ଫାଇଭ୍ ଷ୍ଟାର୍ ହୋଟେଲର ସୁଇମିଂ ପୁଲ୍ରେ ଛକିଥିଲା ମୃତ୍ୟୁ। ମଉଜମସ୍ତି କରିବାକୁ ଯାଇଥିଲେ, ହେଲେ ଫେରିପାରିଲେନି। ପାଣି ଭିତରେ ହଠାତ୍ ବିଦ୍ୟୁତ୍ ଆଘାତ ଲାଗିବାରୁ ଚାଲିଗଲା ଦୁଇ ଦୁଇଜଣ ବିଦେଶୀ ନାଗରିକଙ୍କ ଜୀବନ। ଉଦ୍ଧାର କରିବାକୁ ଯାଇ ଆଉ ଦୁଇଜଣ ଆହତ ହୋଇଛନ୍ତି। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ଏକ ନାମୀଦାମୀ ଫାଇଭ୍ ଷ୍ଟାର୍ ହୋଟେଲରୁ ସାମ୍ନାକୁ ଆସିଛି ଏଭଳି ଏକ ହୃଦୟବିଦାରକ ଘଟଣା।
ସୂଚନା ଅନୁସାରେ, ଶୁକ୍ରବାର ଅର୍ଥାତ୍ ଅକ୍ଟୋବର ୩୦ ତାରିଖ ସନ୍ଧ୍ୟାରେ ବେଙ୍ଗାଲୁରୁର ହାଲାସୁରୁ ଅଞ୍ଚଳରେ ଥିବା କନରାଡ୍ ହୋଟେଲରେ ଏହି ଅଘଟଣ ଘଟିଛି। ହୋଟେଲର ତୃତୀୟ ମହଲାରେ ଥିବା ସୁଇମିଂ ପୁଲ୍ରେ ଦୁଇଜଣ ବିଦେଶୀ ନାଗରିକ ପହଁରୁଥିବା ବେଳେ ବିଦ୍ୟୁତ୍ ଆଘାତର ଶିକାର ହୋଇଥିବା ସନ୍ଦେହ କରାଯାଉଛି।
ମୃତକମାନେ ହେଲେ ଜର୍ମାନୀର ୫୭ ବର୍ଷୀୟ ଆଲେକ୍ଜାଣ୍ଡର ମ୍ୟାକ୍ସିମିଲିଆନ୍ ଥାଇସ୍ ଏବଂ ସ୍ଲୋଭାକିଆର ୪୫ ବର୍ଷୀୟ ଜୁରାଜ୍ ହୋର୍ଭାଟ୍। ଆଲେକ୍ଜାଣ୍ଡର ଲୁଫ୍ଥାନ୍ସା ଏୟାରଲାଇନ୍ସର କ୍ରୁ ସଦସ୍ୟ ଥିବାବେଳେ ଜୁରାଜ୍ ଆଇବିଏମ୍ କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ।
ଉଭୟଙ୍କୁ ବଞ୍ଚାଇବାକୁ ଯାଇ ଆମେରିକୀୟ ନାଗରିକ ମାଥ୍ୟୁ ଡିସାଣ୍ଟିସ୍ ଏବଂ ହୋଟେଲର ପୁଲ୍ ଆଟେଣ୍ଡାଣ୍ଟ୍ ରାହୁଲ ତିୱାରୀ ଆହତ ହୋଇଛନ୍ତି। ଦୁହିଁଙ୍କୁ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଉଭୟ ବିପଦମୁକ୍ତ ଥିବା ଜଣାପଡ଼ିଛି।
ଘଟଣା ପରେ ହୋଟେଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ମୃତକଙ୍କ ମଧ୍ୟରୁ ଜଣଙ୍କ ପତ୍ନୀ ହୋଟେଲ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ କରିଛନ୍ତି। ହାଲାସୁରୁ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୁଇମିଂ ପୁଲ୍ରେ କେମିତି ବିଦ୍ୟୁତ୍ ଆଘାତ ଲାଗିଲା, ଏହା ପଛରେ କାହାର ଅବହେଳା ରହିଛି କି ନାହିଁ, ତାହାର ଖୋଳତାଡ଼ ଚାଲିଛି