Tag: #MissionShakti

  • ମିସନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟଫୋନ୍, ଶାଢ଼ିରେ ଝଲସିବ ଓଡ଼ିଆ ଅସ୍ମିତା

    ମିସନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟଫୋନ୍, ଶାଢ଼ିରେ ଝଲସିବ ଓଡ଼ିଆ ଅସ୍ମିତା

    ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । ମିସନ ଶକ୍ତି ଅନ୍ତର୍ଗତ ମହିଳାଙ୍କ ପାଇଁ ଗୋଟିଏ ପରେ ଗୋଟିଏ ବଡ଼ ଘୋଷଣା କରାଯାଇଛି। ମିଶନ୍ ଶକ୍ତି ମହିଳା ପରିଧାନ କରିବେ ନୂଆ ପୋଷାକ ।  ଯେଉଁଥିରେ ରହିବ ଓଡ଼ିଆ ଅସ୍ମିତାର ଝଲକ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି ଯେ, ଖୁବଶୀଘ୍ର ମିସନ ଶକ୍ତି ନୂଆ ରୂପରେ ସାମ୍ନାକୁ ଆସିବ। ଏହି ନୂଆ ଡ୍ରେସ୍ କୋଡ୍ ଆସନ୍ତା ଏପ୍ରିଲ ୧ ତାରିଖ, ଉତ୍କଳ ଦିବସ ଅବସରରୁ ଲାଗୁ ହେବ। ତେବେ ଶାଢ଼ୀର ରଙ୍ଗ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟତା ଆଣାଯାଇନାହିଁ। ଏହି ଡ୍ରେସ୍ କୋଡ୍ ମହିଳାଙ୍କ ଏକତା, ପରିଚୟ ଓ ସ୍ୱାଭିମାନକୁ ପ୍ରତିବିମ୍ବିତ କରିବ ବୋଲି କୁହାଯାଇଛି। ଦୀର୍ଘଦିନ ଧରି ଏହି ଦାବି ହୋଇଆସୁଥିଲା । କେବଳ ଏତିକି ନୁହେଁ, ମହିଳାଙ୍କୁ ଦିଆଯିବ ନୂଆ ସ୍ମାର୍ଟ ଫୋନ୍ । ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୪୬ହଜାର କମ୍ୟୁନିଟି ରିସର୍ଚ୍ଚ ପର୍ସନ ବା ସିଆରପି ମହିଳାଙ୍କୁ ସ୍ମାର୍ଟଫୋନ ଯୋଗାଇ ଦିଆଯିବ । ଏହା ମାଧ୍ୟମରେ ସେମାନେ ଡିଜିଟାଲ ପେମେଣ୍ଟ, ଅନଲାଇନ୍ ଟ୍ରେନିଂ, ବ୍ୟବସାୟିକ ସୂଚନା ଓ ସରକାରୀ ଯୋଜନା ସମ୍ପର୍କିତ ତଥ୍ୟ ପାଇପାରିବେ ।

  • ଓଡ଼ିଶା ପ୍ରଶାସନର ଶୀର୍ଷ ପଦବୀରେ ପ୍ରଥମ ଥର ଜଣେ ମହିଳା

    ଓଡ଼ିଶା ପ୍ରଶାସନର ଶୀର୍ଷ ପଦବୀରେ ପ୍ରଥମ ଥର ଜଣେ ମହିଳା

    ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ଅନୁ ଗର୍ଗ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଠାରୁ ସେ ଆସନ୍ତା ୩୧ ତାରିଖରେ ଏହି ଗୁରୁଦାୟିତ୍ୱ ଗ୍ରହଣ କରିବେ। ଏହା ସହିତ ଓଡ଼ିଶା ପ୍ରଶାସନିକ ଇତିହାସରେ ଅନୁ ଗର୍ଗ ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଅଭିଷିକ୍ତ ହେବେ।

    ଅନୁ ଗର୍ଗଙ୍କ ନିଯୁକ୍ତିକୁ ନେଇ ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ରାଜନୈତିକ ମହଲ ପର୍ଯ୍ୟନ୍ତ ବ୍ୟାପକ ଆଲୋଚନା ଚାଲିଛି। ବରିଷ୍ଠ ଓଡ଼ିଆ ଅଧିକାରୀ ସତ୍ୟବ୍ରତ ସାହୁ ଥିବା ସତ୍ତ୍ୱେ ଅନୁ ଗର୍ଗଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ କରାଯିବା ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ତଥାପି, ପ୍ରଶାସନିକ ଅନୁଭବ, କେନ୍ଦ୍ର-ରାଜ୍ୟ ସମନ୍ୱୟ ଓ ଜନସମ୍ପର୍କ କୌଶଳକୁ ଏହି ନିଯୁକ୍ତିର ପ୍ରମୁଖ ଆଧାର ଭାବେ ଦେଖାଯାଉଛି।

    ୧୯୯୧ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ଭାବେ ଅନୁ ଗର୍ଗଙ୍କ ପ୍ରଶାସନିକ ଜୀବନ ଆରମ୍ଭ ହୋଇଥିଲା ପଶ୍ଚିମ ଓଡ଼ିଶାରୁ। ୧୯୯୨ରୁ ୨୦୦୩ ମଧ୍ୟରେ ସେ କଳାହାଣ୍ଡି, ସମ୍ବଲପୁର ଓ ଝାରସୁଗୁଡ଼ାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନଙ୍କ ସମସ୍ୟା ସହ ନିକଟ ସମ୍ପର୍କ ଗଢ଼ିଥିଲେ। ଜିଲ୍ଲାପାଳ ଭାବେ ତାଙ୍କ କାର୍ଯ୍ୟଶୈଳୀ ଓ ସମାଧାନମୂଳକ ପଦକ୍ଷେପ ତାଙ୍କୁ ଜନସାଧାରଣ ମଧ୍ୟରେ ବେଶ୍ ଲୋକପ୍ରିୟ କରିଥିଲା।

    ପରେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରିଥିଲେ ଅନୁ ଗର୍ଗ। ଏହି ସମୟରେ ସେ ଜନସ୍ୱାସ୍ଥ୍ୟ ନୀତି ପ୍ରଣୟନ ସହିତ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସୃଷ୍ଟି କରି କେନ୍ଦ୍ର ସରକାରଙ୍କ ଅନେକ ଯୋଜନାର ସଫଳ ରୂପାୟନରେ ଅଗ୍ରଣୀ ଭୂମିକା ନେଇଥିଲେ। ଆମେରିକାର ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟରୁ ଜନସ୍ୱାସ୍ଥ୍ୟ ଶିକ୍ଷା ତାଙ୍କୁ ଜଣେ ଦକ୍ଷ ସ୍ୱାସ୍ଥ୍ୟ ପ୍ରଶାସକ ଭାବେ ପରିଚିତ କରାଇଥିଲା।

    ଦିଲ୍ଲୀରୁ ଫେରିବା ପରେ ଅନୁ ଗର୍ଗ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଜଳସମ୍ପଦ, ମହିଳା ଓ ଶିଶୁ ବିକାଶ, ଯୋଜନା ଓ ସମନ୍ୱୟ ବିଭାଗ ସହିତ ଉନ୍ନୟନ କମିଶନର ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରି ନିଜ ପାରଦର୍ଶିତା ପ୍ରମାଣ କରିଥିଲେ। ‘ମିଶନ ଶକ୍ତି’ ଯୋଜନାର କଳ୍ପନା ଓ ରୂପାୟନରେ ତାଙ୍କ ଭୂମିକା ଏବେ ବି ପ୍ରଶଂସିତ।

    ୨୦୨୪ ନିର୍ବାଚନ ପରେ ଗଠିତ ମୋହନ ଚରଣ ମାଝୀ ସରକାର ପାଇଁ ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଗଢ଼ିବା ଏକ ବଡ଼ ଲକ୍ଷ୍ୟ। ରାଜ୍ୟର ଅର୍ଥନୀତିକୁ ୫ ବିଲିୟନ ଡଲାର ପର୍ଯ୍ୟନ୍ତ ନେବା, ଶିଳ୍ପ, କୃଷି, ସେବା ଓ ପର୍ଯ୍ୟଟନ କ୍ଷେତ୍ରରେ ସଂସ୍କାର ଓ ବିନିଯୋଗ ବୃଦ୍ଧି ଏସବୁ ଲକ୍ଷ୍ୟ ସାଧନରେ ନୂଆ ମୁଖ୍ୟ ଶାସନ ସଚିବଙ୍କ ଭୂମିକା ନିର୍ଣ୍ଣାୟକ ହେବ।

    ସୁଭଦ୍ରା ଯୋଜନା ଓ ମିଶନ ଶକ୍ତିକୁ ଅଧିକ ଲୋକାଭିମୁଖୀ କରି ମହିଳା ସଶକ୍ତିକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସୁଧାର ମାଧ୍ୟମରେ ରାଜ୍ୟ ସରକାରଙ୍କ ଲୋକପ୍ରିୟତା ବଢ଼ାଇବା ଦାୟିତ୍ୱ ଅନୁ ଗର୍ଗଙ୍କ କାନ୍ଧରେ ରହିବ। ସହଜ ମିଶୁଆ ସ୍ୱଭାବ ଓ ସ୍ମିତହାସ୍ୟ ଚେହେରାରେ ପରିଚିତ ଅନୁ ଗର୍ଗ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ମିଶି ଲୋକଙ୍କ ମୁଖ୍ୟ ଶାସନ ସଚିବ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିବେ କି ନାହିଁ, ସେଥିପାଇଁ ଏବେ ସମସ୍ତଙ୍କ ଦୃଷ୍ଟି ତାଙ୍କ ଉପରେ।