Tag: #SongControversy

  • ଅଶ୍ଳୀଳତାର ଅନ୍ତ: ୟୁଟ୍ୟୁବ୍‌ରୁ ହଟିଲା ନୋରାଙ୍କ ଗୀତ, ବାଦଶାହଙ୍କ ଉପରେ ଗିରଫଦାରୀ ଖଣ୍ଡା

    ଅଶ୍ଳୀଳତାର ଅନ୍ତ: ୟୁଟ୍ୟୁବ୍‌ରୁ ହଟିଲା ନୋରାଙ୍କ ଗୀତ, ବାଦଶାହଙ୍କ ଉପରେ ଗିରଫଦାରୀ ଖଣ୍ଡା

    ବଲିଉଡର ଚଟୁଳ ଗୀତ ଏବଂ ଅଭଦ୍ର ଚିତ୍ରାୟନକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସାଂସ୍କୃତିକ ଅଧପତନର ସୀମା ପାର୍ କରିଥିବା କିଛି ଗୀତ ଏବେ ୟୁଟ୍ୟୁବ୍ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି। ସଞ୍ଜୟ ଦତ୍ତ ଏବଂ ନୋରା ଫତେହିଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ରର ଗୀତ ‘ସରକେ ଚୁନର ତେରୀ ସରକେ’ କୁ ନେଇ ଦେଶସାରା ବିରୋଧ ପ୍ରଦର୍ଶନ କରାଯାଇଛି। ଗୀତର ଅଶ୍ଳୀଳ ଶବ୍ଦାବଳୀ, ନୋରାଙ୍କ ପୋଷାକ ଏବଂ ଆପତ୍ତିଜନକ ଡ୍ୟାନ୍ସ ଷ୍ଟେପ୍। ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ଗାୟକ ଅରମାନ ମଲ୍ଲିକ ଏହାକୁ କଠୋର ଭାବେ ନିନ୍ଦା କରିଛନ୍ତି। ଅରମାନ ଏହାକୁ ଗୀତ ଲେଖା କ୍ଷେତ୍ରରେ “ଅଧପତନର ଏକ ନୂତନ ଉଦାହରଣ” ବୋଲି କହିଛନ୍ତି।

    ପ୍ରବଳ ଟ୍ରୋଲିଂ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟରେ ଅଭିଯୋଗ ପରେ ନିର୍ମାତା ଏହି ଗୀତକୁ ୟୁଟ୍ୟୁବରୁ ହଟାଇବାକୁ ବାଧ୍ୟ ହୋଇଛନ୍ତି। କେବଳ ନୋରା ନୁହଁନ୍ତି, ଲୋକପ୍ରିୟ ରାପର୍ ବାଦଶାହ ମଧ୍ୟ ନିଜର ହରିୟାଣଭି ଗୀତ ‘ତେତରି’ ପାଇଁ ଗମ୍ଭୀର ସମସ୍ୟାରେ ଫସିଛନ୍ତି। ହରିୟାଣା ରାଜ୍ୟ ମହିଳା କମିଶନ ଏହି ଗୀତ ମହିଳାଙ୍କ ମର୍ଯ୍ୟାଦା ହାନି କରୁଥିବା ଅଭିଯୋଗ କରିଛନ୍ତି। ଯଦି ବାଦଶାହ ତଦନ୍ତରେ ସହଯୋଗ ନକରନ୍ତି, ତେବେ ତାଙ୍କୁ ଗିରଫ କରିବା ସହ ତାଙ୍କ ପାସପୋର୍ଟ ଜବତ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ୟୁନିଫର୍ମ ପିନ୍ଧିଥିବା ଝିଅମାନଙ୍କୁ ବସରେ ଆପତ୍ତିଜନକ ଇଙ୍ଗିତ ସହ ନାଚୁଥିବା ଦୃଶ୍ୟ ସମାଜରେ ଖରାପ ବାର୍ତ୍ତା ଦେଉଥିବା ଦର୍ଶାଯାଇଛି। କଳା ଏବଂ ମନୋରଞ୍ଜନ ନାମରେ ଅଶ୍ଳୀଳତାକୁ ପ୍ରଶ୍ରୟ ଦେବା ସାମାଜିକ ନୈତିକତା ପାଇଁ ବିପଜ୍ଜନକ। ଦର୍ଶକଙ୍କ ସଚେତନତା ଏବଂ କୋର୍ଟଙ୍କ କଠୋର ଆଭିମୁଖ୍ୟ ହିଁ ଏଭଳି ଘୃଣ୍ୟ କାର୍ଯ୍ୟ ଉପରେ ରୋକ୍ ଲଗାଇପାରିବ।