Tag: #AntiMaoistOperation

  • ମାଓମୁକ୍ତ ହେଲା ରାୟଗଡ଼ା: ହିଂସା ଛାଡି ସାମାଜିକ ମୁଖ୍ୟସ୍ରୋତରେ ଫେରିଲେ ମାଓ ସମ୍ପୃକ୍ତ

    ମାଓମୁକ୍ତ ହେଲା ରାୟଗଡ଼ା: ହିଂସା ଛାଡି ସାମାଜିକ ମୁଖ୍ୟସ୍ରୋତରେ ଫେରିଲେ ମାଓ ସମ୍ପୃକ୍ତ

    ମାଓବାଦମୁକ୍ତ ହେଲା ରାୟଗଡ଼ା ଜିଲ୍ଲା। କୁଖ୍ୟାତ ମାଓ ଦମ୍ପତି ନିଖିଲ ଓ ଇନ୍ଦୁଙ୍କ ସହ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ ପରେ ଏହି ସୂଚନା ଏଡିଜି ସଂଜୀବ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି। ବାସଧାରା–ଘୁମୁସର–ନାଗାବଳି ଡିଭିଜନର ଦୁଇ କୁଖ୍ୟାତ ମାଓବାଦୀ ନିଖିଲ ଓ ଇନ୍ଦୁଙ୍କ ସହ ଅନ୍ୟ ୧୩ ମାଓବାଦୀ — ବିକାଶ, ସୁନ୍ଦର, ପ୍ରଦୀପ, ରୋସନି, ଅରୁଣା, ନନ୍ଦେ, ନିକିତା, କୁମାରୀ, ଦୀପକ, ରାକେଶ, ଲଲିତ, ରାଜେ ଏବଂ ମାଳତି — ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ନିଖିଲ ଓ ଇନ୍ଦୁଙ୍କ ମୁଣ୍ଡରେ ୧ କୋଟି ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ରହିଥିଲା। ଆତ୍ମସମର୍ପଣ କରିଥିବା ସମସ୍ତେ ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ଫେରିବାକୁ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି।

    ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ନିୟମଗିରି ପାଦଦେଶରେ ରହି ବାଘୁନା ଡିଭିଜନକୁ ପରିଚାଳନା କରୁଥିଲେ । ତେବେ ଆଗକୁ ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ପାଇଁ କାମ କରିବେ ବୋଲି କହିଛନ୍ତି। ମାଓବାଦୀ ମାନେ ହିଂସାକାଣ୍ଡ ରେ ବ୍ୟବହାର କରୁଥିବି ୨ଟି ଏକେ-୪୭, ୫ଟି ଏସଏଲଆର୍, ଗୋଟିଏ ଷ୍ଟେନ୍‌ଗନ୍, ଇନ୍‌ସାସ୍- ୧, ରାଇଫଲ-୧ ସହ ଅଫୁଟା ଗୁଳି ପୁଲିସକୁ ହସ୍ତାନ୍ତର କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସିଆରପିଏଫ ଆଇଜି ଅମିତେନ୍ଦ୍ରନାଥ ସିଂହା , ଦକ୍ଷିଣ ପଶ୍ଚିମ ଡିଆଇଜି କନଭର ବିଶାଳ ସିଂ, ରାୟଗଡା ଏସପି ସ୍ଵାତି ଏସ କୁମାର, କଳାହାଣ୍ଡି ଏସପି ଦେବରାଜ ନାଗାର କୋଣ୍ଡା, କନ୍ଧମାଳ ଏସପି ହରିଶ୍ ବିସି, ରାୟଗଡା ଆଶୁତୋଷ କୁଲକର୍ଣ୍ଣି ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।

  • ସୁରକ୍ଷାବାହିନୀର ବଡ଼ ସଫଳତା: ୧ କୋଟି ପୁରସ୍କାର ମାଓ ନେତା ସହ ୪ ମାଓବାଦୀ ନିହତ

    ସୁରକ୍ଷାବାହିନୀର ବଡ଼ ସଫଳତା: ୧ କୋଟି ପୁରସ୍କାର ମାଓ ନେତା ସହ ୪ ମାଓବାଦୀ ନିହତ

    ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା। ଚକାପାଦ ଥାନା ଅଞ୍ଚଳରେ ଚାଲିଥିବା ଏକ ଜଏଣ୍ଟ ଅପରେସନ୍ ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁର୍ଦ୍ଦାନ୍ତ ଟପ୍ ମାଓ ନେତା ଗଣେଶ ଉଇକେ ସହ ମୋଟ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ନିହତ ମାଓବାଦୀଙ୍କ ମଧ୍ୟରୁ ୨ ଜଣ ମହିଳା ଥିବା ସୂଚନା ମିଳିଛି।

    ସୁରକ୍ଷା ସୂତ୍ର ଅନୁଯାୟୀ, ୬୯ ବର୍ଷୀୟ ଗଣେଶ ଉଇକେ ମାଓବାଦୀ ସଂଗଠନର ସେଣ୍ଟ୍ରାଲ କମିଟିର ଆଗ ଧାଡ଼ିର ସଦସ୍ୟ ଥିଲା। ତାଙ୍କ ନାଁରେ ୧ କୋଟି ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଥିଲା। ଦୀର୍ଘ ଦିନ ଧରି ସେ ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲେ।

    ମାଓବାଦୀ ଲୁଚି ରହିଥିବା ଗୁପ୍ତ ସୂଚନା ମିଳିବା ପରେ SOG, CRPF ଓ BSF ପକ୍ଷରୁ ଚକାପାଦ ଅଞ୍ଚଳରେ ବ୍ୟାପକ କମ୍ବିଂ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ଅପରେସନ୍‌ରେ SOG–CRPF–BSFର ୨୩ଟି ମିଳିତ ଟିମ୍ ସାମିଲ ଥିଲେ।

    କମ୍ବିଂ ବେଳେ ମାଓବାଦୀମାନେ ସୁରକ୍ଷାବାହିନୀ ଉପରକୁ ଅନ୍ଧାଧୁନ ଗୁଳିଚାଳନା କରିଥିଲେ। ଏହାର ପ୍ରତିଉତ୍ତରରେ ସୁରକ୍ଷାକର୍ମୀମାନେ ପାଲଟା ଗୁଳିଚାଳନା କରିଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳିଯୁଦ୍ଧରେ ମାଓବାଦୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଥିବା ସୁରକ୍ଷା ବିଭାଗ କହିଛି।

    ଏହି ସଫଳ ଅପରେସନ୍ ପରେ କନ୍ଧମାଳ ସହ ସମଗ୍ର ଦକ୍ଷିଣ ଓଡ଼ିଶାରେ ମାଓବାଦୀ କାର୍ଯ୍ୟକଳାପକୁ ଏକ ବଡ଼ ଆଘାତ ଲାଗିଛି ବୋଲି ସୁରକ୍ଷା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଅଞ୍ଚଳରେ ଏବେ ମଧ୍ୟ ସର୍ଚ୍ଚ ଅପରେସନ୍ ଜାରି ରହିଛି।