ସ୍ପେନର ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପାଇଲଟ୍

ସ୍ପେନରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଫ୍-୧୮ ହର୍ନେଟ୍ ଲଢୁଆ ବିମାନ ଦୁର୍ଘଟଣା ହେବାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ରାଜଧାନୀ ମାଦ୍ରିଦ ଠାରୁ ପ୍ରାୟ ୩୦୦ କିଲୋମିଟର ଦୂର ଜରଗୋଜା ଏୟାରବେସରେ ଏକ ଏଫ୍-୧୮ ହର୍ନେଟ୍ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

ଦୁର୍ଘଟଣା ପରେ ବିମାନଟିରେ ନିଆଁ ଲାଗିଯାଇଥିଲା । ଏହାର ଏକ ଭିଡିଓ ଟ୍ୱିଟରରେ ଏବେ ଭାଇରାଲ ହୋଇଛି । ଲଢୁଆ ବିମାନଟି ଖସିପଡ଼ିବା ପରେ ସେଥିରେ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଦେଖିବାକୁ ମିଳିଛି । ଆମେରିକା ନିର୍ମିତ ଏଫ୍-୧୮ ହର୍ନେଟ୍ ଲଢୁଆ ବିମାନ ବହୁତ ଉଚ୍ଚତାରୁ ଏୟାରବେସ୍ ଆଡ଼କୁ ଦ୍ରୁତ ଗତିରେ ଆସୁଥିଲା । କିନ୍ତୁ ଅବତରଣ ପୂର୍ବରୁ ବିମାନ ଉପରୁ ନିୟନ୍ତ୍ରଣ ହରାଇ ଦେଇଛନ୍ତି ପାଇଲଟ୍ । ବିମାନଟି ଦ୍ରୁତ ଗତିରେ ଖସିପଡ଼ୁଛି ଓ ତାପରେ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଭିଡିଓରୁ ସ୍ପଷ୍ଟ ହୋଇଛି ।

ସେପଟେ, ସ୍ପେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଟ୍ୱିଟ୍ କରି କହିଛି ଯେ ଦୁର୍ଘଟଣା ପୂର୍ବରୁ ବିମାନର ପାଇଲଟ୍ ବାହାରି ଆସିଥିଲେ । ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ସେ ସୁସ୍ଥ ଏବଂ ତାଙ୍କ ଜୀବନ ପ୍ରତି କୌଣସି ବିପଦ ନାହିଁ ବୋଲି ସୂଚନା ମିଳିଛି । ଜରାଗୋଜା ଏୟାରବେସ୍, ସହର ଠାରୁ ପ୍ରାୟ ୧୬ କିଲୋମିଟର ଦୂରରେ ଅବସ୍ଥିତ । ଏହା ସ୍ପେନର ବାୟୁ ଓ ମହାକାଶ ବାହିନୀର ଅଧୀନରେ ରହିଛି । ଲଢୁଆ ବିମାନ ଏକ ଉଡ଼ାଣ ପ୍ରଦର୍ଶନୀ ପାଇଁ ପ୍ରଶିକ୍ଷଣ ନେଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ଦେଇଛି ମନ୍ତ୍ରଣାଳୟ ।

Leave a Reply

Your email address will not be published. Required fields are marked *