Tag: #BIRDFLU

  • ପୁଣି ଆସିଲା ବାର୍ଡ ଫ୍ଲୁ: ସତର୍କ ହେବାର ସହଜ ଉପାୟ

    ପୁଣି ଆସିଲା ବାର୍ଡ ଫ୍ଲୁ: ସତର୍କ ହେବାର ସହଜ ଉପାୟ

    ତାମିଲନାଡ଼ୁର ଚେନ୍ନାଇରେ ପ୍ରାୟ ୧,୫୦୦ କାଉଙ୍କ ହଠାତ୍ ମୃତ୍ୟୁ ବାର୍ଡ ଫ୍ଲୁ ପୁଣି ଏକ ଭୟଙ୍କର ମାମଲା ହିସାବରେ ସମାଜର ଦୃଷ୍ଟିକୁ ଆକର୍ଷଣ କରିଛି। ଗତ କିଛି ବର୍ଷ ଧରି, ଏହି ରୋଗ ସାରା ବିଶ୍ୱରେ ଖବର ମୁଖ୍ୟ ଶିରୋନାମାରେ ରହିଛି। ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ, ବର୍ତ୍ତମାନ ସମଗ୍ର ବିଶ୍ୱରେ ଚର୍ଚ୍ଚିତ ହେଉଥିବା ଆଭିଆନ୍ ଇନଫ୍ଲୁଏଞ୍ଜା ଭୂତାଣୁ ଦ୍ରୁତ ଗତିରେ ବିକାଶ ପାଇଛି, ଯାହା ଭବିଷ୍ୟତରେ ଏକ ଗମ୍ଭୀର ବିଶ୍ୱ ମହାମାରୀ ଘଟାଇପାରେ।ଏହି ଚିନ୍ତାର କେନ୍ଦ୍ରରେ ଅତ୍ୟଧିକ ପାଥୋଜେନିକ୍ ଆଭିଆନ୍ ଇନଫ୍ଲୁଏଞ୍ଜା (ଏଚ୍‌ପିଏଆଇ) ଅଛି, ଯାହା ସାଧାରଣତଃ ଇନଫ୍ଲୁଏଞ୍ଜା ଏଏଚ୍୫ଏନ୍୧ ଭୂତାଣୁ ଭାବରେ ଜଣାଶୁଣା। ଏହି ଷ୍ଟ୍ରେନ୍ ପକ୍ଷୀମାନଙ୍କ ମଧ୍ୟରେ ଗୁରୁତର ରୋଗ ଓ ବହୁଳ ମୃତ୍ୟୁ ଘଟାଇବା ପାଇଁ କୁଖ୍ୟାତ, କିନ୍ତୁ ଏହାର ବିପଦ ସେଠାରେ ଶେଷ ହୁଏ ନାହିଁ। ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଏଚ୍୫ଏନ୍୧ ପ୍ରଜାତିର ପକ୍ଷୀରୁ ପଶୁ ଓ ବେଳେବେଳେ ମଣିଷକୁ ସଂକ୍ରମିତ ହେବାର କ୍ଷମତା ଅଛି।

    ନିକଟ ଅତୀତରେ ଭାରତରେ ବାରମ୍ବାର ସଂକ୍ରମଣ ଦେଖିବାକୁ ମିଳିଛି। ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କେରଳ, ତେଲେଙ୍ଗାନା ଓ ତାମିଲନାଡୁ ଭଳି ରାଜ୍ୟରେ କୁକୁଡ଼ାଙ୍କଠାରେ ସଂକ୍ରମଣ ହୋଇଥିବା ବେଳେ ସମଗ୍ର ମହାଦେଶରେ ଅନେକ ବନ୍ୟଜନ୍ତୁ ଏହି ଭୂତାଣୁ ଦ୍ୱାରା ଧ୍ୱଂସ ହୋଇଯାଇଛନ୍ତି। ତେବେ ଏଚ୍୫ଏନ୍୧ ଏକ ବିରଳ କିମ୍ବା ସ୍ଥାନୀୟ ସମସ୍ୟା ନୁହେଁ, ବରଂ ଏକ ବିଶ୍ୱସ୍ତରୀୟ ବିପଦ।

    ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ତଥ୍ୟ ଅନୁସାରେ ଜାନୁଆରି ୨୦୦୩ରୁ ଡିସେମ୍ବର ୨୦୨୫ ମଧ୍ୟରେ ୨୫ଟି ଦେଶରେ ସମୁଦାୟ ୯୯୩ ମାନବ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଥିଲା। ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ (୪୭୭ ଜଣ)ମୃତ୍ୟୁବରଣ କରିଥିଲେ। ଏହି ଭୂତାଣୁ ମୁଖ୍ୟତଃ ପକ୍ଷୀମାନଙ୍କୁ ସଂକ୍ରମିତ କରୁଥିବାବେଳେ ବିକ୍ଷିପ୍ତ ମାନବ ମାମଲା ସାମ୍ନାକୁ ଆସୁଛି ।

    ସେଥିପାଇଁ ଆମକୁ ସତର୍କ ହେବାର ଆବଶ୍ୟକତା ଅଛି। ମଣିଷକୁ ସଂକ୍ରମିତ ହେଲେ ଏହା ସାଧାରଣ ଫ୍ଲୁ (ସର୍ଦ୍ଦି) ଅପେକ୍ଷା ଭୟଙ୍କର ଓ ମାରାତ୍ମକ ହୋଇପାରେ। ଲକ୍ଷଣଗୁଡ଼ିକ ସାମାନ୍ୟ ହୋଇପାରେ, ଋତୁକାଳୀନ ଫ୍ଲୁ ପରି ହୋଇପାରେ କିମ୍ବା ଆଖି ପ୍ରଦାହ ଭାବରେ ଦେଖାଯାଇପାରେ, କିନ୍ତୁ ସେଗୁଡ଼ିକ ଗୁରୁତର ଶ୍ୱାସକ୍ରିୟା ରୋଗ ଓ ମୃତ୍ୟୁର କାରଣ ବି ହୋଇପାରେ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ-ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଆଇସିଏମ୍ ଆର୍-ଏନ୍ ଆଇଭି) ର ଜଣେ ଭାଇରୋଲୋଜିଷ୍ଟଙ୍କ ଅନୁଯାୟୀ, ସଂକ୍ରମିତ ମଣିଷ ସାଧାରଣତଃ ଉଚ୍ଚ ଜ୍ୱର, କାଶ, ଗଳା ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା ଓ ଥକାପଣ ଅନୁଭବ କରନ୍ତି। ଅଧିକ ଗମ୍ଭୀର କ୍ଷେତ୍ରରେ, ନିମୋନିଆ ହୋଇପାରେ ।

    ଋତୁକାଳୀନ ଫ୍ଲୁ ଅପେକ୍ଷା ବାର୍ଡ ଫ୍ଲୁ ଲକ୍ଷଣ ଅଧିକ ଆକ୍ରମଣାତ୍ମକ ହୋଇପାରେ। ସାଧାରଣତଃ ସଂସ୍ପର୍ଶରେ ଆସିବାର ଆଠରୁ ଦଶ ଦିନ ମଧ୍ୟରେ ଲକ୍ଷଣ ଦେଖାଯାଏ, ଯଦିଓ ଲକ୍ଷଣବିହୀନ ସଂକ୍ରମଣ ମଧ୍ୟ ରିପୋର୍ଟ କରାଯାଇଛି। ସଂକ୍ରମିତ ପକ୍ଷୀ ବା ପଶୁଙ୍କ ସହ ଶାରୀରିକ ସଂସ୍ରବରେ ଆସିବା ଦ୍ବାରା ଏହି ସଂକ୍ରମଣ ହେଉଥିବାରୁ କୌଣସି ଅଞ୍ଚଳରେ ବାର୍ଡ ଫ୍ଲୁ ସଂକ୍ରମଣ ସୂଚନା ମିଳିବା ମାତ୍ରେ ଆମେ ଯଥାସମ୍ଭବ ସଂସ୍ରବରୁ ଦୂରରେ ରହିବା, ମାସ୍କ ପିନ୍ଧିବା, ସାବୁନରେ ହାତ ଆଦି ଧୋଇବା ଭଳି କୋଭିଡ୍‌-କାଳନ ନିୟମ ପାଳନ କରିବା ଉଚିତ ‌ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

  • କୁକୁଡ଼ା ମଡ଼କକୁ ନେଇ ଚାଷୀ ମୁଣ୍ଡରେ ଚଡକ ! ପିପିଲିରେ ପ୍ରତିଦିନ ମରୁଛନ୍ତି ଶହ ଶହ କୁକୁଡ଼ା

    କୁକୁଡ଼ା ମଡ଼କକୁ ନେଇ ଚାଷୀ ମୁଣ୍ଡରେ ଚଡକ ! ପିପିଲିରେ ପ୍ରତିଦିନ ମରୁଛନ୍ତି ଶହ ଶହ କୁକୁଡ଼ା

    ସମ୍ପ୍ରତ୍ତି ପିପିଲିରେ ଦେଖାଦେଇଥିବା କୁକୁଡ଼ା ମଡ଼କକୁ ନେଇ ଚାଷୀ ମୁଣ୍ଡରେ ହାତ ଦେଇଥିବାବେଳେ ପଶୁପାଳନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ କିଛି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଭେଟରନାରୀ ଅଫିସର ବିଭିନ୍ନ ଅଞ୍ଚଳକୁ ତୋଫାନି ଗସ୍ତ କରୁଥିଲେ ମଧ୍ୟ କାରଣ ଓ ନିରାକରଣ ସମ୍ପର୍କରେ କି ପଦକ୍ଷେପ ଗ୍ରହଣ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ଏପଟେ, ମଲା କୁକୁଡ଼ାକୁ ନେଇ ଚିନ୍ତାରେ ଚାଷୀ । ଅଧିକାଂଶ କୁକୁଡ଼ା ଫାର୍ମ ଜନବସତି ମଧ୍ୟରେ ଅବସ୍ଥିତ ହୋଇଥିବାରୁ ଗ୍ରାମବାସୀଙ୍କ ଭିତରେ ବଢୁଛି ଅଜଣା ଭୟ । ଏଣୁ, କୁକୁଡ଼ା ମୃତ୍ୟୁ ଜନିତ କ୍ଷତି ସହିବାପରେ ମଧ୍ୟ ହାତରୁ ଟଙ୍କା ଖର୍ଚ୍ଚକରି ଟ୍ରାକ୍ଟର ଲଗାଇ ଜନବସତିଠାରୁ ଦୂରରେ ଚାଷୀ ପୋତୁଛନ୍ତି କୁଢ଼ କୁଢ଼ ମଲା କୁକୁଡ଼ା ।

    ଶୁକ୍ରବାର ଦିନ ସୂଚନାଟିଭି ଏ ଘଟଣାକୁ ଲୋକଲୋଚନ ତଥା ସରକାରଙ୍କ ନଜରକୁ ଆଣିବା ପାଇଁ ପିପିଲି ବ୍ଲକର ବରାଗଡ଼ ଓ ଗୋକନ ଗ୍ରାମ ଗସ୍ତ କରିଥିଲା । ‘ଗ୍ରାଉଣ୍ଡ ଜିରୋ’ରେ ପହଂଚିବା ପରେ ଆମେ ଜାଣିବାକୁ ପାଇଲୁ ସେହି ଅଂଚଳରେ ଦୁଇଟି କମ୍ପାନୀ — ଇଷ୍ଟର୍ନ ହାଚେରୀ ଓ ପଶୁପତି ତରଫରୁ ଫାର୍ମମାନଙ୍କୁ କୁକୁଡ଼ା ଚିଆଁ ଓ ଦାନା ଯୋଗାଇ ଦିଆଯାଉଛି । ଏ ଦୁଇଟି କମ୍ପାନୀ ମଧ୍ୟରୁ ଗୋଟିଏ ନିର୍ଦ୍ଧିଷ୍ଟ କମ୍ପାନୀର କୁକୁଡ଼ା ମରୁଥିବା କଥା ସାମ୍ନାକୁ ଆସୁଛି । ତେବେ, କାହିଁକି ଓ କେଉଁ ତ୍ରୁଟି ଯୋଗୁ କ୍ରମାଗତ ଭାବରେ କୁକୁଡ଼ା ମରୁଛନ୍ତି ତାହା ନିରପେକ୍ଷ ପରୀକ୍ଷା ହେଲେ ଜଣାପଡିବ । ତେବେ, କୁକୁଡ଼ା ମୃତ୍ୟୁଜନିତ କ୍ଷତି ଭରଣା କରିବାକୁ କ୍ଷତିଗ୍ରସ୍ତ ଚାଷୀ ସରକାରଙ୍କୁ ନିବେଦନ କରୁଥିବା ବେଳେ ଅନ୍ୟ କିଛି ଚାଷୀ ସେମାଙ୍କର କୌଣସି କ୍ଷତି ହୋଇନାହିଁ ଓ ସେମାନଙ୍କ ପାଇଁ କ୍ଷତି ପୁରଣର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।

    କୁହାଯାଉଛି, କ୍ଷତିପୂରଣ ଚାହୁଁଥିବା ଚାଷୀ ସରକାରଙ୍କଠାରୁ ଆର୍ଥିକ ସାହାଯ୍ୟ ନେଇ ପୁନର୍ବାର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବାବେଳେ, ଅନ୍ୟ ଚାଷୀମାନେ ସେମାନଙ୍କର ସେମାନଙ୍କ ବ୍ୟବସାୟ ହାନି ହେବା ଭୟରେ କ୍ଷତିପୂରଣ ଚାହୁଁନାହାନ୍ତି । କେହି କେହି ଚାଷୀ କମ୍ପନିଠାରୁ କ୍ଷତିପୂରଣ ପାଇବା ଆଶାରେ ସରକାରୀ ସହାୟତା ନେବାକୁ ସିଧା ମନା କରିଦେଇଛନ୍ତି ।

    ତେବେ, ପଶୁ ପାଳନ ବିଭାଗ ତରଫରୁ ସମୟୋଚିତ ପଦକ୍ଷେପ ଗ୍ରହଣ କରାଗଲେ କୁକୁଡ଼ା ମଡ଼କରେ ଅଙ୍କୁଶ ଲାଗିପାରନ୍ତା ଓ ଚାଷୀ ଆଶ୍ୱସ୍ତ ହୁଅନ୍ତେ । ଏଠାରେ ଉଲ୍ଲେଖ କରାଯାଇପାରେ କି, ମାତ୍ର ଆଠ ମାସ ତଳେ ଏହି ଅଂଚଳରେ କୁକୁଡ଼ା ମଡ଼କ ଦେଖାଦେଇଥିଲା ଓ କ୍ଷତିପୂରଣ ପ୍ରଦାନରେ ବ୍ୟାପକ ଅନିୟମିତତା ଦେଖାଦେଇଥିଲା ।