ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଛି ଏକ ବଡ ଝଟକା। ଦିଲ୍ଲୀ ହାଇକୋର୍ଟ ଆଜି ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। କେଜ୍ରିୱାଲ ସରକାରଙ୍କ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ହାଇକୋର୍ଟରେ ନିମ୍ନ ଅଦାଲତଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ନିମ୍ନ ଅଦାଲତ ମଧ୍ୟ ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ।
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ଯାଞ୍ଚ କରାଯାଉଥିବା ଦିଲ୍ଲୀ ଲିକର ପଲିସି ସମ୍ପର୍କିତ ଏକ ମାମଲାରେ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି ହାଇକୋର୍ଟ। କୋର୍ଟ କହିଛନ୍ତି କି, ସିସୋଡିଆଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ଗମ୍ଭୀର ଏବଂ ଜାମିନ ପ୍ରଦାନ କରିବା ପରେ ସାକ୍ଷୀଙ୍କୁ ପ୍ରଭାବିତ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଏହି ଆଧାରରେ ହାଇକୋର୍ଟ ସିସୋଡିଆଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାର ଶୁଣାଣି ପୂର୍ବରୁ ମନୀଷ ସିସୋଡିଆଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ନେଇ ଆପ ପକ୍ଷରୁ ଅଭିଯୋଗ ହୋଇଥିଲା। ଆମ୍ ଆଦମୀ ପାର୍ଟି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ମନୀଷ ସିସୋଡିଆଙ୍କୁ ଜଣେ ପୋଲିସ୍ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲା। ଏହି ଅଭିଯୋଗର ଜବାବରେ ଦିଲ୍ଲୀ ପୋଲିସ କହିଛି ଯେ ସେମାନଙ୍କ ବିରୋଧରେ ଏକ ଭୁଲ ତଥ୍ୟ କୋର୍ଟଙ୍କ ସମ୍ମୁଖରେ ପ୍ରସ୍ତୁତ କରାଯାଉଛି। ଦିଲ୍ଲୀ ପୋଲିସ କହିଛି ଯେ ନ୍ୟାୟିକ ହେପାଜତରେ ଜଣେ ଅଭିଯୁକ୍ତ ଗଣମାଧ୍ୟମକୁ ବିବୃତ୍ତି ଦେବା ଆଇନ ବିରୁଦ୍ଧ ଅଟେ। ପୋଲିସ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି କି, ସୁରକ୍ଷା ଦୃଷ୍ଟିରୁ ଭିଡିଓରେ ପ୍ରକାଶିତ ପୋଲିସର ପ୍ରତିକ୍ରିୟା ଅନିବାର୍ଯ୍ୟ ଥିଲା। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିବା ପରେ ଆପ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପ୍ରସ୍ତୁତି କରୁଥିବା ଜଣାପଡିଛି।
ସୂଚନା ଯୋଗ୍ୟ, ଦିଲ୍ଲୀର ଏହି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବିଭିନ୍ନ ଉପାୟରେ ୬୨୨,୬୭ କୋଟି ଟଙ୍କା ଆୟ କରିଥିବା ଅଭିଯୋଗ ହୋଇଛି। ଇଡି ସୂତ୍ରରୁ ପ୍ରକାଶ ଯେ କ୍ରେଡିଟ୍ ନୋଟ୍, ହାୱାଲା ଚ୍ୟାନେଲ ଏବଂ ସିଧାସଳଖ କିକବ୍ୟାକ୍ ମାଧ୍ୟମରେ ପିଓସି ସୃଷ୍ଟି କରାଯାଇଥିଲା। ଏହି ଅଭିଯୋଗ ଚାର୍ଜସିଟରେ ଉଲ୍ଲେଖ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ସାଉଥ ଗ୍ରୁପ ବିଜୟ ନାୟାରଙ୍କୁ ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଥିଲା। ସିସୋଡିଆ ଏବଂ ନାୟାର ସହାୟତାରେ ଇଣ୍ଡୋସ୍ପିରିଟ୍ସ ଏଲଏ ଲାଇସେନ୍ସ ପାଇଥିଲା। ଏଥିରୁ ୧୯୮.୮ କୋଟି ଟଙ୍କା ଲାଭ ହୋଇଥିଲା। ସାରଥ ରେଡ୍ଡୀ, ଟ୍ରାଇଡେଣ୍ଟ ଚାମ୍ଫର, ଆଭାଣ୍ଟିକା କଣ୍ଟ୍ରାକ୍ଟର ଏବଂ ଅର୍ଗାନୋମିକ୍ସ ଇକୋସିଷ୍ଟମ ଦ୍ୱାରା ନିୟନ୍ତ୍ରିତ ତିନୋଟି ସଂସ୍ଥା ଇଣ୍ଡୋସ୍ପିରିଟ୍ସ ପାଇଁ ୬୦ କୋଟି ଟଙ୍କା ଋଣ କରାଇଛନ୍ତି।
ଦିଲ୍ଲୀର ଏକ୍ସାଇଜ୍ ପଲିସି ସ୍କାମ ଯାଞ୍ଚ କରୁଥିବା ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ପ୍ରକାଶ କରିଛି କି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ବିଭିନ୍ନ ଉପାୟରେ ୬୨୨,୬୭ କୋଟି ଟଙ୍କା ଆୟ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଚାର୍ଜସିଟରେ ଉଲ୍ଲେଖ କରାଯାଇଛି।