ଆସନ୍ତା ୬ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପେଶାଲ ଡ୍ରାଇଭ କରିବେ । ଯେଉଁମାନେ BSKY କାର୍ଡ ପାଇନାହାଁନ୍ତି,ସେମାନଙ୍କୁ କାର୍ଡ ମିଳିବ ବୋଲି କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । କନ୍ଧମାଳ ଦାରିଙ୍ଗବାଡ଼ି ମିନି ଷ୍ଟାଡିଅମରେ ଲୋକଙ୍କୁ ଏଭଳି ସୂଚନା ଦେଇଛନ୍ତି 5T ସଚିବ । ଲୋକଙ୍କ ସମସ୍ୟା ଓ ସୁଖଦୁଃଖ ବୁଝିବା ପାଇଁ 5T ସଚିବଙ୍କୁ କନ୍ଧମାଳ ପଠାଇଥିଲେ ମୁଖ୍ୟମନ୍ତ୍ରୀ ।
ହିତାଧିକାରୀଙ୍କ ନିକଟରୁ ଯେତିକି ଦରଖାସ୍ତ ମିଳିଛି ସେସବୁ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଭିକେ ପାଣ୍ଡିଆନ୍ । ଜଳସେଚନ କାମ ଶେଷ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଜଗନ୍ନାଥ ମନ୍ଦିର,ମା’ମନ୍ଦିର,କମ୍ୟୁନିଟି ସେଣ୍ଟର,ସାଇବାବା ମନ୍ଦିର,ହନୁମାନ ମନ୍ଦିର, ଚର୍ଚ୍ଚ ଏବଂ ମସଜିଦର ଉନ୍ନତି ପାଇଁ ଦାବିପତ୍ର ଦେଇଛନ୍ତି ସେଠିକାର ବାସିନ୍ଦା । ଖୁବଶୀଘ୍ର ଏ ନେଇ ଖୁସି ଖବର ମିଳିବ ବୋଲି କହିଛନ୍ତି ଭିକେ ପାଣ୍ଡିଆନ ।
ଦାରିଙ୍ଗବାଡ଼ିର ଘରେ ଘରେ ପାନୀୟ ଜଳ ପହଞ୍ଚାବାକୁ ୧୧୨ କୋଟି ମଞ୍ଜୁର କରିଛନ୍ତି ସରକାର । ଆସନ୍ତା ଡିସେମ୍ବର ଅର୍ଥାତ୍ ୬ ମାସ ମଧ୍ୟରେ ହସ୍ପିଟାଲ ରୂପାନ୍ତର କାର୍ଯ୍ୟ ସରିବ । 5T ସ୍କୁଲ ରୂପାନ୍ତର, ପର୍ଯ୍ୟଟନ କ୍ଷେତ୍ରର ବିକାଶ, ବସଷ୍ଟାଣ୍ଡ ଓ ୩ଟି ସେତୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିବେ । ଦାରିଙ୍ଗବାଡ଼ି ଓଡ଼ିଶାର ସବୁଠାରୁ ସୁନ୍ଦର ଜାଗା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମଧୁବାବୁ ଭତ୍ତା ପାଇଁ ଆଉ ଦୂର ବ୍ୟାଙ୍କକୁ ଯିବାକୁ ପଡ଼ିବ ନାହିଁ । ତେଣୁ ଏହାକୁ ପଞ୍ଚାୟତରେ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଲୋକଙ୍କ ସହ ହାତ ମିଳାଇ ସେଲ୍ଫି ନେଇଥିଲେ 5T ସଚିବ ଭି.କେ.ପାଣ୍ଡିଆନ ।