
ଭୁବନେଶ୍ୱରର ଚନ୍ଦକା ଥାନା ଭିତରେ ଘଟିଥିବା ଏକ ଭୟାବହ ଘଟଣା ସମଗ୍ର ଅଞ୍ଚଳକୁ ଚକିତ କରିଛି। ଥାନା ପରି ସୁରକ୍ଷିତ ସ୍ଥାନରେ ପୁଲିସଙ୍କ ସାମ୍ନାରେ ଜଣେ ଅଭିଯୁକ୍ତ ଛୁରି ଆକ୍ରମଣ କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଗୋଟିଏ ପରିବାରର କିଛି ସଦସ୍ୟ କୌଣସି ବିବାଦ ସମ୍ବନ୍ଧରେ ଥାନାକୁ ଯାଇଥିଲେ। କିନ୍ତୁ ବଚସା ଦେଖିଦେଖି ହିଁ ଭୟାବହ ରୂପ ନେଇଥିଲା। ଥାନା ଭିତରେ ଦୁଇ ମହିଳା ଓ ଜଣେ ପୁରୁଷଙ୍କ ମଧ୍ୟରେ ତୁମୁଳ ମାରପିଟ ଆରମ୍ଭ ହୋଇଯାଇଥିଲା।
ଏହି ସମୟରେ ଜଣେ ଅଭିଯୁକ୍ତ ହଠାତ୍ ଛୁରି କାଢ଼ି ଆକ୍ରମଣ କରିଥିଲେ। ପୁଲିସ ଉପସ୍ଥିତିରେ ମଧ୍ୟ ସେ ଜଣେ ପୁରୁଷ ଓ ମହିଳାଙ୍କୁ ଗୋଡ଼େଇ ଗୋଡ଼େଇ ଛୁରିଭୁସିଥିଲେ। ଫଳରେ ଦୁଇଜଣ ଗୁରୁତର ଭାବେ ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ଥାନା ଭିତରେ ଗଡାତଡ଼ା ହୋଇଥିଲେ।
ଘଟଣାଟି ଏତେ ଦ୍ରୁତ ଘଟିଥିଲା ଯେ ପୁଲିସ କିଛି ସମୟ ପାଇଁ ଅବାକ୍ ହୋଇପଡ଼ିଥିଲେ। ପରେ ସେମାନେ ପରିସ୍ଥିତିକୁ ନିୟନ୍ତ୍ରଣରେ ନେଇ ଅଭିଯୁକ୍ତଙ୍କୁ ଆଟକ କରିଥିବା ସୂଚନା ମିଳିଛି।
ଏହି ଭୟଙ୍କର ଘଟଣାର ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ ହେଉଛି, ଯାହା ପୁଲିସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଥାନା ପରି ସୁରକ୍ଷିତ ସ୍ଥାନରେ ଏମିତି ଆକ୍ରମଣ କିପରି ସମ୍ଭବ ହେଲା, ସେନେଇ ତଦନ୍ତ ଆରମ୍ଭ ହୋଇଛି।
ପୁଲିସ ପକ୍ଷରୁ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି ଓ ଘଟଣାର ସମସ୍ତ ପରିସ୍ଥିତିକୁ ଖୋଜାଯାଉଛି।


