Tag: #AndhraPradesh

  • ଓଡିଶା ଗାଁ ଉପରେ ଆନ୍ଧ୍ର ପ୍ରଭାବ ବଢ଼ୁଛି

    ଓଡିଶା ଗାଁ ଉପରେ ଆନ୍ଧ୍ର ପ୍ରଭାବ ବଢ଼ୁଛି

    କୋଟିଆ ବିବାଦ ପରେ ଏବେ ଆନ୍ଧ୍ରପ୍ରଦେଶର ନଜର ଓଡିଶା–ଆନ୍ଧ୍ର ସୀମାନ୍ତର ଆଉ ଏକ ସଂବେଦନଶୀଳ ଅଞ୍ଚଳ ଉପରେ। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ସୀମାନ୍ତର ଗାଁଗୁଡିକୁ ଧୀରେଧୀରେ ନିଜ କବଜାକୁ ନେଉଥିବା ଅଭିଯୋଗ ଆସିଛି। ପ୍ରଥମେ ଜୁମଡାଙ୍ଗ ଗ୍ରାମ ପରେ ଏବେ ଓଡିଶାର ଦୋରାଗୁଡା ଗାଁ ଆନ୍ଧ୍ର ପ୍ରଭାବରେ ଆସିଥିବା ଚିତ୍ର ସାମ୍ନାକୁ ଆସିଛି।

    ସୂଚନା ଅନୁଯାୟୀ, ଦୋରାଗୁଡା ଗାଁକୁ ଓଡିଶା ପଟୁ ସିଧାସଳଖ ରାସ୍ତା ସଂଯୋଗ ନଥିବା ସୁଯୋଗକୁ ନେଇ ଆନ୍ଧ୍ର ସରକାର ଗାଁଟି ପାଇଁ ପ୍ରଶସ୍ତ ରାସ୍ତା ନିର୍ମାଣ କରୁଛି। ଏହା ସହ ଅସ୍ଥାୟୀ ସ୍କୁଲ ଖୋଲି ଓଡିଆ ପିଲାମାନଙ୍କୁ ତେଲୁଗୁ ଭାଷାରେ ପାଠ ପଢ଼ାଯାଉଛି। ଧୀରେଧୀରେ ଓଡିଶାର ଛାତ୍ରଛାତ୍ରୀଙ୍କ ମାତୃଭାଷା ଓଡିଆ ପରିବର୍ତ୍ତେ ତେଲୁଗୁ ହେଉଥିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

    କେବଳ ଶିକ୍ଷା ନୁହେଁ, ଆନ୍ଧ୍ର ସରକାର ପକ୍ଷରୁ ଗାଁଗୁଡିକୁ ମାଗଣା ବିଦ୍ୟୁତ ଓ ପାନୀୟ ଜଳ ସଂଯୋଗ ଯୋଗାଇ ଦିଆଯାଉଛି। ବିଦ୍ୟୁତ ସଂଯୋଗ ନଥିବା ସ୍ଥାନରେ ସୋଲାର ଲାଇଟ ଲଗାଇ ସମଗ୍ର ଗାଁକୁ ଆଲୋକିତ କରାଯାଉଛି। ପିଡିଏସ ଚାଉଳ, ଆବାସ ଯୋଜନାରେ ଅର୍ଥ ସହାୟତା ସହିତ ଚିକିତ୍ସାଳୟ ଓ ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଛି, ତାହା ମଧ୍ୟ ଓଡିଶାର ପଟ୍ଟା ଜମି ଉପରେ।

    ପୂର୍ବରୁ ଓଡିଶାର ଭୋଟର କାର୍ଡ ଓ ଆଧାର କାର୍ଡ ଥିବା ଅନେକ ଲୋକଙ୍କ ନାମ ଏବେ ଆନ୍ଧ୍ରପ୍ରଦେଶର ଭୋଟର ଓ ଆଧାର ତାଲିକାରେ ଯୋଡ଼ାଯାଇଛି। ଓଡିଶା ପକ୍ଷରୁ ରାସ୍ତା, ବିଦ୍ୟୁତ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ନ ପହଞ୍ଚିବାରୁ ଆନ୍ଧ୍ରର ସୁବିଧାକୁ ଆକୃଷ୍ଟ ହୋଇ ସ୍ଥାନୀୟ ବାସିନ୍ଦା ଆନ୍ଧ୍ର ମୁହାଁ ହେଉଥିବା ଦେଖାଯାଉଛି ।

    ଏନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ଚିନ୍ତା ପ୍ରକାଶ କରିଛି। ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, ତହସିଲ ଓ ବ୍ଲକ ସ୍ତରର କର୍ମଚାରୀଙ୍କୁ ସମ୍ପୃକ୍ତ ଗାଁଗୁଡିକୁ ପଠାଯାଇ ସ୍ଥିତିର ସଂପୂର୍ଣ୍ଣ ଅନୁଧ୍ୟାନ କରାଯିବ। ଓଡିଶା ସରକାରଙ୍କ ତରଫରୁ ସହାୟତା ଅପହଞ୍ଚ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଏହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ଆଶ୍ୱାସନ ଦେଇଛନ୍ତି।

  • ଆନ୍ଧ୍ରପ୍ରଦେଶର ଏକ ଫ୍ୟାକ୍ଟ୍ରୀକୁ କାମ କରିବାକୁ ଯାଇ ୨ ନାବାଳକ ମୃତ

    ଆନ୍ଧ୍ରପ୍ରଦେଶର ଏକ ଫ୍ୟାକ୍ଟ୍ରୀକୁ କାମ କରିବାକୁ ଯାଇ ୨ ନାବାଳକ ମୃତ

    ଦାଦନ ଖଟିବାକୁ ୨ ମାସ ତଳେ ଘରୁ ପାଦ କାଢ଼ିଥିଲେ ୨ ନାବାଳକ। କଅଁଳ କାନ୍ଧରେ ବଡ଼ ଦାୟିତ୍ୱ ନେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସେତକ ବି ସହିଲାନି ଦଇବ। ଯେଉଁଠି ଦୁଇ ଭାଇ ଦାଦନ ଖଟୁଥିଲେ, ସେଠି ମିଳିଲା ନିର୍ଯାତନା। କୌଶଳ କ୍ରମେ ଖସି ଆସିଥିଲେ ବି ଘରେ ପହଞ୍ଚି ପାରିନଥିଲେ। ଅଧାବାଟରେ ଚାଲିଯାଇଥିଲା ଦୁଇ ଭାଇଙ୍କ ଜୀବନ। ୨ପୁଅଙ୍କ ମୃତ୍ୟୁ ଖବର ପାଇ ଆଖିରୁ ଲୁହ ଗଡ଼ାଉଛନ୍ତି ବାପାମା’। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ମକାପଦର ଗାଁରେ। ସୁଚନା ଅନୁଯାୟୀ ମକାପଦର ଗାଁର ଦୁଇ ଭାଇ ଗଙ୍ଗାଧର ମାଝି ଓ ମହେଶ୍ୱର ମାଝି ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶର ବିଶାଖାପଟନମରେ ଏକ ଚିଙ୍ଗୁଡି ଫେକ୍ଟ୍ରି କମ୍ପାନୀକୁ ଯାଇଥିଲେ। କିଛି ଦିନ ସେହି କମ୍ପାନୀରେ କାମ କରିବା ପରେ ସେମାନଙ୍କ ଦେହ ଅସୁସ୍ଥ ହୋଇଥିଲା। ହେଲେ କଂପାନୀ କର୍ତ୍ତୃପକ୍ଷ ସେମାନଙ୍କର ଚିକିତ୍ସା ପାଇଁ କୌଣସି ସହାୟତା କରିନଥିଲା। ବରଂ ସେମାନଙ୍କୁ ନର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଫଳରେ ଦିନକୁ ଦିନକୁ ଦୁଇ ଭାଇଙ୍କ ଦେହ ଅଧିକ ଖରାପ ହୋଇଥିଲା। ସେମାନେ ଘରକୁ ଫେରିଆସିବା ପାଇଁ ମନ ସ୍ଥିର କରିଥିଲେ। ସୁପର ଭାଇଜରଙ୍କଠାରୁ କିଛି ଟଙ୍କା ଧାର ମାଗି ଟ୍ରେନ୍ ଯୋଗେ ରାୟଗଡ଼ା ପଳାଇ ଆସିଥିଲେ ଦୁଇ ଭାଇ। ରବିବାର ରାୟଗଡ଼ା ଷ୍ଟେସନରେ ପହଞ୍ଚିବା ପରେ ଦୁଇ ଭାଇ ଚାଲି ପାରୁ ନଥିଲେ। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ଉଭୟ ଷ୍ଟେସନରେ ଗୋଟିଏ ସ୍ଥାନରେ ବସିଥିଲେ।ଜିଆରପି ଉଭୟଙ୍କ ଦେଖି ପଚରାଉଚରା କରିବା ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅବସ୍ଥାରେ ଗଙ୍ଗାଧରର ମୃତ୍ୟୁ ଘଟିଥିଲା। ମହେଶ୍ୱରର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ମହେଶ୍ୱରଙ୍କ ମୃତ୍ୟୁ ଘଟିଛି। ଦୁଇ ଭାଇଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।