Tag: #FoodHabits

  • ବିଳମ୍ବିତ ରାତିରେ ଭୋଜନ: ସ୍ୱାସ୍ଥ୍ୟ ପାଇଁ ହାନିକାରକ?

    ବିଳମ୍ବିତ ରାତିରେ ଭୋଜନ: ସ୍ୱାସ୍ଥ୍ୟ ପାଇଁ ହାନିକାରକ?

    ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ ବହୁତ ଲୋକ ଡେରିରେ ଘରକୁ ଫେରିବା, କାର୍ଯ୍ୟଚାପ, କ୍ଲବ୍‌ ଓ ମନୋରଞ୍ଜନ ପରେ ରାତ୍ରିରେ ବହୁ ଡେରିରେ ଖାଦ୍ୟ ଖାଉଛନ୍ତି | ଏହି ଅଭ୍ୟାସ ଦେଖିବାକୁ ସାଧାରଣ ଲାଗିଥିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରୁଛନ୍ତି। ବିଶେଷଜ୍ଞମାନଙ୍କ ମତାନୁସାରେ, ଆପଣ ରାତିରେ କ’ଣ ଖାଉଛନ୍ତି ସେଥିରେ ଯେତେ ଗୁରୁତ୍ୱ ରହିଛି, କେତେବେଳେ ଖାଉଛନ୍ତି ସେଥିରେ ମଧ୍ୟ ସମାନ ଗୁରୁତ୍ୱ ରହିଛି। ଶୋଇବା ପୂର୍ବରୁ ଅଧିକ ଡେରିରେ ଭୋଜନ କରିଲେ ଶରୀରକୁ ଖାଦ୍ୟ ହଜମ କରିବା ପାଇଁ ପ୍ରୟାପ୍ତ ସମୟ ମିଳେନାହିଁ। ଫଳରେ ଅମ୍ଳପିତ୍ତ, ଗ୍ୟାସ୍‌, ଅଜୀର୍ଣ୍ଣ, ନିଦ୍ରାହୀନତା ପରି ସମସ୍ୟା ଦେଖାଦେଇପାରେ।

    ଡାକ୍ତରମାନଙ୍କ ପରାମର୍ଶ ଅନୁଯାୟୀ, ଶୋଇବାର ଅତି କମରେ ୨ ରୁ ୩ ଘଣ୍ଟା ପୂର୍ବରୁ ରାତ୍ରିଭୋଜନ କରିବା ଉଚିତ। ହାଲୁକା ଓ ସହଜ ପାଚ୍ୟ ଖାଦ୍ୟ ଗ୍ରହଣ କଲେ ନିଦ୍ରା ଭଲ ହୁଏ ଓ ସକାଳେ ଉଠିବାବେଳେ ତାଜା ଅନୁଭବ ହୁଏ। ଅନେକ ଲୋକ ୮ ଘଣ୍ଟା ଶୋଇଥିଲେ ମଧ୍ୟ ସକାଳେ କ୍ଳାନ୍ତ ଲାଗୁଥିବା କଥା କହନ୍ତି। ବିଶେଷଜ୍ଞମାନେ କହୁଛନ୍ତି, ଦେରରେ ଭୋଜନ ଏହାର ମୂଳ କାରଣ ହୋଇପାରେ। ଏହା ଶରୀରର ମେଟାବଲିଜମ୍‌କୁ ପ୍ରଭାବିତ କରି ଓଜନ ବୃଦ୍ଧିର ସମସ୍ୟା ମଧ୍ୟ ସୃଷ୍ଟି କରେ। ବିଶେଷକରି ମଧୁମେହ, ଉଚ୍ଚ ରକ୍ତଚାପ ଓ ମୋଟାପାରେ ପୀଡ଼ିତ ଲୋକମାନଙ୍କ ପାଇଁ ସଅଳ ରାତ୍ରିଭୋଜନ ଅତ୍ୟନ୍ତ ଉପକାରୀ। ସମୟରେ ଓ ସୀମିତ ପରିମାଣରେ ଭୋଜନ କରିବା ଶରୀରକୁ ସୁସ୍ଥ ରଖିବା ସହ ମାନସିକ ଏକାଗ୍ରତା ବଢ଼ାଇଥାଏ।

    ସେଥିପାଇଁ କଣ କରିବେ ଆପଣ ଆସନ୍ତୁ ଜାଣିବା | ସନ୍ଧ୍ୟା ୭ଟାରୁ ୮ଟା ମଧ୍ୟରେ ଭୋଜନ ଶେଷ କରନ୍ତୁ , ତାହା ସହ ହାଲୁକା ଓ କାମ ତେଲିଆ ଖାଦ୍ୟ ଖାଆନ୍ତୁ | ଶୋଇବା ପୂର୍ବରୁ ଭାରି ଖାଦ୍ୟ ଓ ମିଠା ଗ୍ରହଣ କରନ୍ତୁ | ସୁସ୍ଥ ରହିବାକୁ କେବଳ ଉପଯୁକ୍ତ ଖାଦ୍ୟ ନୁହେଁ, ଠିକ୍‌ ସମୟରେ ଖାଇବା ମଧ୍ୟ ସମାନ ଭାବେ ଆବଶ୍ୟକ।

  • ଫାଷ୍ଟଫୁଡ ନେଲା ଜୀବନ

    ଫାଷ୍ଟଫୁଡ ନେଲା ଜୀବନ

    ଆଜିକାଲି ସମୟରେ ପ୍ରାୟ ସମସ୍ତେ ଫାଷ୍ଟଫୁଡ୍ କିମ୍ବା ଜଙ୍କ ଫୁଡକୁ ଅଧିକ ପସନ୍ଦ କରୁଥିବା ଦେଖାଯାଉଛି। ଏହା ପାଟିକୁ ଭଲ ଲାଗୁଥିଲେ ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ସେହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରେ +୨ ପ୍ରଥମ ବର୍ଷରେ ପଢୁଥିବା ଜଣେ କଲେଜ ଛାତ୍ରୀ ଅଧିକ ଫାଷ୍ଟଫୁଡ ସେବନ କରି ମୃତ୍ୟୁବରଣ କରିଥିବା ଜଣାପଡିଛି। ଡାକ୍ତରମାନଙ୍କ କହିବା ଅନୁଯାୟୀ, ମୃତ୍ୟୁର ପ୍ରଧାନ କାରଣ ମାତ୍ରାଧିକ ଜଙ୍କ ଫୁଡ୍ ସେବନ କରିବା।

    ରିପୋର୍ଟ ଅନୁସାରେ, ଛାତ୍ରୀଜଣକ ଅମରୋହା ନଗର କୋତୱାଲି ଅଞ୍ଚଳର ଆଫଗାନ ମୋହଲ୍ଲାର ବାସିନ୍ଦା ଥିଲେ। ତାଙ୍କର ଚାଉମିନ୍, ମ୍ୟାଗି, ପିଜା ଓ ବର୍ଗର ଭଳି ଫାଷ୍ଟଫୁଡ ଖାଇବାର ଅଭ୍ୟାସ ଥିବା କଥା ପରିବାର ସଦସ୍ୟମାନେ କହିଛନ୍ତି। କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ହେବା ପରେ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ପଠାଯାଇଥିଲା।

    ଚିକିତ୍ସକମାନଙ୍କ କହିବା ଅନୁଯାୟୀ, ଅତ୍ୟଧିକ ଫାଷ୍ଟଫୁଡ ସେବନ ଯୋଗୁଁ ଛାତ୍ରୀଙ୍କ ଅନ୍ତନଳୀରେ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଥିଲା। ଅବସ୍ଥା ସଂକଟପୂର୍ଣ୍ଣ ହେବାରୁ ଅନ୍ତନଳୀ ସଫା କରିବା ପାଇଁ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା। ତଥାପି, ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରିନଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

    ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି। ଅତି କମ ବୟସରେ ଏଭଳି ମୃତ୍ୟୁ ସମଗ୍ର ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି। ଏହି ଘଟଣା ଫାଷ୍ଟଫୁଡ ଓ ଜଙ୍କ ଫୁଡ୍ ପ୍ରତି ସଚେତନତାର ଆବଶ୍ୟକତାକୁ ପୁନର୍ବାର ଉଜାଗର କରିଛି।