ଦଳ ନାହିଁ, ବିଚାର ଧାରାରେ ପରିବର୍ତ୍ତନ ହୋଇଛି : ସୌମ୍ୟରଞ୍ଜନ

ସାମ୍ପ୍ରତିକ ରାଜନୀତିକୁ ନେଇ ବର୍ଷିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟାନୟକ।  ରାଜନୀତିରେ ବର୍ତ୍ତମାନ ଦେଖାଦେଉଥିବା ଚଳଣି, ରାଜନୈତିକ ଦଳଗୁଡିକର କ୍ଷମତା ଲୋଭ, ନେତା ବନାମ ପ୍ରଶାସନିକ ଅଧିକାରୀ ପରି ବିଭିନ୍ନ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପଟ୍ଟନାୟକ। ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ଆଲୋଚନା, ‘ଜାନକୀବାବୁ ଓ ବସନ୍ତବାବୁଙ୍କ ଯୋଡି, ଓଡିଶା ରାଜନୀତିର ସୁବର୍ଣ୍ଣଯୁଗ’ ଅବସରେ ବର୍ତ୍ତମାନର ରାଜନୈତିକ ବାତାବରଣକୁ ନେଇ ନିଜ ଅସନ୍ତୋଷ ଜାହିର କରିଛନ୍ତି ସୌମ୍ୟ।

ସେ କହିଛନ୍ତି, ଏବେ ରାଜନୀତିର ପରିଭାଷା ବଦଳି ଯାଇଛି। ସବୁ ଦଳ ଏବେ କ୍ଷମତାକୁ ଆସିବା ପାଇଁ ନିର୍ବାଚନ ଲଢୁଛନ୍ତି। କୌଣସି ଉପାୟରେ ରାଜନୀତିକୁ ଆସିବାକୁ ପଡିବ, ନିର୍ବାଚନ ଜିତିବାକୁ ହେବ । ନିର୍ବାଚନ କହିଲେ ଏବେ କେବଳ ପଇସା। ସର୍ଭେ କହୁଛି ୩୦ ହଜାର କୋଟି ଖର୍ଚ୍ଚ ହୋଇଛି କର୍ଣ୍ଣାଟକ ନିର୍ବାଚନରେ। ଏଥିରେ ପ୍ରଧାନମନ୍ତ୍ରୀଙ୍କ ରାଲି ଖର୍ଚ୍ଚ ଯୋଡାଯାଇନାହିଁ। ଏହା ଗଣିଲେ ଦିଆଯାଇଥିବା ସଂଖ୍ୟା ଆହୁରି ବଢିଯିବ।

ବିଜେପିକୁ ଆକ୍ଷେପ କରି ପଟ୍ଟନାୟକ କହିଛନ୍ତି, ବିଜେପି ଆଉ ରାଜ୍ୟରେ ଦଳ ହୋଇ ନାହିଁ ବୋଲି ମୁଁ ଭାବୁଛି । ରାଜ୍ୟରେ ବିରୋଧୀ ଅଛି ବୋଲି ମୁଁ ବିଧାନସଭାରେ ଅନୁଭବ କରି ପାରୁନି । ଅର୍ଥାତ୍ ରାଜ୍ୟର ବିରୋଧୀ ଦଳ ବିଜେପି ବିଧାନସଭାରେ ସ୍ୱର ଶାଣିତ କରିବାରେ ବିଫଳ ହୋଇଛି। ସେ ଆହୁରି ବିଜେପିକୁ ନେଇ କହିଛନ୍ତି କି, ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ଟାର୍ଗେଟରେ ଥିଲା କଂଗ୍ରେସ। ସେତେବେଳେ ମୋଦି କଂଗ୍ରେସ ମୁକ୍ତ ଭାରତର ଆହ୍ୱାନ ଦେଇଥିଲେ। ତେବେ କଣ ଦେଶରେ ଗୋଟିଏ ଦଳ? ଆଉ ସେ ହେଉଛି କଂଗ୍ରେସ ବୋଲି ବିଜେପିକୁ ପ୍ରଶ୍ନ କରିଛନ୍ତି ଖଣ୍ଡପଡା ବିଧାୟକ।

ସମ୍ପ୍ରତି ରାଜ୍ୟରେ ମନ୍ତ୍ରୀ ବନାମ ସଚିବ ଚର୍ଚ୍ଚାରେ କିଏ ବଡ଼ ? ମନ୍ତ୍ରୀ ବଡ଼ ନା ସଚିବ ? ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ମନ୍ତ୍ରୀ ତଥା ଜନପ୍ରତିନିଧିଙ୍କ ଗୁରୁତ୍ୱ ହ୍ରାସକୁ ନେଇ ପରୋକ୍ଷରେ ସରକାରକୁ ଟାର୍ଗେଟ କରିଛନ୍ତି ସୌମ୍ୟ। ଏହାକୁ ନେଇ  ସେ କହିଛନ୍ତି, ପ୍ରାଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଛି । ମନ୍ତ୍ରୀଙ୍କୁ କେବଳ ସଂଗଠନ ବୁଝିବାକୁ ଛାଡ଼ି ଦିଆଯାଇଛି। ବାକି ସବୁକିଛି  ପ୍ରଶାସନ ବୁଝୁଛି। ଖବରକାଗଜରେ ବିଭିନ୍ନ ଯୋଜନାକୁ ତଥା ସରକାରୀ କାର୍ଯ୍ୟକ୍ରମରେ ବାହାରୁ ଥିବା ଫଟୋରେ ମନ୍ତ୍ରୀ ନାହିଁନ୍ତି। କେବଳ ସଚିବଙ୍କର ରହୁଛି। ସଚିବମାନେ ହିଁ ଆଜି ସବୁକିଛି।

ତେବେ ଆଲୋଚନାଟି ଜାନକୀ ପଟ୍ଟନାୟକ ଓ ବସନ୍ତ ବିଶ୍ୱାଳଙ୍କ ଜୁଗଳବନ୍ଦୀକୁ ନେଇ ହୋଇଥିବା ବେଳେ ସୌମ୍ୟଙ୍କର ଉପସ୍ଥିତି କେମିତି ଗୋଟିଏ ଅଡୁଆ ଲାଗୁଛି। ଖାଲି ଶ୍ୱଶୁର ଏଥିର ବିଷୟ ବସ୍ତୁ ଥିବାରୁ ସୌମ୍ୟ ସେଠାରେ ଉପସ୍ଥିତ ଥିଲେ ନାଁ ଜଣେ ବରିଷ୍ଠ ସାମ୍ବାଦିକ ରୂପେ? ଅଥବା ଦଳରେ ଏକ ପ୍ରକାର କୋଣଠେଁସା ହୋଇରହିବା ଓ ସଚିବଙ୍କ କାୟାବିସ୍ତାରରେ ନିଜ ଛବି ହଜିଯାଉଥିବାରୁ ପୁଣି କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛନ୍ତି ସୌମ୍ୟ?କାରଣ ଜାତୀୟସ୍ତରରେ ରାହୁଲ ଓ ପ୍ରିୟଙ୍କାଙ୍କ ନେତୃତ୍ୱ ଦଳକୁ ପୁଣି ଲୋକାଦୃତ କରିବାରେ ଲାଗିଥିବା ବେଳେ ରାଜ୍ୟ କଂଗ୍ରେସ ନିଜକୁ ସୁଦୃଢ କରିବାରେ ଲାଗିଛି।

Leave a Reply

Your email address will not be published. Required fields are marked *