Tag: #handloom

  • ବିଜୁ ମୈଦାନ, ପାରାଦ୍ଵୀପରେ ଆତ୍ମନିର୍ଭର ଭାରତ ଓ ସ୍ବଦେଶୀ ମେଳା ଆରମ୍ଭ

    ପାରାଦ୍ଵୀପ ବିଜୁ ମୈଦାନ ବାଲିଯାତ୍ରା ପଡିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ “ଆତ୍ମନିର୍ଭର ଭାରତ ଓ ସ୍ବଦେଶୀ ମେଳା” ଉଦଘାଟିତ ହୋଇଯାଇଛି। ୫ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଜଗତସିଂହପୁର ଜିଲ୍ଲା ସହ ଜିଲ୍ଲା ବାହାରର ମହିଳା ଓ ଯୁବ ଉଦ୍ୟୋଗୀମାନେ ଯୋଗଦେଇଛନ୍ତି।

    ମେଳାରେ ପ୍ରାୟ ୨୦୦ଟି ଷ୍ଟଲ୍‌ ଖୋଲାଯାଇଛି। ଏଠାରେ ହାତ ତିଆରି ଘରକରଣା ସାମଗ୍ରୀ, ଖେଳନା, ହସ୍ତତନ୍ତ ଲୁଗା ଓ ବିଭିନ୍ନ ସ୍ବଦେଶୀ ପଣ୍ୟର ପ୍ରଦର୍ଶନୀ ଲାଗିଛି। ସାଧାରଣ ଲୋକଙ୍କ ଭଲ ପ୍ରତିସାଦ ମିଳିବା ସହ ଉଦ୍ୟୋଗୀମାନେ ଭଲ ବ୍ୟବସାୟ କରିବେ ବୋଲି ଜିଲ୍ଲା ଓ ମ୍ୟୁନିସିପାଲଟି ପ୍ରଶାସନ ଆଶା ପ୍ରକାଶ କରିଛନ୍ତି।ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପ୍ରୋତ୍ସାହନ ଦେବା। ଏଠାକୁ ଆସୁଥିବା ଲୋକମାନେ ନିଜେ କିପରି ଛୋଟ ଉଦ୍ୟମ ଆରମ୍ଭ କରିପାରିବେ, ସେଥିପାଇଁ ଅଭିଜ୍ଞତା ଓ ପ୍ରେରଣା ହାସଲ କରିପାରିବେ। ଏହା ସ୍ଥାନୀୟ ଅଞ୍ଚଳର ଆର୍ଥିକ ଓ ସାମାଜିକ ବିକାଶରେ ସହାୟକ ହେବ ବୋଲି କୁହାଯାଇଛି।

    ଉଦଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟକ ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହା ସହ ବିଭୁପ୍ରସାଦ ତରାଇ, ମ୍ୟୁନିସିପାଲଟି ଅଧ୍ୟକ୍ଷ ବସନ୍ତ ବିଶ୍ବାଳ, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, କୁଜଙ୍ଗ ବିଡ଼ିଓ ଦୀପକ ପ୍ରସାଦ ସ୍ବାଇଁ ଓ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ପ୍ରମୁଖ ଉପସ୍ଥିତ ଥିଲେ। ସେମାନେ ମହିଳା ଓ ଯୁବବର୍ଗଙ୍କୁ ଆତ୍ମନିର୍ଭର ହେବା ପାଇଁ ପରାମର୍ଶ ଦେଇଥିଲେ। ଏହି ମେଳା ସ୍ଥାନୀୟ ଉଦ୍ୟୋଗୀମାନଙ୍କ ପାଇଁ ଏକ ବଡ଼ ମଞ୍ଚ ହୋଇ ଉଭୁ କରିଛି।

  • ହସ୍ତତନ୍ତ ବସ୍ତ୍ର ପ୍ରତି ବଢୁଛି ଲୋକପ୍ରିୟତା

    ହସ୍ତତନ୍ତ ବସ୍ତ୍ର ପ୍ରତି ବଢୁଛି ଲୋକପ୍ରିୟତା

    ଦିନକୁ ଦିନ ହସ୍ତତନ୍ତ ବସ୍ତ୍ର ପ୍ରତି ସାଧାରଣ ଲୋକଙ୍କ ଆଗ୍ରହ ପ୍ରକାଶ ପାଉଛି। ବିଶେଷ କରି ଓଡ଼ିଶାର ସମ୍ବଲପୁରୀ ବସ୍ତ୍ର ସହ ରାଜ୍ୟର ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ପରିଧାନ ପାଇଁ ଲୋକଙ୍କ ଆଗ୍ରହ ଦେଖା ଯାଉଛି। ଏହି ହସ୍ତତନ୍ତ ବସ୍ତ୍ରର ବ୍ୟବସାୟୀକରଣ କରିବାର ଆବଶ୍ୟକତା ଦେଖି ରାଜ୍ୟ ସରକାର ହସ୍ତତନ୍ତ ମେଳା ଆୟୋଜନ କରୁଛନ୍ତି। ଏହାର ଲକ୍ଷ୍ୟ ହେଉଛି ବୁଣାକାର ମାନଙ୍କୁ ସିଧାସଳଖ ବଜାର ସହ ଯୋଡିବା ଓ ସଠିକ୍ କାମକୁ ସଠିକ୍ ଦାମ ଦେବା। ଏହି ଉଦ୍ଦେଶ୍ୟ ରଖି କେନ୍ଦୁଝର ଜିଲ୍ଲାର ଗଣ ପର୍ବ ଭାବେ ପରିଚିତ କାଳୀ ପୂଜା ଅବସରରେ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ହସ୍ତତନ୍ତ ମେଳା ଆୟୋଜନ କରାଯାଇଛି। ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳାକୁ କେନ୍ଦୁଝରଗଡ ପୌରପାଳିକା ନଗରପାଳିକା ନିକୁ ସାହୁ ଗୁରୁବାର ସନ୍ଧ୍ୟାରେ ଉଦଘାଟନ କରିଥିଲେ।। ଏହି ଅବସରରେ ଡିଏଫ୍ଓ ଧନରାଜ ଏଚ ଡି, ଉପଜିଲ୍ଲାପାଳ ରାମଚନ୍ଦ୍ର କିଷ୍କୁଙ୍କ ସହ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

    ପ୍ରସିଦ୍ଧ କାଳୀପୂଜା ଉପଲକ୍ଷେ ଜେଲରୋଡ ଠାରେ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନବ୍ୟାପୀ ବୟନିକା ପକ୍ଷରୁ ୬୦ଟି ଷ୍ଟଲରେ ହସ୍ତତନ୍ତ ଶିଳ୍ପ ପ୍ରଦର୍ଶନୀ ଓ ବିକ୍ରୟ ମେଳା ହେବ। ଏହି ଆୟୋଜନ କେନ୍ଦୁଝର ପୂଜା ବଜାରକୁ ଅଧିକ ସରଗରମ କରିଛି । ପ୍ରକାଶ ଯେ ଗତବର୍ଷ ଆୟୋଜିତ ହୋଇଥିବା ମେଳାରେ ୯୦ ଲକ୍ଷ ଟଙ୍କା ବ୍ୟବସାୟ ହୋଇଥିବା ବେଳେ ଚଳିତ ବର୍ଷ ଏକ କୋଟି ଟଙ୍କାରୁ ଉର୍ଦ୍ଧ ବ୍ୟବସାୟ କରିବାର ଲକ୍ଷ୍ୟ ରଖିଛି ହସ୍ତତନ୍ତ ବିଭାଗ।