ଜୀବନ ବଞ୍ଚିବା ପାଇଁ ଝରଣାପାଣି ସାହା, ଶିକ୍ଷା କଥା କିଏ ପଚାରେ, ଇଏ କଣ ଆମ ଅସ୍ମି…?

ଦୁର୍ଗମ ନିୟମଗିରି ପାହାଡରେ ଅବସ୍ଥିତ ଗାଇଲଙ୍ଗା ଗ୍ରାମରେ ପ୍ରାୟ ୧୬ ଟି ଜନଜାତି ପରିବାର ବସବାସ କରନ୍ତି । ଦୁର୍ଗମ ଇଲାକା ବୋଲି ଏଠାରେ ନା ଅଛି ସ୍ବଚ୍ଛ ପାନୀୟ ଜଳ, ନା ଅଛି ସ୍ବାସ୍ଥ୍ୟ ସେବା, ନା ଅଛି ଶିକ୍ଷାର ବ୍ୟବସ୍ଥା। ଏହି ପାହାଡ଼ିଆ ଅଞ୍ଚଳ ପାଇଁ ଏସବୁ ପାଲଟିଛି ସାତ ସପନ।

ସ୍ୱାଧୀନ ଭାରତ ୭୭ ବର୍ଷ ଅତିକ୍ରମ କରିସାରିଲାଣି ହେଲେ ଆଜି ବି ସ୍ବଚ୍ଛ ପାନୀୟ ଜଳ ନପାଇ ହନ୍ତସନ୍ତ ବଣ-ପାହାଡ଼ ଘେରା ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡା ବ୍ଲକ ଅଧିନସ୍ଥ ମୁନିଖୋଲ ପଞ୍ଚାୟତର ଗାଇଲଙ୍ଗା ଗ୍ରାମର ଅଧିବାସୀ । ସୁବିଧା ନାଁରେ ସେମାନଙ୍କ ପାଖରେ ଯାହା ପହଂଚିଛି ସେକଥା ନ କହିବା ଭଲ । ଆଜି ବି ପାନୀୟ ଜଳ ପାଇଁ ଗ୍ରାମର ମହିଳା ଝରଣା ପାଣି ଉପରେ ନିର୍ଭରଶୀଳ । ପାଣିପାଇଁ ନିଜ ଜୀବନକୁ ବିପନ୍ନକରି ହିଂସ୍ର ବନ୍ୟଜନ୍ତୁ ଭରା ଜଙ୍ଗଲ ରାସ୍ତାରେ ସେମାନଙ୍କୁ ଦୈନିକ ୪ କିମିରୁ ଉର୍ଦ୍ଧ୍ବ ରାସ୍ତା ଅତିକ୍ରମ କରିବାକୁ ପଡୁଛି । ଗତ ୨୧/୨୨ ମସିହାରେ DKDA,OPELIP ସଂସ୍ଥା ତରଫରୁ ଗ୍ରାମବାସୀଙ୍କୁ ଏକ ପାଇପ୍ ଯୋଗେ ଝରଣା ପାଣି ଯୋଗାଇ ଦିଆଯାଇଥିଲା; କିନ୍ତୁ ତାହା ଦୀର୍ଘ ତିନି ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ରାସ୍ତା ଖୋଳିବା ସମୟରେ JCB ମେସିନ ଚଳାଚଳ ଯୋଗୁ ଭାଙ୍ଗିଯିବା ଫଳରେ ପାନୀୟ ଜଳର ସୁବିଧା ଠପ୍ ହୋଇଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଦୁର୍ଗମ ନିୟମଗିରି ପାହାଡରେ ଅବସ୍ଥିତ ଗାଇଲଙ୍ଗା ଗ୍ରାମରେ ପ୍ରାୟ ୧୬ ଟି ପରିବାର ବସବାସ କରନ୍ତି । ଅପହଞ୍ଚ ଇଲାକା ହୋଇଥିବାରୁ ଶିକ୍ଷାଦାନ ମଧ୍ୟ ଏହି ମାନଙ୍କ ପାଇଁ ଅପହଞ୍ଚ ହୋଇପଡିଛି। ସରକାର ଡଙ୍ଗରିଆ କନ୍ଧମାନଙ୍କ ପାଇଁ ଯୋଜନା ପରେ ଅନେକ ଯୋଜନା କରୁଛନ୍ତି ସତ କିନ୍ତୁ ଏଭଳି ଦୁର୍ଗମ ଇଲାକାରେ ଯୋଜନା ସବୁ ଫେଲ ମାରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସ୍ଥାନୀୟ ମୁନିଖୋଲ ପଞ୍ଚାୟତ ଆଶ୍ରମ ସ୍କୁଲ୍କୁ ଯିବା ପାଇଁ ହେଲେ ପ୍ରାୟ ୭ କିଲୋମିଟର ହେଉଥିବାରୁ ପିଲାମାନଙ୍କ ବାପା-ମା’ ଯିବା ଆସିବା ଭୟରେ ପିଲା ମାନଙ୍କୁ ସ୍କୁଲକୁ  ଛାଡ଼ୁନଥିବା ଦେଖିବାକୁ ମିଳୁଛି। ପିଲାମାନଙ୍କ ପାଠ ପଢିବାର ବହୁ ଇଚ୍ଛା ଶକ୍ତି ଥିଲେବି ତାହା ସ୍ବପ୍ନରେ ହିଁ ସିମିତ ରହିଯାଇଥିବା ଏଥିରେ ଜଣାପଡ଼ୁଛି । ବହୁତ ଦୁଃଖର କଥା ଏହି ଭଳି ଅଞ୍ଚଳରେ ଶିକ୍ଷାର ବ୍ୟବସ୍ଥା ନଥିବାରୁ ଅଧିକାଂଶ ପିଲା ପାଠ ପଢିବା ବୟସରେ ଘରେ ବାପ-ମାଙ୍କୁ ଚାଷ ବାସ କରିବାରେ ସାହାଯ୍ୟ କରିବାକୁ ଘରେ ରହିଥିବା ଦେଖିବାକୁ ମିଳିଛି।

ପାନୀୟ ଜଳ, ସ୍ବାସ୍ଥ୍ୟ ସେବା, ଶିକ୍ଷା ଓ ଅନ୍ୟ ସମସ୍ୟାକୁ ନେଇ ଗ୍ରାମର ଭକ୍ତ ପଲକିଆ, ନିରାକାର ପଲକିଆ, ଅଭିମନ୍ୟୁ ଚିଛୁଆନ୍, ଶବର ଭାତ୍ରା, ମାଳିଧନ ପଲକିଆ, ଚିତ୍ର ସିକକା, ପାଲାଡି ଜାକେଶିକା, କାମନ୍ତି ବାଗ, ରେବତୀ ପଲକିଆ, ନିଳାବତୀ ବାଗ ପ୍ରମୁଖ ମୁନିଗୁଡା ବି.ଡି.ଓ. ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ତେବେ, ଏ ଦିଗରେ ସରକାର କିମ୍ବା ବ୍ଲକ ପ୍ରଶାସନ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଏବଂ ଅଞ୍ଚଳ ବାସୀଙ୍କ ଦୁଃଖ କେବେ ଦୁରହେବ ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *