ଶପଥ ଗ୍ରହଣ କରିବା ପରେ ନୂଆ ନୂଆ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ଦିଆଯାଇଥିଲା ବେଳେ ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ସାରଦା ପ୍ରସାଦ ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ୱ ଦିଆଯାଇଛି । ଅନ୍ୟ କୌଣସି ମନ୍ତ୍ରୀଙ୍କ ବିଭାଗ ବଦଳି ନାହିଁ ।
ନିରଞ୍ଜନ ପୂଜାରୀଙ୍କ ହାତରେ ଅର୍ଥ ଓ ସଂସଦୀୟ ବ୍ୟାପାର ଦାୟିତ୍ୱ ଥିଲା । ନବ ଦାସଙ୍କ ମୃତ୍ୟୁ ପରେ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ଏବେ ତାଙ୍କ ହାତରୁ ଅର୍ଥ ବିଭାଗ କାଢ଼ି ବିକ୍ରମ ଆରୁଖଙ୍କୁ ଦିଆଯାଇଛି । ସେହିଭଳି ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱ ସମୀର ଦାଶ ଏବଂ ଶ୍ରମ ବିଭାଗର ଦାୟିତ୍ୱ ଶ୍ରୀକାନ୍ତ ସାହୁଙ୍କ ପାଖରେ ଥିଲା । ସେମାନଙ୍କ ଇସ୍ତଫା ପରେ ଏହି ଦୁଇ ବିଭାଗର ମନ୍ତ୍ରୀ ପଦ ଖାଲି ପଡ଼ିଥିଲା । ଏବେ ସୁଦାମ ମାର୍ଣ୍ଡି ଓ ସାରଦା ନାୟକଙ୍କ ମଧ୍ୟରେ ଏହା ବାଣ୍ଟି ଦିଆଯାଇଛି ।
ଆଜି ସକାଳ ୯.୫୦ରେ ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିକ୍ରମ କେଶରୀ ଆରୁଖ,ସୁଦାମ ମାର୍ଣ୍ଡିଂ ଏବଂ ଶାରଦା ପ୍ରସାଦ ନାୟକ । ସେମାନଙ୍କୁ ଶପଥ ପାଠ କରାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । କାହାକୁ କେଉଁ ବିଭାଗ ମିଳିବା ନେଇ ଚର୍ଚ୍ଚା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ୩ ଜଣଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ପ୍ରଦାନ କରିଛନ୍ତି ।