ବାହାନଗା ଦୁର୍ଘଟଣାକୁ ନେଇ ଫିଜିକାଲ୍ ଟାମ୍ପରିଂ ସନ୍ଦେହ: ଖୋର୍ଦ୍ଧା DRM

ସମସ୍ତଙ୍କୁ ସ୍ତବ୍ଧ କରିଦେଲା ବାହାନଗା ଟ୍ରେନ୍ ଦୁର୍ଘଟଣା । ଆଖି ପିଛୁଳାକେ ଗଲା ଶହଶହ ଜୀବନ । ସାମାନ୍ୟ ତ୍ରୁଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହେଲା କରମଣ୍ଡଳ ଏକ୍ସପ୍ରେସ୍ । ଏବେ ବି ଜୀବନ ଯୁଦ୍ଧରେ ଅନେକ ଯାତ୍ରୀଙ୍କ ସଂଘର୍ଷ ଜାରି । ସେପଟେ କାହିଁକି ଏବଂ କିପରି ଏତେବଡ଼ ଦୁର୍ଘଟଣା ଘଟିଲା ତାର କାରଣ ଖୋଜୁଛି ରେଳ ବିଭାଗ ।

କିଏ ପ୍ରକୃତ ଦୋଷୀ । ରେଳ ଡ୍ରାଇଭରଙ୍କ ଭୁଲ୍ ନା ସିଗନାଲ୍ ତ୍ରୁଟି । ଟେକନିକାଲ ଇସ୍ୟୁ ନା ଷ୍ଟେସନ ଷ୍ଟାଫଙ୍କ ଅବହେଳା ସେ ନେଇ ଚାଲିଛି ଖୋଳତାଡ଼ । ଏଭଳି ସ୍ଥିତିରେ ବିସ୍ଫୋରକ ବୟାନ୍ ରଖିଛନ୍ତି ଖୋର୍ଦ୍ଧା ଡିଆରଏମ୍ ରିଙ୍କେଶ ରାୟ । ଫିଜିକାଲ୍ ଟାମ୍ପରିଂ ଯଦି ନହୁଏ ତେବେ ସିଗ୍ନାଲରେ କୌଣସି ଗଡ଼ବଡ଼ ହେବନି । ଏହା ଟେକ୍ନିକାଲ ଇସ୍ୟୁ ନୁହଁ ବୋଲି ରୋକଠୋକ୍ କହିଛନ୍ତି ଡିଆରଏମ୍ । ପ୍ରି କଣ୍ଡିସନ ଠିକ୍ ଥିଲେ ଗ୍ରୀନ୍ ସିଗନାଲ ହେବ । ମେନ୍ ଲାଇନରେ ଥିଲା ଗ୍ରୀନ୍ ସିଗନାଲ । ଯଦି କୌଣସି ତ୍ରୁଟି ଥାଏ ତେବେ ରେଡ୍ ଲାଇଟ୍ ଜଳିବ । କେବେ ଗ୍ରୀନ୍ ସିଗ୍ନାଲ ହେବ ନାହିଁ ବୋଲି ଡିଆରଏମ୍ କହିଛନ୍ତି ।

ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍ ଯାଉଥିବା ମେନ୍ ଲାଇନରେ ଗ୍ରୀନ୍ ସିଗନାଲ ଥିଲା । ଏହା ଡାଟା ଲକ୍‌ରୁ ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ଡିଆରଏମ୍ । ଏହି କାରଣରୁ ସିଗନାଲକୁ ଫିଜିକାଲି ଟାମ୍ପରିଂ କରାଯାଇଥିବା ସେ ସନ୍ଦେହ କରିଛନ୍ତି । ଏଭଳି ଗଡବଡ ଯୋଗୁଁ ଏତେ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଗଲା ବୋଲି କହିଛନ୍ତି ଖୋର୍ଦ୍ଧା ଡିଆରଏମ୍ ।

ଗତ ୨ ତାରିଖ ଅର୍ଥାତ ଶୁକ୍ରବାର ସନ୍ଧ୍ୟାରେ ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । କରମଣ୍ଡଳ ଏକ୍ପପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇ ୨୭୫ ଜଣଙ୍କର ମୃତ୍ୟୁ ଘଟିଲା । ଏବେ ଶହଶହ ଲୋକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି । କିଛି ଲୋକ ସୁସ୍ଥ ହେବା ପରେ ମେଡିକାଲରୁ ଡିସଚାର୍ଜ କରାଯାଇଛି । ଏବେ ମୃତଦେହ ଚିହ୍ନଟ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଉଛି ।

Leave a Reply

Your email address will not be published. Required fields are marked *