଛନ୍ତି। ଏଥିରେ ଚଳିତ ଆର୍ଥିକ ବର୍ଷରେ ଅର୍ଥନୀତିର ସ୍ଥିତି ଏବଂ ଆଗାମୀ ଦିନରେ ଏହାର ଦିଗ କ’ଣ ହେବ ତାହା କୁହାଯାଇଛି। ଅର୍ଥନୈତିକ ସମୀକ୍ଷାରେ କୁହାଯାଇଛି ଯେ ଗତ ବଜେଟରେ ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟ କେତେ ପରିମାଣରେ ହାସଲ କରାଯାଇଛି। ଗୋଟିଏ ପ୍ରକାରେ ଅର୍ଥନୈତିକ ସମୀକ୍ଷା ହେଉଛି ଗତ ଆର୍ଥିକ ବର୍ଷରେ ସରକାରଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା। ଏହା ଅର୍ଥନୈତିକ ବ୍ୟାପାର ବିଭାଗ ଦ୍ୱାରା ପ୍ରସ୍ତୁତ | ଏଥର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନଙ୍କ କାର୍ଯ୍ୟାଳୟ ଦ୍ୱାରା ଅର୍ଥନୈତିକ ସମୀକ୍ଷା ପ୍ରସ୍ତୁତ କରାଯାଇଛି।

  • ଭାରତ ଏବଂ ଚୀନ୍ କୁ ଟ୍ରମ୍ପଙ୍କ ସିଧା ଧମକ, କହିଲେ- ‘ଏମିତି କରନ୍ତି ତ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବି’

    ଭାରତ ଏବଂ ଚୀନ୍ କୁ ଟ୍ରମ୍ପଙ୍କ ସିଧା ଧମକ, କହିଲେ- ‘ଏମିତି କରନ୍ତି ତ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବି’

    ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ, ଚୀନ୍ ସମେତ ବ୍ରିକ୍ସ ଦେଶମାନଙ୍କୁ ଧମକ ଦେଇଛନ୍ତି। ଟ୍ରମ୍ପ ଧମକପୂର୍ଣ୍ଣ ସ୍ୱରରେ କହିଛନ୍ତି ଯେ ବ୍ରିକ୍ସ ଦେଶଗୁଡିକ ଜାଣିବା ଉଚିତ ଯେ ସେମାନେ ଆମେରିକୀୟ ଡଲାର ବଦଳାଇ ପାରିବେ ନାହିଁ। ଯଦି ଏହା କରିବାକୁ ଚେଷ୍ଟା କରାଯାଏ, ତେବେ ଆମେରିକା ଏହି ଦେଶଗୁଡିକ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବ।

    ଟ୍ରମ୍ପ କହିଛନ୍ତି ଯେ ଯଦି ଆମେରିକୀୟ ଡଲାରକୁ ଚ୍ୟାଲେଞ୍ଜ କରିବା ପାଇଁ ବ୍ରିକ୍ସ ଦେଶଗୁଡିକ ନିଜର ନୂତନ ମୁଦ୍ରା ଲଞ୍ଚ କରେ, ତେବେ ସେମାନଙ୍କୁ ଭାରି ମୂଲ୍ୟ ଦେବାକୁ ପଡିବ। ସେମାନଙ୍କୁ ଆମେରିକୀୟ ବଜାରରୁ ହଟାଇ ଦିଆଯିବ | ଟ୍ରମ୍ପ କହିଛନ୍ତି ଯେ ଆମେରିକା ଦେଖଣାହାରୀ ରହିବ ନାହିଁ ଏବଂ ଏହି ସମସ୍ୟାର ଜବାବ ଦେବ।

    ଆମେରିକାକୁ ବ୍ରିକ୍ସ ମୁଦ୍ରା ପାଇଁ କ’ଣ ରହିଛି ବିପଦ ?
    ଯଦି ବ୍ରିକ୍ସ ନିଜର ମୁଦ୍ରା ଲଞ୍ଚ କରେ, ତେବେ ଏହା ଆମେରିକୀୟ ଡଲାରର ପ୍ରାଧାନ୍ୟକୁ ଦୁର୍ବଳ କରିପାରେ | ଆମେରିକାର ବିଶ୍ୱ ଶକ୍ତି ପାଇଁ ଏକ ପ୍ରମୁଖ କାରଣ ହେଉଛି ଡଲାରର ପ୍ରାଧାନ୍ୟ। ଯଦି ବିଶ୍ୱ ଡଲାର ବଦଳରେ ବ୍ରିକ୍ସ ମୁଦ୍ରା ଗ୍ରହଣ କରିବା ଆରମ୍ଭ କରେ, ତେବେ ଆମେରିକାର ଅର୍ଥନୀତି ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ।

    ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ କ’ଣ ଲେଖିଛନ୍ତି ଟ୍ରମ୍ପ?
    ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଲେଖିଛନ୍ତି ଯେ ବ୍ରିକ୍ସ ଦେଶଗୁଡିକ ଆମେରିକାର ଡଲାରର ପ୍ରାଧାନ୍ୟକୁ ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରୁଛନ୍ତି। ଆମେ ଏହାକୁ ଚୁପଚାପ୍ ଦେଖିବା ନାହିଁ | ଯଦି ବ୍ରିକ୍ସ ଏକ ନୂତନ ମୁଦ୍ରା ସୃଷ୍ଟି କରେ କିମ୍ବା ଅନ୍ୟ କୌଣସି ମୁଦ୍ରାକୁ ସମର୍ଥନ କରେ, ତେବେ ସେମାନଙ୍କ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ ହେବ | ଯଦି ଏହା ଘଟେ, ବ୍ରିକ୍ସ ଦେଶଗୁଡିକ ପାଇଁ ଆମେରିକୀୟ ବଜାରର ଦ୍ୱାର ବନ୍ଦ ରହିବ |

  • ବାଇକ ଦୁର୍ଘଟଣାରେ ତିନି ମୃତ

    ବରଗଡ଼ : କ୍ରିକେଟ ଖେଳ ସଉକ ହେଲା କାଳ । କ୍ରିକେଟ ଖେଳ ଦେଖି ଫେରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ଥ ହୋଇ ତିନିଜଣଙ୍କର ମୃତ୍ଯୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ପଦ୍ମପୁର ନିକଟସ୍ଥ ବାଜେନମୁଣ୍ଡା ଗାଁର ପିଲାମାନେ ବାନେ୍ଦନବାହାଲ ଗାଁକୁ କ୍ରିକେଟ ଖେଳିବା ପାଇଁ ଯାଇଥିଲେ । ସେଠାରେ ବାଜେନମୁଣ୍ଡା ଦଳ ବିଜୟ ହେଲା ପରେ ସେମାନଙ୍କ ସହ ଖେଳ ଦେଖିବା ପାଇଁ ଯାଇଥିବା ପିଲାମାନେ ମଉଜ ମଜଲିସ କରି ଫେରୁଥିଲେ । ହେଲେ ପଦ୍ମପୁର ନିକଟସ୍ଥ ମହୁଲପାଲି ବ୍ରିଜ ଉପରେ ଭାର ସାମ୍ୟ ହରାଇ ବାଇକ ସହ ଘୋଷାଡ଼ି ହୋଇ ପଡ଼ିଥିଲେ ଖେଳ ଦେଖିବାକୁ ଯାଇଥିବା ତିନି ଜଣ | ତେବେ ସେମାନଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ମାନେ ହେଲେ ବୁଡେନ ଥାନା ବାଜେନମୁଣ୍ଡା ଗାଁର ପଦ୍ମନ ଥପା, ଆକାଶ ପୋଢ ଓ ପଦ୍ମଲୋଚନ ଥପା ।

  • ରେକୁଟିଆ ସରସ୍ଵତୀ ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ

    କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ରେକୁଟିଆ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରର ପଞ୍ଚଦଶ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶିଶୁ ମନ୍ଦିର ସଭାପତି ବଟକୃଷ୍ଣ ବେହେରାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ରୂପେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଆନନ୍ଦପୁର ନକୁଳ ଚରଣ ନାୟକ , ମୁଖ୍ୟ ବକ୍ତା ରୂପେ ପୂର୍ବତନ ବିଇଓ ହରିଚନ୍ଦନପୁର ପ୍ରଦୀପ କୁମାର ଚକ୍ର,ସମ୍ମାନିତ ଅତିଥି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୃତ୍ତିବାସ ରାଉତରାୟ, ତରିମୁଳ ପୂର୍ବତନ ସମିତିସଭ୍ୟ ନିରାକର ଜେନା, ସମ୍ପାଦକ ଗୋପାଳ କୃଷ୍ଣ ଜେନା, ତରିମୁଳ ପଂଚାୟତ ସରପଞ୍ଚ ପଙ୍କଜିନୀ ରାଉତରାୟ, ମୁଖ୍ୟ ଟ୍ରଷ୍ଟି ନିରଞ୍ଜନ ଚକ୍ର, ପ୍ରଧାନ ଶିକ୍ଷକ ବଳରାମ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଅତିଥି ପରିଚୟ ପ୍ରଦାନ କରିଥିଲେ ରଶ୍ମିରଞ୍ଜନ ବଳ, ଦିଲୀପ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା କ୍ରୀଡ଼ା ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ। ଶେଷରେ ପିଲାମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।