Tag: #SchoolNews

  • ଫର୍ମ ଭରିଲେ, ହେଲେ ପରୀକ୍ଷା ଦେଲେନି ମାଟ୍ରିକ ପରୀକ୍ଷାରେ ୯,୯୩୦ ଛାତ୍ରଛାତ୍ରୀ କେଉଁଠି ହେଲେ ଉଭାନ୍?

    ଫର୍ମ ଭରିଲେ, ହେଲେ ପରୀକ୍ଷା ଦେଲେନି ମାଟ୍ରିକ ପରୀକ୍ଷାରେ ୯,୯୩୦ ଛାତ୍ରଛାତ୍ରୀ କେଉଁଠି ହେଲେ ଉଭାନ୍?

    ଚଳିତ ବର୍ଷର ମାଟ୍ରିକ ପରୀକ୍ଷାକୁ ନେଇ ଏକ ଚମତ୍କାରଜନକ ତଥ୍ୟ ସାମ୍ନାକୁ ଆସିଛି, ଯାହା ଶିକ୍ଷା ବ୍ୟବସ୍ଥା ଉପରେ ନୂତନ ପ୍ରଶ୍ନ ଉଠାଇଛି। ପରୀକ୍ଷା ପାଇଁ ଫର୍ମ ଭରିଥିବା ହଜାର ହଜାର ଛାତ୍ରଛାତ୍ରୀ ଶେଷରେ ପରୀକ୍ଷା ଦେବାକୁ ଆସିନଥିବା ଘଟଣା ଚିନ୍ତାର କାରଣ ହୋଇଛି।

    ବିଧାୟିକା ଉପାସନା ମହାନ୍ତିଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖି ଶିକ୍ଷା ବିଭାଗ ପକ୍ଷରୁ ଜଣାଯାଇଛି ଯେ, ଏହି ବର୍ଷ ମୋଟ ୫,୪୬,୮୭୬ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଭରିଥିଲେ। କିନ୍ତୁ ସେଥିରୁ ୫,୩୬,୯୪୬ ଜଣ ମାତ୍ର ପରୀକ୍ଷା ଦେଇଥିଲେ। ଅର୍ଥାତ୍ ୯,୯୩୦ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ, ଯାହା ସମୁଦାୟର ୧.୮୧ ପ୍ରତିଶତ। ଏହି ତଥ୍ୟ ଉପସ୍ଥାପନ କରିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି—ଏତେ ସଂଖ୍ୟକ ପିଲା ପରୀକ୍ଷା ଦେବାକୁ କାହିଁକି ଆସିଲେ ନାହିଁ?

    ଶିକ୍ଷାବିଦ୍ମାନଙ୍କ ମତରେ, ଏହା ପଛରେ ବିଭିନ୍ନ କାରଣ ଥାଇପାରେ। କେତେକ ଛାତ୍ରଛାତ୍ରୀ ପଢ଼ାରେ ପ୍ରସ୍ତୁତି ନଥିବାରୁ ପରୀକ୍ଷାରୁ ଦୂରେଇଥାଇପାରନ୍ତି, ଆଉ କେହି ପରିବାରିକ କିମ୍ବା ଆର୍ଥିକ ସମସ୍ୟାର କାରଣରୁ ଯୋଗ ଦେଇପାରିନଥାଇପାରନ୍ତି। କେତେକ ଅଞ୍ଚଳରେ ପ୍ରବାସ, ସ୍ୱାସ୍ଥ୍ୟ ସମସ୍ୟା କିମ୍ବା ଆଗ୍ରହର ଅଭାବ ମଧ୍ୟ ଏହାର କାରଣ ହୋଇପାରେ।

    ଏହି ଘଟଣା ଶିକ୍ଷା ବ୍ୟବସ୍ଥାର ତଳସ୍ତରରେ ଥିବା ସମସ୍ୟାକୁ ଆଲୋକିତ କରୁଛି। ସରକାର ଏବଂ ଶିକ୍ଷା ବିଭାଗ ପାଇଁ ଏହା ଏକ ସତର୍କ ସଙ୍କେତ—କେବଳ ଭର୍ତ୍ତି କିମ୍ବା ଫର୍ମ ଫିଲ୍‌ ଅପ୍ ନୁହେଁ, ପରୀକ୍ଷା ପର୍ଯ୍ୟନ୍ତ ପିଲାମାନଙ୍କୁ ଆଣିବା ଓ ସମ୍ପୂର୍ଣ୍ଣ ଶିକ୍ଷା ଯାତ୍ରାକୁ ସୁନିଶ୍ଚିତ କରିବା ଆବଶ୍ୟକ।