
ମାତ୍ର ଦୁଇ ମାସରେ ତିନି ତିନିଟି ଚିତାଙ୍କ ମୃତ୍ୟୁ । ଏଭଳି ଘଟଣାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ମଧ୍ୟପ୍ରଦେଶର କୁନୋ ପାର୍କରେ ଥିବା ଅତିଥିଙ୍କୁ ତୁରନ୍ତ ରାଜସ୍ଥାନ ସ୍ଥାନାନ୍ତର କରିବା ଲାଗି କୋର୍ଟ ପରାମର୍ଶ ଦେଇଛନ୍ତି ।
ଜଷ୍ଟିସ B.R.ଗଭାଇ ଓ ଜଷ୍ଟିସ ସଞ୍ଜୟ କାରୋଲଙ୍କୁ ନେଇ ଗଠିତ ଖଣ୍ଡପୀଠ, ବିଭିନ୍ନ ବିଶେଷଜ୍ଞ ଓ ତଥ୍ୟକୁ ଆଧାର କରି ଚିତାମାନଙ୍କୁ ସ୍ଥାନାନ୍ତର କରିବା ଲାଗି କହିଛନ୍ତି କୋର୍ଟ । ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଅଧିକ ସଂଖ୍ୟାକ ଚିତା ରହିପାରିବେ ନାହିଁ । ଏହା ସ୍ଥାନ ଚିତାଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି କୋର୍ଟ କହିଛନ୍ତି । ଚିତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଟାକ୍ସଫୋର୍ସ ଅନୁଧ୍ୟାନ କରୁଛି । ଖୁବଶୀଘ୍ର ସେମାନଙ୍କୁ ଅନ୍ୟତ୍ର ନେବା ଲାଗି ଯୋଜନା ଚାଲିଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟ୍ଟି କହିଛନ୍ତି ।
ଗତ ମାର୍ଚ୍ଚ ୨୭ରେ ନାମିବ୍ୟାରୁ ଆସିଥିବା ସାସା ନାମ୍ନୀ ଚିତାର ମୃତ୍ୟୁ ଘଟିଥିଲା । କିଡନୀ ଖରାପ ଯୋଗୁଁ ଚିତା ପ୍ରାଣ ହରାଇଥିଲା । ମାର୍ଚ୍ଚ ୨୭ରେ ପ୍ରଥମ ଚିତାର ମୃତ୍ୟୁ ଘଟିବା ପରେ ୨୮ ତାରିଖରେ ଚିତା ଟାସ୍କ ଫୋର୍ସର ବିଶେଷଜ୍ଞଙ୍କ ଠାରୁ ରିପୋର୍ଟ ମାଗିଥିଲେ ସୁପ୍ରିମକୋର୍ଟ । ସେହିପରି ହୃଦରୋଗ ସମସ୍ୟା ଯୋଗୁଁ ଏପ୍ରିଲ ୨୩ରେ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଉଦୟ’ର ମୃତ୍ୟୁ ହୋଇଥିଲା । ହିଂସ୍ର ସଂଘର୍ଷରୁ ଗତ ମେ ୯ରେ ଦକ୍ଷିଣ ଆଫ୍ରିକାର ମାଈ ଚିତା ଦକ୍ଷା ମଧ୍ୟ ପ୍ରାଣ ହରାଇଥିଲା । ଏଭଳି ଘଟଣାକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଥିବା ବେଳେ ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି ।

ଆମ ଦେଶରେ ୧୯୪୭-୪୮ରୁ ଚିତା ପ୍ରାୟତଃ ବିଲୁପ୍ତ ହୋଇଯାଇଥିଲେ । ୨୦୨୨ ସେପ୍ଟେମ୍ବର ୧୭ରେ ନାମିବ୍ୟାରୁ ୮ଟି ଚିତା ଅଣାଯାଇଥିଲା । ସେହିପରି ଗତ ଫେବ୍ରୁଆରୀ ୧୮ ତାରିଖରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଭାରତ ଆସିଥିଲା । ସେମାନଙ୍କ ମଧ୍ୟରେ ୭ଟି ମାଈ ଓ ୫ଟି ଅଣ୍ଡିରା ଚିତା ଅଛନ୍ତି । ଏବେ ମଧ୍ୟପ୍ରଦେଶର କୁନୋ ପାର୍କରୁ ରାଜସ୍ଥାନ ସ୍ଥାନାନ୍ତର ପାଇଁ କୋର୍ଟ, କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।